Baji Raut: ଦେଶର ସର୍ବ କନିଷ୍ଠ ସହିଦ ବାଜି ରାଉତ, ବଳିଦାନର ଅନନ୍ୟ ପ୍ରତୀକ

ବୟସ ମାତ୍ର ୧୨ ବର୍ଷ । ହେଲେ ରାଷ୍ଟ୍ର ପ୍ରତି ଥିଲା ସମର୍ପଣ ଭାବନା । ଗୋରା ସରକାର ଆଗରେ ନୁଆଇଁ ଲାନି ମୁଣ୍ଡ । ବୀର ସାହସ ପରି ଛାତିରେ ଖାଇଲା ଗୁଳି । ନିଜ ମାଟି ମାର ରକ୍ଷା ପାଇଁ ଦେଇଦେଲା ଆତ୍ମହୁତି । ପାଲଟିଗଲା ଦେଶର ସର୍ବକନିଷ୍ଠ ସ୍ୱାଧିନତା ସଂଗ୍ରାମୀ । ସେ ହେଲେ ବାଜି ରାଉତ । ଆଜି ବି ଇତିହାସର ପୃଷ୍ଠା ଲେଉଟାଇଲେ ସ୍ୱାଧିନତା ସଂଗ୍ରାମୀଙ୍କ ମଧ୍ୟରେ ବାଜି ରାଉତଙ୍କ ନାଁ ଆସେ ।

୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ବାଜି ରାଉତଙ୍କ ଜନ୍ମ । ପିଲା ବେଳୁ ବାପାଙ୍କୁ ହରାଇ ମା'ଙ୍କ ଦ୍ୱାରା ପାଳିତ ହେଇଥିଲେ । ପରିବାରରେ ଚାଷବାଷ ପାଇଁ ଜମି ନ ଥିଲା । ମା' ଅନ୍ୟଘରେ କାମକରି ତାଙ୍କୁ ପାଳୁଥିଲେ । ସେ ଯେତେବେଳେ ଜାଣିବା ଶୁଣିବା ହେଲେ ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବମାନଙ୍କ ଉପରେ ଅତ୍ୟାଚାର କରୁଥିବା ସେ ଅନୁଭବ କଲେ । ଯେତେବେଳେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ । ଏଥିରେ ଏକ ଦଳ ଥିଲା ଯାହାକୁ ବାନର ସେନା କୁହାଯାଉଥିଲା । ଏଥିରେ ଛୋଟ ପିଲାମାନେ ଯୋଗ ଦେଉଥିଲେ । ସେତେବେଳେ ବାଜି ରାଉତ ସେହି କୋମଳ ବୟସରେ ଏଥିରେ ଯୋଗ ଦେଇଥିଲେ । ସେ ଇଂରେଜମାନଙ୍କୁ ଡଙ୍ଗାରେ ନଦୀ ପାରିକରିବାକୁ ମନା କରି ଛାତିରେ ଗୁଳି ଖାଇ ଦେଶ ପ୍ରେମର ଉଦାହରଣ ଦେଇଗଲେ । ତେବେ ଆସନ୍ତୁ ଏହି କୁନି ଶହୀଦଙ୍କ ବିଷୟରେ ଜାଣିନେବା ।

Baji Raut

ସ୍ବାଧୀନତା ସଂଗ୍ରାମ ସମୟରେ ଚାଲିଥିବା ଗଡ଼ଜାତ ପ୍ରଜା ଆନ୍ଦୋଳନରେ ଦେଶର ସର୍ବକନିଷ୍ଠ ଶହୀଦ ବାର ବର୍ଷର ବାଳକ ବାଜି ରାଉତ। ତାଙ୍କ ସମେତ ୬ ଜଣଙ୍କ ଚିତାଗ୍ନି ଜଳୁଥିବା ବେଳେ କଟକର ଶ୍ମଶାନଘାଟରେ କାଳଜୟୀ କବିତା ଲେଖିଥିଲେ ପାଇକ ମାଟି ଖୋର୍ଦ୍ଧାର କବି ସଚ୍ଚି ରାଉତରାୟ।

ଏଡ଼ିକି ସେ ଅମାନିଆ ପିଲା
ଫଉଜର ଗୁଳିଗୁଳା, ରଜା, ଝଡ଼ କିଛି ନ ମାନିଲା।
ଧୂଳିଖେଳ ଛାଡ଼ି
ଗୁଳି ଆଗେ ଜୀବନକୁ ହସିହସି ଦେଲା ସିନା ବାଢ଼ି।...

ବ୍ରିଟିଶ୍‌ ସରକାରଙ୍କ ଛତ୍ରଛାୟା ତଳେ ରହି ଢେଙ୍କାନାଳର ରାଜା ଯେପରି ବର୍ବରତାର ସୀମା ଟପି ଯାଇଥିଲେ, ତାହାର ଲୋମଟାଙ୍କୁରା ବିବରଣୀ ବ୍ରଜକିଶୋର ଧଳଙ୍କ 'ଭୁଲିବୁ ନାହିଁ ଓ ଗୋବିନ୍ଦ ଚନ୍ଦ୍ର ମହାନ୍ତିଙ୍କ 'ଢେଙ୍କାନାଳର ଗଣବିଦ୍ରୋହ'ରେ ଦେଖିବାକୁ ମିଳେ ।

ଇଂରେଜ ସରକାର ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଏହି ଦୁଇଭାଗ ମଧ୍ୟରୁ ଗଡଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା । ଗଡଜାତ ରାଜ୍ୟର ରାଜା ତଥା ପାରିଷଦବର୍ଗଙ୍କ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ଜବରଦସ୍ତ ଟିକସ ଆଦାୟ, ମନମୁଖି ଶାସନ, ମିଥ୍ୟା ମୋକଦ୍ଦମା ଆଦିରେ ଜର୍ଜରିତ ହେଉଥିଲେ ଗଡଜାତବାସୀ । ବେଳେ ବେଳେ ଏହି ଶୋଷଣ କଷଣର ଫଳସ୍ୱରୁପ ପୁଞ୍ଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣର ରୂପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରିନେଉଥିଲେ।

ହେଲେ ଢେଙ୍କାନାଳ ଗଡ଼ଜାତର ଲୋମଟାଙ୍କୁରା ଅତ୍ୟାଚାରରେ ଦୁର୍ବିଷହ ଜନତାଙ୍କ ସ୍ବତଃପ୍ରବୃତ୍ତ ମେଳିରୁ ସୃଷ୍ଟି ହୋଇଥିଲା ଗଡ଼ଜାତ ପ୍ରଜା ଆନ୍ଦୋଳନ। ଏହାକୁ ଦବାଇବା ପାଇଁ ବ୍ରିଟିଶ୍‌ ଫୌଜଙ୍କ ସହାୟତାରେ ଢେଙ୍କାନାଳ ରାଜା ଯେକୌଣସି ପଦକ୍ଷେପ ନେବାକୁ ବି ପଛାଉ ନଥିଲେ। ପ୍ରଜା ଆନ୍ଦୋଳନକୁ ନବକୃଷ୍ଣ ଚୌଧୁରୀ, ଭଗବତୀ ଚରଣ ପାଣିଗ୍ରାହୀ, ସାରଙ୍ଗଧର ଦାସ, ଗୌରାଙ୍ଗ ଚରଣ ଦାସ, ମାଳତୀ ଚୌଧୁରୀଙ୍କଠାରୁ ଆରମ୍ଭ କରି ବହୁ ସଂଗ୍ରାମୀ ଖୋଲା ସମର୍ଥନ ଦେଉଥିଲେ।

ପ୍ରଜାମଣ୍ଡଳ ମେଳିରେ ଆତଙ୍କିତ ରାଜାଙ୍କ ନିବେଦନକ୍ରମେ କଲିକତାରୁ ୨୫୦ ସଶସ୍ତ୍ର ବ୍ରିଟିଶ୍‌ ଫୌଜ ଆସି ଢେଙ୍କାନାଳରେ ପହଂଚିଥିଲେ । ଏହାଛଡ଼ା ଢେଙ୍କାନାଳ ରାଜାଙ୍କ ଅନ୍ୟ ବନ୍ଧୁ ଗଡ଼ଜାତ ରାଜାମାନେ ଆନ୍ଦୋଳନ ଦବାଇବା ପାଇଁ ସେମାନଙ୍କ ସୈନ୍ୟ ପଠାଇଥିଲେ। ୧୯୩୮ ମସିହା କଥା। ସେତେବେଳକୁ ଢେଙ୍କାନାଳ ରାଜା ଲୋକଙ୍କ ଉପରେ ରାଜଭକ୍ତ କର ନାମରେ ଏକ ନୂଆ ଟିକସ ଲଦିଥା'ନ୍ତି। ଯେଉଁମାନେ ରାଜକର ଦେବାକୁ କୁଣ୍ଠାବୋଧ କରୁଥା'ନ୍ତି, ସେମାନଙ୍କ ଉପରେ ଅତ୍ୟାଚାର ସହିତ ସମ୍ପତ୍ତି ବାଜ୍ୟାପ୍ତି ହୋଇଥାଏ।

ବୀର ବୈଷ୍ଣବ ପଟ୍ଟନାୟକ, ହରମୋହନ ପଟ୍ଟନାୟକ, ବ୍ରଜ କିଶୋର ଧଳ, ସୁବାହୁ ସିଂଙ୍କ ଭଳି ନେତାମାନେ କିନ୍ତୁ ପରିଣାମକୁ ଖାତିର ନ କରି ଆନ୍ଦୋଳନକୁ ତେଜୁଥା'ନ୍ତି। ସେତେବେଳକୁ ଓଡ଼ିଶାର ସବୁଠାରୁ ବଡ଼ ଗାଁ ଭୁବନରେ ପ୍ରଜାମେଳି ଜୋରଦାର ହେଉଥାଏ। ଏହି ଖବର ପାଇ ବେଜେଲ୍‌ ଗେଟ୍‌ଙ୍କ ନେତୃତ୍ୱରେ ବ୍ରିଟିଶ୍‌ ଓ ରାଜାଙ୍କ ଫୌଜ ୧୯୩୮ ଅକ୍ଟୋବର ୧୦ ରେ ଭୁବନ ଉପରେ ଚଢ଼ାଉ କଲେ। ସେଠାରେ ଅନେକ ଘର ଭାଙ୍ଗିଲେ। ଲୋକେ ବିରୋଧ କରିବାରୁ ଆତଙ୍କିତ ପୋଲିସ ଫୌଜ ଆଖିବୁଜା ଗୁଳିଚାଳନା କଲେ। ଘଟଣାସ୍ଥଳରେ ରଘୁ ନାୟକ ଓ ଗୁରି ନାୟକ ଶହୀଦ ହେଲେ। ଲୋକେ ଜୀବନକୁ ପାଣି ଛଡ଼ାଇ ହତ୍ୟାକାରୀ ପୋଲିସ ବାହିନୀ ଉପରେ ପ୍ରତିଶୋଧ ନେବା ପାଇଁ ଆଗେଇ ଆସିଲେ। ଏଥିରେ ଆତଙ୍କିତ ହୋଇ ପୋଲିସ ପଛଘୁଞ୍ଚା ଦେଲା। ଜୀବନ ବିକଳରେ ଏମାନେ ଢେଙ୍କାନାଳ ଫେରିବା ପାଇଁ ଦୌଡ଼ିଲେ।

ସେ ଥିଲା ୧୯୩୮ ଅକ୍ଟୋବର ୧୦-୧୧ ରାତି। ପ୍ରଜା ଆନ୍ଦୋଳନର ବାନର ସେନାରେ ସାମିଲ ହୋଇଥିବା ବାର ବର୍ଷର ବାଳକ ବାଜି ରାଉତ ନୀଳକଣ୍ଠପୁର ଗ୍ରାମ ନିକଟରେ ଥିବା ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗିଥାଏ। ଆଗରେ ଭରା ନଈ, ପଛରେ ପ୍ରତିଶୋଧ ନେବା ପାଇଁ ଦୌଡ଼ୁଥିବା ଜନସମୁଦ୍ର। ଏ ପରିପ୍ରେକ୍ଷୀରେ ନଈ ପାରି ହେବା ପାଇଁ ଥିବା ଏକମାତ୍ର ଡଙ୍ଗାକୁ ରାତିରେ ଜଗିଥାଏ ବାଳକ ବାଜିଆ। ପୋଲିସ ବାହିନୀର ନିର୍ଦ୍ଦେଶ ସେମାନଙ୍କୁ ନଦୀ ପାରି କରିଦେବା ପାଇଁ। କିନ୍ତୁ ବୀର ବାଳକ ବାଜିଆର ରୋକ୍‌ଠୋକ୍‌ ଉତ୍ତର, 'ପ୍ରଜାମଣ୍ଡଳର ନିର୍ଦ୍ଦେଶ ଅଛି, ରାଜାର ଫୌଜଙ୍କୁ ନଦୀ ପାରି କରାଇ ଦେବି ନାହଁି।' ଏ ପରିପ୍ରେକ୍ଷୀରେ ବ୍ରିଟିଶ୍‌ ଫୌଜର ଲାଠି ଓ ବନ୍ଧୁକର ଧମକକୁ ସେ ବେଖାତିର କରିବାରୁ ଶେଷରେ ଫୌଜଙ୍କ ଗୁଳି ବାଜି ରାଉତଙ୍କ ମୁଣ୍ଡରେ ବାଜିଲା। ଗଁା ମାଟି ନୀଳକଣ୍ଠପୁର ଓ ତାହା ନିକଟରେ ପ୍ରବାହିତ ପବିତ୍ର ବ୍ରାହ୍ମଣୀର ଜଳରାଶିରେ ବାଜିଙ୍କର ରକ୍ତ ମିଶିଲା। ସେହି ନୀଳକଣ୍ଠପୁର ଘାଟରେ ହୋଇଥିବା ସଂଘର୍ଷରେ ଲକ୍ଷ୍ମଣ ମଳିକ, ନଟ ମଳିକ ଓ ହୁରୁଷି ପ୍ରଧାନଙ୍କ ଭଳି ଆଉ ୩ ଜଣ ଗ୍ରାମବାସୀ ଶହୀଦ ହେଲେ। ଏଭଳି ଏକ ଆତଙ୍କଜନକ ପରିସ୍ଥିତିରେ ବାଜିଙ୍କୁ ମାରି ଅନ୍ଧାରରେ ଲୁଚି ଡଙ୍ଗା ଧରି ପଳାଇ ଆସିଲେ ପୋଲିସ ଫୌଜ।

ଶହୀଦ ବାଜି ରାଉତ, ହୁରୁଷି ପ୍ରଧାନ, ଲକ୍ଷ୍ମଣ ମଳିକ, ନଟ ମଳିକ, ରଘୁ ନାଏକ ଓ ଗୁରି ନାଏକଙ୍କ ମର ଶରୀରଗୁଡ଼ିକୁ ବୀର ବୈଷ୍ଣବ ପଟ୍ଟନାୟକଙ୍କ ନେତୃତ୍ୱରେ କିଛି ସ୍ବେଚ୍ଛାସେବୀ ରେଳଗାଡ଼ିରେ କଟକ ଆଣିଲେ। କଟକରେ ୬ଟି ଶଗଡ଼ଗାଡ଼ିରେ ଏହି ୬ଜଣ ଶହୀଦଙ୍କର ଶବାଧାର ରଖାଯାଇ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା। ହଜାର ହଜାର ମୁକ୍ତିକାମୀ ଜନତାଙ୍କ ଉପସ୍ଥିତିରେ ଶ୍ମଶାନଘାଟରେ ଏମାନଙ୍କ ଜୁଇ ଜଳି ଉଠିଲା।

ଶହୀଦ ବାଜି ରାଉତଙ୍କ ସ୍ମୃତିର ସ୍ମାରକୀ

ଶହୀଦ ବାଜି ରାଉତଙ୍କ ସ୍ମୃତିର ସ୍ମାରକୀ ଭାବେ ଅନୁଗୋଳରେ ରହିଛି ମାଳତୀ ଚୌଧୁରୀଙ୍କ ଦ୍ୱାରା ସ୍ଥାପିତ ବାଜି ରାଉତ ଛାତ୍ରାବାସ। ଦୁଃଖ ଓ ପରିତାପର ବିଷୟ ଯେ, ଭାରତ ଇତିହାସରେ ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ବଳିଦାନ ସ୍ଥାନିତ ହୋଇପାରି ନାହିଁ। ଦେଶ ସ୍ବାଧୀନ ହୋଇଛି। ସ୍ବାଧୀନତା ପରେ ଅନ୍ୟାୟ, ଅତ୍ୟାଚାର, ଶୋଷଣ ଆଦି ଭିନ୍ନ ରୂପରେ ରହିଥିବା ବେଳେ ଆଜି ଭାରତମାତା ଖୋଜୁଛି ବାଜି ରାଉତଙ୍କ ଭଳି ବୀର ବାଳକମାନଙ୍କୁ, ଯେଉଁମାନେ ପୁଣି ନିଜ ଜୀବନକୁ ବାଜି ଲଗାଇ ମାତୃଭୂମିର ସେବା କରିପାରିବେ।

ନିକଟରେ ସହିଦ ବାଜି ରାଉତ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା କରିଥିଲେ । ଆଗାମୀ ଦିନରେ ସରକାରୀ ସ୍ତରରେ ପାଳନ ହେବ ବାଜି ରାଉତ ଜୟନ୍ତୀ। ସରକାରୀ ସ୍ତରରେ ରାଜ୍ୟସ୍ତରୀୟ ବାଜି ରାଉତ ଜୟନ୍ତୀ ପାଳନ ହେବ। ଓଡ଼ିଶାର ସର୍ବ କନିଷ୍ଠ ବରପୁତ୍ରଙ୍କୁ ସମ୍ମାନ ଜଣାଇବା ପାଇଁ ରାଜ୍ୟସ୍ତରୀୟ ପାଳନ। ତାଙ୍କ ତ୍ୟାଗ, ବଳିଦାନ, ସଂଘର୍ଷକୁ ସମ୍ମାନ ଜଣାଇବା ପାଇଁ ହେବ କାର୍ଯ୍ୟକ୍ରମ ବୋଲି କହିଛନ୍ତି କହିଥିଲେ ମୋହନ ମାଝୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+