Ganesh Puja 2024: ଚାଲନ୍ତୁ ଜାଣିବା ଜଟଣୀରେ ଗଣେଶ ପୂଜା ଇତିହାସ, କେମିତି ହୋଇଥଲା ଆରମ୍ଭ?
ମୁମ୍ୱାଇ ପରେ ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ଗଜାନନଙ୍କ ପୂଜା ବହୁ ଧୂମଧାମରେ ପାଳିତ ହୁଏ । ସାରା ଓଡ଼ିଶାରେ ଗଣେଶ ପୂଜା ପାଇଁ ଜଟଣୀ ସହରର ନାଁ ଆଗରେ ।
ଗଣେଶ ପୂଜା ଇତିହାସ
ରାଜଧାନୀ ଭୁବନେଶ୍ବର ପ୍ରତିଷ୍ଠା ହେବାର ବହୁ ପୂର୍ବରୁ ଜଟଣୀ ଥିଲା ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ । କଟକ ପରେ ଏଠାରେ ଥିଲା ବଡ଼ ମାଲ୍ ଗୋଦାମ । ବ୍ରିଟିଶ ଶାସନ କାଳରେ ଏଠାରେ ପ୍ରତିଷ୍ଠା ହୋଇଥିଲା ବ୍ରିଟିସ ନର୍ଥ ରେଲ୍ୱେ(ବିଏନ୍ଆର୍)ର ଜଙ୍କସନ୍ । ତେଣୁ ବିଏନ୍ଆର୍ରେ କାମ କରୁଥିବା ବହୁ ଇଂଲିଶ ଲୋକଙ୍କ ସହ ମାର୍ୱାଡ଼ି ସମ୍ପ୍ରଦାୟର ବହୁ ବଡ଼ବଡ଼ ବ୍ୟବସାୟୀ ଏଠାରେ ସ୍ଥାୟୀ ଭାବରେ ବସବାସ କରୁଥିଲେ । ସେହିଭଳି ବହୁ ଓଡ଼ିଆ ବ୍ୟବସାୟୀମାନେ ମଧ୍ୟ ଏଠାରେ ରହି ବେପାର ବଣିଜ କରୁଥିଲେ । ରେଳପଥ ପରିବହନ ସୁବିଧା ପାଇଁ ଏହି ସହର ବଡ଼ ବ୍ୟବସାୟିକ କେନ୍ଦ୍ର ପାଲଟିଥିଲା।
ତେଣୁ ବ୍ୟବସାୟୀମାନଙ୍କ ପାଇଁ ଏଠାରେ ଗଣେଶ ପୂଜା ଆରମ୍ଭ ହୋଇଥିବା କୁହାଯାଏ। ପ୍ରଥମେ ମହୁଲ ଗୁଡ଼ିଆ ଛକରୁ ଆରମ୍ଭ ହୋଇଥିବା ଗଣେଶ ପୂଜା କାଳକ୍ରମେ ପୂରା ସହରକୁ ମାଡ଼ିଯାଇଛି। ଆଜି ସମଗ୍ର ସହରରେ ଛୋଟବଡ଼ ହୋଇ ୨ ଶହରୁ ଅଧିକ ପୂଜା ମଣ୍ଡପରେ ବିଘ୍ନରାଜ ଗଣେଶଙ୍କ ପୂଜା ହେଉଛି ।

ଜଟଣୀବାସୀଙ୍କ ପାଇଁ ଗଣେଶ ପୂଜା ଏକ ପରମ୍ପରା
ପୂଜା ବେଳେ ଜଟଣୀର ପରିବେଶ ଏକ ଭିନ୍ନ ରୂପ ନେଇଥାଏ। ମହୁଲ ଗୁଡ଼ିଆ ଛକ ପରେ ଗୋଲେଇ ମାର୍କେଟ୍, ହରିଭାଇନା ଛକ, ରାଜାବଜାର, ହାଟବଜାର, କୁଦିଆରୀ, ସୀତାରାମ ଛକ, ଲୋକୋ କଲୋନି, ରେତଙ୍ଗ କଲୋନି, ମାଲ୍ଗୋଦାମ ଛକ ଓ ମାଛ ମାର୍କେଟ୍ ଭଳି ପ୍ରମୁଖ ସ୍ଥାନରେ ବିଶାଳ ଗଣେଶ ମୂର୍ତ୍ତି ପୂଜା ପାଇ ଆସୁଛନ୍ତି। ଏବେ ବି ସେସବୁ ବଜାରରେ ମହା ଆଡ଼ମ୍ବର ସହକାରେ ଗଣେଶ ପୂଜା ଅନୁଷ୍ଠିତ ହେଉଛି। ଏହାବାଦ୍ ବିଭିନ୍ନ ବ୍ୟବସାୟୀ ସଂଘ, ବିଭିନ୍ନ କ୍ଲବ୍, କଲୋନି ଓ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଏହି ପୂଜା ଆୟୋଜନ କରାଯାଉଛି। ବଡ଼ କଥା ହେଉଛି ଏଠାରେ ବିଭିନ୍ନ ପ୍ରକାର ବେଶଭୂଷାରେ ଗଣେଶ ପୂଜା ପାଆନ୍ତି। ବୁଢ଼ା ଗଣେଶଠାରୁ ଆରମ୍ଭ କରି ସାପ ଗଣେଶ, ପାହାଡ଼ ଗଣେଶ, କାର୍ଟୁନ୍ ଗଣେଶ, ଗଛ ଗଣେଶ, ବାଘ ଗଣେଶ, ସପ୍ତଫେଣୀ ଗଣେଶ ଭଳି ଅନେକ ଭଙ୍ଗିରେ ଗଶେଶ ମୂର୍ତ୍ତି ଗଢ଼ା ହୁଅନ୍ତି।
ଏକଦା କୋଲକାତା, ମୁମ୍ବାଇରୁ ଆସୁଥିଲା ତୋରଣ ଓ ଲାଇଟ୍। ଲାଇଟ୍, ତୋରଣ, ମୂର୍ତ୍ତିକୁ ନେଇ ଏକପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳୁଥିଲା। ସେହିଭଳି କାରୁକାର୍ଯ୍ୟପୂର୍ଣ୍ଣ ମେଢ଼କୁ ନେଇ ବି ବେଶ୍ ସୁସ୍ଥ ପ୍ରତିଯୋଗିତା ଚାଲିଥିଲା। କେତେବେଳେ କେଉଁ ବଜାର ଲାଇଟ୍ରେ ଆଗରେ ରହୁଥିଲା ତ କେଉଁ ବଜାର ବିଶାଳ ମୂର୍ତ୍ତି କରି ପ୍ରଶଂସା ସାଉଣ୍ଟୁଥିଲା। ସେହିଭଳି କେଉଁ ବଜାର ସୁସଜ୍ଜିତ ତୋରଣ କରି ନାଁ କମାଉଥିଲା ତ କେଉଁ ବଜାର ସାଂସ୍କୃତିକ କାର୍ଯ୍ୟକ୍ରମ କରି ପ୍ରତିଯୋଗିତାରେ ସ୍ବତନ୍ତ୍ର ସ୍ଥାନ ଦଖଲ କରୁଥିଲା। ଏବେ ବି ସେଥିରେ କିଛି କମ୍ ହୋଇନାହିଁ। କିନ୍ତୁ ବିଭିନ୍ନ କାରଣରୁ ସାଂସ୍କୃତିକ କାର୍ଯ୍ୟକ୍ରମ କିଛିଟା ହ୍ରାସ ପାଇଛି। ପ୍ରାୟ ୧୦/୧୫ ବର୍ଷ ପୂର୍ବେ ଗଣେଶ ପୂଜା ଅବସରରେ ଜଟଣୀ ସହରରେ ଅପେରା ପାର୍ଟି ପ୍ରଦର୍ଶନ ବେଶ୍ ଜମୁଥିଲା। ଓଡ଼ିଶାର ପ୍ରାୟ ସବୁ ପ୍ରଥମ ଶ୍ରେଣୀ ଅପେରା ପାର୍ଟି ଏଠାରେ ପ୍ରତିଯୋଗିତା କରୁଥିଲେ। ତେଣୁ ପୂଜା ଦେଖିବାକୁ ଦିନରେ ଯେତିକି ଭିଡ଼ ହେଉଥିଲା, ରାତିରେ ବି ତା'ଠାରୁ ଅଧିକ ଗହଳଚହଳ ଲାଗି ରହୁଥିଲା। ସେହିଭଳି ପାଲା, ଦାସକାଠିଆ ଭଳି ଲୋକକଳା ବି ପ୍ରଦର୍ଶିତ ହେଉଥିଲା। ଏବେ ଏଥିରେ କିଛିଟା ହ୍ରାସ ପାଇଛି ।
ସେହିଭଳି ଗଣେଶ ମହୋତ୍ସବର ଚମକ ବି କମିଯାଇଛି। କିନ୍ତୁ ଭସାଣି ପର୍ଯ୍ୟନ୍ତ ୧୧ ଦିନ କାଳ ଏହି ପୂଜା ଅବସରରେ ଜଟଣୀ ନୂଆ ବୋହୂର ରୂପ ନେଉଛି। ସେତେବେଳେ ଦୟା ନଦୀର କାକୁଡ଼ିଆ ଘାଟରେ ମୂର୍ତ୍ତି ବିସର୍ଜନ କରାଯାଉଥିଲା। ପୃଥକ ପୃଥକ ଭାବେ ଗଣେଶ ବିସର୍ଜନ କରାଯାଉଥିଲା। କିନ୍ତୁ ଗତ କିଛି ବର୍ଷ ହେଲା ଭସାଣି ଉତ୍ସବ ବେଶ୍ ଜାକଜମକରେ ହେଉଛି ଏବଂ ସବୁ ମେଢ଼ ଏକାଠି ଶୋଭାଯାତ୍ରାରେ ସହର ପରିକ୍ରମା କରି କିଷ୍ଟ କଲେଜ ନିକଟରେ ବହିଯାଇଥିବା ନଈର ଗଣେଶ ଘାଟରେ ବିସର୍ଜନ ହେଉଛନ୍ତି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications