ପରମାଣୁ ଶକ୍ତିରେ ଭାରତର ନୂଆ ରେକର୍ଡ : ପାକିସ୍ତାନକୁ ପଛରେ ପକାଇଲା ଭାରତ
ଭାରତର ପରମାଣୁ ଅସ୍ତ୍ର ଭଣ୍ଡାର ବଢ଼ି ୧୯୦ରେ ପହଞ୍ଚିଛି । ସ୍ୱିଡେନ୍ର ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ୍ (SIPRI) ର ୨୦୨୬ ବାର୍ଷିକ ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ଭାରତ ଶାନ୍ତିକାଳରେ ୧୨ଟି ପରମାଣୁ ୱାରହେଡ୍ ମୁତୟନ କରିଛି। ଦୀର୍ଘଦିନ ପରେ ଏହା ଭାରତର ନୀତିରେ ଏକ ବଡ଼ ପରିବର୍ତ୍ତନ ବୋଲି SIPRI କହିଛି । SIPRI ରିପୋର୍ଟ ଅନୁସାରେ ଭାରତର ମୋଟ ପରମାଣୁ ୱାରହେଡ୍ ସଂଖ୍ୟା ୧୮୦ରୁ ବୃଦ୍ଧି ପାଇ ୧୯୦ରେ ପହଞ୍ଚିଛି । ଏଥିମଧ୍ୟରୁ ୧୨ଟି ୱାରହେଡ୍ ଶାନ୍ତିକାଳରେ ମୁତୟନ ଅବସ୍ଥାରେ ଥିବାବେଳେ ୧୭୮ଟି ସଂରକ୍ଷିତ ରହିଛି । ଏହି ସଂଖ୍ୟା ପାକିସ୍ତାନର ୧୭୦ ୱାରହେଡ୍ଠାରୁ ଅଧିକ, କିନ୍ତୁ ଚୀନର ୬୨୦ ୱାରହେଡ୍ଠାରୁ କମ୍ । ବିଶ୍ୱର ପରମାଣୁ ଅସ୍ତ୍ର ଭଣ୍ଡାର ମୁଖ୍ୟତଃ ୯ଟି ଦେଶ ମଧ୍ୟରେ ସୀମିତ ରହିଛି । ଏଥିରେ ରୁଷ ଏବଂ ଆମେରିକାକୁ ସବୁଠାରୁ ବଡ଼ ଭଣ୍ଡାରର ମାଲିକ କୁହାଯାଏ । ରିପୋର୍ଟ ଅନୁଯାୟୀ ରୁଷ ପାଖରେ ପ୍ରାୟ ୫,୪୨୦ ପରମାଣୁ ୱାରହେଡ୍ ଥିବା ଆକଳନ କରାଯାଉଛି । ଏଥିମଧ୍ୟରୁ ୪,୪୦୦ଟି ସାମରିକ ଭଣ୍ଡାରରେ ରହିଥିବାବେଳେ ପ୍ରାୟ ୧,୭୯୬ଟି ମୁତୟନ ଅବସ୍ଥାରେ ଅଛି ।

ସେହିପରି ଆମେରିକା ପାଖରେ ମୋଟ ୫,୦୪୨ ପରମାଣୁ ୱାରହେଡ୍ ରହିଛି । ଏଥିମଧ୍ୟରୁ ୩,୭୦୦ଟି ସାମରିକ ଭଣ୍ଡାରରେ ଓ ପ୍ରାୟ ୧,୭୭୦ଟି ମୁତୟନ ଅବସ୍ଥାରେ ଅଛି । ଅନ୍ୟ ପ୍ରମୁଖ ପରମାଣୁ ଶକ୍ତିମାନ ଦେଶମାନଙ୍କ ମଧ୍ୟରେ ଫ୍ରାନ୍ସ ପାଖରେ ପ୍ରାୟ ୩୭୦ ୱାରହେଡ୍ ଥିବାବେଳେ ବ୍ରିଟେନ୍ ପାଖରେ ୨୨୫ ୱାରହେଡ୍ ରହିଛି । ଗତ କିଛି ବର୍ଷ ଧରି ଚୀନ ତାହାର ପରମାଣୁ ଭଣ୍ଡାରକୁ ଦ୍ରୁତ ଗତିରେ ବଢ଼ାଇ ୬୨୦ ୱାରହେଡ୍ରେ ପହଞ୍ଚାଇଛି । ଦକ୍ଷିଣ ଏସିଆରେ ଭାରତ ପାଖରେ ୧୯୦ ଓ ପାକିସ୍ତାନ ପାଖରେ ୧୭୦ ପରମାଣୁ ୱାରହେଡ୍ ରହିଛି । ଭାରତର ୧୨ଟି ୱାରହେଡ୍ ବର୍ତ୍ତମାନ ମୁତୟନ ଅବସ୍ଥାରେ ରହିଛି । ଉଭୟ ଦେଶ ପରସ୍ପର ବିରୋଧରେ ପ୍ରତିରୋଧ କ୍ଷମତା ବଜାୟ ରଖିବା ପାଇଁ ପରମାଣୁ ଅସ୍ତ୍ର ଭଣ୍ଡାର ରଖିଥାନ୍ତି । ଇସ୍ରାଏଲ୍ ପାଖରେ ପ୍ରାୟ ୯୦ ଏବଂ ଉତ୍ତର କୋରିଆ ପାଖରେ ପ୍ରାୟ ୬୦ ପରମାଣୁ ୱାରହେଡ୍ ଥିବା ଆକଳନ କରାଯାଇଛି । SIPRI ରିପୋର୍ଟରେ କୁହାଯାଇଛି ଯେ ଦୀର୍ଘଦିନ ଧରି ଏହା ଧାରଣା ରହିଥିଲା ଯେ ଭାରତ ଶାନ୍ତିକାଳରେ ପରମାଣୁ ୱାରହେଡ୍ଗୁଡ଼ିକୁ ମିସାଇଲ୍ ଓ ଅନ୍ୟାନ୍ୟ ପ୍ରକ୍ଷେପଣ ବ୍ୟବସ୍ଥାଠାରୁ ଅଲଗା ରଖିଥାଏ । କିନ୍ତୁ ବର୍ତ୍ତମାନ ମିସାଇଲ୍ଗୁଡ଼ିକୁ କ୍ୟାନିଷ୍ଟରରେ ରଖିବା ଏବଂ ସମୁଦ୍ର ଭିତ୍ତିକ ଡିଫେନ୍ସ ପାଟ୍ରୋଲିଂ ବୃଦ୍ଧି ପାଇବାରୁ ଭାରତ ଶାନ୍ତିକାଳରେ କିଛି ୱାରହେଡ୍କୁ ଲଞ୍ଚର ସହିତ ଯୋଡ଼ି ରଖିବା ଦିଗରେ ଅଗ୍ରସର ହେଉଥିବା ସଙ୍କେତ ମିଳୁଛି ।
ଭାରତ ପାରମ୍ପରିକ ଭାବେ "ଡି-ମେଟେଡ୍" ପରମାଣୁ ନୀତି ଅନୁସରଣ କରୁଥିଲା, ଯେଉଁଥିରେ ଶାନ୍ତିକାଳରେ ୱାରହେଡ୍ ଏବଂ ମିସାଇଲ୍ କିମ୍ବା ବିମାନକୁ ଅଲଗା ରଖାଯାଉଥିଲା ଏବଂ କେବଳ ଗୁରୁତର ସଙ୍କଟ ସମୟରେ ସେଗୁଡ଼ିକୁ ଏକତ୍ର କରାଯାଉଥିଲା । SIPRI ୨୦୨୬ ରିପୋର୍ଟ ଏହି ନୀତିରେ ପରିବର୍ତ୍ତନର ସୂଚନା ଦେଇଛି । ରିପୋର୍ଟ ଅନୁଯାୟୀ, ଚୀନ ୨୦୨୪ରେ ୨୪ଟି ପରମାଣୁ ୱାରହେଡ୍ ମୁତୟନ କରିଥିବାବେଳେ ୨୦୨୬ରେ ଏହା ବଢ଼ି ୩୪ରେ ପହଞ୍ଚିଛି । ସେହିପରି ଭାରତର ପରମାଣୁ ଆଧୁନିକୀକରଣ କାର୍ଯ୍ୟକ୍ରମ ବର୍ତ୍ତମାନ ଦ୍ରୁତଗାମୀ ଅସ୍ତ୍ର ଉପରେ ଗୁରୁତ୍ୱ ଦେଉଛି , ଯାହା ଚୀନର ଗଭୀର ଅଞ୍ଚଳକୁ ମଧ୍ୟ ଲକ୍ଷ୍ୟ କରିପାରିବ । ବିଶେଷଜ୍ଞଙ୍କ ମତରେ, ମୁତୟନ ହୋଇଥିବା ପରମାଣୁ ୱାରହେଡ୍ ଚୀନ ଓ ପାକିସ୍ତାନ ବିରୋଧରେ ଭାରତର ପ୍ରତିରୋଧ କ୍ଷମତାକୁ ଅଧିକ ବିଶ୍ୱସନୀୟ କରିବ ।












Click it and Unblock the Notifications