ସବୁଠାରୁ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ କହିଲେ, "ଜନସେବା ହିଁ ସୁଶାସନର ସବୁଠାରୁ ବଡ଼ ପରୀକ୍ଷା"
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦେଶର ରାଜନୈତିକ ଇତିହାସରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଭାରତୀୟ ସମ୍ବିଧାନ ଲାଗୁ ହେବା ପରଠାରୁ ସେ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିରବଚ୍ଛିନ୍ନ ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ୨୦୧୪ ମେ' ୨୬ ରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ମୋଦୀ ଆଜି ପ୍ରଧାନମନ୍ତ୍ରୀ ପଦରେ କ୍ରମାଗତ ୪,୩୯୯ ଦିନ ସମ୍ପୂର୍ଣ୍ଣ କରିଛନ୍ତି । ଏହା ସହିତ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି, ଯିଏକି ୧୯୫୨ ମସିହାର ପ୍ରଥମ ସାଧାରଣ ନିର୍ବାଚନ ପରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ୪,୩୯୮ ଦିନ ପର୍ଯ୍ୟନ୍ତ କ୍ରମାଗତ ସେବା ପ୍ରଦାନ କରିଥିଲେ ।

ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ''ଏକ୍ସ'' ରେ ଏକ ବାର୍ତ୍ତା ସେୟାର କରି ଜନସେବା, ନମ୍ରତା ଓ କର୍ତ୍ତବ୍ୟର ମୂଲ୍ୟବୋଧକୁ ମନେ ପକାଇଛନ୍ତି, ଯାହା ସୁଶାସନର ପ୍ରକୃତ ମୂଳଦୁଆ ବୋଲି ସେ କହିଛନ୍ତି । ନେତୃତ୍ୱ ଉପରେ ସେ ଏକ ସଂସ୍କୃତ ଶ୍ଲୋକ ଲେଖିଛନ୍ତି, ଯାହାର ଅର୍ଥ ହେଉଛି, ଯିଏ ସ୍ୱଭାବରୁ ସମର୍ପିତ ଏବଂ ପ୍ରଜାଙ୍କ ମଙ୍ଗଳ ପାଇଁ ନିରନ୍ତର କାର୍ଯ୍ୟ କରେ, ସେହି ନମ୍ର ରାଜା ହିଁ ସର୍ବୋଚ୍ଚ ଗୌରବ ପ୍ରାପ୍ତ ହୁଅନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଏହି ଅଦ୍ଭୁତପୂର୍ବ ମାଇଲଖୁଣ୍ଟ ପରେ ଏନଡିଏର ସମସ୍ତ ବରିଷ୍ଠ ନେତାଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ, ପିଏମ୍ ମୋଦୀଙ୍କ ୧୨ ବର୍ଷର ଶାସନ କାଳ ଭାରତର ଗୌରବର ପୁନରୁଦ୍ଧାର, ସାଂସ୍କୃତିକ ଜାଗରଣ ଏବଂ ଦେଶକୁ ଦାସତ୍ୱ ମାନସିକତାରୁ ମୁକ୍ତ କରିବା ପାଇଁ ସ୍ମରଣୀୟ ହୋଇ ରହିବ । ସେହିପରି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମୋଦୀଙ୍କୁ ''ରାଷ୍ଟ୍ର ପ୍ରଥମ'' ନୀତିରେ ପରିଚାଳିତ ଜଣେ ଅକ୍ଳାନ୍ତ "କର୍ମଯୋଗୀ" ଭାବେ ଅଭିହିତ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସ୍ୱତନ୍ତ୍ର ପ୍ରବନ୍ଧରେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ କେବଳ ଯୋଜନା ଓ କାର୍ଯ୍ୟକ୍ରମ ଦେଇନାହାନ୍ତି, ବରଂ ଦେଶବାସୀଙ୍କୁ ଏକ ସ୍ପଷ୍ଟ ଆଭିମୁଖ୍ୟ, ବ୍ୟାପକ ଦୂରଦୃଷ୍ଟି ଏବଂ ଆତ୍ମବିଶ୍ୱାସରେ ଭରା ଜାତୀୟ ସଂକଳ୍ପ ପ୍ରଦାନ କରିଛନ୍ତି, ଯାହା ଭାରତର ସାମର୍ଥ୍ୟ ଉପରେ ନାଗରିକଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିଛି ।












Click it and Unblock the Notifications