ଟୁଡେ ଚାଣକ୍ୟର ପୂର୍ବାନୁମାନ,ପଶ୍ଚିମବଙ୍ଗରେ ବିଜେପି ପାଇବ ୧୯୨ ଆସନ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ୧୯୨+ ଓ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ୧୦୦+ ଆସନ ପାଇବ ବୋଲି ଟୁଡେ ଚାଣକ୍ୟ ଗୁରୁବାର ଏହାର ଏକଜିଟ୍ ପୋଲ୍ରେ ପୂର୍ବାନୁମାନ କରିଛି। ଅନ୍ୟାନ୍ୟ ଦଳଗୁଡିକ ୨ଟି ଆସନ ପାଇବେ। ଟୁଡେ ଚାଣକ୍ୟର ଏହି ପୂର୍ବାନୁମାନ ରାଜ୍ୟ ରାଜନୀତିରେ ବଡ ପରିବର୍ତ୍ତନ ଆଭାସ ଦେଇଛି। କେବଳ ଟୁଡେ ଚାଣକ୍ୟ ନୁହେଁ ବୁଧବାର ମଧ୍ୟ ଅଧିକାଂଶ ଏକଜିଟ୍ ପୋଲ୍ରେ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ପୂର୍ବାନୁମାନ କରିଥିଲେ। ଏହି ପୂର୍ବାନୁମାନ ସତ୍ୟ ହେଲେ ୧୫ବର୍ଷ ପରେ ରାଜ୍ୟରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମସିର ପତନ ଘଟାଇବ। ରାଜ୍ୟରେ ମୋଟ ବିଧାନସଭା ଆସନ ସଂଖ୍ୟା ୨୯୪ ହୋଇଥିବାବେଳେ ସରକାର ଗଠନର ମ୍ୟାଜିକ୍ ସଂଖ୍ୟା ୧୪୮। ୨୦୨୧ ବିଧାନସଭା ନିର୍ବାଚନରେ ମଧ୍ୟ ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଇଥିଲା। ମାତ୍ର ଟିଏମସି ୨୧୫ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ୭୭ଟି ଆସନ ପାଇଥିଲା।
ଅନ୍ୟପଟେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏକଜିଟ୍ ପୋଲର ରିପୋର୍ଟକୁ ଗୁରୁବାର ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଟିଏମସି ମନୋବଳ ଭାଙ୍ଗିବା ପାଇଁ ବିଜେପିର ଏହା ଏକ ରାଜନୈତିକ ଷଡଯନ୍ତ୍ର। କାରଣ ଅଧିକାଂଶ ଏକ୍ଜିଟ୍ ପୋଲ ଏଜେନ୍ସି ବିଜେପିର ପ୍ରରୋଚନାରେ ରିପୋର୍ଟ ପ୍ରସ୍ତୁତ କରିଥାନ୍ତି। ଏଥର ମଧ୍ୟ ଟିଏମସି ୨୨୬ ଆସନ ପାଇ ସରକାର ଗଠନ କରିବ ବୋଲି ମମତା ଦୃଢୋକ୍ତି ପ୍ରକାଶ କରିଛନ୍ତି। ତେବେ ମେ ୪ରେ ଭୋଟ ଗଣତି ପରେ ସମସ୍ତ ବାସ୍ତବତା ଜଣାପଡିବ।













Click it and Unblock the Notifications