CAPF ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀରେ ଆଇପିଏସ୍ (IPS) ଅଫିସରଙ୍କ ପ୍ରତିନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 'କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବିଲ୍' ର ଚିଠାକୁ ଅନୁମୋଦନ କରାଯାଇଛି । ଏହି ବିଲ୍ ମାଧ୍ୟମରେ CAPFର ଆଇଜି ଏବଂ ଡିଆଇଜି ସ୍ତରୀୟ ପଦବୀରେ ଆଇପିଏସ୍ ଅଫିସରଙ୍କ ନିଯୁକ୍ତି ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ସରକାର ପ୍ରୟାସ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି CAPF ର ଗ୍ରୁପ୍-ଏ (Group A) ଅଫିସରମାନଙ୍କୁ 'ଅର୍ଗାନାଇଜଡ୍ ସର୍ଭିସେସ୍' (OGAS) ମାନ୍ୟତା ପ୍ରଦାନ କରିଥିଲେ । ଏହାସହ ସିନିୟର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍ (SAG) ବା ଆଇଜି ପର୍ଯ୍ୟନ୍ତ ପଦବୀରେ ଆଇପିଏସ୍ ଅଫିସରଙ୍କ ସଂଖ୍ୟାକୁ ଧୀରେ ଧୀରେ ହ୍ରାସ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ, ବର୍ତ୍ତମାନର ନୂଆ ବିଲ୍ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ପ୍ରଭାବହୀନ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ବର୍ତ୍ତମାନ ଡିଆଇଜି ସ୍ତରରେ ୨୦% ଏବଂ ଆଇଜି ସ୍ତରରେ ୫୦% ପଦବୀ ଆଇପିଏସ୍ ଅଫିସରଙ୍କ ପାଇଁ ସଂରକ୍ଷିତ ରହିଛି । ପ୍ରାୟ ୧୩,୦୦୦ CAPF କ୍ୟାଡର ଅଫିସର ଏହି ବ୍ୟବସ୍ଥାକୁ ବିରୋଧ କରୁଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଆଇପିଏସ୍ ଅଫିସରଙ୍କ କାରଣରୁ ସେମାନଙ୍କ ପଦୋନ୍ନତିରେ ବାଧା ସୃଷ୍ଟି ହେଉଛି । ସରକାର ପୂର୍ବରୁ ଏହି ପ୍ରସଙ୍ଗରେ ଦାଖଲ କରିଥିବା ରିଭ୍ୟୁ ପିଟିସନ ଅକ୍ଟୋବର ୨୦୨୫ରେ ଖାରଜ ହୋଇସାରିଛି । ବର୍ତ୍ତମାନ କୋର୍ଟରେ ଅବମାନନା ମାମଲା ମଧ୍ୟ ବିଚାରାଧୀନ ରହିଛି । ଏକ ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମକୁ ଜଣେ CAPF ଅଧିକାରୀଙ୍କ ସୂଚନା ଦେଇଛନ୍ତି ଯେ, "ଏହି ବିଲ୍ ମାଧ୍ୟମରେ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଏଡ଼ାଇ ଯିବାକୁ ଚାହୁଁଛନ୍ତି । ପୂର୍ବରୁ ଏହା କେବଳ ନିୟମାବଳୀରେ ଥିଲା, କିନ୍ତୁ ଏବେ ଏହାକୁ ସିଧାସଳଖ ଆଇନରେ ପରିଣତ କରିବାକୁ ପ୍ରୟାସ କରାଯାଉଛି।"
ସରକାରଙ୍କ ଆଭିମୁଖ୍ୟ:
ସରକାର ସୁପ୍ରିମକୋର୍ଟରେ ଏକ ସଫଳନାମା ଦାଖଲ କରି କ୍ୟାଡର ସମୀକ୍ଷା ପାଇଁ ଆଉ ଏକ ବର୍ଷ ସମୟ ମାଗିଛନ୍ତି । ଏହି ପ୍ରକ୍ରିୟା ଜଟିଳ ଏବଂ ଏଥିରେ ଆର୍ଥିକ ତଥା ପ୍ରଶାସନିକ ପ୍ରଭାବ ରହିଥିବାରୁ ସରକାର ସତର୍କତାର ସହ ପଦକ୍ଷେପ ନେଉଥିବା ଦର୍ଶାଇଛନ୍ତି । ଖୁବଶୀଘ୍ର ଏହି ବିଲ୍କୁ ସଂସଦରେ ଉପସ୍ଥାପନ କରାଯାଇପାରେ, ଯାହାକୁ ନେଇ ଆଗାମୀ ଦିନରେ CAPF କ୍ୟାଡର ଅଫିସର ଏବଂ ସରକାରଙ୍କ ମଧ୍ୟରେ ବିବାଦ ଆହୁରି ଘନେଇବାର ସମ୍ଭାବନା ରହିଛି ।












Click it and Unblock the Notifications