ବୈଜ୍ଞାନିକଙ୍କ ବଡ ଚେତାବନୀ, ଭାରତରେ ପଡ଼ିବ ପ୍ରଚଣ୍ଡ ମରୁଡ଼ି
ଅତ୍ୟନ୍ତ ଶକ୍ତିଶାଳୀ ଏଲ୍-ନିନୋ ଘଟଣାର ବର୍ଷ ହେବ । ବୈଜ୍ଞାନିକମାନେ ବିଶ୍ୱବାସୀଙ୍କୁ ଏହି ଚେତାବନୀ ଦେଇଛନ୍ତି । ଏହି ରେକର୍ଡ ଅତୀତର ଅନ୍ୟତମ ସବୁଠୁ ଶକ୍ତିଶାଳୀ ଏଲ୍- ନିନୋ ହୋଇପାରେ । ଅନେକ ଅନ୍ତର୍ଜାତୀୟ ଜଳବାୟୁ ମଡେଲ ଓ ଆମେରିକାର ନୋଆ ଭଳି ପ୍ରମୁଖ ଜଳବାୟୁ ସଂଗଠନ ସ୍ପଷ୍ଟ କରିଛି, ଚଳିତ ମେ'-ଜୁଲାଇ ସୁଦ୍ଧା ଏଲ୍-ନିନୋ ଘଟଣାର ୮୨ ପ୍ରତିଶତ ଆଶଙ୍କା ରହିଛି । ଡିସେମ୍ବର ୨୦୨୬ ସୁଦ୍ଧା ଏହା ୯୬ ପ୍ରତିଶତ ନିଶ୍ଚିତ ବୋଲି ବିବେଚନା କରାଯାଉଛି । କିଛି ବୈଜ୍ଞାନିକ ପୂର୍ବାନୁମାନ କରୁଛନ୍ତି, ଏହା ୧୮୭୭ର ଭୟାନକ ଏଲ୍-ନିନୋଠୁ ମଧ୍ୟ ଅଧିକ ବିନାଶକାରୀ ହୋଇପାରେ । ଏହି ଘଟଣାର ପ୍ରଭାବ କେବଳ ସମୁଦ୍ର ଉପରେ ନୁହେଁ, ବିଶ୍ୱ ଜଳବାୟୁ, କୃଷି, ଜଳ ଓ ଅର୍ଥବ୍ୟବସ୍ଥା ଉପରେ ପଡ଼ିବ ।

ଏଲ୍-ନିନୋ ଏକ ପ୍ରାକୃତିକ ଜଳବାୟୁ ଚକ୍ର, ଯାହା ପ୍ରଶାନ୍ତ ମହାସାଗରର ଭୂମଧ୍ୟ ରେଖା କ୍ଷେତ୍ରରେ ଘଟେ । ସାଧାରଣ ସ୍ଥିତିରେ ଏଠାରେ ପୂର୍ବ ଦିଗରୁ ବାୟୁ ପ୍ରବାହିତ ହୁଏ, ଯାହା ଉଷ୍ଣ ଜଳକୁ ପଶ୍ଚିମ ଦିଗକୁ ଠେଲେ । କିନ୍ତୁ ଯେତେବେଳେ ଏଲ୍-ନିନୋ ସୃଷ୍ଟି ହୁଏ, ଏହି ବାୟୁ ଦୁର୍ବଳ ହୁଏ କିମ୍ବା ବିପରୀତ ଦିଗରେ ପ୍ରବାହିତ ହେବାକୁ ଲାଗେ । ଫଳସ୍ୱରୂପ ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ କ୍ଷେତ୍ରରେ ଉଷ୍ଣ ଜଳ ଜମା ହୁଏ । ଏହି ଉଷ୍ଣ ଜଳ ବାୟୁର ଦିଗ ପରିବର୍ତ୍ତନ କରେ । ପୃଥିବୀରେ ମୌସୁମୀ ପ୍ୟାଟର୍ନ ବଦଳିଯାଏ । ଏଲ୍-ନିନୋ ସାଧାରଣତଃ ପ୍ରତି ୨-୭ ବର୍ଷରେ ଆସେ ଏବଂ ୯-୧୨ ମାସ ଯାଏ ରହେ । ଏହାର ଶକ୍ତିକୁ ସମୁଦ୍ର ଜଳର ତାପମାତ୍ରା ଦ୍ୱାରା ମପାଯାଏ । ଯଦି ତାପମାତ୍ରା ହାରାହାରିଠୁ ୨ ଡିଗ୍ରୀ ସେଲ୍ସିୟସ କିମ୍ବା ତା'ଠୁ ଅଧିକ ବଢ଼ିଯାଏ, ତେବେ ତାକୁ ସୁପର୍ ଏଲ୍- ନିନୋ କୁହାଯାଏ । ୨୦୧୫-୧୬ର ଏଲ୍-ନିନୋ ଶେଷ ସୁପର୍ ଏଲ୍-ନିନୋ ଥିଲା । ଏବେ ୨୦୨୬ରେ ପୁଣି ଏକ ଶକ୍ତିଶାଳୀ ସୁପର୍ ଏଲ୍-ନିନୋ ଘଟଣାର ଆଶଙ୍କା କରାଯାଉଛି ।
ବୈଶ୍ୱିକ ମୌସୁମୀ ବିପଦ :
ଏଲ୍-ନିନୋର ପ୍ରଭାବ ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ ହୋଇଥାଏ । କିଛି ସ୍ଥାନରେ ଭୀଷଣ ବର୍ଷା ଓ ବନ୍ୟା ଆସିବ । ଆଉ କିଛି ସ୍ଥାନରେ ଉତ୍କଟ ମରୁଡ଼ି ପଡ଼ିବ । ବ୍ରାଜିଲ, ପେରୁ ଓ ଆଖପାଖ ଅଞ୍ଚଳରେ ଭୀଷଣ ବର୍ଷା ଓ ବନ୍ୟା ଆଶଙ୍କା ରହିଛି । ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆରେ ମରୁଡ଼ି ଓ ଜଙ୍ଗଲ ନିଆଁ ବଢ଼ିପାରେ । ଦକ୍ଷିଣ ଆଫ୍ରିକାରେ ମରୁଡ଼ି ଓ ଦୁର୍ଭିକ୍ଷ ବିପଦ ରହିଛି । ଶୀତଦିନେ ଦକ୍ଷିଣ ଆମେରିକାରେ ଅଧିକ ବର୍ଷା ଏବଂ ଉତ୍ତରରେ ଗରମ ଆଶଙ୍କା ଅଛି । ଆଟ୍ଲାଣ୍ଟିକ୍ ମହାସାଗରରେ ବାତ୍ୟା ଆଶଙ୍କା କମିପାରେ କିନ୍ତୁ ପ୍ରଶାନ୍ତ ମହାସାଗରରେ ବଢ଼ିପାରେ ।
୨୦୨୬ର ଏଲ୍-ନିନୋ ସ୍ୱତନ୍ତ୍ର ଓ ବିପଦପୂର୍ଣ୍ଣ କାହିଁକି?
ଏଥର ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ପୂର୍ବରୁ ଉତ୍ତପ୍ତ ପୃଥିବୀକୁ ଏଲ୍-ନିନୋ ଆସୁଛି । ଗତ ଅନେକ ବର୍ଷ ହେଲା ସମୁଦ୍ର ତାପମାତ୍ରା ଅସାଧାରଣ ରୂପେ ବଢ଼ିଚାଲିଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ଉତ୍ତାପନ ଦ୍ରୁତ ହେଉଛି । ଏହି ସ୍ଥିତିରେ ଏକ ଶକ୍ତିଶାଳୀ ଏଲ୍-ନିନୋ ଆସିବା ଦ୍ୱାରା ଉଭୟର ପ୍ରଭାବ ଆହୁରି ବଢ଼ିଯିବ । ନୋଆ ଅନୁସାରେ, ସମୁଦ୍ର ଗଭୀରରେ ପୂର୍ବରୁ ଉଷ୍ଣ ଜଳର ବହୁତ ବଡ଼ ଭଣ୍ଡାର ସୃଷ୍ଟି ହୋଇଛି, ଯାହା ପୃଷ୍ଠକୁ ଆସିବ ଏବଂ ଏଲ୍-ନିନୋ ଆହୁରି ଶକ୍ତିଶାଳୀ ହେବ । କିଛି ମଡେଲ ଅନୁସାରେ, ଆସନ୍ତା ନଭେମ୍ବର ସୁଦ୍ଧା ସମୁଦ୍ର ତାପମାତ୍ରା ହାରାହାରିଠୁ ୩ ଡିଗ୍ରୀ ଯାଏ ବଢ଼ିପାରେ । ଏହା ଦ୍ୱାରା ୨୦୨୬- ୨୦୨୭ରେ ବୈଶ୍ୱିକ ତାପମାତ୍ରା ନୂଆ ରେକର୍ଡ କରିପାରେ । ବୈଜ୍ଞାନିକ କହୁଛନ୍ତି, ଏହି ଏଲ୍-ନିନୋ କେବଳ ଋତୁଗତ ପରିବର୍ତ୍ତନ ଆଣିବ ନାହିଁ, ବରଂ ପୂର୍ବରୁ ଥିବା ମରୁଡ଼ି, ଗରମ ଓ ଜଳାଭାବ ସମସ୍ୟାକୁ ଆହୁରି ଗମ୍ଭୀର କରିବ ।












Click it and Unblock the Notifications