Get Updates
Get notified of breaking news, exclusive insights, and must-see stories!

ସମ୍ବଲପୁର ଶୀତଳ ଷଷ୍ଠୀ : ଆଜି ବିଳମ୍ବିତ ରାତିରେ ମାତା ପାର୍ବତୀଙ୍କ ହାତ ଧରିବେ ମହାଦେବ

ଆଜି ଦେବ ଦେବ ମହାଦେବଙ୍କ ବିବାହ। ବିଳମ୍ବିତ ରାତିରେ ଭୋଲା ବାବା ବର ବେଶରେ ସଜ୍ଜିତ ହୋଇ ବାଜା-ବାଣ- ରୋଷଣୀ ସହ ବରଯାତ୍ରୀଙ୍କୁ ସାଂଗରେ ଧରି ଶିବାଳୟରୁ ବାହାରିବେ କନ୍ୟା ଘର ଅଭିମୁଖେ।

ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ହନୁମାନ ନିଉତା ପରେ ଆଜି ଦେବ ବିବାହ । ଆଜି ବିଳମ୍ବିତ ରାତିରେ ଜଗତ ଜନନୀ ମା ପାର୍ବତୀଙ୍କ ହାତ ଧରିବେ ଦେବ ଦେବ ମହାଦେବ ସେଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଲାଣି ସମଗ୍ର ସମ୍ବଲପୁର ସହରl ଆଜି ପ୍ରଥମେ ଗଣ୍ଠାଳ ଫିଟା କାର୍ଯ୍ୟକ୍ରମ ପରେ ଚଳିତ ବର୍ଷର କନ୍ୟା ପିତାମାତା ମନ୍ଦିର ଆସି ମା ପାର୍ବତୀଙ୍କୁ ଘରକୁ ନେବେ। ଏହାପରେ କନ୍ୟା ପିତା ମାତାଙ୍କ ଘରେ ଜମିବ ତେଲ ହଳଦୀ କାର୍ଯ୍ୟକ୍ରମ। ତାପରେ ଆରମ୍ଭ ହେବ ଉତ୍ସବର ପରିବେଶ। ହଜାର ହଜାର କଳାକାରଙ୍କ ଭିଡ଼ରେ ପ୍ରକମ୍ପିତ ହେବ ସମ୍ବଲପୁର ସହର ।

Sambalpur sitala sasthi

ଯାତ୍ରାର ଆରମ୍ଭ
ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କେବେ ଆରମ୍ଭ ହେଲା, କିଏ ଆରମ୍ଭ କଲା, କାହିଁକି ଆରମ୍ଭ କଲା ସେ ସଂପର୍କରେ ସଠିକ୍ ତଥ୍ୟ ନାହିଁ । ତେବେ ଜନଶ୍ରୁତି ଅନୁସାରେ ଛତ୍ରପତି ରାଜା ବୀର ବଳିୟାର ସିଂଙ୍କ ରାଜତ୍ୱ କାଳରେ ସମ୍ଭବତଃ ଏହି ଯାତ୍ରା ଆରମ୍ଭ ହୋଇଥିଲା । ମାତ୍ର ତା'ର ନିର୍ଦ୍ଦିଷ୍ଟ ତିଥି କେହି କେବେ ନିର୍ଣ୍ଣୟ କରିନାହାଁନ୍ତି । ଜନଶ୍ରୁତି ଅନୁସାରେ ଛତ୍ରପତି ମହାରାଜ ବୀର ବଳିୟାର ସିଂହଙ୍କୁ ୧୮ ଗଡ଼ଜାତ ସମ୍ମାନ ଦେବା ପାଇଁ ପୁରୀ ମହାରାଜ ଆମନ୍ତ୍ରଣ କରିଥିଲେ । ମହାରାଜଙ୍କ ନିମନ୍ତ୍ରଣ ରକ୍ଷା କରି ବଳିୟାର ସିଂହ ପୁରୀ ଦରବାରରେ ଯାଇ ପହଞ୍ଚିଥିଲେ । ପୁରୀ ରାଜା ବୀର ବଳିୟାର ସିଂହଙ୍କ ଶକ୍ତି ପରୀକ୍ଷା କରିବା ପାଇଁ ତାଙ୍କ ଦରବାରରେ ଥିବା ୭ଜଣ ଶ୍ରେଷ୍ଠ ମଲ୍ଲଯୋଦ୍ଧାଙ୍କୁ ନିୟୋଜିତ କରିଥିଲେ । ବୀର ବଳିୟାର ସିଂହ ରାଜଦରବାରକୁ ପହଞ୍ଚି ମହାରାଜଙ୍କୁ ଅଭିବାଦନ କରିବା ସମୟରେ ଅତର୍କିତ ଭାବେ ଏହି ୭ଜଣ ମଲ୍ଲଯୋଦ୍ଧା ଆକ୍ରମଣ କରିଥିଲେ । ଏଥିରେ ବିଚଳିତ ନହୋଇ ବୀର ବଳିୟାର ସିଂହ ତାଙ୍କ ପଗଡି ଭିତରେ ଥିବା ମାଆ ସମଲେଶ୍ୱରୀଙ୍କ ଏକ ତରବାରୀ କାଢି ଆଣି ମଲ୍ଲଯୋଦ୍ଧାଙ୍କୁ ଧରାଶାୟୀ କରିଦେଇଥିଲେ । ବଳିୟାର ସିଂହଙ୍କ ବୀରତ୍ୱରେ ମୁଗ୍ଧ ହୋଇ ପୁରୀ ମହାରାଜ ସିଂହାସନରୁ ଓହ୍ଲାଇ ଆସି ତାଙ୍କୁ ପୁରସ୍କାର ଦେବାକୁ କହିଲେ । ସମ୍ବଲପୁରରେ ସେତେବେଳେ ବ୍ରାହ୍ମଣ ନଥିବାରୁ ବଳିୟାର ସିଂହ ପୁରୀ ମହାରାଜଙ୍କୁ ବ୍ରାହ୍ମଣ ଦେବାକୁ ଅନୁରୋଧ କରିଥିଲେ । ଏହା ପରେ ବ୍ରାହ୍ମଣମାନେ ପୁରୀରୁ ସମ୍ବଲପୁରକୁ ଆସିଥିଲେ ଓ ଶିବ ବିବାହ ଆରମ୍ଭ ହୋଇଥିବା ମନେ କରାଯାଏ । ପୂର୍ବେ ଅସ୍ପୃଶ୍ୟମାନଙ୍କୁ ମନ୍ଦିର ଯାଇ ଦେବଦେବୀଙ୍କୁ ଦର୍ଶନ କରିବା ବାରଣ ଥିଲା । ତେଣୁ ବର୍ଷରେ ଥରେ ଦେବଦମ୍ପତି ସେମାନଙ୍କୁ ଦର୍ଶନ ଦେବା ପାଇଁ ବାହାରକୁ ଆସୁଥିବାର କୁହାଯାଏ । ଦେବଦମ୍ପତିଙ୍କ ଏହି ଯୁଗଳ ଦର୍ଶନରେ ବହୁତ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।

ବିଧିବିଧାନ ଓ ପରମ୍ପରା
ଶିବ ରୁଦ୍ର ଓ ପାର୍ବତୀ ଶାନ୍ତିର ବାର୍ତ୍ତା ବହନ କରେ । ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ, ବର୍ଷାଋତୁର ଆଗମନ ସମୟରେ ମହାଦେବ ଶିବ ଓ ସତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳଷଷ୍ଠୀ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳଷଷ୍ଠୀ ବେଳକୁ ମେଘମେଦୁର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଚିତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଳୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟିକରେ । ଅପୂର୍ବ ନୈସର୍ଗିକ ପରିବର୍ତ୍ତିତ ପରିସ୍ଥିତିରେ ସମ୍ବଲପୁରବାସୀ ଦେବଦମ୍ପତିଙ୍କୁ ସାଦର ସଭକ୍ତି ସ୍ୱାଗତ କରିଥାନ୍ତି । ଶୀତଳଷଷ୍ଠୀ ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବସିତ । କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ, ଠିକ୍ ସେହିପରି ବୈଦିକ ରୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ରୀତିନୀତି ଅନୁସାରେ କନ୍ୟା ଅନ୍ୱେଷଣ, ନିର୍ବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦିରେ ଦେବଦମ୍ପତିଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟା ଦାନ ଓ ଯାନି ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଏ । ଓଡ଼ିଶାର ସମ୍ବଲପୁର ଶୀତଳଷଷ୍ଠୀରେ ସମ୍ପୂର୍ଣ୍ଣ ଲୋକାଚାରରେ ଶିବ ଓ ସତୀଙ୍କ ବିବାହୋତ୍ସବ ଅତ୍ୟନ୍ତ ଆକର୍ଷଣୀୟ । ଦେବଦମ୍ପତିଙ୍କ ଏହି ବିବାହ ଉତ୍ସବ ପ୍ରକ୍ରିୟା ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୁଏ । ଅକ୍ଷୟ ତୃତୀୟା ଦିନ ଥାଳ ଉଠିବାଠାରୁ ଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜ୍ୟେଷ୍ଠ ଶୁକ୍ଳପକ୍ଷ ପ୍ରତିପଦା ଦିନ ନନ୍ଦପଡାର ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ବା ନିବନ୍ଧ(ପିନ୍ଧାଣି) ଏବଂ ତା'ପରଦିନ ନୃସିଂହ ନିଉତା ବା ଦେବଦେବୀଙ୍କୁ ବିବାହ ପାଇଁ ଅନୁଷ୍ଠିତ ହୋଇଥାଏ । ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱରବାବା, ବଡ଼ବଜାରର ଶୀତଳେଶ୍ୱରବାବା ଏବଂ ଠାକୁରପଡାର ଗୁପ୍ତେଶ୍ୱରବାବାଙ୍କ ତୃତୀୟା ଦିନ ପତରପେଁଡି ଏବଂ ଚତୁର୍ଥୀଦିନ ଗୁଆଗୁଣ୍ଡା ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ତିଥି ରାତିରେ ଶ୍ମଶାନଚାରୀ ଶିବ ବରବେଶ ହୋଇ ବୃଷଭ ଆରୋହଣ କରି ଭବ୍ୟ ଶୋଭାଯାତ୍ରାରେ କନ୍ୟାପିତା ଗୃହକୁ ଗମନ କରନ୍ତି । ତାଙ୍କ ବରଯାତ୍ରୀରେ ଶ୍ମଶାନବାସୀ, ସାକ୍ଷୀଗୋପୀନାଥ, ହନୁମାନ, ନୃସିଂହ ଦେବଦେବୀ ସାମିଲ୍ ହୋଇଥାନ୍ତି । ଦେବଦମ୍ପତିଙ୍କ ସମ୍ପୂର୍ଣ୍ଣ ଲୋକାଚାରରେ ସମ୍ପନ୍ନ କରାଯାଉଥିବାରୁ ପ୍ରତିବର୍ଷ ଯାତ୍ରା କମିଟି ପକ୍ଷରୁ କନ୍ୟା ପିତାମାତା ଚୟନ କରାଯାଏ । ଯେଉଁମାନେ କନ୍ୟାପିତାମାତା ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ସେମାନେ କନ୍ୟା ପାର୍ବତୀଙ୍କୁ ତାଙ୍କ ଘରକୁ ନେଇ ବିବାହ ପରେ ଯାନିଯୌତୁକ ଦେଇ ବିଦାୟ ଦେଇଥାନ୍ତି । ବୈଦିକ ରୀତିରେ ପଞ୍ଚମୀ ରାତିରେ ବିବାହ ଅନୁଷ୍ଠିତ ହୋଇଥାଏ ।[୫]

ନନ୍ଦପଡାର ବମ୍ ବରାଡ଼ ବାଲୁଙ୍କେଶ୍ୱର, ଝାଡୁଆପଡାର ଶ୍ରୀଲୋକନାଥ ବାବା, ମୁଦିପଡାର ଶ୍ରୀଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ବାଲିବନ୍ଧର ସୋମନାଥ ବାବା, ଦୁର୍ଗାପାଲିର ଶ୍ରୀଗୁଡେଶ୍ୱର ବାବଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବରେ ସ୍ଥାନୀୟ ତଥା ବହିରାଗତ ଲକ୍ଷ ଲକ୍ଷ ଭକ୍ତଙ୍କର ସମାବେଶରେ ସମ୍ବଲପୁର ଜନାରଣ୍ୟ ହୋଇଉଠେ । ପତରପେଣ୍ଠିରୁ ଶୀତଳଷଷ୍ଠୀ ଉତ୍ସବର ଶୁଭାରମ୍ଭ ହୋଇ, ତତ୍ ପରଦିନ ଦେବ ନିମନ୍ତ୍ରଣ, ଚତୁର୍ଥୀତିଥିରେ ସମସ୍ତ ମନ୍ଦିରରୁ ଦେବାଧିଦେବଙ୍କ ବରଯାତ୍ରା, ପରଦିନ କନ୍ୟାପିତାଙ୍କ ଗୃହରେ ରାତ୍ରିରେ ବିବାହୋତ୍ସବ ଏବଂ ତା'ପରଦିନ ମଧ୍ୟାହ୍ନରେ ଶିବପାର୍ବତୀ ବାହୁଡା ବରକନ୍ୟାଙ୍କର ଆଡ଼ମ୍ବରପୂର୍ଣ୍ଣ ଦିବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ସ୍ୱ ସ୍ୱ ମନ୍ଦିର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ବେଶ୍ ମନୋଜ୍ଞ ଓ ମନମୁଗ୍ଧକର । ପ୍ରତ୍ୟେକ ସହରର ଭାଗ୍ୟଶାଳୀ ବିଭିନ୍ନ ଦମ୍ପତି କନ୍ୟାପିତା ଭାବରେ ଦେବାଧିଦେବଙ୍କୁ କନ୍ୟାଦାନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି । ନୈସର୍ଗିକ ବିଧିବିଧାନ, ପରମ୍ପରା ଓ ପ୍ରକରଣରେ ନବଦମ୍ପତିଙ୍କର ବିବାହୋତ୍ସବ ଅନୁଷ୍ଠିତ ହୋଇ କନ୍ୟାଦାନ ସହିତ ଅଳଙ୍କାର, ବାସନକୁସନ ଅନ୍ୟ ଜାନିଯୌତୁକ ସାଧ୍ୟମତେ ପ୍ରଦାନ କରାଯାଏ । ବର ନିମନ୍ତ୍ରଣ ଓ କନ୍ୟା ବିଦାୟ ଦୃଶ୍ୟ ମଧ୍ୟ ବେଶ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ହୋଇଥାଏ ।

କାଳର ଅପ୍ରତିହିତ ଗତି ସହିତ ସମତାଳରେ ଅନେକ ଭଲ ଓ ମନ୍ଦ ପରମ୍ପରା ଏହି ଯାତ୍ରା ସହିତ ଯୋଡ଼ି ହୋଇଯାଇଛି । ବିବାହୋତ୍ସବରେ ସାଧାରଣତଃ ଆନନ୍ଦ, ଚିତ୍ତବିନୋଦନ ପ୍ରାଧାନ୍ୟ ଲାଭ କରିଥାଏ । ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ଏହାର ଆତିଶଯ୍ୟ ସହଜରେ ବାରି ହୋଇପଡେ । ନାଚ, ଗୀତ, ତାମସା ଏହାର ଏକ ସ୍ୱାଭାବିକ ଅଙ୍ଗ । ବିଭିନ୍ନ ଲୋକନୃତ୍ୟ, ଡାଲଖାଇ ନୃତ୍ୟର ସମାବେଶ ଆମ ସାଂସ୍କୃତିକ ଜୀବନଧାରାର ଏକ ସ୍ୱାଭାବିକ ଆଙ୍ଗିକ ସ୍ୱରୂପ । ସ୍ଥାନୀୟ ଏବଂ ବାହାର ପ୍ରଦେଶରୁ ସମାଗତ ବାଈ ଓ ହିଂଜଡାମାନେ ଏହିପର୍ବରେ ନୃତ୍ୟ କରନ୍ତି । ଲୋକମୁଖରୁ ଶୁଣାଯାଏ 'ସେମାନେ ଏହି ଅଭିଶପ୍ତ ହିଂଜଡା ଜନ୍ମରୁ ମୁକ୍ତି ପାଇବା ପାଇଁ ମହାଦେବ ଶିବଙ୍କ ବିବାହୋତ୍ସବରେ ନୃତ୍ୟ କରନ୍ତି' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+