ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ସରଳା ଦେବୀ
ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବିଧାୟିକା ସହ ପ୍ରଥମ ମହିଳା ବାଚସ୍ପତି କିଏ ଆପଣ ଜାଣିଛନ୍ତି କି ? ସେ ହେଉଛନ୍ତି ମହାନ୍ ସ୍ୱାଧୀନତା ସଂଗ୍ରାମୀ ସାରଳା ଦେବୀ । ୧୯୩୬ ମସିହା ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଘୋଷଣା ହେବାପରେ ପ୍ରାଦେଶିକ ସ୍ୱାୟତ୍ତ ଶାସନର ଚଳଣିରେ ଓଡ଼ିଶାରେ କଂଗ୍ରେସ ପକ୍ଷରୁ ବିଧାନ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେଇଥିଲା । ସାରଳା ନିର୍ବାଚନରେ ଭାଗ ନେଇ ବିଧାନସଭାକୁ ନିର୍ବାଚିତ ହେଇଥିଲେ । ଏହା ପରେ ସେ ଓଡ଼ିଶା ବିଧାନସଭାରେ ପ୍ରଥମ ମହିଳା ବିଧାୟିକା ହୋଇପାରିଥିଲେ ।
ସରଳା ଦେବୀ ୧୯୦୪ ମସିହାରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ ଜନ୍ମ ନେଇଥିଲେ । ସେ ପିଲାଟି ବେଳୁ ଶାନ୍ତ, ସରଳ, ଦୃଢମନା ଓ ସ୍ପଷ୍ଟବାଦୀ ଥିଲେ । ନିଜର ସାମାଜିକ ଚଳଣି, ଶିକ୍ଷା ଓ ସଂସ୍କାର ସହ କୌଣସି ପ୍ରକାର ଅବହେଳା କରୁ ନ ଥିଲେ ।
ବିଧାନ ସଭାରେ ବାଲ୍ୟ ବିବାହ ଆଇନର ସଂଶୋଧନ ଓ ପୋଇଲି ପ୍ରଥାକୁ ଉଠାଇ ଦେବା ପାଇଁ ବିଭିନ୍ନ ଆଇନ୍ ପ୍ରଣୟନ କରିବାକୁ ବିଲ୍ ଆଗତ କରିଥିଲେ । ସେ ସମାଜରେ ପ୍ରଚଳିତ କୁପ୍ରଥା ବିରୋଧରେ ବିଧାନ ସଭାରେ ମଧ୍ୟ ସ୍ୱର ଉଠାଇଥିଲେ । ବିଧାୟିକା ହେବା ଫଳରେ ଆଇନ୍ ବଳରେ ଏହି ପ୍ରଥାରକୁ ଉଠାଇ ଦେବା ପାଇଁ ସେ ଦୃଢ଼ ପରିକର ହୋଇଥିଲେ । ତାଙ୍କ ଉଦ୍ୟମ ଫଳରେ ଏହି ବିଲ୍ ବିଧାନସଭାରେ ଗୃହୀତ ହୋଇଥିଲା ।
ଏପରିକି ସେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହୋଇଥିଲେ । ସେ କିଛି ଦିନ ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ । ବ୍ରିଟିଶ୍ ଆମଳରେ ବିଧାନ ସଭାରେ ସମସ୍ତ କାର୍ଯ୍ୟ ଇଂରାଜୀ ଭାଷାରେ ହେଉଥିବା ବେଳେ, ସାରଳା ବାଚସ୍ପତି ଆସନରେ ବସି ସେଦିନର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ନିର୍ଧାରଣ କରିବାର ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିବାର ପ୍ରୟାସରେ ସେ ଥିଲେ ପ୍ରଥମ ଓ ଅଗ୍ରଗଣ୍ୟ ମହିଳା ।
ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିବାର ପ୍ରୟାସରେ ସେ ଥିଲେ ପ୍ରଥମ ଓ ଅଗ୍ରଗଣ୍ୟ ମହିଳା । ୧୯୪୨-୧୯୫୨ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ସମବାୟ ବ୍ୟାଙ୍କର ପ୍ରଥମ ମହିଳା ନିର୍ଦ୍ଦେଶକ ଥିଲେ ।ଓଡ଼ିଆର ଏବଂ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ।
ସରଳା ଦେବୀ ସେତେବେଳେ ଗଞ୍ଜାମ ଜିଲ୍ଲାରେ "ଉଦ୍ଯୋଗ ମନ୍ଦିର" ନାମକ ସଂସ୍ଥା ସ୍ଥାପନ କରି ଗ୍ରାମାଞ୍ଚଳରେ ବୁଲି ସତ୍ୟାଗ୍ରହୀ ସଂଗ୍ରହ କରିବାରେ ଲାଗିପଡିଥିଲେ । ତାଙ୍କ ପ୍ରଚେଷ୍ଟାରେ ଶ୍ରୀମତୀ ହେମଲତା ଦେବୀ, ଶୋଭାବତୀ ପଣ୍ଡା ପ୍ରମୁଖ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ । ବହୁ ପୁରୁଷ ସତ୍ୟାଗ୍ରହୀ ମଧ୍ୟ ଏଥିରେ ରହି ଦଲବଦ୍ଧ ହୋଇ ଲୁଣ ମାରି ଲବଣ ଆଇନ୍ ଭଙ୍ଗ କରିଥିଲେ ଓ ଗିରଫ ହୋଇ ଦଣ୍ଡ ଭୋଗୁଥିଲେ ।
ସରଳା ଦେବୀ ପ୍ରାୟ ୯ ବର୍ଷ କାଳ ବିଧାନ ସଭାରେ ରହି ବିଭିନ୍ନ ପ୍ରଗତିଶୀଳ ଆଇନ୍ ପାସ୍ କରିବାରେ ସହାୟତା କରିଥିଲେ । କିଛିଦିନ ସେ ବିଧାନ ସଭାରେ କଂଗ୍ରେସ ଦଳର ମୁଖ୍ୟ ସଚେତକ ମଧ୍ୟ ଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ୱାରା ଗଠିତ ନ୍ୟାସନାଲ ପ୍ଲାନିଙ୍ଗ କମିଟିର ସଦସ୍ୟା ରହି ଓଡ଼ିଶାର ମଙ୍ଗଳ ପାଇଁ ଅନେକ ଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିଥିଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ୧୯୪୧ ମସିହାରେ କଂଗ୍ରେସ ତରଫରୁ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଓଡ଼ିଶାରୁ ଗାନ୍ଧିଜୀ , ସରଳା ଦେବୀଙ୍କୁ ତାହାର ପ୍ରଥମ ସତ୍ୟାଗ୍ରହୀ ରୂପେ ବାଛିଥିଲେ । ସେ ଯୁଦ୍ଧ ବିରୋଧୀ ଧ୍ୱନି ଦେଇ ୬ ମାସ କାଳ କାରାବରଣ କରିଥିଲେ । ୧୯୫୫ ମସିହା ସୀମା ଆନ୍ଦୋଳନ ଓ ୧୯୫୮ ମସିହା ଛାତ୍ର ଆନ୍ଦୋଳନରେ ସେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ । ୧୯୮୬ ମସିହା ଆକ୍ଟୋବର ୪ ତାରିଖ ଦିନ ୮୨ ବର୍ଷ ବୟସରେ ସରଳା ଦେବୀଙ୍କର ପରଲୋକ ହୋଇଥିଲା । ଓଡ଼ିଶାର ନାରୀ ଆନ୍ଦୋଳନର କର୍ଣ୍ଣଧାର , ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ , ବରେଣ୍ୟ ଲେଖିକା ସରଳା ଦେବୀଙ୍କ ମୃତ୍ୟୁ ଓଡ଼ିଶା ଇତିହାସରେ ବିରାଟ ଦୁର୍ବିପାକ ସଦୃଶ ଲିପିବଦ୍ଧ ହୋଇ ରହିଯାଇଛି ।












Click it and Unblock the Notifications