ପଣା ସଂକ୍ରାନ୍ତିକୁ କାହିଁକି ଓଡ଼ିଆ ନୂଆ ବର୍ଷ କୁହାଯାଏ ? ଜାଣନ୍ତୁ କ'ଣ ରହିଛି ଏହା ପଛର ପୌରାଣିକ କଥା...
ଭୁବନେଶ୍ବର: ମହା ବିଷୁବ ସଂକ୍ରାନ୍ତିକୁ ପ୍ରତି ଓଡିଆ ଘରେ ନୂଆ ବର୍ଷ ଭାବରେ ପାଳନ କରାଯାଏ । ଭାରତର ପୂର୍ବ ରାଜ୍ୟରେ ମେଷ ସଂକ୍ରାନ୍ତି ଏବଂ ପଣା ସଂକ୍ରାନ୍ତି ଭାବରେ ମଧ୍ଯ ଜଣାଶୁଣା । ଏହି ଦିନଟି ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ହନୁମାନଙ୍କ ଜନ୍ମଦିନ (କେବଳ ଓଡିଶାରେ) ପାରମ୍ପରିକ ଓଡିଆ ସୋଲାର କ୍ୟାଲେଣ୍ଡରରେ ଏହି ଦିନ ନୂଆ ବର୍ଷର ଆରମ୍ଭ ହୋଇଥାଏ ।
ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ।
କିପରି ହୁଏ ପାଳନ: ମହାବିଷୁବ ସଂକ୍ରାନ୍ତି ଦିନ ବୃନ୍ଦାବତୀଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ । ଏହି ଦିନ ଏକ ଛୋଟ ମାଠିଆ ବା ଠେକିରେ କଣା କରି, ତା' ଭିତରେ ପଣା ରଖି ତୁଳସୀ ଚଉରା ଉପରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ । ଏହି ଠେକିକୁ ବସୁନ୍ଧରା ଠେକି ବା ଘଡି ବୋଲି କହାଯାଏ ।
ଏହି ସଂକ୍ରାନ୍ତି ପରଠାରୁ ପବନର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ପବନ ପୁତ୍ର ହନୁମାନଙ୍କୁ ମଧ୍ୟ ପୂଜା କରାଯାଏ । ତେଣୁ ଏହିଦିନ ମଧ୍ୟ ହନୁମାନ ଜୟନ୍ତୀ ପଡେ ।

ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି ।
ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଚାଲିଥିବା ଦଣ୍ଡ ନାଟକୁ ଏହି ଦିନ ଶେଷ କରାଯାଏ । ଏହି ଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ ।
ବୈଜ୍ଞାନିକ ଦୃଷ୍ଟିକୋଣ: ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ସହଜରେ ହଜମ ହେଉଥିବାରୁ ବୁଟ ଛତୁଆ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ ।












Click it and Unblock the Notifications