କେଜ୍ରିୱାଲଙ୍କ ଘୋଷଣା : କରୋନା ମୃତକଙ୍କ ପରିବାରକୁ ମିଳିବ 50 ହଜାର ଟଙ୍କା
ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ 50 ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କେଜ୍ରିୱାଲ । ଏହାସହ ଘରେ ରୋଜଗାର କରୁଥିବା ସଦସ୍ୟଙ୍କ ମୃତ୍ୟୁରେ ପରିବାରକୁ ପ୍ରତିମାସରେ 2500 ଟଙ୍କା ପେନସନ୍ ଯୋଗାଇ ଦେବାକୁ ମଧ୍ୟ ସେ ଘୋଷଣା କରିଛନ୍ତି ।
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶ ବର୍ତ୍ତମାନ କରୋନା ମହାମାରୀର ପ୍ରକୋପରେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ଚିହ୍ନଟ ହେବା ସହ ହଜାର ହଜାର ଲୋକ କରୋନାରେ ପ୍ରାଣ ହରାଉଛନ୍ତି । ଏହି ସମୟରେ କେତେକ ପରିବାର ଆର୍ଥିକ ସମସ୍ୟା ସହ ଅନେକ ଅଭାବ ଅନଟନରେ ରହୁଛନ୍ତି । ସଙ୍କଟଜନକ ସମୟର ସାମ୍ନା କରୁଥିବା ଅସହାୟ ଲୋକଙ୍କ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିଛି ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦିଲ୍ଲୀରେ କରୋନା ମହାମାରୀରେ ନିଜ ପରିଜନକୁ ହରାଇଥିବା ପରିବାରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । କରୋନାଜନିତ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ 50 ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କେଜ୍ରିୱାଲ । ଏହାସହ ଘରେ ରୋଜଗାର କରୁଥିବା ସଦସ୍ୟଙ୍କ ମୃତ୍ୟୁରେ ପରିବାରକୁ ପ୍ରତିମାସରେ 2500 ଟଙ୍କା ପେନସନ୍ ଯୋଗାଇ ଦେବାକୁ ମଧ୍ୟ ସେ ଘୋଷଣା କରିଛନ୍ତି ।
ଏହା ବ୍ୟତୀତ ଦିଲ୍ଲୀରେ 72 ଲକ୍ଷ ରାସନ କାର୍ଡଧାରୀଙ୍କୁ ଚଳିତ ମାସରୁ ମାଗଣାରେ ରାସନ୍ ଦିଆଯିବ ଏବଂ ସେମାନଙ୍କଠାରୁ ଟଙ୍କାଟିଏ ବି ନିଆଯିବ ନାହିଁ । କେନ୍ଦ୍ର ସରକାରଙ୍କ ତରଫରୁ ମଧ୍ୟ ଏହି ରାସନ କାର୍ଡଧାରୀଙ୍କୁ 5 କିଲୋ ମାଗଣା ରାସନ୍ ମିଳୁଛି । ଏବେ ଏମାନଙ୍କୁ ମାସକୁ 10କିଲୋ ମାଗଣା ରାସନ୍ ମିଳିବ ବୋଲି ମଧ୍ୟ କେଜ୍ରିୱାଲ ଘୋଷଣା କରିଛନ୍ତି ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଯେଉଁ ପିଲାମାନଙ୍କର ମାତାପିତାଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ପିଲାମାନେ ଅନାଥ ହୋଇଛନ୍ତି । ସେହି ପିଲାମାନଙ୍କୁ 25 ବର୍ଷ ପର୍ଯ୍ୟନ୍ତ ମାସିକ 2500 ଟଙ୍କା ଓ ମାଗଣାରେ ଶିକ୍ଷା ମଧ୍ୟ ପ୍ରଦାନ କରାଯିବ ।
ସୂଚନାଯୋଗ୍ୟ, ଅପ୍ରେଲ 5 ତାରିଖ ପରେ ରାଜଧାନୀ ଦିଲ୍ଲୀରେ ଗତ 24 ଘଣ୍ଟାରେ ସବୁଠାରୁ କମ୍ 4482 କରୋନା ମାମଲା ସାମ୍ନାକୁ ଆସିଛି । ସେହିପରି ଦିନକ ଭିତରେ 256 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏପ୍ରିଲ୍ 5 ତାରିଖରେ ଦିଲ୍ଲୀରେ 3548 କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସଂକ୍ରମଣ ହାର 7 ପ୍ରତିଶତରୁ 6.89 ପ୍ରତିଶତ ହୋଇଛି, ଯାହା ଏପ୍ରିଲ୍ 7 ତାରିଖ ପରେ ସବୁଠାରୁ କମ୍ ବୋଲି ରେକର୍ଡ଼ ହୋଇଛି ।












Click it and Unblock the Notifications