ପାରଳା ମହାରାଜା: ଭାଷା ଆନ୍ଦୋଳନର ପୁରୋଧା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର

ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ତଥା ପାରଳା ମହାରାଜା । ଏ ନାଁ ଟି ପ୍ରତ୍ୟେକ ଓଡ଼ିଆ ମନରେ ବେଶ୍ ପରିଚିତ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଉ ଅବା ଭାଷା ଆନ୍ଦୋଳନ ସେ ଥିଲେ ଅନ୍ୟତମ ବିନ୍ଧାଣୀ । ଏମିତି ଜଣେ ରାଜା, ଯିଏ କହୁଥିଲେ 'ପ୍ରଜା ପାଇଁ ରାଜାର ଜନ୍ମ' ।

1892 ମସିହା ଆଜିର ଦିନରେ ପାରଳାଖେମୁଣ୍ଡିରେ ଜନ୍ମଗ୍ରହଣ କରିଥିଲେ ସେ । ପିତା ଥିଲେ ରାଜା ଗୌରଚନ୍ଦ୍ର ଦେବ (ଦ୍ୱିତୀୟ) ଓ ମାତା ଥିଲେ ରାଣୀ ବିଷ୍ଣୁପ୍ରିୟା ଦେବୀ । ପିତା ଗୌରଚନ୍ଦ୍ର ଗଜପତି ଓ ପିତୃବ୍ୟ ପଦ୍ମନାଭ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଓ ମି.ଏଡମଣ୍ଡ କ୍ୟାଣ୍ଡଲର ଗୃହଶିକ୍ଷକଙ୍କ ଦାୟିତ୍ୱରେ ତାଙ୍କର ବାଲ୍ୟଶିକ୍ଷା ସମାପ୍ତ ହୋଇଥିଲା ।

Maharaja Krushnachandra Gajapati

ତା'ପରେ ଉଚ୍ଚଶିକ୍ଷା ପାଇଁ ସେ ମାନ୍ଦ୍ରାସ ଗଲେ । ମାନ୍ଦ୍ରାସରେ ପାଠ ପଢ଼ିବା ସମୟରେ ତାଙ୍କ ପିତାଙ୍କର ସ୍ୱର୍ଗବାସ ହୋଇଥିଲା । ନିଉଙ୍ଗଟନ ପ୍ରିନ୍ସ କଲେଜରୁ ପାଠପଢା ଶେଷ ପରେ କୃଷ୍ଣଚନ୍ଦ୍ର 1913 ମସିହାରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତା'ପରେ ଖରସୁଆଁ ରାଜ୍ୟର ରାଜଜେମା ନଳିନୀ ଦେବୀଙ୍କୁ ବିବାହ କରିଥିଲେ ଓ ଶାସନ ଭାର ଗ୍ରହଣ କରିଥିଲେ ।

ମହାରାଜା ହୋଇ ମଧ୍ୟ ରାଜକୀୟ ବିଳାସ ବ୍ୟସନ ଠାରୁ ବହୁ ଦୂରରେ ରହି ଜନସେବାକୁ ଗୁରୁତ୍ୱ ଦେଇଥିଲେ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନରେ ଥିଲା ଅଭୂତପୂର୍ବ ଅବଦାନ । ତାଙ୍କର ବିବାହ ଉତ୍ସବ ପାଳନ ଅବସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ସ୍ଥାପିତ ସତ୍ୟବାଦୀ ବନବିଦ୍ୟାଳୟର ଏକ ଛାତ୍ରାବାସ ନିର୍ମାଣ ଲାଗି 500 ଟଙ୍କା ଦାନ କରିଥିଲେ । ଏହି ଅର୍ଥ ପାଇବା ପରେ ଗୋପବନ୍ଧୁ ଦାସ କୃଷ୍ଣଚନ୍ଦ୍ରଙ୍କୁ ଆଶୀର୍ବାଦ ଜଣାଇ ଏକ ପତ୍ର ଲେଖିଥିଲେ । ତା'ଛଡା ଓଡ଼ିଆ ସାହିତ୍ୟର ବିକାଶ ଲାଗି ଉତ୍କଳ ସାହିତ୍ୟ ସମାଜକୁ 100 ଟଙ୍କା ଦାନ କରିଥିଲେ ।

ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ଙ୍କ ମତରେ ରାଜ୍ୟ ତଥା ଓଡ଼ିଶାରୁ ଅଜ୍ଞାନ ଅନ୍ଧକାର ଦୂରୀଭୂତ ହୋଇପାରିଲେ ଜନସାଧାରଣଙ୍କ ଆର୍ଥିକ, ମାନସିକ, ସାମୂହିକ ଉନ୍ନତି ସାଧିତ ହୋଇପାରିବ । ଶିକ୍ଷାର ବିକାଶ ପାଇଁ ସେ ଗୁଡ଼ିଏ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ଥାପନ କରିଥିଲେ । ମେଧାବୀ ଛାତ୍ରଙ୍କୁ ବୃତ୍ତି ଏବଂ ଗରିବ ଛାତ୍ରଙ୍କୁ ବିଦ୍ୟାଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ । ସେ ସମୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବିଭିନ୍ନ ପ୍ରଶାସନିକ ଅଧିନରେ ରହିଥିଲା । ସମସ୍ତ ଓଡ଼ିଆ ଭାଷାଭାଷୀ ଲୋକ ଗୋଟିଏ ଅଞ୍ଚଳରେ ରହିଲେ, ଉନ୍ନତି ସମ୍ଭବ ବୋଲି କୃଷ୍ଣଚନ୍ଦ୍ର ଦେବ ହୃଦୟଙ୍ଗମ କରିପାରିଥିଲେ । ଏହା ପରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କାର୍ଯ୍ୟ କରିବାକୁ ସେ ଶପଥ ଗ୍ରହଣ କରିଥିଲେ ।

ଏହା ବାଦ୍ ସ୍ୱତନ୍ତ୍ର ଓଡ଼ିଶା ଗଠନର ସେ ଥିଲେ ଜଣେ ବିନ୍ଧାଣୀ । ପାରଳାଖେମୁଣ୍ଡିଠାରେ 1912 ରେ ହୋଇଥିବା ଉତ୍କଳ ସମ୍ମିଳନୀରେ ସେ ଜଣେ ପୁରୋଧା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । 1914 ମସିହା ଡିସେମ୍ବର 27 ଓ 28 ତାରିଖରେ ସେ ଦଶମ ଉତ୍କଳ ସମ୍ମିଳନୀ ପାରଳାଖେମୁଣ୍ଡିଠାରେ ଆହୂତ କରି ନିଜର କର୍ମକୁଶଳତା ଦେଖାଇଥିଲେ । ସେଠାରେ ପ୍ରଥମଥର ପାଇଁ ସେ ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳଭିତ୍ତି ପକାଇଥିଲେ । ଏହି ସମ୍ମିଳନୀର ପ୍ରାରମ୍ଭରେ କୃଷ୍ଣଚନ୍ଦ୍ର ଗଜପତି ଦୃଢ଼ତାର ସହିତ ପ୍ରସ୍ତାବ ଦେଇ କହିଲେ,"ଓଡ଼ିଆ ଭାଷାଭାଷୀଙ୍କୁ ଏକ ଶାସନାଧୀନ କରିବାପାଇଁ କେବଳ ଦାବି ନ କରି ସମଗ୍ର ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ରୀତ କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ।"

କୃଷ୍ଣଚନ୍ଦ୍ରଙ୍କର ଏଇଭଳି ବଳିଷ୍ଠ ଓ ଅକାଟ୍ୟ ଯୁକ୍ତି ସମ୍ମିଳନୀର ନେତୃବର୍ଗ ଏପରିକି ବୟୋଜ୍ୟୋଷ୍ଠ ନେତା ମଧୁବାବୁଙ୍କୁ ମଧ୍ୟ ଚକିତ କରି ଦେଇଥିଲା ଏବଂ ଗଜପତିଙ୍କର ଏହି ବଜ୍ର ନିର୍ଘୋଷ ନିନାଦ ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଶଶିଭୂଷଣ ରଥ ଓ ମଧୁସୂଦନ ଦାସ ଇତ୍ୟାଦିଙ୍କ ସମର୍ଥନ ପାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଏକ ପ୍ରସ୍ତାବ ଭାବରେ ଉତ୍କଳ ସମ୍ମିଳନୀରେ ଗୃହୀତ ହେଲା ।

ପ୍ରଥମ ଗୋଲ ଟେବୁଲ ବୈଠକ (1930-31) ଲଣ୍ଡନଠାରେ ଅନୁଷ୍ଠିତ ହେଲା । ବିହାର ଓ ଓଡ଼ିଶା ସରକାଙ୍କ ତରଫରୁ କୃଷ୍ଣଚନ୍ଦ୍ର ଗଜପତି ମନୋନୀତ ସଭ୍ୟଭାବେ ଗୋଲ ଟେବୁଲ୍ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଓଡ଼ିଶାର ଦାବି ଉତ୍‌ଥାପନ କରି ଏକ ଐତିହାସିକ ଭାଷଣ ଦେଇ ବ୍ରିଟିଶ ସରକାରଙ୍କର ଦୃଷ୍ଟି ଆକର୍ଷଣ କରି କହିଥିଲେ,"ଆମେ ଚାହୁଁ ଭାଷା ଓ ଜାତି ସୂତ୍ରରେ ପ୍ରଦେଶ ଗଠନ । ଏକ କୋଟି ଓଡ଼ିଆଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଅନୁମତି ନଦେଇ ଆପଣମାନେ ଭାରତରେ ନୂତନ ଶାସନ ସଂସ୍କାର କରିପାରିବେ ନାହିଁ ।" ଏହି ମନୀଷୀଙ୍କ ଯୁକ୍ତିଯୁକ୍ତ ବକ୍ତବ୍ୟ ଶୁଣି ଗୋଲ ଟେବୁଲ୍ ବୈଠକରେ ଉପସ୍ଥିତ ବ୍ରିଟିଶ ସରକାରଙ୍କର ପ୍ରତିନିଧିମାନେ ସ୍ତବ୍ଧ ହୋଇଯାଇଥିଲେ ।

କୃଷି ଓ ଶିଳ୍ପକ୍ଷେତ୍ରରେ ଅବଦାନ

ନିଜ ଶାସନ କାଳରେ ସେ ନିଜ ରାଜ୍ୟ ଭିତର ଦେଇ ନୂଆପଡ଼ା-ପାରଳାଖେମୁଣ୍ଡି ରେଳପଥକୁ ଗୁଣୁପୁର ଯାଏ ସମ୍ପ୍ରସାରିତ କରିଥିଲେ । କୃଷି ଓ ଶିଳ୍ପ ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲା ଧାନ କଳ, ତେଲ କଳ ଏବଂ ଲୁହା କାରଖାନା ବସାଇଥିଲେ । ରାଜ୍ୟରେ ଜଳ ସେଚନର ସୁବିଧା ପାଈଁ ନଳିନୀ କୃଷ୍ଣ ସାଗର କାଶୀ ନଗରଠାରେ ଖୋଳାଇ ଥିଲେ, ସାହିତ୍ୟ ଗବେଷଣା ପାଈଁ ଗୋପୀନାଥ ନନ୍ଦ ଓ ଗୋପାଳ ପ୍ରହରାଜଙ୍କ ଭଳି ଗବେଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।

ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାର ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ ତାଙ୍କ ସମୟରେ ଆରମ୍ଭ ହୋଇଥିଲା । ସେ ପାରଳାଖେମୁଣ୍ଡିଠାରେ ମଧ୍ୟ ଏକ ଛୋଟ ଇସ୍ପାତ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରି ତାହାକୁ ଟାଟା କମ୍ପାନୀ ସହିତ ଚୁକ୍ତି କରିଥିଲେ । ଓଡ଼ିଶାରେ କଳା ଓ ସଂସ୍କୃତିର ପ୍ରସାର ଓ ପ୍ରଚାର ପାଇଁ ତାଙ୍କର ଅବଦାନ ଅତୁଳନୀୟ । ବିଶେଷ କରି ଲଳିତକଳା, ସାହିତ୍ୟ, ସଙ୍ଗୀତ, ରାଗ ରାଗିଣୀ, ଗୋଟିପୁଅ ନାଚ ବା ଗାନ୍ଧର୍ବ ବିଦ୍ୟାରେ ମହାରାଜାଙ୍କ ଜନ୍ମସ୍ଥାନ ପାରଳାଖେମୁଣ୍ଡି ଥିଲା ଚିରପ୍ରସିଦ୍ଧ । ଯାହାକି ସହରର ଅବସ୍ଥିତି ସାହିତ୍ୟ ସଙ୍ଗୀତର ଏକ କ୍ଷୁଦ୍ର ସଂସ୍କରଣ ବୋଲି ମନେହୁଏ ।

ପରବର୍ତ୍ତୀ ସମୟରେ 1992 ମସିହା ଗାନ୍ଧୀ ଜୟନ୍ତୀ ଅବସରରେ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ସମୟରେ ତାଙ୍କରି ନାମରେ ଗଜପତି ଜିଲ୍ଲା ଭାବରେ ନାମିତ ହୋଇଥିଲା । ସେ 1974 ମସିହା ମଇ 25 ତାରିଖ ରେ ଦୁନିଆ ଛାଡ଼ି ଚ଼ାଲିଗଲେ । ସେହି ମହାପୁରୁଷ ଓଡ଼ିଶାର ଗର୍ବ ଓ ଗୌରବ ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତିରେ ୱାନଇଣ୍ଡିଆ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+