ରାଷ୍ଟ୍ରପତିଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ମୟୁରଭଞ୍ଜର ଷାଠିଏ ଗ୍ରାମବାସୀ
? ଭାରତର ରାଷ୍ଟ୍ରପତି ହେବାପରେ ଦ୍ରୌପଦୀ ମୁର୍ମୁଙ୍କ ସହ ଏକା ସାଙ୍ଗରେ ବସି ରାଷ୍ଟ୍ରପତି ଭବନରେ ମଧ୍ୟାହ୍ନ ଭୋଜନ ପାଇଁ ଓଡିଶାର ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର 60 ଜଣ ଏହି ସୌଭାଗ୍ୟ ପାଇଛନ୍ତି ।
ନୂଆଦିଲ୍ଲୀ: ଦେଶର ପ୍ରଥମ ନାଗରିକ ତଥା ଭାରତର ରାଷ୍ଟ୍ରପତିଙ୍କ ସହ ବ୍ୟକ୍ତିଗତ ଭାବେ ଦେଖା ହେବା ପାଇଁ ଅନେକଙ୍କ ସ୍ବପ୍ନ ଥାଏ। କିନ୍ତୁ ଏକାସାଥିରେ ବସି ମଧ୍ୟାନ ଭୋଜନ କରିବାର ସୌଭାଗ୍ୟ କେତେ ଜଣଙ୍କ ପାଖରେ ବା ଥାଏ? ଭାରତର ରାଷ୍ଟ୍ରପତି ହେବାପରେ ଦ୍ରୌପଦୀ ମୁର୍ମୁଙ୍କ ସହ ଏକା ସାଙ୍ଗରେ ବସି ରାଷ୍ଟ୍ରପତି ଭବନରେ ମଧ୍ୟାହ୍ନ ଭୋଜନ ପାଇଁ ଓଡିଶାର ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର 60 ଜଣ ଏହି ସୌଭାଗ୍ୟ ପାଇଛନ୍ତି ।

ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ନିଜ ଶପଥ ଗ୍ରହଣ ଉତ୍ସବକୁ ନିଜ ଜିଲ୍ଲାର 60 ଜଣ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ସମସ୍ତେ ପହଞ୍ଚି ଶପଥଗ୍ରହଣ ଉତ୍ସବରେ ସାମିଲ ମଧ୍ୟ ହୋଇଥିଲେ। ଶପଥ ଗ୍ରହଣ ଉତ୍ସବ ପରେ ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ପକ୍ଷରୁ ଏମାନଙ୍କୁ ରାଷ୍ଟ୍ରପତିଙ୍କ ସହ ମଧ୍ୟାହ୍ନ ଭୋଜନରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଥିଲା। ଏହି ନିମନ୍ତ୍ରଣ ପାଇ ସମସ୍ତେ ଆନନ୍ଦିତ ହୋଇଥିଲେ । ମୟୂରଭଂଜ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ କହିଛନ୍ତି, ସଂସଦର କେନ୍ଦ୍ରୀୟ ହଲରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇ ଆମେ ବହୁତ ଖୁସି ହୋଇଥିଲୁ, କିନ୍ତୁ କଳ୍ପନା କରିନଥିଲୁ ଯେ ଆମକୁ ରାଷ୍ଟ୍ରପତି ଭବନରେ ମଧ୍ୟାହ୍ନ ଭୋଜନ କରିବାକୁ ନିମନ୍ତ୍ରଣ କରାଯିବ। ସେ ଏବଂ ଅନ୍ୟ କିଛି ମହିଳା ଅତିଥି ସାନ୍ଥାଳ ପାରମ୍ପାରିକ ଶାଢ଼ୀ ପିନ୍ଧି ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ସେହିପରି ରାଷ୍ଟ୍ରପତିଙ୍କ ଅତି ଘନିଷ୍ଠ ଗୟାମଣି ବିର୍ସା ଓ ଡାଙ୍ଗି ମୁର୍ମୁ ମଧ୍ୟ ଶପଥଗ୍ରହଣ ଉତ୍ସବ ସହ ରାଷ୍ଟ୍ରପତି ଭବନ ଖାଦ୍ୟ ଖାଇବାର ଅତିଥି ହୋଇ ଖୁବ୍ ଖୁସି ପ୍ରକାଶ କରିଛନ୍ତି।
ସମସ୍ତଙ୍କୁ ସୁଦ୍ଧ ସାକାହାରୀ ଖାଦ୍ୟ ପରୋଷା ଯାଇଥିଲା। ଯେହେତୁ ରାଷ୍ଟ୍ରପତି ପିଆଜ, ରସୁଣ କିମ୍ବା କୌଣସି ପ୍ରକାର ଆମିଷ ଖାଆନ୍ତି ନାହିଁ, ତେଣୁ ସମସ୍ତଙ୍କୁ ନିରାମିଷ ଖାଦ୍ୟ ପରୋଷି ଦିଆଯାଇଥିଲା। ଯାହା ଭିତରେ ରହିଥିଲା ମିଠା ମକା ଭେଜେଟେବୁଲ ସୁପ୍, ପାଲକ ପନିର, ଡାଲି ତଡକା, କୋବି-ଗାଜର-ବିନ୍ସ ଭଜା, ମଲାଇ କୋଫତା, ଜିରା ପଲାଉ, ନାନ, ସାଲ୍ଡ, ବୁନ୍ଦି ରାଇତା, କେଶର ରସ ମଲାଇ ଏବଂ ତାଜା ଫଳ। ଖାଦ୍ୟ ଖାଇସାରି ରାଷ୍ଟ୍ରପତି ଭବନରୁ ଆସିବା ବେଳେ ସମସ୍ତଙ୍କୁ ରାଷ୍ଟ୍ରପତି ଭବନ ପକ୍ଷରୁ ଗୋଟିଏ ଲେଖାଏଁ ମିଠା ପ୍ୟାକେଟ ଦିଆଯାଇଥିଲା।
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା କ୍ଷଣି ଏହା ସାବ୍ୟସ୍ତ ହୋଇଛି ଯେ, ଯେ କୌଣସି ବ୍ୟକ୍ତି ବି ନିଜର ଯୋଗ୍ୟତା ବଳରେ ଭାରତର ଶୀର୍ଷ ଆସନରେ ବସି ପାରିବ । ଦ୍ରୌପଦୀ ମୁର୍ମୁ ଓଡିଶାର ଏକ ମଫସଲରେ ଜନ୍ମ ନେଇ ନିଜର ଇଚ୍ଛା ଶକ୍ତି ବଳରେ ନିଜ ଗ୍ରାମର ପ୍ରଥମ ମହିଳା ଗ୍ରାଜୁଏଟ ହେବା ସହ ମହିଳାଙ୍କ ପ୍ରତି ଯେଉଁ ପ୍ରତି ବନ୍ଧକ ଥାଏ ତାକୁ ଭାଙ୍ଗିବାରେ ସଫଳ ହୋଇଥିଲେ । ଯେତେବେଳେ ଆଦିବାସୀଙ୍କ ଶିକ୍ଷା ଓଡିଶାରେ ଏତେ ବ୍ୟାପକ ହୋଇନଥିଲା । ସେତେବେଳେ ବି ଜଣେ ମହିଳା ହୋଇ ନିଜକୁ ଉଚ୍ଚ ଶିକ୍ଷିତା କରିବା ପାଇଁ ସଂଘର୍ଷ କରିଥିଲେ । ଏହା ହିଁ ଦର୍ଶାଉଛି ସେ ସେଦିନରୁ କିଛି ବଡ କରିବାକୁ ନିଜକୁ ପ୍ରସ୍ତୁତ କରୁଥିଲେ।












Click it and Unblock the Notifications