ଅଣସର ଘରେ କେଉଁ ପ୍ରକାର ଗୁପ୍ତ ନୀତି ହୋଇଥାଏ ?
ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତିନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ ।
ଦେବସ୍ନାନ ପୂର୍ଣ୍ଣିମା ଦିନ ଦେବସ୍ନାନ ମଣ୍ଡପରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କ ପ୍ରତିମା ଉପରେ ସୁନାକୂଅର ଅଧିବାସ ହୋଇ ରହିଥିବା ୧୦୮ ଗରା ଜଳ ଢଳାହୋଇ ସ୍ନାନ କରାଯାଏ । ଲଗାତର ୨୧ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପଖେଳିବା ପରେ ଶ୍ରୀଜୀଉମାନେ ୧୦୮ ଗରା ଜଳରେ ସ୍ନାନ କରିବାରୁ ତାଙ୍କୁ ଜ୍ୱର ହୋଇଛି ବୋଲି ଯାତ୍ରୀମାନଙ୍କୁ କୁହାଯାଏ । ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ (ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ) ନିଅନ୍ତି ।
ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି । ବର୍ଷକ ବାର ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ମାସ ଏବଂ ଦଇତାମାନଙ୍କ ସେବା ଏକ ମାସ । ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ଯାଏଁ ଚଉଦଦିନ ଧରି କରାଯାଇଥାଏ ।

ପଟିଦିଅଁ
ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ । ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇବେ ।
ତେବେ ଦାରୁ ଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟ୍ଟଚିତ୍ର ଗୁଡ଼ିକ ସେହି ଆକୃତିର ନୁହେଁ । କାଷ୍ଠ ନିର୍ମିତ ସୁଦୃଶ୍ୟ ଆସରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ଚତୁଃହସ୍ତ ଓ ଦୁଇପଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାଆନ୍ତି । ବଳଭଦ୍ରଙ୍କ କଳେବର ଶ୍ୱେତବର୍ଣ୍ଣରେ ଚିତ୍ରିତ ହେଇଥାଏ । ଚତୁଃହସ୍ତରେ ସେ ଧରିଥାଆନ୍ତି ଶଙ୍ଖ, ଚକ୍ର, ଗଦା ଓ ହଳ । ହରିଦ୍ର ବର୍ଣ୍ଣା ସୁଭଦ୍ରା ଦୁଇ ଉର୍ଦ୍ଧ୍ୱ ହସ୍ତରେ ପଦ୍ମ ଧରିଥାଆନ୍ତି ଓ ନିମ୍ନ ହସ୍ତ ଦୁଇଟି ଥାଏ ବରଦା ମୁଦ୍ରାରେ । କଳା ରଙ୍ଗରେ ଚିତ୍ରିତ ଜଗନ୍ନାଥ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥାଆନ୍ତି । ସମସ୍ତ ଦେବତାଙ୍କ ପୃଷ୍ଠପଟ୍ଟ ଗାଢ଼ନାଲି ରଙ୍ଗ ହେଇଥାଏ ।
ଅଣସର ପଟି ତିନୋଟିକୁ ବଂଶାନୁକ୍ରମେ କେତେକ ଚିତ୍ରକର ଖୁବ ନିଷ୍ଠାରେ ପ୍ରସ୍ତୁତ କରିଥାଆନ୍ତି । ଚିତ୍ର କରିବା ସମୟତକ ସେମାନେ ନିରାମିଷା ଭକ୍ଷଣ କରନ୍ତି । କାମ ଚାଲିଥିବା କୋଠରୀକୁ ସ୍ତ୍ରୀ ଲୋକଙ୍କ ପ୍ରବେଶ ନିଷେଧ ଥାଏ । ଚିତ୍ର ପାଇଁ ଧଳାରଙ୍ଗ ଶଙ୍କରୁ ପ୍ରସ୍ତୁତ ହେଉଥିବା ବେଳେ, କଳାରଙ୍ଗ ନିମନ୍ତେ ପୋଲାଙ୍ଗ ଦୀପର କଳା, ହିଙ୍ଗୁଳରୁ ନାଲି, ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ । ସ୍ନାନ ପୂର୍ଣ୍ଣିମା ଦିନ ଗଭୀର ରାତିରେ, ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟ୍ଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି । ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏଁ ଏକ ପକ୍ଷ ବ୍ୟାପି ଏହି ପଟି ଦେବତାଙ୍କ ଆଗରେ ଭୋଗ ବଢ଼ାଯାଏ ।
ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନଭୋଗ କରାଯାଇଥାଏ । ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାରପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖନ୍ତି । ବଳଭଦ୍ରଙ୍କ ଆସ୍ଥାନ ସମୀପରେ ରାମ, ନୃସିଂହ ଓ ଦୋଳଗୋବିନ୍ଦଙ୍କ ବିଗ୍ରହ ରହେ, ସୁଭଦ୍ରାଙ୍କ ସମୀପରେ ରହେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ପିତୁଳା ଦ୍ୱୟ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରହେ ମଦନମୋହନ ଓ କୃଷ୍ଣଙ୍କ ପ୍ରତିମୂର୍ତ୍ତି । ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁରୂପରେ ଦର୍ଶନ କରିଥାନ୍ତି ।
ସ୍ନାନ ପୂର୍ଣ୍ଣିମାଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଦଇତାପତିମାନେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗସେବା କରିଥାନ୍ତି। ଏହାକୁ ତାଙ୍କର ଗୁପ୍ତସେବା କୁହାଯାଏ। ସ୍ନାନପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥ ବହୁ ସ୍ନାନ କରିଥିବାରୁ ଜ୍ଵର ହୋଇଥାଏ। ଏଣୁ ଦଇତାପତିମାନେ ବିଭିନ୍ନ ପାଚନ ଓ ଔଷଧ ପ୍ରଭୃତି ଦ୍ରବ୍ୟକୁ ଭୋଗ ଆକାରରେ ଗ୍ରହଣ କରିଥାନ୍ତି। ଅନବସର ମଧ୍ୟ ଜଗନ୍ନାଥଙ୍କ ଅଙ୍ଗଫିଟା ସେବା। ପୂର୍ବ ବର୍ଷ ଭିତରେ ବିଗ୍ରହଙ୍କ ଅଙ୍ଗରେ କୌଣସି କ୍ଷତ ବା ଆଘାତ ଲାଗି ଖଣ୍ଡିଆ ହୋଇଯାଇଥିଲେ ଏହି ପନ୍ଦର ଦିନ ମଧ୍ୟରେ ସେ ସମସ୍ତର ମରାମତି କରାଯାଇଥାଏ।
ଦଶାବତାର ପୂଜା
କୋଠ ସୁଆଁସିଆମାନେ ଅଣସର ପିଣ୍ଡିର ଚାରିପଟେ ବାଉଁଶ ତାଟି ଭିଡ଼ି ଦିଅନ୍ତି। ତାଟି ବାହାରେ ଏକ ଖଟ ପକାଯାଇ ପଟି ଦିଅଁ (ବାସୁଦେବ, ଭୁବନେଶ୍ଵରୀ ଓ ନାରାୟଣ) ଚିତ୍ରକାରମାନଙ୍କ ଘରଠାରୁ ବିଧି ଅନୁସାରେ ଅଣାଯାଇ ରଖାଯାଏ। ଦକ୍ଷିଣୀ ଘରୁ ମହାଜନମାନେ ସାତ ମୂର୍ତ୍ତି ଦେବଦେବୀ (ଦୋଳଗୋବିନ୍ଦ, ରାମ, ନୃସିଂହଙ୍କୁ ବଡ଼ ବାଡ଼ରେ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ମଝିବାଡ଼ରେ, ମଦନମୋହନ ଓ କୃଷ୍ଣଙ୍କୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ) ଖଟ ଉପରେ ବିଜେ କରାନ୍ତି। ଏହି ମୋଟ ଦଶ ଦେବଦେବୀ 'ଦଶ ଅବତାର ଠାକୁର' ନାମରେ ପରିଚିତ।
ତିନି ପଟି ଦିଅଁଙ୍କୁ ତାଟି ଦେହରେ ରୁନ୍ଧା ଯାଏ। ସ୍ନାନପୂର୍ଣ୍ଣିମା ରାତିଠାରୁ ଅମାବାସ୍ୟା ଯାଏଁ ଠାକୁରମାନେ ଅଣସରରେ ରହିବା ନିୟମ। ଦଶାବତାର ଦିଅଁ ଆଗରେ ଏ ସମୟରେ ସମସ୍ତ ଦୈନିକ ନୀତି ଓ ଭୋଗରାଗ ହୁଏ। ଦଶାବତାର ଦିଅଁଙ୍କର ଦ୍ୱିପ୍ରହର ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ ହୁଏ ଓ ପତି ମହାପାତ୍ରଙ୍କ ନିର୍ଦ୍ଦେଶରେ ଦକ୍ଷିଣ ଦ୍ୱାର ଖୋଲାଯାଏ। ତାଟି ଭିତରେ ଦିଅଁମାନଙ୍କର ମଇଲମ ହୁଏ। ତା'ପୂର୍ବରୁ ଦଇତାମାନେ ବଇଠା ବସାନ୍ତି। ଅନ୍ୟ ସମୟରେ ଅନ୍ଧକାର ଥାଏ। ଅଣସର ଘର ଭିତରକୁ ଦଇତା ଓ ପତିଙ୍କ ଛଡ଼ା ଅନ୍ୟ କେହି ଯାଇ ପାରିବେ ନାହିଁ।
ଅଣସର ସମୟରେ ତିନି ଦିଅଁ ଧଳା ରଙ୍ଗର ସୁବାସିତ ଫୁଲ ଛଡ଼ା ଅନ୍ୟ ଫୁଲ ଲାଗି ହୁଅନ୍ତି ନାହିଁ। ଠାକୁରମାନଙ୍କର ପଣା ଭୋଗ ପତିମହାପାତ୍ର କରନ୍ତି। ଦଶାବତାର ଦିଅଁଙ୍କର ବଡ଼ସିଂହାର ଭୋଗ ପରେ ଓ ପହୁଡ଼ ପୂର୍ବରୁ ଅଣସର ଦିଅଁଙ୍କର ଚକଟା ଭୋଗ ହୁଏ। ଏହି ଭୋଗରେ ଧୁଆ ମୁଗ, ପାଚିଲା ପଣସ ଇତ୍ୟାଦି ଥାଏ। ଅଣସର ସମୟରେ ଠାକୁରମାନେ ଏକବସ୍ତ୍ର ପରିଧାନ କରୁଥିବାରୁ ଦଇତାପତିମାନେ ମଧ୍ୟ ଏକବସ୍ତ୍ର ପିନ୍ଧି ସେବା କରନ୍ତି।












Click it and Unblock the Notifications