ଆଜି ଦିଲ୍ଲୀ-କୋଲକାତା ମୁକାବିଲା, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ ଦୁଇ ଦଳ
ଚଳିତ ଆଇପିଏଲ ୫୧ତମ ଲିଗ୍ ମୁକାବିଲାରେ ଆଜି ଦିଲ୍ଲୀ ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିବ । ଉଭୟ ଦଳ ପାଇଁ ବିଜୟ ଜରୁରି ହୋଇ ପଡ଼ିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଦିଲ୍ଲୀ ୧୦ଟି ମ୍ୟାଚ ଖେଳି ୮ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି । କୋଲକାତା ୯ଟି ମ୍ୟାଚ ଖେଳିଛି ଓ ୭ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛି । ପ୍ଲେ-ଅଫ୍ରେ ପ୍ରବେଶ କରିବା ପାଇଁ ଅତି କମ୍ରେ ୧୪ ପଏଣ୍ଟର ଆବଶ୍ୟକତା ରହିଛି । ତେଣୁ ଉଭୟ ଦଳ ବେଶୀ ପରିକ୍ଷା ନକରି ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।

କୋଲକାତା ପ୍ରଥମ ୬ଟି ମ୍ୟାଚରୁ ୫ଟିରେ ପରାଜିତ ହୋଇଥିଲା । ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାରୁ ୧ ପଏଣ୍ଟ ଅର୍ଜନ କରିଥିଲା । ମାତ୍ର ଏହାପରେ କୋଲକାତା ଲଢୁଆ ଖେଳ ପ୍ରଦର୍ଶନ କ୍ରମାନ୍ୱୟରେ ୩ଟି ମ୍ୟାଚ ଜିତିଛି । ବର୍ତ୍ତମାନ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଥିଲେ ହେଁ ଓପନିଂ ବିଭାଗର ବିଫଳତାକୁ ନେଇ ଦଳ ସାମାନ୍ୟ ଚିନ୍ତାରେ ରହିଛି । ଅଜିଙ୍କ୍ୟ ରାହାଣେଙ୍କ ସହ ଫିନ ଆଲେନ ଓ ଟିମ ସାଇଫର୍ଟ ଓପନ କରିଥିଲେ ହେଁ ଏପର୍ଯ୍ୟନ୍ତ ଅସଲ ଦକ୍ଷତା ଦେଖାଇବାରେ ବିଫଳ ହୋଇଛନ୍ତି । ଦିଲ୍ଲୀର ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଛି । ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଦିଲ୍ଲୀ ଆଜି ସବୁ ତ୍ରୁଟି ସୁଧାରି ପୁଣି ଥରେ ବିଜୟଧାରାକୁ ଫେରିବା ପାଇଁ ପ୍ରୟାସ କରିବ । ମାତ୍ର ଏଥିପାଇଁ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ବିଶେଷ କରି ସ୍ପିନ ବିଭାଗ ୱିକେଟ୍ ହାତେଇବା ଆବଶ୍ୟକ । ପୂର୍ବ ରେକର୍ଡ କୋଲକାତା ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୩୫ଥର ଭେଟିଛନ୍ତି । ଏଥିରୁ ଦିଲ୍ଲୀ ୧୫ଟି ମ୍ୟାଚ ଜିତିଥିବାବେଳେ ୧୯ଟି ମ୍ୟାଚରେ ପରାଜିତ ହୋଇଛି ।












Click it and Unblock the Notifications