ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍
ଭାରତକୁ ଦୁଇଟି ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ଥିବା କ୍ରିକେଟ୍ ଷ୍ଟାଡିୟମ ହେଲା ସିଲ୍। ଜୟପୁରରେ ଥିବା ଏହି କ୍ରିକେଟ ଷ୍ଟାଡିୟମ୍ ଉପରେ ୪୨ ଲକ୍ଷ ଟଙ୍କା ବକେୟା ରହିଛି। ବହୁବାର ନୋଟିସ୍ ପରେ ମଧ୍ୟ ପେମେଣ୍ଟ କ୍ଲିଅର ନହେବା କାରଣରୁ ଜୟପୁର ନଗର ନିଗମ(ଜେଏମ୍ସି)ସିଲ୍ କରିବା ନେଇ ମ୍ୟୁନିସିପାଲିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ମାମଲା ସହର ବିକାଶ ଟ୍ୟାକ୍ସ ସହିତ ଜଡିତ। ଜେଏମସି ଅଧିକାରୀଙ୍କ କହିବା ଅନୁସାରେ, ଅପରେଟର୍ସଙ୍କ ଉପରେ ୪୨ ଲକ୍ଷ ଟଙ୍କା ବକେୟା ଥିଲା। ନୋଟିସ୍ ପରେ ପେମେଣ୍ଟ ନହେବାରୁ ଆକ୍ସନ ନିଆଯାଇଛି। ମୂରଲିପୁରା ଜୋନ୍ର ଡେପୁଟି କମିଶନର ପବନ କୁମାର ଶର୍ମା କହିଛନ୍ତି, ଷ୍ଟାଡିୟମରେ ଏହି ବକେୟା ୨୦୦୭ ରୁ ୨୦୨୫ ଭିତରେ ଜମା ହୋଇଯାଇଥିଲା। ବହୁବାର ରିମାଇଣ୍ଡ କରିବାପରେ ବି ପେମେଣ୍ଟ ହୋଇନଥିଲା। ଏହି କାରଣରୁ ସିଭିକ୍ ରେଭିନ୍ୟୁ ଟିମ୍ ଷ୍ଟାଡିୟମକୁ ସିଲ୍ କରିଦେଇଥିଲେ। ଷ୍ଟାଡିୟମର ନାଁ ଯଦିଓ ଧୋନିଙ୍କ ନାଁରେ ରହିଛି,କିନ୍ତୁ ଏହାର ପୂର୍ବତନ କ୍ରିକେଟରଙ୍କ ସହ କୌଣସି ସମ୍ପର୍କ ନାହିଁ।
ଯଦିଓ କିଛି ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଏମଏସ ଧୋନିଙ୍କ ଏକାଡେମୀ ପୂର୍ବରୁ ଏହି ଷ୍ଟାଡିୟମରେ ଚାଲିଥିଲା। ଧୋନି ୨୦୨୦ରେ ଜୟପୁରରେ ତାଙ୍କର ଏକାଡେମୀ ଖୋଲିଥିଲେ, କିନ୍ତୁ ପରେ ତାଙ୍କ ସାଥୀ ମିହିର ଦିବାକରଙ୍କ ସହ ତାଙ୍କର ସମ୍ପର୍କ ତିକ୍ତ ହୋଇଗଲା। ଧୋନି ମିହିରଙ୍କ ବିରୁଦ୍ଧରେ ୧୫ କୋଟି ଠକେଇ ପାଇଁ ଏକ ଫୌଜଦାରୀ ମାମଲା ମଧ୍ୟ ଦାୟର କରିଥିଲେ। ଏହି ମାମଲାରେ ମିହିରଙ୍କୁ ୨୦୨୪ରେ ଗିରଫ କରାଯାଇଥିଲା। ସେ ଜୟପୁରରେ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି।












Click it and Unblock the Notifications