ସହରାଞ୍ଚଳଗୁଡ଼ିକରେ ଡିଜିଟାଲ ପେମେଣ୍ଟର ପ୍ରାଧାନ୍ୟ, ପ୍ରତି ୧୦୦ ଟଙ୍କାରେ ୭୪ ଟଙ୍କା ଡିଜିଟାଲ୍ କାରବାର
ଭାରତର ସହରାଞ୍ଚଳଗୁଡ଼ିକରେ ଡିଜିଟାଲ୍ ପେମେଣ୍ଟର ବ୍ୟବହାର ଦ୍ରୁତଗତିରେ ବୃଦ୍ଧି ପାଇଛି, ଯାହା ଦୈନନ୍ଦିନ କିଣାକିଣିରେ ନଗଦ ଟଙ୍କାର ପ୍ରାଧାନ୍ୟକୁ ପରିବର୍ତ୍ତନ କରୁଛି। ମୁମ୍ବାଇସ୍ଥିତ ସଂସ୍ଥା 'ନିଓଗ୍ରୋଥ୍' ଦ୍ୱାରା ପରିଚାଳିତ 'ନିଓଇନ୍ସାଇଟ୍ସ'ର ନବମ ସଂସ୍କରଣ 'ହାଓ ଇଣ୍ଡିଆ ପେଜ୍' ଅନୁସାରେ, ଦେଶର ୨୯ଟି ପ୍ରମୁଖ ସହରରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ ପ୍ରତି ୧୦୦ ଟଙ୍କାର ଖର୍ଚ୍ଚରେ ୭୪ ଟଙ୍କା ଡିଜିଟାଲ୍ ମାଧ୍ୟମରେ ପୈଠ ହେଉଛି। ମାତ୍ର ଦୁଇ ବର୍ଷ ପୂର୍ବେ ଏହି ହାର ୪୫ ପ୍ରତିଶତ ଥିଲା, ଯାହା ଡିଜିଟାଲ୍ କାରବାରରେ ନାଟକୀୟ ବୃଦ୍ଧିକୁ ସୂଚାଇଛି।
ଏହି ସର୍ଭେରେ ୨୧ ହଜାର ଛୋଟବଡ଼ ଦୋକାନୀଙ୍କୁ ସାମିଲ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଡିଜିଟାଲ୍ ରିଟେଲ୍ କାରବାର ମୁଖ୍ୟତଃ ୟୁପିଆଇ, କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ ହେଉଛି। ଡିଜିଟାଲ୍ ପେମେଣ୍ଟ ଏବେ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇପଡ଼ିଛି।

ଅନୁଧ୍ୟାନରୁ ଜଣାଯାଇଛି ଯେ ଦେଶରେ ଡିଜିଟାଲ୍ ପେମେଣ୍ଟ ଅଭ୍ୟାସ ଲୋକଙ୍କ ଦୈନନ୍ଦିନ ଜୀବନ ସହ ଯୋଡ଼ି ହୋଇଯାଇଛି। ପର୍ସନାଲ ଗ୍ରୁମିଂ ବା ବ୍ୟକ୍ତିଗତ ସୌନ୍ଦର୍ଯ୍ୟ ରକ୍ଷା ପାଇଁ ଲୋକମାନେ କରୁଥିବା ଖର୍ଚ୍ଚର ୮୩ ପ୍ରତିଶତ ଡିଜିଟାଲ୍ ମାଧ୍ୟମରେ ପୈଠ କରୁଛନ୍ତି। ଗ୍ରୋସରି ସାମଗ୍ରୀ କିଣିକିଣି କରିବା ସମୟରେ ୬୮ ପ୍ରତିଶତ, ଗାଡ଼ି ରକ୍ଷଣାବେକ୍ଷଣ ସମୟରେ ୮୦ ପ୍ରତିଶତ, ଇନ୍ଧନ ପକାଇବା କ୍ଷେତ୍ରରେ ୬୩ ପ୍ରତିଶତ ଡିଜିଟାଲ୍ କାରବାର ହେଉଛି।
ଶୀର୍ଷ ସହରଗୁଡ଼ିକ ମଧ୍ୟରେ ହାଇଦ୍ରାବାଦରେ ଡିଜିଟାଲ୍ କାରବାର ୮୨ ପ୍ରତିଶତ ଥିବାବେଳେ ବେଙ୍ଗାଲୁରୁରେ ୭୯ ପ୍ରତିଶତ, ପୁଣେରେ ୭୯ ପ୍ରତିଶତ ରହିଛି। ସେହିଭଳି ବିଶାଖାପାଟନମ୍ରେ ୭୬ ପ୍ରତିଶତ, ନାଗପୁରରେ ୭୧ ପ୍ରତିଶତ ଏବଂ ଚଣ୍ଡୀଗଡ଼ରେ ୬୮ ପ୍ରତିଶତ ଡିଜିଟାଲ୍ ପେମେଣ୍ଟ୍ ହେଉଛି। ଅନ୍ୟପକ୍ଷରେ ଅହମଦାବାଦରେ ଏହି ହାର ଯଥାକ୍ରମେ ୬୦ ପ୍ରତିଶତ, ଜାମସେଦପୁରରେ ୫୪ ପ୍ରତିଶତ, ମଦୁରାଇରେ ୫୨ ପ୍ରତିଶତ ଏବଂ ରାଜକୋଟରେ ୪୮ ପ୍ରତିଶତ ଡିଜିଟାଲ୍ ପେମେଣ୍ଟ ହେଉଛି। ଅର୍ଥାତ ଏସବୁ ସହରରେ ଲୋକମାନେ ନଗଦ ଟଙ୍କାରେ କିଣାକିଣି କରିବାକୁ ଅଧିକ ପସନ୍ଦ କରୁଛନ୍ତି। ସୁବିଧା ନଥିବା କାରଣରୁ ନୁହେଁ, ବରଂ ଲୋକଙ୍କ ବ୍ୟବହାର କାରଣରୁ ଡିଜିଟାଲ୍ ପେମେଣ୍ଟ୍ ହାର କମ୍ ରହିଛି। ଉକ୍ତ ସର୍ଭେରେ ୨୧ ହଜାର ଛୋଟବଡ଼ ଦୋକାନୀଙ୍କୁ ସାମିଲ କରାଯାଇଥିଲା।












Click it and Unblock the Notifications