For Quick Alerts
Turn On Notification  
For Daily Alerts
Oneindia App Download

ମହଭାରତ ପୃଷ୍ଠା : ତିନି ମାଛର କାହାଣୀ

By Staff
|

ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମ, ଅର୍ଜୁନଙ୍କ ବାଣଵର୍ଷାରେ ଧରାଶାୟୀ ହୋଇ ଶଯ୍ୟା ଶାୟୀ ହୋଇଥିବା ସମୟର କଥା । ସେ ଶଯ୍ୟାରେ ଶାୟିତ ଥିବା ଅବସ୍ଥାରେ ଦିନେ ଧର୍ମରାଜ ଯୁଧିଷ୍ଠିର କୃଷ୍ଣଙ୍କ ପାଖରେ ଯାଇ ପହଞ୍ଚି ଦେଖିଲେ ଶ୍ରୀକୃଷ୍ଣ ଧ୍ୟାନରତ । ଯୁଧିଷ୍ଠିର ପାଖରେ ଠିଆ ହୋଇଥିଲେ ମଧ୍ୟ ଶ୍ରୀକୃଷ୍ଣ କୌଣସି ଉତ୍ତର ଦେଉ ନଥାନ୍ତି । ଯୁଧିଷ୍ଠିର କହିଲେ, "ହେ ଗୋବିନ୍ଦ! ଆପଣ ସକଳ ଜଗତର ଧ୍ୟେୟ,ଆପଣ ପୁଣି କାହା ଠାରେ ଧ୍ୟାନ ଲଗାଇ ଅଛନ୍ତି । ଶ୍ରୀକୃଷ୍ଣ କହିଲେ,"ଦୀପ୍ତ ଅଗ୍ନି ଲିଭି ଯାଉଥିବା ପରି ଭୀଷ୍ମ ପିତାମହଙ୍କ ଜୀବନ ଦୀପ ଲିଭି ଆସୁଛି । ପରମ ଜ୍ଞାନୀ ପିତାମହ ! ଧର୍ମନୀତି,ରାଜନୀତି ଆଦିରେ ତାଙ୍କ ଜ୍ଞାନର ତୁଳନା ନାହିଁ । ପିତାମହ ଚାଲିଗଲା ପରେ ଏ ସମସ୍ତ ଜ୍ଞାନ ଅସ୍ତମିତ ହୋଇଯିବ। ହେ ଧର୍ମ ନନ୍ଦନ, ଆପଣ ଯଥା ଶୀଘ୍ର ଯାଇ ପିତାମହଙ୍କ ନିକଟରୁ ସେ ସବୁ ଜ୍ଞାନ ଶ୍ରବଣ ଓ ଆହରଣ କର ।"

vishma pitamah

ଶ୍ରୀକୃଷ୍ଣଙ୍କଠାରୁ ଏହା ଶୁଣି, ଧର୍ମରାଜ ପିତାମହଙ୍କ ଶରଶଯ୍ୟା ନିକଟରେ ପହଞ୍ଚି ଉପଦେଶ ଦେବାପାଇଁ ପିତାମହଙ୍କୁ ପ୍ରାର୍ଥନା କଲେ । ପିତାମହ ତାଙ୍କୁ ଧର୍ମନୀତି, ରାଜନୀତି ଓ କୁଟନୀତି ଆଦି ବିଭିନ୍ନ ବିଷୟରେ କହିଚାଲିଲେ ।ରାଜନୀତି ପ୍ରସଙ୍ଗ ଉପରେ ସେ କହିଲେ,"ବତ୍ସ ! ଅନାଗତ ବିଧାତା ଏବଂ ପ୍ରତ୍ୟୁତ୍ପନ ମତି ସୁଖରେ ରହେ କିନ୍ତୁ ଦୀର୍ଘସୂତ୍ରୀ ନଷ୍ଟ ହୋଇଯାଏ ।

ଏହାକୁ ବ୍ୟାଖ୍ୟା କରି ମୁଁ ତୁମକୁ ଏକ କାହାଣୀ କହୁଛି, ମନଦେଇ ଶୁଣ ।" ଗୋଟିଏ ପୁଷ୍କରିଣୀରେ ବହୁତ ମାଛ ରହୁଥିଲେ । ସେମାନଙ୍କ ମଧ୍ୟରେ ତିନୋଟି ବଡ଼ ମାଛ ଥିଲେ ଓ ସେମାନେ ପରସ୍ପରର ଘନିଷ୍ଠ ବନ୍ଧୁ ଥିଲେ । ତାଙ୍କ ଭିତରେ ଅନାଗତ ବିଧାତା ନାମକ ମତ୍ସ୍ୟଟି ଖୁବ ଦୂରଦର୍ଶୀ ଥିଲା । ସେ ବହୁ ଆଗରୁ ନିଜ କର୍ତ୍ତବ୍ୟ ନିରୂପଣ କରି କାର୍ଯ୍ୟ କରୁଥିଲା । ପ୍ରତ୍ୟୁତ୍ପନ୍ନମତି ବୋଲି ଅନ୍ୟ ମାଛଟି ସମସ୍ୟା ଆସି ଗଲେ ବୁଦ୍ଧି ଓ କୌଶଳ ପ୍ରୟୋଗ ଦ୍ୱାରା ତାର ସମାଧାନ କରି ପାରୁଥିଲା । ତୃତୀୟ ମାଛଟିର ନାମ ଦୀର୍ଘସୂତ୍ରୀ । ସେ ଅତ୍ୟନ୍ତ ଅଳସୁଆ । ଆଗରୁ ଉପାୟ କରିବା କିମ୍ବା ବିପଦ ଉପସ୍ଥିତ ହେଲେ ବୁଦ୍ଧିପ୍ରୟୋଗ କରି ମୁକାବିଲା କରିବା ତା' ଦ୍ବାରା ସମ୍ଭବ ନଥିଲା । ଗ୍ରୀଷ୍ମକାଳ ଉପସ୍ଥିତ ହେବାରୁ ମାଛ ରହୁଥିବା ସେ ପୁଷ୍କରିଣୀର ଜଳ ଶୁଖି ଆସିଲା । ଦିନେ କେତେଜଣ ଧୀବର ଆସି ସେ ପୁଷ୍କରିଣୀ କୂଳରେ କଥାବାର୍ତ୍ତା ହେଲେ,ଚାଲ ଏ ପୁଷ୍କରିଣୀର ପାଣି ବୁହାଇ ଦେଇ ମାଛ ଧରିବା । ଦୂରଦର୍ଶୀ ଅନାଗତ ବିଧାତା ତାର ଦୁଇ ମିତ୍ରଙ୍କୁ ଡାକିକି କହିଲା, ଆମ ଉପରେ ଖୁବ ଶୀଘ୍ର ବିପଦ ମାଡ଼ି ଆସୁଛି । ଚାଲ ଆମେ ଏହି ପୁଷ୍କରିଣୀ ଛାଡ଼ି ଅନ୍ୟତ୍ର ଚାଲି ଯିବା ।

ଦୀର୍ଘସୂତ୍ରୀ କହିଲା, ଏତେ ଆଗରୁ ତରବର ହେବା ଦରକାର କ'ଣ । ଅପେକ୍ଷା କର ଦେଖିବା କଅଣ ହେଉଛି । ତୃତୀୟ ମାଛ ପ୍ରତ୍ୟୁତ୍ପନମତି କହିଲା,ହଉ ସମୟ ଆସୁ ଅବସ୍ଥା ଦେଖିକି ବ୍ୟବସ୍ଥା କରିବା । ଆଗରୁ ଏତେ ବ୍ୟସ୍ତ ହେବା ଅନାବଶ୍ୟକ । ଏସବୁ ବିଚାର ଶୁଣି ଅନାଗତବିଧାତା ଆଉ ଅପେକ୍ଷା ନକରି ସେ ପୁଷ୍କରିଣୀରୁ ଥିବା ଏକ ସୁଡ଼ଙ୍ଗ ଦେଇ ଅନ୍ୟ ଏକ ଜଳାଶୟକୁ ଚାଲିଗଲା । ପ୍ରବଳ ଖରା ହେତୁ ସେ ପୋଖରୀଟି କ୍ରମେ ଆହୁରି ଶୁଖିଗଲା । କିଛି ଦିନ ପରେ ମାଛ ଧରିବା ନିମନ୍ତେ ଧୀବରମାନେ ଆସି ପହଞ୍ଚିଲେ । ସେମାନେ ସେହି ପୋଖରୀରୁ ଅନ୍ୟ ଆଡ଼େ ବାହାରିଯିବା ପାଇଁ ଥିବା ସୁଡ଼ଙ୍ଗଟିକୁ ବନ୍ଦ କରି ଦେଇ ଜାଲ ପକାଇ ମାଛ ଧରିବା ଆରମ୍ଭ କରିଦେଲେ । ସବୁ ମାଛମାନଙ୍କ ସହ ଦୀର୍ଘସୂତ୍ରୀ ଓ ପ୍ରତ୍ୟୁତ୍ପନ୍ନମତି ମଧ୍ୟ ଧରା ପଡ଼ିଲେ । ଧୀବର ମାନେ ମାଛମାନଙ୍କୁ ନେଇଯିବା ପାଇଁ ନାକରେ ରସି ଗଳେଇ ବାନ୍ଧିବାକୁ ଲାଗିଲେ । ପ୍ରତ୍ୟୁତ୍ପନ୍ନ ମତି ସେ ମାଛ ମାନଙ୍କ ଭିତରେ ପଶିଗଲା ଏବଂ ରସିକୁ କାମୁଡି ଧରିଲା ।

ଯେତେବେଳେ ଧୀବର ମାନେ ମଲା ମାଛମାନଙ୍କୁ ନେଇ ଅନ୍ୟ ଗୋଟିଏ ପୋଖରୀକୁ ଗଲେ ସେହି ସମୟରେ ସେ ଖସି ପଳେଇଲା ।
କିନ୍ତୁ ଦୀର୍ଘସୂତ୍ରୀ ମାଛଟି ସମସ୍ତଙ୍କ ସହ ବନ୍ଧା ହୋଇ ମଲା । ଗପଟି କହିସାରି ପିତାମହ କହିଲେ,: "ବତ୍ସ !ତୁମେ ଏଥିରୁ ଜାଣି ରଖ, ଆଳସ୍ୟ ଏବଂ ବୁଦ୍ଧି ହୀନତା ସର୍ବଦା ପରିତଯ୍ୟ,ଜଣେ ରାଜା ଉପସ୍ଥିତ ଭୟ ସମ୍ପର୍କରେ ବହୁ ପୂର୍ବରୁ ସତର୍କ ରହିବା ଉଚିତ । ଯେଉଁ ବ୍ୟକ୍ତି ଆଳସ୍ୟବଶ ହୋଇ ଆଗରେ ଆସୁ ଥିବା ବିପଦକୁ ଦେଖିପାରେ ନାହିଁ ସେ ଦୀର୍ଘସୂତ୍ରୀ ପରି ବିନଷ୍ଟ ହୁଏ । ଯିଏ ପୂର୍ବରୁ ପ୍ରସ୍ତୁତ ନହୋଇ ନିଜର ଚତୁରତା ଉପରେ ନିର୍ଭର କରିଥାଏ ସେ ନିଶ୍ଚୟ ସଂଶୟାପନ୍ନ ହୋଇଥାଏ । ତେଣୁ ରାଜା ସର୍ବଦା ଦୂରଦର୍ଶୀ ହେବା ବାଞ୍ଛନୀୟ ।"

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Story from mahabharat
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X