ତୈଳ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ୮ ସୂତ୍ରୀ ନିର୍ଦ୍ଦେଶ
ସରକାରୀ ଅଧିକାରୀମାନେ ଏଣିକି ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଗଲାବେଳେ ବସ୍ କିମ୍ବା ରେଳରେ ଯିବେ। ଏହାସହିତ ଜୁନ୍ ପହିଲାରୁ ସରକାର କେବଳ ବୈଦ୍ୟୁତିକ ଯାନ(ଇଭି) କିଣିବେ; ଯାହାଦ୍ୱାରା ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଦେଶରେ ଉପୁଜିଥିବା ତୈଳ ସଙ୍କଟକୁ ଏଡ଼ାଯାଇ ପାରିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରହିଛନ୍ତି। ଏହାକୁ ନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପ୍ରଶାସନକୁ ୮ସୂତ୍ରୀ ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି।

ସେହିଭଳି ଜୁନ୍ ପହିଲାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଯେତେ ନୂଆ ଦୁଇ ଚକିଆ ଓ ଚାରି ଚକିଆ ଯାନ କିଣାଯିବ, ସେଗୁଡ଼ିକ ବୈଦ୍ୟୁତିକ ଯାନ (ଇଭି) ହୋଇଥିବା ବାଧ୍ୟତାମୂଳକ। ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ କିମ୍ବା ଡିଜେଲ ଯାନ କିଣିବାକୁ ଅନୁମତି ଦିଆଯିବ। ସରକାରୀ କାର୍ଯ୍ୟାଳୟରେ ଭଡ଼ା ସୂତ୍ରରେ ନିଆଯାଉଥିବା ୪ ଚକିଆ ଯାନ ଇଭି ହେବା ବାଧ୍ୟତାମୂଳକ କରାଯିବ। ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ନିଜ ନିଜ ମଧ୍ୟରେ କାରପୁଲିଂ କରିବେ, ଅର୍ଥାତ୍ ଯିବା ଆସିବା ପାଇଁ କେବଳ ଗୋଟିଏ ଗାଡ଼ି ବ୍ୟବହାର କରିବେ। ସରକାରୀ ଯାନ ବ୍ୟବହାର ପାଇଁ ରାଶିର ପରିମାଣ ମଧ୍ୟ ତଦନୁଯାୟୀ ଅଧା କରାଯିବ। କେଉଁ ପାହ୍ୟାର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ, ସେଥିପାଇଁ ଅର୍ଥବିଭାଗ ୧୫ ଦିନ ମଧ୍ୟରେ ଏକ ମାର୍ଗଦର୍ଶିକା ଜାରି କରିବ। ଦୂରସ୍ଥାନକୁ ପରିଦର୍ଶନରେ ଗଲାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ୍ କିମ୍ବା ରେଳଯାତ୍ରା କରିବେ। ଯେଉଁ ଅଧିକାରୀମାନଙ୍କ ନିଜସ୍ବ ବୈଦ୍ୟୁତିକ ଗାଡ଼ି ରହିଛି, ସେମାନେ ସରକାରୀ କାର୍ଯ୍ୟରେ କିଭଳି ଏହାକୁ ବ୍ୟବହାର କରିପାରିବେ, ସେ ସମ୍ପର୍କରେ ଅର୍ଥବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ବହୁଳମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ବା ମିନିବସ୍ ସେବା ଯୋଗାଇ ଦିଆଯିବ। ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପରିମାଣ ଯେପରି ଅତିକମ୍ରେ ୧୦ ପ୍ରତିଶତ କମିବ, ସେ ଦିଗରେ ସମସ୍ତ କାର୍ଯ୍ୟାଳୟ ସୁଚିନ୍ତିତ ପଦକ୍ଷେପ ନେବେ।
ଏହି ନିର୍ଦ୍ଦେଶାବଳୀ ରାଜ୍ୟ ସଚିବାଳୟଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ ସହିତ ରାଜ୍ୟର ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତିମାନଙ୍କରେ କଡ଼ାକଡ଼ି ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତିକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ଏବଂ ପେଟ୍ରୋଲ ଡିଜେଲ ଖର୍ଚ୍ଚକାଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍କେଡ୍୍ର ଗାଡ଼ିସଂଖ୍ୟା ଅଧା କମାଯାଇଥିବା ବେଳେ ଗୁରୁବାର ୮ସୂତ୍ରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି।












Click it and Unblock the Notifications