ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଦିବସ ଓ ତୁମ ପରି ଛୋଟ ପିଲା ଟିଏ...
ତୁମ ପରି ଛୋଟ ପିଲାଟିଏ
ଗାଆଁ ଚହାଳୀର ଚାଟ ସିଏ
ଚେହେରାଟି ତାର ଡଉଲ ଡାଉଲ
ବୁଦ୍ଧିରେ ତାହାର ସରି କିଏ ?
ଛାଡି ଯାଇଥିଲା ଦିନେ ଝଡ଼ି
ବାହାରିଲା ସିଏ ପାଠପଢି
ବାଟେ ଯାଉଯାଉ ଖସିଗଲା ଗୋଡ
ମୁଁହମାଡ଼ି ତଳେ ଗଲା ପଡ଼ି ।
ଛାଡି ଯାଇଥିଲା ଦିନେ ଝଡ଼ି
ବାହାରିଲା ସିଏ ପାଠପଢି
ବାଟେ ଯାଉଯାଉ ଖସିଗଲା ଗୋଡ
ମୁଁହମାଡ଼ି ତଳେ ଗଲା ପଡ଼ି ।
ଗୁରୁଜୀ ଦେଖିଲେ ଦେହ ତାର
ପାଣି କାଦୁଅରେ ସରସର
ତିଳେ ହେଁ ସେଥିକୁ ଖାତିରି ନକରି
ଆସିଅଛି ହୋଇ ତରବର ।
ପଚାରିଲେ ଗୁରୁ ଏକି ହେଲା
ଏତେ ସରି ତୋତେ କିଏ କଲା
ପିଲାଟି କହିଲା ବେଗେ ଆସୁଆସୁ
କାଦୁଆରେ ଗୋଡ ଖସିଗଲା ।
ହେଲା ଦଶହରା ଛୁଟିବେଳ
ଗାଁ ସାଥୀ କଲା ମେଳ
ମାଟି, ଗୋଡି, ବାଲି ପକାଇ ସଭିଏଁ
ଗାଆଁ ମାଟି କଲେ ସମତୁଲ ।
ଏହା ଦେଖି ଲୋକେ ହେଲେ କାବା
ଡକାଇଲେ ଗୁରୁ ଚାଟସଭା
କହିଲେ ଏଭଳି ଭଲକାମ କଲେ
ଦୁନିଆଁରେ ଦିନେ ବଡ଼ହେବା ।
ବଡ଼ ହେଲା ଦିନେ ସେହି ପିଲା
ମଧୁ ବାରିଷ୍ଟର ବୋଲାଇଲା
ଦେଶ ପାଇଁ କେତେ କାମ କରି
ସିଏ କାଳ କାଳ ଯଶ ରଖିଗଲା ।
କହିଲା ଜାତିର କାନେ କାନେ
ଉଠିବୁ ଆଉ ତୁ କେତେଦିନେ
ପୂରୁବ ଗୌରବ ପୂରୁବ ମହିମା
ପଡୁନାହିଁ କିରେ ତୋର ମନେ ?
ତେଜଭରା ତା'ର ବୀରବାଣୀ
ନବଜାଗରଣ ଦେଲା ଆଣି
ନୂଆ ଜୀବନର ଆଲୋକ ଦେଖାଇ
କୋଟି ଜନମନ ନେଲାଟାଣି ।
ଏହି କବିତାଟି ଡ. ଜଗନ୍ନାଥ ମହାନ୍ତିଙ୍କ ଲିଖିତ ଚିଲିକା ଦର୍ଶନ(କବିତା)ର ଅଂଶ । ପ୍ରତ୍ୟେକଟି ଓଡିଆ ଏହି କବିତାଟିକୁ ନିଶ୍ଚୟ ପଢିଥିବେ । ଏହି କବିତାଟି ମନେ ପକାଇଦିଏ ଓଡ଼ିଆ ଜାତିର ତ୍ରାଣକର୍ତ୍ତା, ମୁକ୍ତିଦାତା, କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଗାଁ ପରିବେଶ, ଚାଟଶାଳୀ ଶିକ୍ଷା ସର୍ବୋପରି ଦେଶମାତୃକା ପ୍ରତି ଥିବା ଭଲ ପାଇବା।
ଓଡ଼ିଆ ଜନମାନସରେ ସେ ମଧୁବାବୁ ଏବଂ ମଧୁ ବାରିଷ୍ଟର ଭାବେ ପରିଚିତ । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମହାନ୍ ବିନ୍ଧାଣୀ ତଥା କୋଟି କୋଟି ଓଡ଼ିଆଙ୍କ ପ୍ରିୟ ମଧୁବାବୁଙ୍କର ଆଜି ଜନ୍ମ ଜୟନ୍ତୀ। ଆଜି ମଧୁବାବୁଙ୍କ ୧୭୬ ତମ ଜୟନ୍ତୀ ପାଇଁ ଉତ୍ସବମୁଖର ହୋଇଛି ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁର ।

୧୮୪୮ ମସିହା ଏପ୍ରିଲ୍ ୨୮ ତାରିଖରେ ସେ କଟକର ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିଲେ। ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଓ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ।
"ପାଠ ପଢ଼ିବି
କାଳିଆ ଘୋଡାରେ ଚଢ଼ିବି
ମଧୁବାବୁ ସଙ୍ଗେ ଲଢ଼ିବି।"
ଓଡ଼ିଶାର ସ୍କୁଲ ପାଠ୍ୟ ପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ବାନ ଦିଆଯାଇ ଏହା ଲେଖାଯାଇଛି ।
ଉତ୍କଳୀୟ ସ୍ୱାଭିମାନର ପ୍ରତୀକ ମଧୁସୂଦନ ଦାସଙ୍କୁ ଲକ୍ଷ୍ୟ କରି ଯଥାର୍ଥରେ ଫକୀର ମୋହନ ଲେଖିଥିଲେ -
"ଧନ୍ୟ ଧନ୍ୟ ଧନ୍ୟ ମଧୁସୂଦନ
ଉତ୍କଳ ମାତାର ଯୋଗ୍ୟ ସନ୍ତାନ
ଦେଲ ଉତ୍କଳଙ୍କୁ ନବ ଜୀବନ
ଶିଖାଇଲ ଲୋକେ ଜାତି ବନ୍ଦନ!"
୧୮୪୮ ମସିହା ଅପ୍ରେଲ ୨୮ରେ କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ଦାସ ଓ ମା'ଙ୍କ ନାମ ପାର୍ବତୀ ଦେବୀ ଥିଲା । ପିଲା ବେଳେ ମଧୁସୂଦନଙ୍କ ପ୍ରଥମ ନାମ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାମକୁ ବଦଳାଇ ମଧୁସୂଦନ ରଖିଥିଲେ ।
ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ । ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଗଲେ ଓ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ୱିତୀୟ ଶ୍ରେଣୀରେ ପ୍ରବେଶିକା ପାସ କରିଥିଲେ (ଆଜି ଏହାକୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କୁହାଯାଉଛି) । ଏହାପରେ ସେ ବାଲେଶ୍ୱରରେ କିରାଣି ଚାକିରିଟିଏ କଲେ । କିଛି ପଇସା ସଞ୍ଚୟ କରି ଉଚ୍ଚଶିକ୍ଷା ପାଇଁ ସେ କଲିକତା ଯାତ୍ରା କଲେ। କଲିକତାରେ ରହିବା ସମୟରେ ଜଣେ ପାଦ୍ରୀଙ୍କ ସଂସ୍ପର୍ଶରେ ଆସି ସେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ ।
ସେହି ସମୟରେ ଅନେକ ଓଡ଼ିଆ ଲୋକ କଲିକତାରେ ଚାକିରି କରୁଥିଲେ । କିନ୍ତୁ ସେମାନେ ଶିକ୍ଷିତ ନଥିଲେ। ସେମାନଙ୍କର ଶିକ୍ଷାଗତ ଉନ୍ନତି ପାଇଁ ମଧୁବାବୁ କଲିକତାରେ ନୈଶ ବିଦ୍ୟାଳୟ ସ୍ଥାପନା କରାଇଥିଲେ । ସେତେବେଳକୁ ମଧୁସୂଦନ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏଲ୍. ପାସ କରି ସାରିଥିଲେ ।
ମଧୁବାବୁ ନିଜ ମାତୃଭାଷା ଓଡ଼ିଆରେ ସଂସ୍କୃତର ଉତ୍ତର ଲେଖିବାପାଇଁ ଜିଦ ଧରି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟମାନଙ୍କୁ ଜଣାଇଲେ। ସେଠାରୁ କୌଣସି ସୁଫଳ ନ ମିଳିବାରୁ ସେ ତତ୍କାଳୀନ ବଙ୍ଗ-ବିହାର-ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ସାର ଉଇଲିଅମ ଗ୍ରେଙ୍କ ନିକଟକୁ ଏକ ଟେଲିଗ୍ରାମ ପ୍ରେରଣ କରିବାପରେ ଗ୍ରେଙ୍କ ହସ୍ତକ୍ଷେପ ପରେ ସେ ଓଡ଼ିଆରେ ନିଜର ଉତ୍ତର ଲେଖିଥିଲେ।
ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ। ୧୨ ସେପ୍ଟେମ୍ବର ୧୮୮୧ରେ କୋଲକାତାରୁ ଫେରି ସେ କଟକରେ ଓକିଲାତି କଲେ।
ଓକିଲ ମହଲରେ ପ୍ରଥମେ ତାଙ୍କୁ ଅନେକ ପରିହାସର ସାମନା କରିବାକୁ ହୋଇଥିଲେ। କିନ୍ତୁ ଖଣ୍ଡପଡ଼ା ରାଜାଙ୍କ ମୋକଦ୍ଦମା, କେନ୍ଦୁଝର ରାଜାଙ୍କ ମୋକଦ୍ଦମା, ଶ୍ରୀମନ୍ଦିର ପରିଚାଳନା ବିବାଦ ଭଳି କେତେକ ଜଟିଳ ମୋକଦ୍ଦମାରେ ନିଜର ଦକ୍ଷତାର ପରିଚୟ ଦେଇ ସେ ନିଜକୁ କଟକ ଓକିଲମାନଙ୍କ ଭିତରେ ଶ୍ରେଷ୍ଠ ପ୍ରମାଣିତ କରି ପାରିଥିଲେ। ଉତ୍କଳର ଗଜପତି ଦିବ୍ୟସିଂହ ଦେବ, ସାଧୁ ଶିବାଦାସ'ଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇ ନିର୍ବାସନ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ତାଙ୍କ ପୁତ୍ର ଜଗନ୍ନାଥ ଜେନାମଣି (ପରେ ମୁକୁନ୍ଦ ଦେବ ଭାବେ ପରିଚିତ) ନାବାଳକ ଥିବାରୁ ମନ୍ଦିର ପରିଚାଳନାରେ ତୃଟି ଦର୍ଶାଇ, ମନ୍ଦିରର ବଂଶାନୁକ୍ରମିକ ପରିଚାଳନା ଭାର କାଢ଼ି ନେବା ନିମନ୍ତେ ଏକ ଦେବାନୀ ମୋକଦ୍ଦମା ଦାଏର କରିଥିଲେ। ମଧୁବାବୁ ଜଗନ୍ନାଥ ଜେନାମଣିଙ୍କ ମାତାତାମହୀ ସୂର୍ଯ୍ୟମଣୀ ପାଟ ମହାଦେଇଙ୍କ ତରଫରୁ ପ୍ରତିବାଦୀ ଭାବରେ, ବ୍ରିଟିଶ ସରକାର ଧର୍ମରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ମୋକଦ୍ଦମା ଲଢ଼ି ଜୟ ଲାଭ କରିଥିଲେ। ସେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିଲେ ମଧ୍ୟ ଏହି ମୋକଦ୍ଦମାଟି ବିନା ପାରିଶ୍ରମିକରେ ଲଢ଼ିଥିଲେ।












Click it and Unblock the Notifications