ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ଥିଲା।

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପଞ୍ଚମ ପାଳିକୁ ପୁରିଛି ଦୁଇ ବର୍ଷ । ଏନେଇ ଆଜି ମନ୍ତ୍ରୀ ପରିଷଦ ବୈଠକ ଡାକିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତରୀ କହିଛନ୍ତି ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା ।

ଏପରିକି ଆମର ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ 2019 ରେ ଆମକୁ ଫନି ପରି ବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସେହିଦିନ ଠାରୁ ଆରମ୍ଭ କରି ଗତ ଦୁଇ ବର୍ଷ ହେଲା ଆମେ ବାତ୍ୟା ଏବଂ କୋଭିଡ ମହାମାରୀର ବିପର୍ଯ୍ୟୟକାରୀ ପ୍ରଭାବ ସାମ୍‌ନା କରିଆସୁଛୁ । ଏହା ହେଉଛି ଏକ ଅଭୂତପୂର୍ବ ସମସ୍ୟା ଏବଂ ଆମେ ଆମର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମର ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ ।

Naveen Patnaik

ସାରା ବିଶ୍ବରେ ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ ଭାବରେ ସ୍ବୀକୃତ ଓଡିଶା ଏ କ୍ଷେତ୍ରରେ ତାର ମାନବୀୟ ଦୃଷ୍ଟିଭଙ୍ଗୀ ଓ ଦକ୍ଷତା ପାଇଁ ସୁନାମ କରିଛି । ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଛି । ଓଡିଶାରେ ଆମେ ଅତ୍ୟନ୍ତ ଗୁରୁତର ପ୍ରଭାବ ସୃଷ୍ଟିକାରୀ ବାତ୍ୟାର ବର୍ଦ୍ଧିଷ୍ଣୁ ପ୍ରକ୍ରିୟାକୁ ଅନୁଭବ କରିଆସୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ ଆହୁରି କହିଛନ୍ତି, 2020 ମାର୍ଚ୍ଚ ପର ଠାରୁ କୋଭିଡ ମହାମାରୀ ଆମର ବିପର୍ଯ୍ୟୟ ପରିଚାଳନା ଅଭିଜ୍ଞତାରେ ଏକ ନୂଆ ସମସ୍ୟା ଭାବରେ ଦେଖାଦେଇଛି । ସାରା ବିଶ୍ବର ବିଭିନ୍ନ ଦେଶ ଏହି ମହାମାରୀର ବିଭିନ୍ନ ଲହର ଦ୍ବାରା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ତଥାପି, ସ୍ବାଭାବିକ ଅବସ୍ଥାକୁ ଫେରିବା ଆଜି ଏକ ଆହ୍ବାନ । କରୋନା ଭାଇରସ୍‌ ସଂକ୍ରମଣର ସଫଳ ନିୟନ୍ତ୍ରଣ ପୂର୍ବରୁ, ମାନବ ସମାଜକୁ ଏହି ମହାମାରୀର କେତେ ଲହର ଓ ଏହି ଭାଇରସ୍‌ର କେତେ ଅଧିକ ଭାରିଏଣ୍ଟର ସମ୍ମୁଖୀନ ହେବାକୁ ପଡିବ, ତାହା ବର୍ତ୍ତମାନ କେହି ସଠିକ ଭାବରେ କହିବା ସମ୍ଭବ ନୁହେଁ । ଏହା ହିଁ ହେଉଛି ବାସ୍ତବତା ଏବଂ ଆମ ସମସ୍ତଙ୍କୁ ଏହା ଗ୍ରହଣ କରିବାକୁ ହେବ ଓ ସେଥିପାଇଁ ପ୍ରସ୍ତୁତ ରହିବାକୁ ହେବ ।

ଏହା ବ୍ୟତୀତ ଏପର୍ଯ୍ୟନ୍ତ ଆମ ରାଜ୍ୟ କରୋନା ସଂକ୍ରମଣର ଦୁଇଟି ଲହର ଦ୍ବାରା ପ୍ରଭାବିତ ହୋଇସାରିଲାଣି । ଆମର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସଠିକ୍‌ ଭାବରେ ପରିଚାଳନା କରିବାରେ ଆମେ ସକ୍ଷମ ହୋଇପାରିଛୁ ଏବଂ ସଂକ୍ରମଣର ପ୍ରସାର ଦ୍ବାରା ଆମର ବ୍ୟବସ୍ଥା ଏପର୍ଯ୍ୟନ୍ତ ଅତ୍ୟଧିକ ଚାପର ସମ୍ମୁଖୀନ ହୋଇନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆମ ସରକାର ସବୁବେଳେ ଆଗୁଆ ପଦକ୍ଷେପ ନେଇଆସିଛନ୍ତି । ଯେତେବେଳେ ଅନ୍ୟ ରାଜ୍ୟମାନେ ଦୁର୍ଭାଗ୍ୟବଶତଃ ଅକ୍‌ସିଜେନ ସମସ୍ୟା ଭିତରେ ଛନ୍ଦି ହୋଇ ଯାଇଥିଲେ, ସେତେବେଳେ ଆମ ସରକାର ଆମ ଡାକ୍ତରଖାନା ମାନଙ୍କରେ ଅକ୍‌ସିଜେନ ଯୋଗାଣକୁ ସୁବ୍ୟବସ୍ଥିତ କରିବା ସହିତ ଅନ୍ୟ ରାଜ୍ୟ ମାନଙ୍କୁ ମଧ୍ୟ ଅକ୍‌ସିଜେନ ଯୋଗାଇବରେ ସଫଳ ହୋଇପାରିଛି । ବହୁ ମୂଲ୍ୟବାନ ଜୀବନ ବଞ୍ଚାଇ ପାରିଛି ।

ସେ ଯାହା ହେଉ ନା କାହିଁକି, କୋଭିଡ ପରିଚାଳନାରେ ଆମକୁ ଆଗକୁ ଆହୁରି ପଥ ଅତିକ୍ରାନ୍ତ କରିବାକୁ ଅଛି । ଆମେ ବର୍ତ୍ତମାନ ଟିକାକରଣ ଉପରେ ଫୋକସ କରିଛୁ । ଟିକାକରଣ ନିମନ୍ତେ ଆମର ସମ୍ବଳର ଉପଯୋଗ କରି ଆମର ଲୋକମାନଙ୍କୁ ଯେତେଶୀଘ୍ର ସମ୍ଭବ, ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛୁ ।

ସଂକଟ ସମୟରେ ଆମ ଲୋକଙ୍କର ସହଯୋଗ ତଥା ବିଭିନ୍ନ ସ୍ତରରେ ଗୋଷ୍ଠୀର ସଂପୃକ୍ତି ଆମର ସବୁଠାରୁ ବଡ ଶକ୍ତି ହୋଇ ରହିଆସିଅଛି । ଗୋଟିଏ ପରେ ଗୋଟିଏ ସଂକଟର ମୁକାବିଲା ପାଇଁ ଓଡିଶାବାସୀଙ୍କର ନିରନ୍ତର ସହଯୋଗ ଏବଂ ସରକାରଙ୍କ ଉଦ୍ୟମରେ ନିଃସର୍ତ ସମର୍ଥନ ପାଇଁ ରାଜ୍ୟ ସରକାର ଓଡିଶାବାସୀଙ୍କ ନିକଟକରେ କୃତଜ୍ଞ। ମହାମାରୀ ଓ ବାତ୍ୟା ପରି ଦୁର୍ବିପାକ ସମୟରେ ପ୍ରଶାସନର ଭଲ କାମରେ ଲୋକମାନଙ୍କର ପ୍ରଶଂସା ସରକାର ପାଇଁ ବହୁତ ବଡ ପ୍ରେରଣା ହୋଇ ରହିଆସିଛି ।

ବିପର୍ଯ୍ୟୟର ମୁକାବିଲା କିପରି କରିବାକୁ ହେବ, ସେ ବିଷୟରେ ଆମକୁ ନିରନ୍ତର ଶିକ୍ଷା ଲାଭ କରିବାକୁ ହେବ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଖାପ ଖୁଆଇ ଚଳିବା ସଙ୍ଗେ ସଙ୍ଗେ ବ୍ୟବସ୍ଥାରେ ମଧ୍ୟ ନିରନ୍ତର ଉନ୍ନତି ଆଣିବାକୁ ପଡିବ। ଏହା ହେଉଛି ଆମ ସମାଜର ସୁରକ୍ଷାର ବିଷୟ । ତେଣୁ ଏ ଦିଗରେ ଆମ ରାଜ୍ୟକୁ ଦକ୍ଷ ଓ ଦୃଢ କରିବା ପାଇଁ ଆମେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବୁ । ଆଜି ଆମର ସ୍କୁଲ କଲେଜର ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା ପାଇଁ ପ୍ରାକ୍‌ ପ୍ରସ୍ତୁତିକୁ ଏକ ବିଷୟ ଭାବରେ ଗ୍ରହଣ କରିବାକୁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ସଂକଳ୍ପ ପାରିତ କରିଛି। ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର, ମିଶନ ଶକ୍ତି ସଦସ୍ୟବୃନ୍ଦ ଏବଂ ସମସ୍ତେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଲିମ ଦିଆଯିବ। ଏହା ହେଉଛି ଏକ ଐତିହାସିକ ପଦକ୍ଷେପ ଏବଂ ଭବିଷ୍ୟତରେ ପ୍ରକୃତିର ତାଣ୍ଡବ, ଏହା ଜୈବିକ ହେଉ ବା ଜଳବାୟୁ ଜନିତ, ତାର ସମ୍ମୁଖୀନ ହେବାକୁ ଆମର ଭବିଷ୍ୟତ ବଂଶଧର ମାନଙ୍କୁ ଏହା ଦକ୍ଷ ଓ ସଶକ୍ତ କରିବ। ଏହି ପଦକ୍ଷେପ ଦ୍ବାରା ଓଡିଶା ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିବ। ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଚେତନତା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହା ହେଉଛି ଆମର ଉପଲ୍‌ବଧି ।

ଯେତେବେଳେ ସରକାର ଗୋଟିଏ ପରେ ଗୋଟିଏ ସଂକଟର ମୁକାବିଲା କରିଚାଲିଛନ୍ତି, ସେତେବେଳେ କିନ୍ତୁ ଲୋକଙ୍କୁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆମେ ଭୁଲିଯାଇ ନାହୁଁ । 5-ଟି, ଆମର ପଞ୍ଚମ ପାଳିର ମୁଖ୍ୟ ଫୋକସ ହୋଇ ରହିଆସିଛି । ସ୍ବଚ୍ଛତା, ବୈଷୟିକ କୌଶଳ, ସାମୁହିକ ଉଦ୍ୟମ, ସମୟ ଓ ପରିବର୍ତ୍ତନ । ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ଜୀବନରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଏହି ଲକ୍ଷ୍ୟ ପୂରଣ ଦିଗରେ ନିରନ୍ତର କାମ କରିଚାଲିଛନ୍ତି ।

ଲୋକଙ୍କ ସହିତ ସିଧାସଳଖ ସଂପର୍କ ରହିବା ପାଇଁ ଆମେ ମୋ ସରକାର ଫିଡବ୍ୟାକ୍ ବ୍ୟବସ୍ଥା ଆରମ୍ଭ କରିଥିଲୁ । ସମୟକ୍ରମେ ପ୍ରତ୍ୟେକ ସ୍ତରରେ ଲୋକଙ୍କ ପ୍ରତି ସରକାରୀ କର୍ମଚାରୀ ମାନଙ୍କର ମନୋଭାବ ଏବଂ ବ୍ୟବହାରରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବାରେ ଏହା ସଫଳ ହୋଇଛି । ପ୍ରଶାସନ ଏବଂ ସରକାରୀ ସେବା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ ଓ ବୈଷୟିକ ଭିତ୍ତିକ କରି ସରକାରୀ ବ୍ୟବସ୍ଥାରେ ଢାଞ୍ଚାଗତ ଓ ପ୍ରକ୍ରିୟାଗତ ପରିବର୍ତ୍ତନ ଆଣିବାପାଇଁ ଆନ୍ତରିକ ପଦକ୍ଷେପ ନିଆଯାଇଛି ।

ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ସବୁବେଳେ ଆମର ସ୍ବତନ୍ତ୍ର ଗୁରୁତ୍ବ ରହିଆସିଛି । ସାରା ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଆମେ 8500 କୋଟି ଟଙ୍କାର ବିପୁଳ ପୁଞ୍ଜି ବିନିଯୋଗ କରିଛୁ । 3500୦ କୋଟି ଟଙ୍କା ବ୍ୟୟରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରାଯିବ । ଗତ ବର୍ଷକ ମଧ୍ୟରେ ଆମେ 786 ଜଣ ଡାକ୍ତର ଓ 5137 ଜଣ ପାରାମେଡିକ୍‌ସଙ୍କୁ ନିଯୁକ୍ତ କରିଛୁ ।

ଏହା ବ୍ୟତୀତ ଆମର ପିଲାମାନଙ୍କର ଭିତରେ ଥିବା ଦକ୍ଷତାର ପୂର୍ଣ୍ଣ ବିକାଶ ପାଇଁ ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ହାଇସ୍କୁଲ ମାନଙ୍କର ରୂପାନ୍ତର ଆମର ମୁଖ୍ୟ କାର୍ଯ୍ୟକ୍ରମ । ଏଥିପାଇଁ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଆମେ 1000ରୁ ଅଧିକ ସ୍କୁଲର ରୂପାନ୍ତର ପାଇଁ ପଦକ୍ଷେପ ନେଉଛୁ । ଆମର ଯୁବ ସମାଜକୁ ବିଶ୍ବର ନିଯୁକ୍ତି ବଜାରର ଚାହିଦା ମୁତାବକ ପ୍ରସ୍ତୁତ କରିବା ପାଇଁ ଆମର ସ୍କିଲ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମର ଅଂଶସ୍ବରୂପ ବିଶ୍ବ ଦକ୍ଷତା କେନ୍ଦ୍ର ଆରମ୍ଭ କରାଯାଇଛି । ଆମର ଯୁବସମାଜ ଯେପରି ବିଶ୍ବର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କ ସହ ଦକ୍ଷତାର ସହିତ ପ୍ରତିଦ୍ବନ୍ଦିତା କରିପାରିବେ, ସେଥିପାଇଁ ପ୍ରତି କ୍ଷେତ୍ରରେ ସେମାନଙ୍କୁ ଗୁଣାତ୍ମକ ଦକ୍ଷତା ତାଲିମ ଦିଆଯିବ। ଓଡିଶା ଆଜି ପୁଞ୍ଜି ବିନିଯୋଗର ଆକର୍ଷଣୀୟ କେନ୍ଦ୍ର ହୋଇ ରହିଛି । କୋଭିଡ ମହାମାରୀ ପରିସ୍ଥିତି ସତ୍ତ୍ବେ ଦେଶର କେତେକ ବଡ ବଡ ପୁଞ୍ଜିନିବେଶକୁ ଆକର୍ଷିତ କରିବାରେ ସଫଳ ହୋଇପାରିଛୁ ।

କ୍ରୀଡାର ବିକାଶ ଦିଗରେ ଆମର ନିରନ୍ତର ପ୍ରୟାସ ଜାରି ରହିଛି । ରାଉରକେଲାରେ ଦେଶର ବୃହତ୍ତମ ହକି ଷ୍ଟାଡିଅମ ସମେତ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିମନ୍ତେ ହଜାରୋ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି । କୃଷି ଓ କୃଷକର ଉନ୍ନତି ହେଉଛି ଆମ ରାଜ୍ୟର ବିକାଶର ଆଧାରଶୀଳା । ଗତ ଏକ ବର୍ଷ ମଧ୍ୟରେ କାଳିଆ ଯୋଜନାରେ ଆମ ରାଜ୍ୟର ଚାଷୀମାନଙ୍କ ବ୍ୟାଙ୍କ ଖାତାରେ 6118 କୋଟିରୁ ଅଧିକ ଟଙ୍କା ଜମା କରି ଆମେ ଆମର ପ୍ରତିଶ୍ରୁତି ରକ୍ଷା କରିପାରିଛୁ । ବିଭିନ୍ନ ଜଳସେଚନ ପ୍ରକଳ୍ପକୁ ଠିକ୍‌ ସମୟରେ ଶେଷ କରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ଅପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଓ ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ ଚାଷୀଙ୍କ ସେବାରେ ଉତ୍ସର୍ଗ କରାଯାଇଛି ।

ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମଜବୁତ କରାଯାଇଛି । ଏକ ଉଦାହରଣୀୟ ପଦକ୍ଷେପ ଭାବରେ ମିଶନ ଶକ୍ତି ପାଇଁ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଛି । ମିଶନ ଶକ୍ତି ମା' ମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଆଗାମୀ 5 ବର୍ଷରେ ସେମାନଙ୍କୁ 5000 କୋଟି ଟଙ୍କାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସଂପୃକ୍ତ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ । ଆମର ମହାନ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସାରା ରାଜ୍ୟରେ ପୁରୀ, କୋଣାର୍କ, ସମଲେଶ୍ବରୀ, ହରଶଂକର - ନୃସିଂହନାଥ ମନ୍ଦିରର ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଅଛି ।

ଆମର ପଞ୍ଚାୟତିରାଜ ଅନୁଷ୍ଠାନ ତଥା ପୌରସଂସ୍ଥା ଗୁଡିକୁ ମଜବୁତ କରିବା ପାଇଁ ଅର୍ଥ କମିଶନଙ୍କ ଅନୁଦାନ ଜରିଆରେ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କୁ 11, 287 କୋଟି ଟଙ୍କାର ଆର୍ଥକ ଅନୁଦାନ ଦିଆଯାଇଛି ।

ଓଡିଶାର ଜନସାଧାରଣ ପଞ୍ଚମ ଥର ପାଇଁ ଆମକୁ ଆଶୀର୍ବାଦ କରି ସେବାର ସୁଯୋଗ ଦେଇଛନ୍ତି । ଲୋକଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ଏବଂ ସେମାନଙ୍କ ଆଶାଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ । ଏହି ମହାମାରୀ ଏକ ଅନନ୍ୟ ପରିସ୍ଥିତି ସୃଷ୍ଟି କରିଛି, ଯାହାଦ୍ବାରାକି ଲୋକମାନଙ୍କ ଜୀବନ ଓ ଜୀବିକା ଗଭୀର ଭାବରେ ପ୍ରଭାବିତ ହୋଇଛି । ଏସବୁ ଆହ୍ବାନ ସତ୍ତ୍ବେ ଆମର ଦୃଢ ବିଶ୍ବାସ ଯେ ଓଡିଶାର ଜନସାଧାରଣଙ୍କ ସହଯୋଗରେ ଏହି ସଂକଟର ମୁକାବିଲାରେ ଆମେ ବିଜୟୀ ହେବୁ ତଥା ଓଡିଶାର ରୂପାନ୍ତର ନିମନ୍ତେ ଆମର ଭଲ କାମକୁ ଜାରି ରଖିବୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+