ରଥଯାତ୍ରା ୨୦୨୪: ଅଣସର ଘରେ ହୁଏ ମହାପ୍ରଭୁଙ୍କ ଏହି ସବୁ ନୀତି: କେଉଁ ଦିନ କେଉଁ ନୀତି ହୋଇଥାଏ ?

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ଗାଧୋଇ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜ୍ୱରରେ ପୀଡିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ ।

ପାରମ୍ପରିକ ଉପଚାର
ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ ନିଅନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି ।

ଦଶ ଅବତାର ଠାକୁର

⁠ଅଣସର ପିଣ୍ଡିର ଚାରିପଟେ ବାଉଁଶ ତାଟି କୋଠ ସୁଆସିଆମାନେ ଭିଡ଼ି ଦିଅନ୍ତି । ତାଟି ବାହାରେ ଏକ ଖଟ ପକାଯାଇ ପଟି ଦିଅଁ (ବାସୁଦେବ, ଭୁବନେଶ୍ୱରୀ ଓ ନାରାୟଣ) ଚିତ୍ରକାର ମାନଙ୍କ ଘର ଠାରୁ ବିଧି ଅନୁସାରେ ଅଣାଯାଇ ରଖାଯାଏ । ଦକ୍ଷିଣ ଘରୁ ମହାଜନମାନେ ସାତ ମୂର୍ତ୍ତି ଦେବଦେବୀ (ଦୋଳଗୋବିନ୍ଦ, ରାମ, ନୃସିଂହଙ୍କୁ ବଡ଼ ବାଡ଼ରେ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ମଝିବାଡ଼ରେ, ମଦନମୋହନ ଓ କୃଷ୍ଣଙ୍କୁ ଶ୍ରୀଜଗନ୍ନାଙ୍କ ବାଡ଼ରେ) ଖଟ ଉପରେ ବିଜେ କରାନ୍ତି । ଏହି ମୋଟ ଦଶ ଦେବଦେବୀ "ଦଶ ଅବତାର ଠାକୁର' ନାମରେ ପରିଚିତ । ତିନି ପଟି ଦିଅଁଙ୍କୁ ତାଟି ଦେହରେ ରୁନ୍ଧା ଯାଏ । ସ୍ନାନପୂର୍ଣ୍ଣିିମା ରାତିଠାରୁ ଅମାବାସ୍ୟା ଯାଏଁ ଠାକୁରମାନେ ଅଣସରରେ ରହିବା ନିୟମ ରହିଛି ।

ଦଶାବତାର ଦିଅଁ ଆଗରେ ଏ ସମୟରେ ସମସ୍ତ ଦୈନିକ ନୀତି ଓ ଭୋଗରାଗ ହୁଏ ଦଶାବତାର ଦିଅଁଙ୍କର ଦ୍ୱିପ୍ରହର ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ ହୁଏ ଓ ପତି ମହାପାତ୍ରଙ୍କ ନିର୍ଦ୍ଦେଶରେ ଦକ୍ଷିଣ ଦ୍ୱାର ଖୋଲାଯାଏ । ତାଟି ଭିତରେ ଦିଅଁମାନଙ୍କର ମଇଲମ ହୁଏ । ତା'ପୂର୍ବରୁ ଦଇତାମାନେ ବଇଠା ବସାନ୍ତି । ଅନ୍ୟ ସମୟରେ ଅନ୍ଧକାର ଥାଏ । ଅଣସର ଘର ଭିତରକୁ ଦଇତା ଓ ପତିଙ୍କ ଛଡ଼ା ଅନ୍ୟ କେହି ଯାଇ ପାରିବେ ନାହିଁ । ଅଣସର ସମୟରେ ତିନି ଦିଅଁ ଶୁକ୍ଲ ସୁବାସ ଫୁଲ ଛଡ଼ା ଅନ୍ୟ ଫୁଲ ଲାଗି ହୁଅନ୍ତି ନାହିଁ । ଠାକୁରମାନଙ୍କର ପଣା ଭୋଗ ପତିମହାପାତ୍ର କରନ୍ତି । ଦଶାବତାର ଦିଅଁଙ୍କର ବଡ଼ସିଂହାର ଭୋଗ ପରେ ଓ ପହୁଡ଼ ପୂର୍ବରୁ ଅଣସର ଦିଅଁଙ୍କର ଚକଟା ଭୋଗ ହୁଏ । ଏହି ଭୋଗରେ ଧୁଆ ମୁଗ, ପାଚିଲା ପଣସ ଇତ୍ୟାଦି ଥାଏ ।

Rath yatra 2024

ଏକବସ୍ତ୍ର ପିନ୍ଧି ସେବା

⁠ଅଣସର ସମୟରେ ଠାକୁରମାନେ ଏକବସ୍ତ୍ର ପରିଧାନ କରୁଥିବାରୁ ଦଇତାପତିମାନେ ମଧ୍ୟ ଏକବସ୍ତ୍ର ପିନ୍ଧି ସେବା କରନ୍ତି । ଅଣସର ଦ୍ୱିତୀୟା ଦିନ ଦିଅଁମାନଙ୍କର ସ୍ନାନଯାତ୍ରା ପହଣ୍ଡିର ବସ୍ତ୍ର ବାହାର କରାଯାଏ । ଚର୍ତୁଥୀ ଦିନ ଶ୍ରୀଅଙ୍ଗ ଫିଟା ନୀତି ହୁଏ । ଅର୍ଥାତ ଶ୍ରୀମୁଖ ଓ ଶ୍ରୀଅଙ୍ଗ ଖୋଲାଯାଏ । ପାଟବସ୍ତ୍ର ଓ ଲାଗି ହୋଇଥିବା ଚନ୍ଦନ ବାହାର କରାଯାଏ । ପଞ୍ଚମୀ ଦିନ 'ଫୁଲୁରି ଲାଗି' ହୁଏ । ଦଇତାପତିମାନେ ରାଶିତେଲ, ଚୁଆ, କର୍ପୂର, ପିଙ୍ଗଣ ଓ ପରଖରେ ରଖି ଫୁଲରି ଲାଗି କରନ୍ତି । ଷଷ୍ଠୀଠାରୁ ନବମୀ ଯାଏଁ ଦିଅଁମାନଙ୍କୁ 'ଓଷୁଅ ଲାଗି' କରାଯାଏ । ଅଣସର ସୁଧସୁଆର ଝୁଣା ବାଟି ଓଷୁଅ ପ୍ରସ୍ତୁତ କରି ଯୋଗାନ୍ତି । ଦଶମୀ ଦିନ 'ଚକା ବିଜେ' ନୀତି ହୁଏ । ଏକାଦଶୀ ଦିନ ଚନ୍ଦନ ସହିତ କର୍ପୁର କେଶର ବଟା ହୁଏ ଓ ତାହା ଦଇତାପତିମାନେ ଦିଅଁମାନଙ୍କୁ ଲାଗି କରନ୍ତି । ଏହି ଦିନ ଘଣ୍ଟା, କାହାଳୀ ଓ ବାଜା ବାଜେ । ଅଣସର ତାଟି ଆଗରେ ବିରାଜିତ ଦଶାବତାର ଦିଅଁଙ୍କୁ ମଧ୍ୟ ଉକ୍ତଦିନ ଚନ୍ଦନଲାଗି କରାଯାଏ ।

ମହାସ୍ନାନ

ରୋଷରେ ଭୋଗ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସରିଲେ ମହାସ୍ନାନ ହୁଏ । ମହାସ୍ନାନ ଶେଷରେ ଶାନ୍ତିଜଳ ପ୍ରଭୁଙ୍କ ଶ୍ରୀଅଙ୍ଗରେ ସିଞ୍ଚାଯାଏ । ମଇଲମ ପରେ ଶ୍ରୀଅଙ୍ଗରେ ଚନ୍ଦନଲାଗି କରାଯାଏ । ଏହି ଚନ୍ଦନଲାଗିକୁ 'ସର୍ବାଙ୍ଗ' କୁହାଯାଏ । ସର୍ବାଙ୍ଗ ପରେ ବେଶ ହୁଏ । ଅଣସର ପିଣ୍ଡି ସିଂହାସନ ଧୋପଖାଳ ପରେ ସକାଳ ଧୂପ ଡାକରା ହୁଏ । ଏହି ଭୋଗ ଘଣ୍ଟ, ଛତା, କାହାଳୀ ସହ ନିର୍ଦ୍ଦିଷ୍ଟ ସେବକଙ୍କ ହାତପୈଠ ମଧ୍ୟରେ ଛାମୁକୁ ଆସେ । ଏହି ଦିନର ଗୋପାଳବଲ୍ଲଭ ଭୋଗ ସକାଳ ଧୂପ ସହିତ ହୁଏ । ଏହା ପରବର୍ତ୍ତୀ ଦୈନନ୍ଦିନ ନୀତି କ୍ରମ ଅନୁସାରେ ପାଳିତ ହୁଏ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରାର ଆନୁଷଙ୍ଗିକ ପାଳନୀୟ ବିଧିବିଧାନ ଆବଶ୍ୟକତା ଅନୁସାରେ ପାଳିତ ହୁଏ । କାରଣ ଯଦି ଅମାବାସ୍ୟା ପ୍ରତିପଦ ସଂଯୁକ୍ତ ହୋଇପଡ଼େ ତେବେ ଦୁଇଦିନରେ ବିଭକ୍ତ ହୋଇ ପାଳିତ ହୋଇଥାଏ ।

ଅଣସରରେ ପ୍ରଥମ ଦିନଠାରୁ ଦଶମୀ ଦିନ ଯାଏଁ କୌଣସି ଦିଅଁଙ୍କ ନୀତିରେ ଘଣ୍ଟ କାହାଳୀ ବାଜେ ନାହିଁ କିମ୍ବା ମନ୍ଦିରରେ କୌଣସିଠାରେ ନାମ ସଂକୀର୍ତ୍ତନ ହୁଏ ନାହିଁ । ଅଣସର ପିଣ୍ଡିରେ ଦିଅଁମାନଙ୍କୁ ପତି ମହାପାତ୍ର ସର୍ପାମଣୋହି କରି ପୂଜା କରନ୍ତି । ଏହି ପୂଜାରେ ଘଣ୍ଟି, ଶଙ୍ଖ, ପିଢ଼ା କିମ୍ବା ଥାଳି ବ୍ୟବହାର କରାଯାଏ ନାହିଁ ।

⁠ଶ୍ରୀଗୁଣ୍ଡିଚା ପୂର୍ବଦିନ ସକାଳ ଧୂପ ଶେଷ ପରେ ତିନିବାଡ଼ରୁ ଆଜ୍ଞାମାଳ ନେଇ ପୂଜାପଣ୍ଡା ତିନିଜଣ ଘଣ୍ଟ, ଛତା, କାହାଳୀ ସହ ରଥ ଖଳା ବା ରଥ ନିର୍ମାଣ ସ୍ଥାନକୁ ଆସନ୍ତି ଓ ଯେଉଁ ବାଡ଼ର ଆଜ୍ଞାମାଳ, ସେହି ବାଡ଼ର ରଥ ଦେହରେ ବାନ୍ଧି ଦିଅନ୍ତି । ଆଜ୍ଞାମାଳ ପାଇବା ପରେ ତିନୋଟି ରଥ ଟଣାହୋଇ ସିଂହଦ୍ୱାର ସାମନାସ୍ଥ ନିର୍ଦ୍ଧାରିତ ସ୍ଥାନରେ ରଖାଯାଏ । ବିଧି ଅନୁସାରେ ରଥ ପ୍ରତିଷ୍ଠା କର୍ମ ହୁଏ । କିନ୍ତୁ ରଥ ନିର୍ଦ୍ଧାରିତ ସ୍ଥାନରେ ଲାଗିବାକୁ ରାତି ହୋଇଗଲେ ପ୍ରତିଷ୍ଠା କର୍ମ ପରବର୍ତ୍ତୀ ଦିନ ଅର୍ଥାତ୍ ଶ୍ରୀଗୁଣ୍ଡିଚା ଦିନ ସକାଳୁ ହୋଇଥାଏ । ରଥ ଦଧିନଉତିର ଉପରି ଭାଗରେ ଖଞ୍ଜା ହେବା ନିମନ୍ତେ ଥିବା କଳସମାନ ଜୟ ବିଜୟ ଦ୍ୱାରରେ ରଖାଯାଇଥାଏ । ସଂଧ୍ୟାଧୂପ ପରେ ଶ୍ରୀଜୀଉଙ୍କ ତିନିବାଡ଼ରୁ ଆଜ୍ଞା ମାଳ ନେଇ ପୂଜାପଣ୍ଡା କଳସମାନଙ୍କରେ ଦିଅନ୍ତି ଓ ତିନିଖଣ୍ଡି ପତନି କଳସମାନଙ୍କରେ ବନ୍ଧାଯାଏ । ତା' ପରେ କୋଠ ସୁଆଁସିଆମାନେ କଳସମାନ ନେଇ ରଥମାନଙ୍କରେ ବାନ୍ଧନ୍ତି । ବଡ଼ସିଂହାର ପହୁଡ଼ ଆଳତି ପରେ ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ ଦଇତାମାନେ ବାହୁଟ ମାପ କରନ୍ତି । ସାକ୍ଷୀଗୋପାଳରୁ ଅଣାଯାଇଥିବା ବଉଳକାଠରେ ବିଶ୍ୱକର୍ମା (ବଢ଼େଇ) ବାହୁଟ ତିଆରି କରିଥାନ୍ତି ଓ ତାମରା ବିଶୋଇ ତହିଁରେ ତମ୍ବା ପତ୍ର ଯୋଡ଼ି ଦିଅନ୍ତି ।

ବାହୁଟ ଲାଗି ଓ ସେନାପଟା ଲାଗି କରାଯାଏ । ଶୁକ୍ଳସଜ ଲାଗି କରାଯାଏ । ଏହିପରି ଭାବରେ ରଥଯାତ୍ରା ପୂର୍ବଦିନର ପ୍ରସ୍ତୁତି ଶେଷ ହୋଇଥାଏ । ତେବେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିିଥିରୁ ଆରମ୍ଭ ହୁଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+