କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ, ସାମ୍ବାଦିକ ଅମଜଦ ବାଦଶାହଙ୍କ ପରଲୋକ
ପଶ୍ଚିମ ଓଡ଼ିଶାର ଜଣାଶୁଣା ସାମ୍ବାଦିକ ଅମଜାଦ ବାଦଶାହା କରୋନାରେ ଆଖି ବୁଜି ଦେଇଛନ୍ତି । ହସ୍ପିଟାଲ୍ ବେଡରେ ଦୀର୍ଘ ଦୁଇ ସପ୍ତାହ କାଳ କରୋନା ସହିତ ସଂଗ୍ରାମ କରି ହାରିଯାଇଛନ୍ତି ଏହି ଯୁବ ପ୍ରତିଭା ।
ଭୁବନେଶ୍ବର: ଓଡ଼ିଶାର ସାମ୍ବାଦିକ ଜଗତରୁ ଆଉ ଜଣେ ପ୍ରତିଷ୍ଠିତ ତଥା ବରିଷ୍ଠ ସାମ୍ବାଦିକଙ୍କୁ ଛଡ଼ାଇ ନେଇଛି କରୋନା । ପଶ୍ଚିମ ଓଡ଼ିଶାର ଜଣାଶୁଣା ସାମ୍ବାଦିକ ଅମଜାଦ ବାଦଶାହା କରୋନାରେ ଆଖି ବୁଜି ଦେଇଛନ୍ତି । ହସ୍ପିଟାଲ୍ ବେଡରେ ଦୀର୍ଘ ଦୁଇ ସପ୍ତାହ କାଳ କରୋନା ସହିତ ସଂଗ୍ରାମ କରି ହାରିଯାଇଛନ୍ତି ଏହି ଯୁବ ପ୍ରତିଭା । ଅମଜାଦଙ୍କ ମୃତ୍ୟୁରେ ସାରା ଓଡ଼ିଶାର ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

ଗତ ୭ ତାରିଖରେ ଅମଜାଦ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ପରଦିନ ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ରାଉରକେଲା ଜୟପ୍ରକାଶ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅପରାହ୍ନ ସାଢ଼େ ୪ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପଶ୍ଚିମ ଓଡିଶାରେ ଜନ୍ମଗ୍ରହଣ କରିଥିବା ଅମଜଦ ବାଦଶାହା ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳରେ ସାମ୍ବାଦିକତା ଅଧ୍ୟୟନ କରିଥିଲେ । ପରେ ରାଜ୍ୟର ଅନେକ ଅଗ୍ରଣୀ ଟେଲିଭିଜନରେ ସାମ୍ବାଦିକ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ଜଣେ ସରଳ ଏବଂ ମିଷ୍ଟଭାଷୀ ମଣିଷ ଭାବେ ପରିଚିତ ଅମଜାଦଙ୍କ ଦେହାନ୍ତରେ ସମଗ୍ର ସାମ୍ବାଦିକ ଜଗତରେ ଶୋକ ବାର୍ତ୍ତା ଖେଳିଯାଇଛି । ଅନେକ ନେତା ଓ ମନ୍ତ୍ରୀ ଅମଜାଦଙ୍କ ମୃତ୍ୟୁରେ ଗଭୀର ଶୋକବାର୍ତ୍ତା ଜଣାଇବା ସହ ପରିବାର ବର୍ଗଙ୍କୁ ମଧ୍ୟ ସ୍ୱାନ୍ତନା ଦେଇଛନ୍ତି ।
୨୦୦୫ରେ ଇଟିଭିରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ ଝାରସୁଗୁଡାର ଅମଜାଦ ବାଦଶାହା । ଏହାପରେ ରାଜ୍ୟର ବହୁ ଅଗ୍ରଣୀ ଗଣମାଧ୍ୟମରେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ଅମଜଦ । ବିଭିନ୍ନ ପ୍ରସଙ୍ଗରେ ରୋକଠୋକ କହୁଥିବା ସାମ୍ବାଦିକ ଥିଲେ ଅମଜଦ ।
ସୂଚନାଥାଉକି, କରୋନାର ଭୟଙ୍କର ଦ୍ୱିତୀୟ ଲହରରେ ଅମଜାଦଙ୍କୁ ମିଶାଇ ୫ ଜଣ ସାମ୍ବାଦିକ ପ୍ରାଣ ହରାଇଲେଣି । ଗଞ୍ଜାମ ଜିଲ୍ଲା ଶେରଗଡ଼ର କରୁଣାକର ସାହୁ, କୁକୁଡ଼ାଖଣ୍ଡିର ଗୋବିନ୍ଦ ବେହେରା, ଚିକିଟିର ମନୋଜ ବହେରା ଏବଂ ପାଟଣାଗଡ଼ର ଯତୀଶ ଖମାରୀଙ୍କର ନିକଟରେ ମୃତ୍ୟୁ ହୋଇଥିଲା ।












Click it and Unblock the Notifications