ରାଉରକେଲାରେ ୧୫୮ କୋଟି ଟଙ୍କାର ୫ଟି ପ୍ରମୁଖ ପ୍ରକଳ୍ପର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ସ୍ମାର୍ଟ ସିଟିକୁ ମିଳିଲା ନୂଆ ଭେଟି । ରାଉରକେଲା କପ ୧୫୮ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିନିକିଆ ଗସ୍ତରେ ଆସି ପ୍ଲାନେଟୋରିୟମ୍ ଏବଂ ବିଜ୍ଞାନ କେନ୍ଦ୍ର, ଆଦିବାସୀ ସଂଗ୍ରହାଳୟ, ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ଆଦିର ଲୋକାର୍ପଣ କରିଛନ୍ତି। ସେକ୍ଟର ୧୩ ପଡ଼ିଆରେ ଆୟୋଜିତ ସମାବେଶରେ ଯୋଗ ଦେଇ ଅଭିଭାଷଣ ରଖିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଜିଲ୍ଲାର ୧୦ହଜାରରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ। ମହାମହିମଙ୍କ ଗସ୍ତ ପାଇଁ ରାଉରକେଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ନୂଆଦିଲ୍ଲୀରୁ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡ଼ା ପହଞ୍ଚିବା ପରେ ସେଠାରୁ ବାୟୁସେନା ହେଲିକପଟରରେ ରାଉରକେଲା ସେକ୍ଚର ୧୩ ପଡ଼ିଆରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ ମହାମହିମ। ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଜନସଭାକୁ ସମ୍ବୋଧିତ କରିଥିଲେ। ସୁନ୍ଦରଗଡ଼ର କଳା ସଂସ୍କୃତି ଓଡ଼ିଶାକୁ ପରିପୂର୍ଣ୍ଣ କରିଛି ବୋଲି କହିଛନ୍ତି ରାଷ୍ଟ୍ରପତି। ସୁନ୍ଦରଗଡ଼ କେବଳ ସଂସ୍କୃତି ନୁହେଁ ସଂଗ୍ରାମ ପାଇଁ ମଧ୍ୟ ପରିଚିତ। ହକିରେ ସୁନ୍ଦରଗଡ଼ ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହା ସହ ମହିଳାଙ୍କ ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି। ଉଦଘାଟିତ ପ୍ରକଳ୍ପଗୁଡ଼ିକ ଶିକ୍ଷା, ବିଜ୍ଞାନ, ଆଦିବାସୀ ସଂସ୍କୃତି ଏବଂ ସହରୀ ଭିତ୍ତିଭୂମିକୁ ସମୃଦ୍ଧ କରିବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଛେଣ୍ଡ୍ କଲୋନୀ ଠାରେ ପ୍ଲାନେଟୋରିୟମ୍ ଏବଂ ବିଜ୍ଞାନ କେନ୍ଦ୍ରର ଉଦଘାଟିତ ହୋଇଛି। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବଢ଼ାଇବାରେ ସାହାଯ୍ୟ କରିବ। ରାଉରକେଲା ୱାନ୍ ପ୍ରକଳ୍ପର ଅଂଶବିଶେଷ ଭାବେ ଆଦିବାସୀ ସଂଗ୍ରହାଳୟ ମଧ୍ୟ ଲୋକାର୍ପଣ କରିଛନ୍ତି ମହାମହିମ। ଏଠାରେ ଓଡ଼ିଶାର ସମୃଦ୍ଧ ଆଦିବାସୀ ପରମ୍ପରା ଓ କଳା ପ୍ରଦର୍ଶିତ ହେବ।
ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ସ୍ମାର୍ଟ ସିଟିର ପରିଚାଳନା ଏବଂ ସହରବାସୀଙ୍କ ସୁବିଧା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆଦିବାସୀ ଜନନାୟକଙ୍କ ସମ୍ମାନରେ ନିର୍ମିତ ନିର୍ମଳ ମୁଣ୍ଡା ପରିବେଶ ପଥ ସଚେତନତାର ବାର୍ତ୍ତା ଦେବ। ଏହା ସହ କୋଏଲ ନଗରବାସୀଙ୍କ ପାଇଁ ଏକ ବିଶାଳ ପାର୍କର ମଧ୍ୟ ଉଦଘାଟନ କରାଯାଇଛି। ଲୋକାର୍ପଣ କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ।
ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ସଜେଇ ହୋଇଥିଲା ଷ୍ଟିଲ ସିଟି। ବିଭିନ୍ନ ସ୍କୁଲର ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। ସେକ୍ଚର ୧୩ ପଡ଼ିଆରେ ଆୟୋଜିତ ସମାବେଶରେ ପ୍ରାୟ ୨୫୦୦ ଛାତ୍ରଛାତ୍ରୀ ଏକାଠି ହୋଇ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟ ଦେଖି ଖୁସିରେ ବିଭୋର ହୋଇ ତାଳି ମାରିଲେ ମହାମହିମ। ନୃତ୍ୟ ଶେଷ ହେବାପରେ ପିଲାଙ୍କ ସହ ଫୋଟୋ ଉଠାଇଲେ ଏବଂ ହାତ ମିଳାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହା ଥିଲା ପ୍ରଥମ ରାଉରକେଲା ଗସ୍ତ। ଏଥିପାଇଁ ରାଉରକେଲା ଓ ଝାରସୁଗୁଡ଼ାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରାଉରକେଲାରେ ୪୫ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ। ଝାରସୁଗୁଡ଼ା ଜିଲ୍ଲା ସମ୍ପୂର୍ଣ୍ଣ ରୂପେ 'ନୋ-ଫ୍ଲାଏ ଜୋନ୍' ଘୋଷଣା କରାଯାଇଥିଲା ।












Click it and Unblock the Notifications