ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ, ଏବେ ଏହି ନାମରେ…
ଶେଷରେ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଛି 'ଧାମ' ଶବ୍ଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧକ୍ରମେ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ସେ କହିଛନ୍ତି, ପୁରୀ ରୀତିନୀତି ଅନୁଯାୟୀ ଦୀଘାରେ ପୂଜାପାଠ ହେବ। ଦୀଘା ଜଗନ୍ନାଥ ଧାମ ହେବ ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ଏବଂ ସରକାରୀ ନଥିରେ ସାଂସ୍କୃତିକ କେନ୍ଦ୍ର ଭାବରେ ରହିବ।

ପଶ୍ଚିମବଙ୍ଗର ଦୀଘାଠାରେ ତତ୍କାଳୀନ ତୃଣମୂଳ ସରକାର ଏକ ଜଗନ୍ନାଥ ମନ୍ଦିର ନିର୍ମାଣକରି ତାହାର ଉଦ୍ଘାଟନ କରିଥିଲେ। ଉକ୍ତ ଜଗନ୍ନାଥ ମନ୍ଦିରର ନାମ 'ଜଗନ୍ନାଥ ଧାମ ଦୀଘା' ବୋଲି ଉଲ୍ଲେଖ କରାଯାଇଥିଲା। ତେବେ ସେହି ମନ୍ଦିରର ନାମକରଣକୁ ନେଇ ପ୍ରଥମରୁ ବିବାଦ ଦେଖିବାକୁ ମିଳିଥିଲା। ତେଣୁ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠି ଲେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ପଶ୍ଚିମବଙ୍ଗର ଭାଜପା ସରକାର ସେହି ନାମରୁ 'ଧାମ' ଶବ୍ଦ ତୁରନ୍ତ ପ୍ରତ୍ୟାହାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଧିକାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଦୀଘା ଜଗନ୍ନାଥ ମନ୍ଦିର ନାଁରେ ଧାମ ଯୋଡ଼ିବା ସନାତନ ଓ ଭାରତୀୟ ସଂସ୍କୃତି ସହ ଠିକ୍ ହୋଇନାହିଁ। ଏ ବାବଦରେ ସମସ୍ତ ପ୍ରକାର କାଗଜପତ୍ର ସେ ଦେଖିଛନ୍ତି। ପଶ୍ଚିମବଙ୍ଗର ପୂର୍ବ ସରକାର ଏହାର ନାମ ଶ୍ରୀ ଶ୍ରୀ ଜଗନ୍ନାଥ ଧାମ କଲ୍ଚରାଲ ସେଣ୍ଟର ରଖିଥିଲେ। ଟେକ୍ନିକାଲି ଗତ ସରକାର ଏହାକୁ ସରକାରୀ ନାମକରଣ ଭାବେ ପ୍ରସ୍ତୁତ କରିଛନ୍ତି। ଏହା ଭିତରେ ଧାମ ଶବ୍ଦ ଭର୍ତ୍ତି କରିଦେଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏନେଇ ଯେଉଁ ଚିଠି ଲେଖିଛନ୍ତି, ତାକୁ ସ୍ବୀକାର କରୁଛି। ତୁରନ୍ତ ଧାମ ଶବ୍ଦ ସେହି ନାମକରଣରୁ ହଟାଇଦିଆଯିବ। ମାତ୍ର ଜଗନ୍ନାଥଙ୍କ ପୂଜା ସନାତନ ଧର୍ମରେ ଯେଉଁଭଳି ହୁଏ ସେନେଇ ଯାହା ଉଲ୍ଲେଖ ଅଛି ସେହିଭଳି କରାଯିବ। ରିଜୋଲ୍ୟୁଶନ ଯେଉଁଭଳି ହୋଇଛି ସବୁ ସେମିତି ଚାଲିବ, ହେଲେ ଧାମ ଶବ୍ଦ ହଟାଇ ଦିଆଯିବ। ହେଲେ ମନ୍ଦିରରେ ପୂଜାପାଠ, ପ୍ରସାଦ ପ୍ରସ୍ତୁତିଠାରୁ ସବୁକିଛି ମନ୍ଦିରଗୁଡ଼ିକରେ ଯେଉଁଭଳି କରାଯାଏ ସେମିତି ଚାଲିବ। ପୂର୍ବ ସରକାର ରାଜନୀତି କରିବାକୁ ସନାତନ ଧର୍ମ ବିରୋଧୀ କାର୍ଯ୍ୟ କରିଥିଲେ, ତାକୁ ପରିବର୍ତ୍ତନ କରାଯିବ। ଏକଥା ତାଙ୍କ ମନରେ ମଧ୍ୟ ଥିଲା। ଜଗନ୍ନାଥଙ୍କ ପୃଥିବୀରେ ଅଗଣିତ ଭକ୍ତ ଅଛନ୍ତି, ସମସ୍ତଙ୍କୁ ଏକଥା କହୁଛୁ ଧାମ ଶବ୍ଦ ହଟାଯିବ। ଆଗକୁ ଦୀଘା ସ୍ଥିତ ମନ୍ଦିରର ନାମ ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ହେବ।












Click it and Unblock the Notifications