ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ଆଜି ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ନେବେ ଶପଥ
ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଆଜି ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଅପରାହ୍ନ ୧୧ଟାରେ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ସମେତ ଏନ୍ଡିଏର ବହୁ ନେତା ଯୋଗଦେବେ ।

କୋଲକାତାର କନଭେନସନ ସେଣ୍ଟର ଠାରେ ଶୁକ୍ରବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯାଇଛି । ବୈଠକ ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁଙ୍କ ନାମ ଘୋଷଣା କରିଛନ୍ତି । ଏଥିସହ ସେ ଶୁଭେନ୍ଦୁଙ୍କୁ ଫୁଲମାଳ ପିନ୍ଧାଇ ଆଲିଙ୍ଗନ କରିଥିଲେ । ଶୁଭେନ୍ଦୁ ମୁଣ୍ଡ ନୁଆଁଇ ଶାହଙ୍କ ଠାରୁ ଆଶୀର୍ବାଦ ଲୋଡ଼ିଥିଲେ । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ । ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଶୁଭେନ୍ଦୁ ଲୋକଭବନକୁ ଯାଇ ରାଜ୍ୟପାଳ ଆର.ଏନ୍ ରବିଙ୍କୁ ସାକ୍ଷାତ କରି ସରକାର ଗଠନ ଲାଗି ଦାବି ଜଣାଇଛନ୍ତି । ଏଥିସହ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ରାଜ୍ୟପାଳ ତାଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି। ଶନିବାର ସେ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଅପରାହ୍ନ ୧୧ଟାରେ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ସମେତ ଏନ୍ଡିଏର ବହୁ ନେତା ଯୋଗଦେବେ ।
୫୬ ବର୍ଷୀୟ ଶୁଭେନ୍ଦୁ ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭବାନୀପୁର ଆସନରୁ ହରାଇଛନ୍ତି । ଏଥିସହ ସେ ନନ୍ଦିଗ୍ରାମରୁ ଦ୍ୱିତୀୟଥର ପାଇଁ ମଧ୍ୟ ନିର୍ବାଚିତ ହୋଇଛନ୍ତି । ୨୦୨୧ ବିଧାନସଭା ନିର୍ବାଚନରେ ସେ ନନ୍ଦିଗ୍ରାମରୁ ମମତାଙ୍କୁ ହରାଇଥିଲେ । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ରାଜ୍ୟର ୨୯୪ ଆସନରୁ ବିଜେପି ୨୦୭ ଆସନ ପାଇ ସରକାର ଗଠନ କରିବାକୁ ଯାଉଛି । ବିଧାୟକ ଦଳ ବୈଠକୁ ସମ୍ବୋଧିତ କରି ଶାହ କହିଥିଲେ ଯେ ବେଙ୍ଗଲର ଜନତା ବିଜେପି ଉପରେ ଭରସା ଓ ବିଶ୍ୱାସ ରଖି ପ୍ରଚଣ୍ଡ ବହୁମତରେ ଜିତାଇଛନ୍ତି । ତେଣୁ ଆମେ ସେମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାକୁ ଚେଷ୍ଟା କରିବୁ । କେବଳ ବେଙ୍ଗଲ ନୁହେଁ ସମଗ୍ର ଦେଶରୁ ଜଣଜଣ କରି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ତଡ଼ିବୁ । ଏହା ଧ୍ରୁବୀକରଣର ପ୍ରସଙ୍ଗ ନୁହେଁ । ଦେଶର ସୁରକ୍ଷା ସହ ଜଡ଼ିତ । ବିଜେପି ବିଧାୟକଙ୍କ ଜିତିବାର ବ୍ୟବଧାନ ହାରାହାରି ୨୮ ହଜାର ରହିଛି । ୩ରୁ ୭୭ ଏବଂ ୭୭ରୁ ୨୦୭ର ଯାତ୍ରା ଅଭୂତପୂର୍ବ ରହିଛି । ୯ ଜିଲ୍ଲାରେ ଟିଏମ୍ସି ଖାତା ଖୋଲିପାରି ନାହିଁ । ଦିଦିଙ୍କ ଅସ୍ତିତ୍ୱର ଚିହ୍ନବର୍ଣ୍ଣ ନାହିଁ । ଶୁଭେନ୍ଦୁ ତାଙ୍କୁ ନିଜ ଘରେ ହରାଇଲେ । ତେବେ ଏହି ବିଜୟ ଯେତିକି ଆନନ୍ଦ ଦାୟକ, ତାର ରାସ୍ତା ଅସହ୍ୟ ପୀଡ଼ାରେ ଭରା । ଏହି ବିଜୟର ଶ୍ରେୟ ସେ ଦଳର ୩୨୧ ଜଣ ଦିବଂଗତ କାର୍ଯ୍ୟକର୍ତ୍ତାଙ୍କୁ ଦେଇଛନ୍ତି । କହିଛନ୍ତି ସେମାନେ ରାଜ୍ୟରେ ବିଜେପିକୁ ମଜଭୁତ କରିବା ଲାଗି ଜୀବନ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ :- ଶୁଭେନ୍ଦୁ ଅଧିକାରୀ କିଏ , ଯାହାକୁ ବିଜେପି କରିଛି ବଙ୍ଗଳାର ମୁଖ୍ୟମନ୍ତ୍ରୀ ; ଦିନେ ମମତାଙ୍କର ଥିଲେ ଖୁବ୍ ନିକଟତର
ଶାହ କହିଥିଲେ ଯେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଦେଶବ୍ୟାପୀ କାର୍ଯ୍ୟକର୍ତ୍ତାମାନେ ଖୁସି ମନାଇଥିଲେ । କିନ୍ତୁ କିଛି କାର୍ଯ୍ୟକର୍ତ୍ତା କହିଥିଲେ ଆଉ ଏକ କାର୍ଯ୍ୟ ବାକି ଅଛି । ସେମାନଙ୍କର ଦାବି ଥିଲା ବେଙ୍ଗଲରେ ବିଜେପି ପତାକା ଉଡ଼ାଇବା । ଆଜି ସେମାନଙ୍କର ଦାବି ପୂରଣ ହୋଇଛି । ୧୦୦ ବର୍ଷର ବୈଚାରିକ ଯାତ୍ରା ପରେ ଗଙ୍ଗୋତ୍ରୀ ଠାରୁ ଗଙ୍ଗାସାଗର ପର୍ଯ୍ୟନ୍ତ ଆଜି ବିଜେପି ସରକାର ବନିଛି । ୧୯୫୦ରୁ ଆମେ ଯେଉଁ ବିଚାରକୁ ନେଇ ବାହାରିଥିଲୁ, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବିଚାରକୁ ନେଇ ଆସିଥିଲୁ ଆଜି ତାଙ୍କ ଦଳର ସରକାର ହିଁ ବନିଛି । ନୂଆ ସରକାର ସୁନାର ବଙ୍ଗଳା ସ୍ୱପ୍ନ ପୂରଣ କରିବ । ରାଜ୍ୟରେ ସ୍ୱଚ୍ଛ ଓ ଅବାଧ ମତଦାନ ଅସମ୍ଭବ ଥିଲା । ହିଂସା ଓ ଅରାଜକତା ବ୍ୟାପିଥିଲା । ଦିଦିଙ୍କ ଶାସନ ସମୟରେ ଅପରାଧୀ ରାଜନେତା ପାଲଟୁଥିଲେ । ଯାହାଫଳରେ ବିକାଶର ଚିହ୍ନବର୍ଣ୍ଣ ରହୁନଥିଲା । ଆମେ ହିଂସା ଓ ଅନୁପ୍ରବେଶ ବନ୍ଦ କରିବୁ । ମହିଳା ସୁରକ୍ଷାକୁ ଅଗ୍ରାଧିକାର ଦେବୁ । ବେଙ୍ଗଲକୁ ୫ ଦଶନ୍ଧି ଧରି ଚାଲିଆସିଥିବା ବିଦେଶୀ ବିଚାରଧାରା ପ୍ରେରିତ ଶାସନର ଅନ୍ତ ଘଟାଇ ପୁଣିଥରେ ରାମକୃଷ୍ଣ ଠାକୁର, ବିବେକାନନ୍ଦ, ମହର୍ଷି ଅରବିନ୍ଦ ଓ କବିଗୁରୁ ଟାଗୋରଙ୍କ କଳ୍ପନାର ବେଙ୍ଗଲ ଗଠନ ଦିଗରେ କାମ କରିବୁ ବୋଲି ଶାହ କହିଥିଲେ ।
ସେହିଭଳି ଶୁଭେନ୍ଦୁ କହିଥିଲେ ଯେ ଆମର ହଜାର ହଜାର କାର୍ଯ୍ୟକର୍ତ୍ତା ବହୁବର୍ଷ ଧରି ହିଂସା, ଉତ୍ପୀଡ଼ନ ଓ ମିଥ୍ୟା ମାମଲାର ସାମ୍ନା କରିଛନ୍ତି । ଏବେ ବିଜେପି ସରକାର ସେମାନଙ୍କ ଆଶା ଓ ଆକାଂକ୍ଷା ଦିଗରେ କାର୍ଯ୍ୟ କରିବ । ମହିଳା ସୁରକ୍ଷା ହେଉଛି ଆମର ପ୍ରାଥମିକତା । ସନ୍ଦେଶଖାଲି ଓ ଆରଜି କର ମେଡିକାଲ କଲେଜ ଭଳି ମାମଲାର ତଦନ୍ତ ଲାଗି କମିଶନ ଗଠନ କରାଯିବ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦିଆଯାଇଥିବା ସବୁ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାମ କରିବେ, ଯାହାଫଳରେ ଜନତାଙ୍କ ଆଶା ଓ ଆକାଂକ୍ଷା ପୂରଣ କରାଯାଇପାରିବ । ବିଜେପିର ଲକ୍ଷ୍ୟ ହେଉଛି ବେଙ୍ଗଲର ପୁନଃନିର୍ମାଣ କରିବା । ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ କରାଯିବ । ଏହି କମିଶନ ସଂସ୍ଥାଗତ ଦୁର୍ନୀତି ଅଭିଯୋଗର ତଦନ୍ତ କରିବେ ।












Click it and Unblock the Notifications