IPL 2026: ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ-ପଞ୍ଜାବ କିଙ୍ଗସ୍ ଫାଇଟ୍, ଶ୍ରେୟସ ବାହିନୀ ପାଇଁ ଶେଷ ସୁଯୋଗ
ଚଳିତ ଆଇପିଏଲ୍ର ୬୮ତମ ଲିଗ୍ ମୁକାବିଲାରେ ଆଜି ଲକ୍ଷ୍ନୌ ଘରୋଇ ଗ୍ରାଉଣ୍ଡରେ ପଞ୍ଜାବକୁ ଭେଟିବ । ଲକ୍ଷ୍ନୌ ଅନ୍ତିମ ମ୍ୟାଚ ଜିତି ବିଦାୟ ନେବ । ପଞ୍ଜାବ ପାଇଁ ପ୍ଲେ- ଅଫ୍ରେ ପହଞ୍ଚିବାର ସୁଯୋଗ ରହିଛି । ଆଜି ବିଜୟ ହାସଲ କଲେ ପଞ୍ଜାବର ପଏଣ୍ଟ ୧୫ରେ ପହଞ୍ଚିବ । ତଥାପି ରାଜସ୍ଥାନର ଅନ୍ତିମ ମ୍ୟାଚକୁ ଅପେକ୍ଷା କରିବାକୁ ପଡ଼ିବ । ରାଜସ୍ଥାନ ୧୩ଟି ମ୍ୟାଚରୁ ୧୪ ପଏଣ୍ଟ ଅର୍ଜନ କରି ସାରିଛି । ରବିବାର ହେବାକୁ ଥିବା ମୁମ୍ବାଇ ବିପକ୍ଷ ଅନ୍ତିମ ମ୍ୟାଚ ଜିତିଲେ ରାଜସ୍ଥାନ ଚତୁର୍ଥ ଦଳ ଭାବେ ପ୍ଲେ- ଅଫରେ ପ୍ରବେଶ କରିବ । ପରାଜିତ ହେଲେ ପଞ୍ଜାବ ପ୍ଲେ-ଅଫ୍ରେ ପହଞ୍ଚି ଯିବ । ପଞ୍ଜାବ ପାଇଁ ଏହି ମ୍ୟାଚ 'କର ବା ମର' ପରିସ୍ଥିତି ସୃଷ୍ଟି କରିଛି ।

କ୍ରମାନ୍ୱୟରେ ୬ଟି ମ୍ୟାଚ ପରାଜିତ ହେବା ପରେ ପଞ୍ଜାବର ମନୋବଳ ମଧ୍ୟ ହ୍ରାସ ପାଇଛି । ଆଜି ସବୁ ଶକ୍ତି ଏକଜୁଟ କରି ପଞ୍ଜାବକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ । କୌଣସି ବିଭାଗରେ ସେଭଳି ସମସ୍ୟା ନଥିଲେ ମଧ୍ୟ ରଣନୀତି ଓ ସଠିକ୍ ସମୟରେ ଉପଯୁକ୍ତ ଖେଳାଳିଙ୍କୁ ଉପଯୋଗ କରିବାରେ ପଞ୍ଜାବ ବିଫଳ ହୋଇ ପରାଜିତ ହୋଇଛି । ଦଳର ପ୍ରତ୍ୟେକ ବ୍ୟାଟର ଫର୍ମରେ ଅଛନ୍ତି । ବୋଲିଂ ବିଭାଗ ସାମାନ୍ୟ ଦୁର୍ବଳ ମନେ ହେଉଥିଲେ ହେଁ ସେଭଳି ଲୟ ହରାଇ ନାହିଁ । ତଥାପି ଦଳକୁ ବାରମ୍ବାର ପରାଜୟର ସାମ୍ନା କରିବାକୁ ପଡ଼ୁଛି । ଆଜି ପଞ୍ଜାବ ବିଜୟ ମନୋଭାବ ସହ ଗ୍ରାଉଣ୍ଡକୁ ଓହ୍ଲାଇବା ଜରୁରି । ଲକ୍ଷ୍ନୌ ଦଳ ଦୌଡ଼ରେ ନଥିବାରୁ ଚାପ ଅନୁଭବ କରିବ ନାହିଁ । ତେଣୁ ଏଭଳି ଦଳ ପ୍ରତିପକ୍ଷ ପାଇଁ ଚିନ୍ତାର କାରଣ ସାଜିବା ସ୍ୱାଭାବିକ ।
ମିଚେଲ ମାର୍ଶ ଚମତ୍କାର ଫର୍ମରେ ରହିଥିବାରୁ ବ୍ୟାଟିଂ ବିଭାଗର ସବୁ ଦୁର୍ବଳତା ଦୂର ହୋଇଛି । ବୋଲିଂ ବିଭାଗ ମଧ୍ୟ ସୁଦୃଢ ରହିଛି । ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ଉଭୟ ବ୍ୟାଟର ଓ ବୋଲରଙ୍କ ପାଇଁ ସୁଯୋଗ ଆଣିପାରିବ । ଏଠାରେ ସତର୍କତାର ସହ ବ୍ୟାଟିଂ କଲେ ବିଶାଳ ସ୍କୋର ସମ୍ଭବ । ତେଣୁ ତରବରିଆ ଭାବେ ବଡ଼ ସଟ୍ ଖେଳିବାର ଆବଶ୍ୟକତା ପଡ଼ିବ ନାହିଁ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ଲକ୍ଷ୍ନୌ: ମିଚେଲ ମାର୍ଶ, ଜୋସ ଇଂଲିଶ, ନିକୋଲାସ ପୂରନ, ଆୟୂଷ ବାଦୋନି, ରିଷଭ ପନ୍ତ(ଅଧିନାୟକ), ଅବଦୁଲ ସମଦ, ସାହବାଜ ଅହମ୍ମଦ, ମହସିନ ଖାନ, ମୟଙ୍କ ଯାଦବ, ମହମ୍ମଦ ସାମି, ପ୍ରିନ୍ସ ଯାଦବ, ଦିଗବେଶ ରାଠି ।
ପଞ୍ଜାବ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, କୁପର କନ୍ନଲି, ଶ୍ରେୟାସ ଆୟର(ଅଧିନାୟକ), ସୂର୍ୟାଂଶ ସେଡଗେ, ମାର୍କସ ଷ୍ଟଇନିସ୍, ଶଶାଙ୍କ ସିଂହ, ଅଜମତୁଲ୍ଲା ଓମାରଜାଇ, ହରପ୍ରୀତ ବ୍ରାର, ଲୋକି ଫର୍ଗୁସନ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ ।












Click it and Unblock the Notifications