ପରଲୋକରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା
ପରଲୋକରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତକାର ଓ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତରାଜ ଖୋସଲା । କରୋନା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ସେ କରୋନାରେ ସଂକ୍ରମିତ ହୋଇ କଟକ ଏସସିବି ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ ।
ଭୁବନେଶ୍ୱର : ପରଲୋକରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତକାର ଓ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତରାଜ ଖୋସଲା । କରୋନା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ସେ କରୋନାରେ ସଂକ୍ରମିତ ହୋଇ କଟକ ଏସସିବି ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 55 ବର୍ଷ ହୋଇଥିଲା । ପୂର୍ବରୁ ତାଙ୍କ ପତ୍ନୀ ବି କରୋନାରେ ସଂକ୍ରମିତ ଥିଲେ ।

ସୂଚନା ଅନୁସାରେ, ମେ' 22 ତାରିଖରେ ଶାନ୍ତିରାଜ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ସେ ହୋମ୍ଆଇସୋଲେସନ୍ରେ ଥିଲେ । ତେବେ ଆଜି ସକାଳେ ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହା ପରେ ତାଙ୍କୁ କଟକ ଏସ୍ସିବି ସ୍ଥିତ କୋଭିଡ୍ ହସ୍ପିଟାଲର ଆଉଟ୍ଡୋରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ଶାନ୍ତିରାଜ ଖୋସଲା ଏକାଧାରରେ ଜଣେ ମ୍ୟୁଜିକ୍ ଆରେଞ୍ଜର, ଗୀଟାର ବାଦକ, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଥିଲେ । ସେ ' ତୋ' ବିନା ମୋ କାହାଣୀ ଅଧା', 'ଧନରେ ରଖିବୁ ଶପଥ ମୋର, ରଙ୍ଗ ନମ୍ବର, 'ମୁଁ ସପନର ସୌଦାଗର, ମତେ ଆଣିଦେଲ ଲକ୍ଷେ ଫଗୁଣ, କାଳୀଶଙ୍କର, ତୋର ମୋର ଯୋଡ଼ି ସୁନ୍ଦର, ଏସିପି ରଣବୀର, ଡନ୍ ଆଦି ସମେତ କେତେକ ଓଡ଼ିଆ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) May 27, 2021
ଶାନ୍ତିରାଜଙ୍କ ପରଲୋକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, "ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।"
ଶାନ୍ତିରାଜଙ୍କ ପରଲୋକ ଓଡିଆ ଫିଲ୍ମ ଓ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ସେପଟେ ଶାନ୍ତିରାଜଙ୍କ ଦେହାନ୍ତରେ ସଙ୍ଗୀତ ଜଗତ ଶୋକପ୍ରକାଶ କରିଛନ୍ତି ।












Click it and Unblock the Notifications