Flashback 2020: CAA ଠାରୁ ଆରମ୍ଭ କରି କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ସରଗରମ ରହିଥିଲା ଦେଶର ରାଜନୀତି
ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ 2020 ବର୍ଷ ଏପରି ସ୍ମରଣୀୟ ବର୍ଷ ପାଲଟିଛି, ଯେଉଁଥିରେ କରୋନା ଭାଇରସର ଭୟାବହତା ସହିତ ଜଡ଼ିତ ସ୍ମୃତି ଏତେ ସହଜରେ ମନରୁ ଲିଭି ନପାରେ | କରୋନାକୁ ବାଦ୍ ଦେଲେ ଏହି ବର୍ଷ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ସାଉଁଟିବ |
ନୂଆଦିଲ୍ଲୀ: ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ 2020 ବର୍ଷ ଏପରି ସ୍ମରଣୀୟ ବର୍ଷ ପାଲଟିଛି, ଯେଉଁଥିରେ କରୋନା ଭାଇରସର ଭୟାବହତା ସହିତ ଜଡ଼ିତ ସ୍ମୃତି ଏତେ ସହଜରେ ମନରୁ ଲିଭି ନପାରେ | କରୋନାକୁ ବାଦ୍ ଦେଲେ ଏହି ବର୍ଷ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ସାଉଁଟିବ | ବର୍ଷ ଆରମ୍ଭରୁ ଦେଖିବାକୁ ମିଳିଥିଲା ଆନ୍ଦୋଳନ ସେହିପରି ଠିକ୍ ବର୍ଷ ଶେଷ ହେବାକୁ ଆଉ ଅଳ୍ପ କେତେ ଦିନ ବାକି ରହିଥିବାବେଳେ ଦେଶରେ ଜୋର ଧରିଛି ଆଉ ଏକ ବଡ଼ ଆନ୍ଦୋଳନ, ଯାହାର ପ୍ରଭାବ ଜାତୀୟ ରାଜନୀତିକୁ ସକ୍ରିିୟ କରିଦେଇଛି | ଯଦିଓ ସମଗ୍ର ବର୍ଷ ରାଜନୈତିକ ଦୃଷ୍ଟିରୁ ମୁଖ୍ୟତଃ କରୋନା ଏବଂ ଏହାର ହାନିକାରକ ପରିସ୍ଥିତି ଉପରେ ଧ୍ୟାନ ଦିଆଯାଇଥିଲା, ତଥାପି ଏଥିରେ ଏପରି ଅନେକ ଘଟଣା ରହିଛି ଯାହା ଭାରତର ଭବିଷ୍ୟତ ନିର୍ଣ୍ଣୟ କରିବ | ଏଠାରେ ଆମେ ସେହି ପ୍ରମୁଖ ବିକାଶ ଉପରେ ନଜର ପକାଇବା |
ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ
ନରେନ୍ଦ୍ର ମୋଦୀ ସରକାର ଗତ ବର୍ଷ ଡିସେମ୍ବରରେ ନାଗରିକତ୍ୱ ସଂଶୋଧନ ଆଇନ ପ୍ରଣୟନ କରିଥିଲେ | ଏହି ବିଲ୍ ପାସ ହେବାର କିଛି ଦିନ ପରେ, ଏହାକୁ ନେଇ ସାରା ଦେଶରେ ଆରମ୍ଭ ହୋଇଥିଲା ବିରୋଧ ପ୍ରଦର୍ଶନ | ଯାହାକି ମାସ ମାସ ଧରି ଚାଲିଥିଲା | 2020 ଆରମ୍ଭ ହେବା ବେଳକୁ ଦିଲ୍ଲୀର ଶାହିନ୍ ବାଗ ସମେତ ଅନେକ ଅଞ୍ଚଳ CAA ବିରୋଧୀ ଆନ୍ଦୋଳନର କେନ୍ଦ୍ର ପାଲଟିଥିଲା | ଜାମିଆ ନଗର ନିକଟରେ ଥିବା ଶାହିନ୍ ବାଗ ପରେ CAA ଏବଂ NRC ବିରୋଧର ଏକ ମଡେଲ ବନିଯାଇଥିଲା, ଯାହାର ନେତୃତ୍ୱ ସ୍ଥାନୀୟ ଯୁବକ ଓ ବୃଦ୍ଧ ମହିଳାଙ୍କ ହାତରେ ରହିଥିଲା | ଦେଶର ଅନେକ ସହରରେ ଏଭଳି ପ୍ରଦର୍ଶନ ଚାଲିଥିଲା |

ବିକ୍ଷୋଭକାରୀମାନେ ରାସ୍ତାରେ ବସି କେନ୍ଦ୍ର ସରକାରଙ୍କୁ ଏହି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ | ଏହି ବିରୋଧ ମଧ୍ୟରେ ଫେବୃଆରୀରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ସମୟରେ ଉତ୍ତର-ପଶ୍ଚିମ ଦିଲ୍ଲୀରେ ଦଙ୍ଗା ମଧ୍ୟ ହୋଇଥିଲା. ଯେଉଁଥିରେ 50 ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ | ଯେତେବେଳେ କରୋନା ଭାଇରସ୍ ଦେଶରେ ବିସ୍ତାର କଲା ମାର୍ଚ୍ଚ 24 ରେ ତିନି ମାସ ଧରି ଚାଲିଥିବା ଏହି ଆନ୍ଦୋଳନକୁ ଦିଲ୍ଲୀ ପୋଲିସ ଜବରଦସ୍ତ ବନ୍ଦ କରିଦେଇଥିଲା |
ନମସ୍ତେ ଟ୍ରମ୍ପ-
ଚଳିତ ବର୍ଷ ଫେବୃଆରୀ 24 ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ଭାରତ ଗସ୍ତରେ ଆସନ୍ତି | ତାଙ୍କର ଭବ୍ୟ ସ୍ୱାଗତ ପାଇଁ ଗୁଜୁରାଟର ଅହମ୍ମଦାବାଦସ୍ଥିତ ମୋଟେରା ଷ୍ଟାଡିୟମରେ ଏକ ବଡ଼ କାର୍ଯ୍ୟକ୍ରମର ଆଯୋଜନ କରାଯାଇ ଏହାକୁ 'ନମସ୍ତେ ଟ୍ରମ୍ପ' ଭାବେ ନାମିତ କରାଯାଏ | ଆମେରିକାର ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ ତଥା ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଷ୍ଟାଡିୟମରେ ଉପସ୍ଥିତ ରହନ୍ତି | ଭାରତର ତାଙ୍କୁ ଏପରି ସ୍ୱାଗତ ଏବଂ ଏତେ ବଡ଼ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଟ୍ରମ୍ପ ଭାରତବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ |

ସୂଚନାଯୋଗ୍ୟ, ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପାଇଁ ମୋଟେରା ଷ୍ଟାଡିୟମରେ 1 ଲକ୍ଷରୁ ଅଧିକ ଲୋକ ଏକାଠି ହୋଇଥିଲେ | 36 ଘଣ୍ଟାର ଏହି ଗସ୍ତ ସମୟରେ ଟ୍ରମ୍ପ ଦମ୍ପତି ନୂଆଦିଲ୍ଲୀ ଯିବା ପୂର୍ବରୁ ଆଗ୍ରା ଯାଇ ତାଜମହଲ ପରିଦର୍ଶନ କରିଥିଲେ | ଫେବୃଆରୀ 25 ରେ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ଭବନରେ ସ୍ୱାଗତ କରାଯାଇଥିଲା | ଏହ ପରେ ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପ୍ରତିନିଧୀ ସ୍ତରୀୟ ଆଲୋଚନା କରିଥିଲେ |
କରୋନା ସଂକ୍ରମଣ
ଚଳିତ ବର୍ଷ ଜାନୁଆରୀ 30 ରେ କେରଳର ତ୍ରିସୁର ଜିଲ୍ଲାରେ ଭାରତର କରୋନା ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା | ସଂକ୍ରମିତ ଜଣକ ଚୀନର ଉହାନ ବିଶ୍ୱବିଦ୍ୟାଳୟରୁ ଛୁଟିରେ ତାଙ୍କ ଘରକୁ ଆସିଥିଲେ | ଚାଇନାରେ ଆରମ୍ଭ ହୋଇଥିବା ଏହି ଭୟଙ୍କର ରୋଗର ବିପଦ ପାଇଁ ଭାରତ ସରକାର ପୂର୍ବରୁ ସଚେତନ ଥିଲେ | ଫେବୃଆରୀ 1 ରେ, ଏୟାର ଇଣ୍ଡିଆର ପ୍ରଥମ ବିମାନ ଚୀନ୍ର ଉହାନରେ ରହୁଥିବା 324 ଜଣ ଭାରତୀୟ ଛାତ୍ର ଏବଂ ନାଗରିକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଥିଲା | ଚୀନରୁ ଫେରିବାକୁ ଚାହୁଁଥିବା ସମସ୍ତ ନାଗରିକଙ୍କୁ ଭାରତ ନ ଆଣିବା ପର୍ଯ୍ୟନ୍ତ ଏହି ମିଶନ ଜାରି ରହିଥିଲା | ଏହା ପରେ, ଫେବୃଆରୀ ଆରମ୍ଭରେ କେରଳରେ ଦ୍ୱିତୀୟ ଏବଂ ତୃତୀୟ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା ଏବଂ ସେମାନଙ୍କର ଲିଙ୍କ୍ ଉହାନ୍ ସହ ଜଡ଼ିତ ଥିଲା | ମାର୍ଚ୍ଚ 2 ରେ କେରଳ ବାହାରୁ ପ୍ରଥମ ମାମଲା ଦିଲ୍ଲୀରୁ ବାହାରିଥିଲା, ଯିଏକି ଇଟାଲୀରୁ ଫେରିଥିବା ସୂଚନା ମିଳିଥିଲା | ଏହା ପରେ ମହାମାରୀ ଧୀରେ ଧୀରେ ବିସ୍ତାର କରିବା ଆରମ୍ଭ କଲା |

ଏହା ପରେ ପରେ ସମଗ୍ର ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ସଙ୍ଗରୋଧ ଗୃହ ପ୍ରସ୍ତୁତି ଆରମ୍ଭ ହୋଇଥିଲା ଏବଂ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ସେଠାରେ ରଖାଯାଇଥିଲା | ଭାରତୀୟ ରେଳ ମଧ୍ୟ ଏହି କାର୍ଯ୍ୟ ପାଇଁ ଟ୍ରେନ୍ ବଗି ପ୍ରସ୍ତୁତ କରିବା ଆରମ୍ଭ କଲା | ଡାକ୍ତରଖାନାରେ ଶଯ୍ୟା ବୃଦ୍ଧି କରିବା ସହ ଆଇସିୟୁ ଏବଂ ଭେଣ୍ଟିଲେଟର ସଂଖ୍ୟା ବୃଦ୍ଧି କରିବାକୁ ଲାଗିଲା | ଭାରତରେ କରୋନା ସଂକ୍ରମଣ ଆରମ୍ଭ ହେବା ସମୟରେ ପ୍ରତିଦିନ ଯେତେ ପରୀକ୍ଷଣ କରାଯାଉଥିଲା ବର୍ତ୍ତମାନ ଦେଶର 97% ପରୀକ୍ଷା ସୁବିଧା ରହିଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି | କେବଳ କୋଭିଡ ରୋଗୀଙ୍କ ପାଇଁ 2 ଲକ୍ଷ ଶଯ୍ୟା ସଂରକ୍ଷିତ ରହିଛି | ଏଥି ସହିତ 12 ରୁ 13 ହଜାର ସଙ୍ଗରୋଧ ଗୃହ ରହିଛି | ସଂକ୍ରମଣ ଆରମ୍ଭରୁ କୌଣସି ପରୀକ୍ଷଣ କିଟ୍ ନଥିଲା, ଆଜି ଦେଶରେ ପ୍ରତିଦିନ ପ୍ରାୟ 10 ଲକ୍ଷ ପରୀକ୍ଷଣ କିଟ୍ ପ୍ରସ୍ତୁତ କରାଯାଉଛି | ଏଥିସହିତ ଆରମ୍ଭରୁ ପିପିଇ କିଟ୍ ଏବଂ N95 ମାସ୍କର ଅଭାବ ଥିଲା କିନ୍ତୁ ବର୍ତ୍ତମାନ ଏହା ବହୁ ପରିମାଣରେ ଉପଲବ୍ଧ ରହିବା ସହିତ ରପ୍ତାନି ସ୍ଥିତି ସୃଷ୍ଟି କରିଛି ବୋଲି ଦାବି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦାବି କରୁଛି |
ଜନତା କର୍ଫ୍ୟୁ
କରୋନା ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଲକଡାଉନ ଘୋଷଣା ପୂର୍ବରୁ ମାର୍ଚ୍ଚ 22 ତାରିଖ ତଥା ରବିବାର ଦିନ ସାରା ଦେଶରେ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଲାଗୁ କରିବା ନେଇ ଦେଶବାସୀଙ୍କୁ ଅନୁରୋଧ କରିଥିଲେ | ପ୍ରଧାନମନ୍ତ୍ରୀଙ୍କ ଏହି ଅନୁରୋଧସାରା ଦେଶରେ ପ୍ରଭାବ ପକାଇବା ସହ ସମଗ୍ର ଦେଶ ସ୍ୱେଚ୍ଛାକୃତ ଭାବେ ବନ୍ଦ ରହିଲା | ସେଦିନ ସକାଳ 7 ଟାରୁ ରାତି 9 ଟା ପର୍ଯ୍ୟନ୍ତ ନିଜ ଘରେ ରହିବାକୁ ମୋଦୀ ଦୋଶବାସୀଙ୍କୁ ଅନୁରୋଧ କରିଥିଲେ | ସେଦିନ ଜନସାଧାରଣ ପରିବହନର ସେବା ମଧ୍ୟ ସ୍ଥଗିତ ରଖାଯାଇଥିଲା | ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଲୋକମାନେ ସନ୍ଧ୍ୟା 5ଟା ବେଳେ ତାଳି, ଥାଳି ଏବଂ ଶଙ୍ଖ ବଜାଇ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଥିବା ନଜରକୁ ଆସିଥିଲା |

ସାରା ଦେଶରେ ଲକଡାଉନ ଘୋଷଣା
କରୋନା ସଂକ୍ରମଣ ବୃଦ୍ଧି ଭିତରେ ଏହାକୁ ରୋକିବା ଉଦ୍ଦେଶ୍ୟ ନେଇ ସାରା ଦେଶରେ ମାର୍ଚ୍ଚ 25ତାରିଖ ରାତି 12ଟାରୁ 21 ଦିନ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଲକଡାଉନ ଘୋଷଣା କରାଯାଇଥିଲା | 24 ତାରିଖ ରାତି 8ଟାରେ ପ୍ରଧାନମନ୍ତ୍ରୀ ସାରା ଦେଶବାସୀଙ୍କୁ ସମ୍ବୋଧନ କରି ଏନେଇ ଘୋଷଣା କରିଥିଲେ | ଏହି ସମୟ ମଧ୍ୟରେ, ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ବ୍ୟତୀତ ସମସ୍ତଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଥିଲା | ପ୍ରଥମ ଥର ଯାତ୍ରୀଙ୍କ ପାଇଁ ସମଗ୍ର ଦେଶରେ ଏକକାଳୀନ ଟ୍ରେନ୍ ଏବଂ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା | ତା'ପରେ, ଗୋଟିଏ ପରେ ଗୋଟିଏ ଅନେକ ଲକଡାଉନ୍ ଘୋଷଣା କରାଯାଇଥିଲା ଏବଂ ପ୍ରତ୍ୟେକ ଥର ଏହାର ଅବଧି କିଛିଟା କୋହଳ ସହିତ ବୃଦ୍ଧି କରାଯାଇଥିଲା |

8 ଜୁନ୍ ପରେ କେନ୍ଦ୍ର ସରକାର ଧୀରେ ଧୀରେ ଅନଲକ୍ ଘୋଷଣା କଲେ | କିନ୍ତୁ ଲକଡାଉନ୍ ଯୋଗୁଁ ଲକ୍ଷ ଲକ୍ଷ ଲୋକ, କାରଖାନା, କମ୍ପାନୀ ଏବଂ ବ୍ୟବସାୟୀଙ୍କ ଜୀବିକା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା | ଅସହାୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଥିଲେ | କର୍ମଚାରୀମାନଙ୍କୁ ସହାନୁଭୂତି ସହ ବିଚାର କରିବାକୁ ନିଯୁକ୍ତିଦାତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ ଏହାର ପ୍ରଭାବ ଏତେ ଭୟଙ୍କର ହୋଇଥିଲା ଯେ ଦେଶରେ ବେକାରୀ ସମସ୍ୟା ସୃଷ୍ଟି ହୋଇଯାଇଛି |
ଯଦିଓ ଲକଡାଉନ୍ ସମୟରେ କରୋନା ବିପକ୍ଷରେ ଭିତ୍ତିଭୂମି ନିର୍ମାଣ ନେଇ ଦେଶ ଐତିହାସିକ ସଫଳତା ହାସଲ କରିଛି ବୋଲି କୁହାଯାଉଛି, କିନ୍ତୁ ଏହା ଯୋଗୁଁ ବହୁ ଲୋକଙ୍କ ରୋଜଗାର ଚାଲିଯାଇଥିବାରୁ ସରକାରଙ୍କୁ ଏବେ ମଧ୍ୟ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଛି | ଅର୍ଥନୀତି ବିଷୟରେ କହିବାକୁ ଗଲେ, ରେଟିଂ ଏଜେନ୍ସି ଫିଚ୍ ରେଟିଂ ସେପ୍ଟେମ୍ବରରେ ଭାରତର ଜିଡିପି ଅଭିବୃଦ୍ଧିର ସଂଶୋଧିତ ଆକଳନକୁ ଚଳିତ ଆର୍ଥିକ ବର୍ଷ ପାଇଁ -10.5 ପ୍ରତିଶତକୁ ହ୍ରାସ କରିଥିଲା | ତଥାପି, ବର୍ତ୍ତମାନ ଅର୍ଥନୀତି ପୁନରୁଦ୍ଧାର କରୁଥିବା ନେଇ କୁହାଯାଉଛି |
ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା
ଲକଡାଉନର ସବୁଠାରୁ ଭୟାନକ ରୂପ ଥିଲା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା | ଯେଉଁମାନେ କାମ ବନ୍ଦ ଯୋଗୁଁ ହଜାର ହଜାର କିଲୋମିଟର ଚାଲି ଚାଲି ନିଜ ଘରକୁ ଫେରୁଥିବାର ଦେଖିବାକୁ ମିଳିଥିଲା | ପ୍ରବାସୀ ଶ୍ରମିକମାନେ କାମ କରୁଥିବା ବଡ ସହରଗୁଡିକର ସରକାର ସେମାନଙ୍କୁ ରୋକିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାରେ ବିଫଳ ହୋଇଥିଲେ | ଟ୍ରେନ୍ ଏବଂ ବସ୍ ଗୁଡିକ ପୂର୍ବରୁ ବନ୍ଦ ହୋଇଯାଇଥିଲା | କାମଧନ୍ଦା ବନ୍ଦ ହେତୁ ବଡ଼ ସହରରେ ପରିବାରକୁ ନେଇ ରହିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଥିଲା | ସେମାନଙ୍କ ନିକଟରେ ଏକମାତ୍ର ବିକଳ୍ପ ଥିଲା ଗାଁକୁ ଫେରିବା | ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ରାଜ୍ୟ ମଧ୍ୟ ବ୍ୟବସ୍ଥା କରିଥିଲେ | ତଥାପି ପ୍ରତ୍ୟେକ ସହାୟତା ପ୍ରବାସୀମାନଙ୍କ ପାଇଁ ଯଥେଷ୍ଟ ନଥିଲା |

ରାସ୍ତାରେ ଯାଉଥିବା ସମୟରେ ଅନେକ ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ସହ ରେଳଧାରଣାରେ କେତେକଙ୍କ ଜୀବନ ଚାଲିଯାଇଥିଲା | ଏପ୍ରିଲ୍ ପର୍ଯ୍ୟନ୍ତ ଏହା ଜାରି ରହିଥିଲା | ମେ 1, ଶ୍ରମ ଦିବସ ଦିନ, ଭାରତୀୟ ରେଳବାଇ ଏହି ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ପହଞ୍ଚାଇବା ପାଇଁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିବା ଆରମ୍ଭ କରିଥିଲା | ଏହାପରେ ଆଉ କିଛି ସ୍ୱତନ୍ତ୍ର ଟ୍ରେନ୍ 12 ମଇରୁ ଚାଲିଥିଲା | ଧୀରେ ଧୀରେ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ମଧ୍ୟ ବନ୍ଦେ ଭାରତ ମିଶନ ଅଧୀନରେ ଆରମ୍ଭ କରାଯାଇଥିଲା |
ଲୋନ୍ ମୋରେଟୋରିୟମ୍

ଲକଡାଉନ୍ ସମୟରେ ଅନେକ ଲୋକ ଚାକିରି ହରାଇଲେ, ଅନେକ ଶିଳ୍ପ ବନ୍ଦ ହୋଇଗଲା | ଏହିପରି ଲୋକଙ୍କୁ ଋଣ ଉପରେ ରିହାତି ଦେବା ପାଇଁ, 27 ମାର୍ଚ୍ଚରେ ଆରବିଆଇ ଋଣ ପ୍ରଦାନକାରୀ ଆର୍ଥିକ ପ୍ରତିଷ୍ଠାନ ଏବଂ ବ୍ୟାଙ୍କଗୁଡିକୁ କିିସ୍ତି ଉପରେ 1 ମାର୍ଚ୍ଚରୁ 31 ମାର୍ଚ୍ଚ ମଧ୍ୟରେ କିିସ୍ତି ପରିଶୋଧ ଉପରେ ସୁବିଧା ଦେବାକୁ କହିଥିଲେ | ପରେ ଏହାକୁ 31 ଅଗଷ୍ଟକୁ ବୃଦ୍ଧି କରାଯାଇଥିଲା | ଏହି ଅବଧି ମଧ୍ୟରେ, କିସ୍ତି ଦେୟ ବନ୍ଦ କରିବାକୁ ଗ୍ରାହକମାନେ ଆବେଦନ କରିପାରିଖିଲେ | ଅବଶ୍ୟ, ଏହି ସମୟ ମଧ୍ୟରେ ସେମାନେ ସୁଧରୁ ମୁକ୍ତ ନୁହଁନ୍ତି, କିନ୍ତୁ ଋଣ ପରିଶୋଧ ନକରିବା ବଦଳରେ ସେମାନଙ୍କର କ୍ରେଡିଟ୍ ସ୍କୋର ଖରାପ ହେବ ନାହିଁ | ପରେ, ଯଦି ପରିସ୍ଥିତି ଭଲ ହୁଏ, ସେ ଧୀରେ ଧୀରେ ନିଜର ଦେୟ ଦେଇପାରିବେ | ଘର, କାର କିମ୍ବା କ୍ରେଡିଟ କାର୍ଡ ବିଲ ପରି ସମସ୍ତ ପ୍ରକାର ଋଣ ଉପରେ ସୁବିଧା ଦିଆଯାଇଥିଲା |
ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ
ଚଳିତ ବର୍ଷ ମାର୍ଚ୍ଚରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଗ୍ରେସ ଛାଡ଼ିବା ପରେ କମଳନାଥ ସରକାରକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା | ଅନେକ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ସିନ୍ଧିଆଙ୍କ ସମର୍ଥକ ତଥା 22 କଂଗ୍ରେସ ବିଧାୟକ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେବା ପରେ କମଲନାଥ ସରକାର ପତନ ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା | ବାଚସ୍ପତିଙ୍କ ଜରିଆରେ ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରାଯାଇଥିଲା | ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କମଲନାଥ ଗୃହରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ବାଧ୍ୟ ହୋଇଥିଲେ ଏବଂ ପରେ ତାଙ୍କ ସରକାର ଭୁଶୁଡି ପଡିଥିଲା |

କଂଗ୍ରେସ ବିଧାୟକମାନେ ବିଧାନସଭା ଛାଡିଥିଲେ ତେଣୁ ବିଜେପି ସାଧାରଣ ସଂଖ୍ୟାଗରିଷ୍ଠତା ହାସଲ କଲା ଏବଂ ଶିବରାଜ ସିଂ ଚୌହାନ ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ | କଂଗ୍ରେସ ଛାଡ଼ିଥିବା ଅନେକ ନେତା ଶିବରାଜ ସରକାରରେ କ୍ଷମତା ପାଇଲେ | ପରେ ଅନ୍ୟ କେତେକ କଂଗ୍ରେସ ବିଧାୟକ ମଧ୍ୟ ଇସ୍ତଫା ଦେଇଥିଲେ | କିଛି ବିଧାୟକଙ୍କ ମୃତ୍ୟୁ ହେତୁ ଅନେକ ସିଟ୍ ମଧ୍ୟ ଖାଲି ଥିଲା | ନଭେମ୍ବରରେ, 28 ଟି ସିଟ୍ ପାଇଁ ଉପ-ନିର୍ବାଚନ ହୋଇଥିଲା, ଯେଉଁଥିରେ ବିଜେପି 19 ଟି ସିଟ୍ ଜିତିଥିଲା ଏବଂ ଗୃହରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା | କଂଗ୍ରେସ ମାତ୍ର 9 ଟି ଆସନ ଅକ୍ତିଆର କରିପାରିଲା |
ରାଜସ୍ଥାନର ରାଜନୈତିକ ସଙ୍କଟ

ଚଳିତ ବର୍ଷ ଜୁଲାଇରେ କଂଗ୍ରେସ ନେତା ତଥା ରାଜସ୍ଥାନର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଯୋଗୁଁ ଅଶୋକ ଗେହଲଟଙ୍କ ସରକାର ମଧ୍ୟ ସଙ୍କଟରେ ପଡ଼ିଥିଲା | ପାଇଲଟ ନିଜର କେତେକ ସମର୍ଥକ ବିଧାୟକଙ୍କ ସହ ଜୟପୁରଠାରୁ ଦୂରରେ ଥିବା ହରିୟାଣାର ଏକ ରିସୋର୍ଟରେ କିଛି ଦିନ ରହିଲେ | ସେ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ | କିନ୍ତୁ ପରେ, କେନ୍ଦ୍ରୀୟ ନେତୃତ୍ୱଙ୍କ ଦ୍ୱାରା ବୁଝାମଣା ପରେ ସଙ୍କଟ ଦୂର ହେଲା ଏବଂ ଗେହଲଟ୍ ସରକାର କ୍ଷମତାରେ ଅଛି |
ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ୍' କୁ ସବୁଠୁ ଅଧିକ ଡିସଲାଇକ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡିଓରେ ପ୍ରସାରିତ ମାସିକ କାର୍ଯ୍ୟକ୍ରମ 'ମ୍ୟାନ୍ କି ବାତ୍' କୁ ସବୁଠୁ ଅଧିକ ଡିସଲାଇକ୍ ମିଳିବାରୁ ଏହା ମଧ୍ୟ ଚର୍ଚ୍ଚାରେ ରହିଥିଲା | ଚଳିତ ବର୍ଷ 30 ଅଗଷ୍ଟରେ ପ୍ରସାରିତ ମୋଦୀଙ୍କ ଏହି କାର୍ଯ୍ୟକ୍ରମ ବିଜେପିର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହେବା ପରେ ଅନେକ ଡିସଲାଇକ ମିଳିଥିଲା | ସେପ୍ଟେମ୍ବର 1ରେ ଲାଇକ ଓ ଡିସଲାଇକ ମଧ୍ୟରେ ଅନ୍ତର 7.2 ଲକ୍ଷ ଥିଲା | ଏହିପରି କାମକୁ ବିଜେପି ବିରୋଧୀଙ୍କ ଡିଜିଟାଲ ଅଭିଯାନ ବୋଲି ଅଭିଯୋଗ କରିଥିଲା |
ବିହାର ବିଧାନସଭା ନିର୍ବାଚନ
ଚଳିତ ବର୍ଷ ଚର୍ଚ୍ଚିତ ଖବର ଭିତରେ ସାରା ଦେଶବାସୀଙ୍କ ନଜର ରହିଥିଲା ବିହାର ବିଧାନ ସଭା ନିର୍ବାଚନ | ଅକ୍ଟୋବର-ନଭେମ୍ବରରେ ଅନୁ୍ଠିତ ହେଲା ବିହାର ବିଧାନସଭା ନିର୍ବାଚନ | କରୋନା ଜୀବାଣୁର ଭୟାବହତା ଭିତରେ ହୋଇଥିବା ନିର୍ବାଚନ ଉପରେ ସମଗ୍ର ବିଶ୍ୱର ନଜର ଥିଲା, କିନ୍ତୁ ଭାରତର ନିର୍ବାଚନ ଆୟୋଗ ଏହାକୁ ସଫଳତାର ସହ ସମାପ୍ତ କରିଥିଲେ | ଆରମ୍ଭରୁ ହୋଇଥିବା ସର୍ଭେରୁ ଜଣାପଡିଥିଲା ଏହି ନିର୍ବାଚନ ଏକପାଖିଆ ଭାବେ ଏନଡିଏ ସପକ୍ଷରେ ଅଛି |

କିନ୍ତୁ, ନିର୍ବାଚନ ପୂର୍ବରୁ ହଠାତ୍ ମାହୋଲ ପରିବର୍ତ୍ତନ ହେବାର ଦାବି ହେଲା | ଶେଷ ମତଦାନ ପରେ ଏକଜିଟ୍ ପୋଲ୍ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ମିଳିତ ମଞ୍ଚ ବିପକ୍ଷରେ ଥିଲା | କିନ୍ତୁ ପ୍ରକୃତ ନିର୍ବାଚନ ଫଳାଫଳ ହୋଇଥିଲା ପୁରା ଅଲଗା | ଏଥିରେ ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ ଭଲ ପ୍ରଦର୍ଶନ କରିଥିଲା, କିନ୍ତୁ ଏନଡିଏକୁ ମିଳିଥିଲା ସଂଖ୍ୟାଗରିଷ୍ଠତା | ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ପୁନର୍ବାର କ୍ଷମତା ହାସଲ କରି 243 ସିଟ୍ ବିଶିଷ୍ଟ ବିଧାନସଭାରେ 125 ଟି ସିଟ୍ ଜିତିଥିଲା | ଅପରପକ୍ଷରେ ମହାଗଠବନ୍ଧନକୁ ମିଳିଥିଲା 110 ଟି ସିଟ୍ ଏବଂ ଆସାଦୁଦ୍ଦିନଙ୍କ ପାର୍ଟିକୁ 5 ଟି ସିଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା |
ହାଇଦ୍ରାବାଦ ମ୍ୟୁନିସିପାଲିଟି ନିର୍ବାଚନ

ଡିସେମ୍ବର ଆରମ୍ଭରେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନର ନିର୍ବାଚନ ମଧ୍ୟ ଏକ ଜାତୀୟ ପ୍ରସଙ୍ଗ ହୋଇଗଲା |ଏହି ନିର୍ବାଚନରେ ବିଜେପି ନିଜର ସମସ୍ତ ଶକ୍ତି ପ୍ରୟଗ କରିଥିଲା | ଏହି ନିର୍ବାଚନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦଳର ସଭାପତି ଜେପି ନଡ୍ଡାଙ୍କ ସମେତ ଅନେକ ହେଭିଓ୍ୱେଟ୍ ନେତା ପ୍ରଚାର କରିଥିଲେ | ହାଇଦ୍ରାବାଦ ବନାମ ଭାଗ୍ୟନଗର ଏବଂ ନିଜାମ-ନବାବ ସଂସ୍କୃତିରୁ ମୁକ୍ତି ପାଇବା ପାଇଁ ପ୍ରତିଶୃତି ଦିଆଯାଇଥିଲା | ଏହାର ପ୍ରଭାବରେ ବିଜେପି ଏଥିରୁ ଉପକୃତ ହୋଇ 150 ଆସନ ଥିବା ମହାନଗର ନିଗମରେ 48 ଟି ଆସନ ଅକ୍ତିଆର କରିପାରିଥିଲା | ଟିଆରଏସର ଆସନ ପୂର୍ବ ଅପେକ୍ଷା 99 ଆସନରୁ ଖସି ମାତ୍ର 55ଟି ଆସନରେ ବିଜୟୀ ହୋଇପାରିଥିଲା | ତୁଳନାରେ ମାତ୍ର 0.25% କମ୍ ଭୋଟ୍ ପାଇଲା। ଗତ ଥର ବିଜେପି ଅପେକ୍ଷା ଟିଆରଏସ କେବଳ 7 ଟି ସିଟ୍ ଜିତିପାରେ। ଅନ୍ୟପକ୍ଷରେ, ଓଓ୍ୱେସିଙ୍କ ଦଳ ଗତଥର ଭଳି 44 ଟି ଆସନକୁ ବଜାୟ ରଖିଥିଲା |
ନୂଆ କୃଷି ଆଇନ ବନାମ କୃଷକ ଆନ୍ଦୋଳନ
କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ସାରା ଦେଶରେ କୃଷକ ମାନେ ବିରୋଦ କରିଛନ୍ତି | ଏହାକୁ ବିରୋଧ କରି କୃଷକମାନେ ନଭେମ୍ବର 26ରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି | ଏହି ଆଇନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା ନେଇ କୃଷକ ସଙ୍ଗଠନ ଦାବି କରିଆସୁଛନ୍ତି | ଏଥି ସହିତ କେନ୍ଦ୍ରସରକାରଙ୍କ କେତେକ ମନ୍ତ୍ରୀ କୃଷକ ସଙ୍ଗଠନର ଏକ ପ୍ରତିନିଧି ଦଳ ସହ ପାଞ୍ଚଥର ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନାହିଁ | କେନ୍ଦ୍ର ସରକାର ଏହି ଆଇନକୁ ସଂଶୋଧନ କରିବାକୁ ପ୍ରସ୍ତୁତ ଥିବା ବେଳେ କୃଷକ ସଙ୍ଗଠନ ଏହାର ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି | ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ଚାଷୀମାନେ ଦିଲ୍ଲୀର ସିନ୍ଧୁ ସୀମା ଠାରେ ଧାରଣା ଦେଇଛନ୍ତି | ସେମାନେ ଆଗାମୀ କିଛି ମାସଧରି ଆନ୍ଦୋଳନ କରିବା ନେଇ ସମ୍ପୂର୍ଣ୍ଣ ରୂପେ ପେରସ୍ତୁତ ହୋଇ ଆସିଛନ୍ତି ବୋଲି ମଧ୍ୟ କେତେକ ସଙ୍ଗଠନ ଦାବି କରିଛନ୍ତି | ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଧମକ ଦେଇଛନ୍ତି |

କୃଷକଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏହି ଆନ୍ଦୋଳନକୁ ଖୋଲାଖୋଲି ସମର୍ଥନ କରିଛନ୍ତି | ଏଥି ସହିତ ଅନେକ ବିରୋଧୀ ଦଳ ନେତା ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି | ଏହି ଆଇନକୁ ରଦ୍ଦ କରିବା ଦାବିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ କେତେକ ବିରୋଧୀ ଦଳ ନେତା ରାଷ୍ଟ୍ରପତିଙ୍କୁ ଭେଟିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି |
କୃଷକମାନଙ୍କର ଏହି ଆନ୍ଦୋଳନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ଆହ୍ୱାନ ହେବା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି |












Click it and Unblock the Notifications