ଅର୍ଜୁନଙ୍କ ପାଇଁ କାହିଁକି ହେଲା ନାଗାର୍ଜୁନ ବେଶ ? ଜାଣନ୍ତୁ ମହାପ୍ରଭୁଙ୍କର ଏହି ବିଚିତ୍ର ଲୀଳା ପଛର ପୌରାଣିକ କଥା
ଯେଉଁ ବର୍ଷ କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ ଛଅ ଦିନ ହୁଏ ଅର୍ଥାତ ଏକାଦଶୀରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ତିଥି ଦୁଇ ଦିନ ଭୋଗ ହୁଏ, ସେହି ବର୍ଷ ନାଗାର୍ଜୁନ ବେଶ ହୁଏ ।
ଯେଉଁ ବର୍ଷ କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ ଛଅ ଦିନ ହୁଏ ଅର୍ଥାତ ଏକାଦଶୀରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ତିଥି ଦୁଇ ଦିନ ଭୋଗ ହୁଏ, ସେହି ବର୍ଷ ନାଗାର୍ଜୁନ ବେଶ ହୁଏ । ଯେଉଁ ତିଥି ପୂର୍ବଦିନ ଓ ପରଦିନ ସୂର୍ଯ୍ୟୋଦୟକୁ ଥାଏ ତାହାକୁ ବଢାତିଥି କୁହାଯାଏ । ପୂର୍ବୋକ୍ତ ବଢ଼ାତିଥିରୁ ଦିବସକୁ ଶୁଦ୍ଧା ତିଥି ଓ ପରବର୍ତ୍ତୀ ଦିବସକୁ ମଳ ତିଥି କୁହାଯାଏ । ଏହି ମଳ ତିଥିରେ ନାଗାର୍ଜୁନ ବେଶ ହୁଏ । ଉକ୍ତ ବେଶ ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ବେଶ ନୁହେଁ । ତେଣୁ ପ୍ରତିବର୍ଷ ଏହି ବେଶ ପଡିନଥାଏ । 1994 ମସିହା ନଭେମ୍ବର 16 ତାରିଖ ପରେ ଏହି ବେଶ ପାଇଁ ଆଉ ଯୋଗ ପଡିନାହିଁ ।
କାହିଁକି ହୁଏ ନାଗାର୍ଜୁନ ବେଶ ?
ଦିନେ ରାଜା ଯୁଧିଷ୍ଠିର ବାରୁଣାବନ୍ତରେ ଥିବାବେଳେ ନାରଦ ଉପସ୍ଥିତ ହେଲେ । ନାରଦକୁ ଦେଖି ଯୁଧିଷ୍ଠିର ପିତା ପଣ୍ଡୁଙ୍କ ସଂପର୍କରେ ପଚାରିଲେ । ନାରଦ ଅତ୍ୟନ୍ତ ବିଷର୍ଣ୍ଣ ବଦନରେ କହିଲେ ଯେ ଅଦ୍ୟାବଧି ପଣ୍ଡୁଙ୍କୁ ବ୍ରହ୍ମଲୋକ ପ୍ରାପ୍ତି ହୋଇ ନାହିଁ । ଯମରାଜ ସିଂହାସନର ତୃତୀୟ ପାହାଚ ତଳେ ଛିଡା ହୋଇଥିବା ପଣ୍ଡୁ ରାଜସ୍ୱୀୟ ଯଜ୍ଞ ପରେ ଦ୍ୱିତୀୟ ପାହାଚକୁ ଉଠିଛନ୍ତି । ବ୍ରହ୍ମଲୋକକୁ ଯିବା ପାଇଁ ଆହୁରି ଗୋଟିଏ ପାହାଚ ବାକି ରହିଛି । ନାରଦଙ୍କ ଠାରୁ ଯୁଧିଷ୍ଠିର ଏକଥା ଶୁଣି ମର୍ମାହତ ହେଲେ ।

ନାରଦ ସାନ୍ତ୍ୱନା ଦେଇ ଯୁଧିଷ୍ଠିରଙ୍କୁ କହିଲେ ତମେ ରାଜସ୍ୱୀୟ ଯଜ୍ଞ କରିଛ ସତ କିନ୍ତୁ ପିତୃଶ୍ରାଦ୍ଧ ପ୍ରଦାନ କରି ନାହଁ । ସେଥିପାଇଁ ତମ ପିତା ବ୍ରହ୍ମଲୋକର ଏକ ପାହାଚ ତଳେ ଦଣ୍ଡାୟମାନ ରହିଛନ୍ତି । ନାରଦଙ୍କ ଠାରୁ ଏହି କଥା ଶୁଣି ଯୁଧିଷ୍ଠିର ଭାଇମାନଙ୍କୁ ଡାକିଲେ ଏବଂ ପିତୃଶ୍ରାଦ୍ଧ ନିମିତ୍ତ ଶୀଘ୍ର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଲେ । ଏହି ଶ୍ରାଦ୍ଧ ନିମିତ୍ତ ଗଣ୍ଡା ମାଂସର ଆବଶ୍ୟକତା ସଂପର୍କରେ ଜଣାଇବାକୁ ଅର୍ଜୁନ ଗଣ୍ଡାମାଂସ ଅନ୍ୱେଷଣରେ ବାହାରିଲେ ଏବଂ ଭାଇମାନେ ଶ୍ରାଦ୍ଧ ଉପକରଣର ପ୍ରସ୍ତୁତି ଆରମ୍ଭ କଲେ ।
ନବଦିନ ନବରାତ୍ର ବିତି ସାରିଥିଲେ ସୁଦ୍ଧା ଅର୍ଜୁନ ଗଣ୍ଡାର ପତ୍ତା ପାଇ ପାରିନଥିଲେ । ଏହି ସମୟରେ ନାରଦଙ୍କର ସାକ୍ଷାତ ପାଇଲେ । ରୁଦ୍ର ପର୍ବତ ତଳେ ଥିବା ହର ଉଦ୍ୟାନରେ ଗୋଟିଏ ଗଣ୍ଡା ଥିବା ନାରଦ କହିଥିଲେ ।
ନାନା ରତ୍ନାଭରଣ ଯୁକ୍ତ ହୋଇ ଗଣ୍ଡା ଜଳପାନ କରିବାକୁ ଝରଣାକୁ ଆସିବା ସମୟରେ ଲତା ଗହଳରେ ଲୁଚି ରହିଥିବା ଅର୍ଜୁନ ଶର ନିକ୍ଷେପ କଲେ । ସେଠାରେ ପ୍ରଚଣ୍ଡ ଶଦ୍ଦ କରି ଗଣ୍ଡା ମୃତ୍ୟୁ ବରଣ କଲା । ସେହି ଗଣ୍ଡାର ରକ୍ଷଣାବେକ୍ଷଣ ଦାଇତ୍ୱରେ ରହିଥିଲେ ନାଗାର୍ଜୁନ । ଅର୍ଜୁନଙ୍କ ଶିକାର ସମୟରେ ନାଗାର୍ଜୁନ ମା'ଙ୍କ ନିକଟକୁ ଯାଇଥିଲେ । ଫେରିବା ସମୟରେ ଗଣ୍ଡାର ମୃତ ଶରୀର ଦେଖି କ୍ରୋଧିତ ହୋଇ ଯାଇଥିଲେ । ଏହାପରେ ଅର୍ଜୁନ ଓ ନାଗାର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ଚାଲିଲା ।
ଶେଷରେ ନାଗାର୍ଜୁନ ମହାଦେବ ଶିବଙ୍କ ଠାରୁ ପାଇଥିବା ମହାକାଳ ନାରାଚକୁ ଅର୍ଜୁନଙ୍କ ଉଦ୍ଦେଶ୍ୟରେ ପ୍ରେରଣ କଲେ । ଫଳରେ ଅର୍ଜୁନ ପରାସ୍ତ ହେବା ସହ ଅର୍ଜୁନଙ୍କ ଶରୀର ଦୁଇଖଣ୍ଡ ହୋଇଗଲା । ଅର୍ଜୁନଙ୍କ ଚିତାରେ ଗ୍ରହଣ କରି ନାଗାର୍ଜୁନ ମା' ସନ୍ଧ୍ଯାବାଳୀ ନିକଟକୁ ଯାଇ ସବୁ କଥା କହିଲା । ସନ୍ଧ୍ୟାବାଳୀ ପୁଅ ଠାରୁ ସବୁ କଥା ଶୁଣିବା ପରେ ପ୍ରାଣବଳି ଦେବାକୁ ସ୍ଥିର କଲେ । ସେପଟେ ଅର୍ଜୁନଙ୍କ ମୃତ୍ୟୁ ଖବର ନାରଦ ବଳରାମ ଓ ଶ୍ରୀକୃଷ୍ଣଙ୍କୁ ଦେଇଦେଲେ ।
ସଙ୍ଗେ ସଙ୍ଗେ ନାଗାର୍ଜୁନ ସହ ଯୁଦ୍ଧ ଆରମ୍ଭ ହେଲା । ନାଗାର୍ଜୁନ ସହ କୃଷ୍ଣ ଓ ବଳରାମ ଯୁଦ୍ଧ କରୁଥିବା ଖବର ପାଇଁ ଶିବ କ୍ରୋଧିତ ହେଲେ ଏବଂ ଆସି ଯୁଦ୍ଧ କଲେ । ପରିସ୍ଥିତି ଭୟଙ୍କର ହେବାରୁ ନାରଦ ବ୍ରହ୍ମାଙ୍କର ସହଯୋଗ ଲୋଡିଲେ । ବ୍ରହ୍ମାଙ୍କ ଅନୁରୋଧ କ୍ରମେ ସମସ୍ତେ କ୍ରୋଧ ଶାନ୍ତ କଲେ । ଏହାପରେ ବ୍ମହ୍ମା ଯମରାଜଙ୍କୁ ସ୍ମରଣ କଲେ ।
ମା' ଛାୟାଙ୍କ ଅଭିଶାପ ଦ୍ୱାରା ଯମରାଜା ରୋଗଗ୍ରସ୍ଥ ହୋଇଥିଲେ । ହେଲେ ଏହି ଅଭିଶାପରୁ ମୁକ୍ତ ହେବାର ଉପାୟ ମଧ୍ୟ କହିଥିଲେ ଯମରାଜ । କୌଣସି ଏକ ସମୟରେ ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କୁ ଏକତ୍ର ଦର୍ଶନ କଲେ ଏବଂ ଶିବ ପ୍ରୀତ ହୋଇ ବର ପ୍ରଦାନ କଲେ ଯମ ବ୍ୟାଧିମୁକ୍ତ ହୋଇ ପାରିବେ ବୋଲି ମା' ଛାୟା କହିଥିଲେ । ବ୍ରହ୍ମାଙ୍କ ଅନୁରୋଧ କ୍ରମେ ଯମରାଜା ଅର୍ଜୁନଙ୍କୁ ସଂଜୀବନୀ ମନ୍ତ୍ର ପ୍ରଦାନ କରିବାରୁ ଶିବ ପ୍ରୀତ ହୋଇ ଯମରାଜଙ୍କୁ କୁଷ୍ଠ ବ୍ୟାଧିରୁ ମୁକ୍ତ କଲେ । ପଣ୍ଡୁ ରାଜାଙ୍କ ପାଇଁ ଯମ ଏହିଭଳି ଦୁର୍ଲଭ ଦର୍ଶନ ଲାଭ କରିଥିବାରୁ ପଣ୍ଡୁଙ୍କୁ ବ୍ରହ୍ମଲୋକକୁ ଯିବାକୁ ଅନୁମତି ଦିଆଗଲା ।
ଅପରପକ୍ଷରେ ଅର୍ଜୁନ ଏକ କିଶୋର ବାଳକ ଦ୍ୱାରା ପରାସ୍ତ ହୋଇ ମୃତ୍ୟୁବରଣ କରିଥିବା କଥା ଜାଣିବା ପରେ ନିଜକୁ ଧିକ୍କାର କରିବା ସହ ଆତ୍ମହତ୍ୟା କରିବା ପାଇଁ ପ୍ରତିଜ୍ଞା କଲେ । ପୃଥିବୀରେ ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ କାହା ଦ୍ୱାରା ସେ ପରାସ୍ତ ହେବେ ନାହିଁ ବୋଲି ତାଙ୍କର ଦୃଢ଼ ଧାରଣା ଥିଲା ।
ଏହି ଅହଂକାରକୁ ଦୂରୀଭୂତ କରିବା ପାଇଁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ଅର୍ଜୁନଙ୍କୁ ପରାସ୍ତ କରିଥିଲେ ବୋଲି ପ୍ରବୋଧନ ଦେଲେ । କିନ୍ତୁ ଅର୍ଜୁନ ଏହି ପ୍ରବୋଧନାରେ ଶାନ୍ତ ନହେବାରୁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ସମସ୍ତଙ୍କ ସମ୍ମୁଖରେ ଆବିର୍ଭାବ ହେଲେ ।
ଅର୍ଜୁନ ନିଜ ପୁତ୍ରଠାରେ ସଖା ଶ୍ରୀକୃଷ୍ଣଙ୍କୁ ଏବଂ ଶ୍ରୀକୃଷ୍ଣ ଠାରେ ପୁତ୍ର ନାଗାର୍ଜୁନକୁ ଦେଖି ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ନିଜକୁ ଧନ୍ୟ ମଣିଲେ । ସ୍ୱର୍ଗରୁ ଦେବତାମାନେ ନାଗାର୍ଜୁନଙ୍କ ଉପରେ ଫୁଲ ବର୍ଷା କଲେ । ଏହି ଏୈଶ୍ୱର୍ଯ୍ୟ ଲୀଳାର ସ୍ମାରକୀ ହେଉଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ହୋଇଥିଲେ ବୋଲି ଏକ ସନ୍ଦର୍ଭରେ ଗବେଷକ ଉମେଶ ଚନ୍ଦ୍ର ଚିହ୍ନରା ଲେଖିଥିଲେ ।












Click it and Unblock the Notifications