ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା 'ବକ୍ସି ଜଗବନ୍ଧୁ'
ଭାରତ ସ୍ବାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା,ଓଡିଶାର ପ୍ରଥମ ସ୍ବାଧୀନତା ସଂଗ୍ରାମୀ, ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ଥିଲେ ବକ୍ସି ଜଗବନ୍ଧୁ । ବକ୍ସିଙ୍କ ପୁରା ନାମ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ର। ସେ 'ପାଇକ ବକ୍ସି' ନାମରେ ମଧ୍ୟ ପରିଚିତ।
ବୀରତ୍ୱ ଓ ବଳିଦାନର କାହାଣୀ
ଭାରତ ସ୍ବାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା,ଓଡିଶାର ପ୍ରଥମ ସ୍ବାଧୀନତା ସଂଗ୍ରାମୀ, ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ଥିଲେ ବକ୍ସି ଜଗବନ୍ଧୁ । ବକ୍ସିଙ୍କ ପୁରା ନାମ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ର। ସେ 'ପାଇକ ବକ୍ସି' ନାମରେ ମଧ୍ୟ ପରିଚିତ।

ଖୋର୍ଦ୍ଧା ମହାରାଜା ମୁକୁନ୍ଦ ଦେବଙ୍କ ସେ ଥିଲେ ପ୍ରଧାନ ସେନାପତି। ବଂଶ ପରମ୍ପରା କ୍ରମେ ଯୁବାବସ୍ଥାରେ ହିଁ ସେ 'ବକ୍ସି' ଉପାଧି ପାଇଥିଲେ । ରାଜାଙ୍କ ପରେ ସେହିଁ ଅଞ୍ଚଳରେ ବକ୍ସି ଥିଲେ ଦ୍ବିତୀୟ ମାନ୍ୟଗନ୍ୟ ବ୍ୟକ୍ତି । ତାଙ୍କ କଥା ଓ ନିଷ୍ପତ୍ତି ଅନୁସାରେ ଲୋକେ ଚଳୁଥିଲେ।ସମ୍ଭ୍ରାନ୍ତ ଶ୍ରେଣୀରେ ଜନ୍ମ ନେଇ ମଧ୍ୟ ଦେଶ ପାଇଁ ଥିଲା ଅହେତୁକ ପ୍ରେମ।
ବିବାହ ବନ୍ଧନରେ ବକ୍ସି:
ଗଞ୍ଜାମ ଶେରଗଡ଼ ରାଜକୁମାରୀ ରାଧାରାଣୀ ଜେମାଦେଇଙ୍କୁ ବିବାହ କରିଥିଲେ ବକ୍ସି ଜଗବନ୍ଧୁ। କିନ୍ତୁ ବିବାହର ଅନେକ ଦିନ ପଯ୍ୟନ୍ତ ସନ୍ତାନ ଲାଭ ନ ହେବାରୁ ବଂଶରକ୍ଷା ପାଇଁ ବକ୍ସି ଜଗବନ୍ଧୁ ଗୋଟିଏ ପୋଷ୍ୟ ପୁତ୍ର ଓ ଗୋଟିଏ ପୋଷ୍ୟ ପୁତ୍ରୀ ଗ୍ରହଣ କରିଥିଲେ। ସେ ଦୁହେଁ ହେଲେ ଶ୍ୟାମସୁନ୍ଦର ରାୟ ଓ ପଦ୍ମା ଦେଇ। ଏହାର କିଛି ପର୍ଯ୍ୟନ୍ତ ସବୁ ଠିକ୍ ଚାଲିଥିଲା, ହଠାତ୍ ବକ୍ସି ଜଗବନ୍ଧୁ ଏସବୁ ରେ ନିଜକୁ ଖୁସି ରଖି ପାରିଲେ ନାହିଁ। ତେଣୁ ଦ୍ଵିତୀୟ ବିବାହ ନେଇ ନିଷ୍ପତ୍ତି ନେଲେ। ତେବେ କଟକ ବଡ଼ମ୍ବାର ରାଜକନ୍ୟା ଚତୁରମଣୀଙ୍କୁ ବିବାହ କଲେ। ତାଙ୍କ ଔରସରୁ ଏକମାତ୍ର ପୁତ୍ର ଗୋପୀନାଥ ବିଦ୍ୟାଧର ଜନ୍ମ ନେଇଥିଲେ।
ବିଦ୍ରୋହ ଓ ବିଜୟ:
୧୮୦୪ ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କ ଦ୍ଵାରା ଓଡ଼ିଶାରେ ପ୍ରଥମ ବନ୍ଦୋବସ୍ତ ପ୍ରଚଳନ ହେଲା। ସେତେବେଳେ ଇଂରେଜମାନେ 'ରୋଡଙ୍ଗ'କୁ ବକ୍ସିଙ୍କ ନାମରେ ପଞ୍ଜୀକୃତ କରାଇଥିଲେ। ପରବର୍ତ୍ତୀ କାଳରେ କଲେକ୍ଟର ଜିୱେବ 'ରୋଡଙ୍ଗ' କିଲାର ମାଲିକ ବକ୍ସି ବୋଲି ଉଲ୍ଲେଖ କରାଇଥିଲେ। ୧୮୦୬ ଖ୍ରୀଷ୍ଟାବ୍ଦରେ ଖଜଣା ଅନାଦେୟ ହେତୁ 'ରୋଡଙ୍ଗ' ନିଲାମ ହେଲା। ଚନ୍ଦ୍ରପ୍ରସାଦ ସିଂହଙ୍କ ଗମଗ ଲୋକନୀ ନାରାୟଣ ୧୮୦୭ରେ କ୍ରୟ କଲେ। ପରେ ପରେ ଚଢ଼ାଦରରେ ଦିୱ।ନ କୃଷ୍ଣଚନ୍ଦ୍ର ରାୟ କ୍ରୟକରି ତାହାର ନାମ 'ପୁରୁଷୋତ୍ତମ ଛତ୍ର' ଦେଲେ। ବକ୍ସି ପ୍ରତିବାଦ କରିବାରୁ ରୋଡଙ୍ଗ ଦଖଲ କରିପାରିଲେ ନାହିଁ। ୧୮୦୯/୧୮୧୩ କୃଷ୍ଣଚନ୍ଦ୍ର ଲିଜ୍ ସୂତ୍ରରେ ରୋଡଙ୍ଗ କ୍ରୟ କଲେ। ଫଳରେ ରୋଡଙ୍ଗ ହରାଇ ବକ୍ସି ବଣଜଙ୍ଗଲ ମଧ୍ୟରେ ଘୁରି ବୁଲିଲେ।
ପାଇକ ବିଦ୍ରୋହକୁ ମୂଳରୁ ପରିଚାଳନା କରୁଥିଲେ ବକ୍ସି ଜଗବନ୍ଧୁ। ୧୮୧୭ ମାର୍ଚ୍ଚ ୧ ତାରିଖରେ ଘୁମୁସରରୁ ୪୦୦ କନ୍ଧ ପାଇକ ବ୍ରିଟିଶ ସରକାରଙ୍କ ବିପକ୍ଷରେ ଅସ୍ତ୍ରଶସ୍ତ୍ର ସଜ୍ଜିତହୋଇ ବାହାରିଲେ। ସେମାନେ ବାଣପୁର ଅଞ୍ଚଳରେ ପ୍ରବେଶକରି ଥାନା ଓ ଖଜଣା ଥାନା ଲୁଟ୍ କରିବା ଆରମ୍ଭ କରିଦେଲେ। ଏହାକୁ ସୁବର୍ଣ୍ଣ ସୁଯୋଗ ମନେ କରି ବକ୍ସି ଖୋର୍ଦ୍ଧା ଅଞ୍ଚଳରେ ବିଦ୍ରୋହକୁ ସଙ୍ଗଠିତ କଲେ। ଦଳେଇ, ଦଳବେହେରାଙ୍କୁ ଏକତ୍ରିତ କରି ବିଦ୍ରୋହର ଅଗ୍ନି ପ୍ରଜ୍ଜ୍ଵଳିତ କଲେ। ବକ୍ସି ନେତୃତ୍ଵରେ ବିଦ୍ରୋହ ବେଳକୁ ବେଳ ସମ୍ପ୍ରସାରିତ ହେଲା। ବିଦ୍ରୋହୀ ପାଇକମାନେ ବାଣପୁର ଅଞ୍ଚଳରେ ବ୍ରିଟିଶ ଲୁଣ ଏଜେଣ୍ଟ ବେଚର ସାହେବଙ୍କୁ ଆକ୍ରମଣ କଲେ। ହେଲେ ସେ ଅଳ୍ପକେ ବର୍ତ୍ତିଗଲେ।
ହେଲେ ତାଙ୍କର ବାଣିଜ୍ୟ ତରୀକୁ ବିଦ୍ରୋହୀମାନେ ଲୁଟ୍ କରିନେଲେ। ସଫଳତାର ସହ ବିଦ୍ରୋହ ବାଣପୁରରୁ ଖୋର୍ଦ୍ଧା ଆଡକୁ ସମ୍ପ୍ରସାରିତ ହେଲା। ବିଦ୍ରୋହୀମାନେ କୁଦିଆରି ଗ୍ରାମରେ ଥିବା ବ୍ରିଟିଶ ସାହାଯ୍ୟକାରୀ ଚରଣ ପଟ୍ଟନାୟକଙ୍କୁ ହତ୍ୟା କଲେ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ବିପୁଳ ସଂଖ୍ୟକ ପାଇକ ଲୋକନାଥ ଘାଟ ଦେଇ ପୁରୀରେ ପ୍ରବେଶ କଲେ। ସେମାନେ ବହୁ ସରକାରୀ କୋଠା ଓ କଚେରୀରେ ଅଗ୍ନି ସଂଯୋଗ କଲେ। ପୁରୀଠାରେ ଥିବା କର୍ମଚାରୀମାନେ ଭୟରେ କଟକ ପଳାୟନ କଲେ। ସେହି ସମୟରେ ଜଗନ୍ନାଥ ମନ୍ଦିରର ପଣ୍ଡା ଓ ସେବାୟତମାନେ ଓଡ଼ିଶାରୁ ବ୍ରିଟିଶ୍ ଶାସନ ଲୋପ ପାଇଲା ବୋଲି ସର୍ବସାଧାରଣରେ ଘୋଷଣା କଲେ।
ରାଜା ଦ୍ଵିତୀୟ ମୁକୁନ୍ଦଦେବଙ୍କୁ ପୁନର୍ବାର ରାଜଗାଦିରେ ବସାଇବା ପାଇଁ ବକ୍ସି ଓ ବିଦ୍ରୋହୀମାନେ ଶ୍ରୀ ନଅରରେ ପ୍ରବେଶ କଲେ।
ହେଲେ ରାଜା ପ୍ରସ୍ତାବରେ ରାଜି ହେବା ପରିବର୍ତ୍ତେ ବ୍ରିଟିଶ୍ କର୍ତ୍ତୃପକ୍ଷଙ୍କୁ ଗୁପ୍ତରେ ସାମରିକ ସୁରକ୍ଷା ଭିକ୍ଷା କଲେ। ବକ୍ସି ରାଜାଙ୍କ ପାଖରେ ରଖିଥିବା ବିଶ୍ଵାସ ମଧ୍ୟ ଶେଷରେ ହରାଇ ବସିଲେ।୧୮୧୭ ଅପ୍ରେଲ୍ ୧୬ରେ କ୍ୟାପଟେନ୍ ଲେ.ଫେବର ଖୋର୍ଦ୍ଧାଠାରୁ ପୁରୀ ଯାଇ ରାଜା ଦ୍ଵିତୀୟ ମୁକୁନ୍ଦଦେବ ଓ ତାଙ୍କ ପୁତ୍ରଙ୍କୁ ବନ୍ଦୀ କରି ବାରବାଟୀ ଦୁର୍ଗରେ ରଖିଲେ। ନଭେମ୍ବର ୩୦, ତାରିଖ ୧୮୧୭ ତାଙ୍କର କାରାଗାର ମଧ୍ୟରେ ମୃତ୍ୟୁ ହେଲା।
ଏସବୁ ସତ୍ତ୍ଵେ ବକ୍ସି ଜଗବନ୍ଧୁ ଥିଲେ ଇଂରେଜ ସରକାରଙ୍କର ମୁଣ୍ଡବ୍ୟଥାର କାରଣ। ତେଣୁ ବକ୍ସିଙ୍କୁ ଧରାଇ ଦେଲେ ପୁରସ୍କାର ଦିଆଯିବ ବୋଲି ଘୋଷଣା କଲେ। ସେ ଜାଣିପାରି ଘୁମୁସର ଜଙ୍ଗଲରେ ଆତ୍ମଗୋପନ କଲେ। ସେଠାରୁ ଯାଇ କିଛି ଦିନ ଶ୍ଵଶୁର ଘର ସେରଗଡ଼ରେ ଅବସ୍ଥାନ କଲେ। ଏହି ସମୟରେ ଖୋର୍ଦ୍ଧାର ପାଇକମାନେ ଗୁପ୍ତରେ ବକ୍ସିଙ୍କୁ ସହାୟତା ପ୍ରଦାନ କରୁଥିଲେ।
ବିଗେଡିୟର ଜେନେରାଲ୍ ଥୋମାସ ଖବର ପାଇ ଘୁମୁସର ଅଞ୍ଚଳରେ ଚଢ଼ାଉ କଲେ । ହେଲେ ବକ୍ସିଙ୍କୁ ଧରିପାରିଲେ ନାହିଁ। ଶେଷରେ ନିରାଶ ହୋଇ ଘୋଷଣା କଲେ ଯେ ବକ୍ସି ଯଦି ଆତ୍ମସମର୍ପଣ କରନ୍ତି ତେବେ ତାଙ୍କ ଜୀବନ ପ୍ରତି ବିପଦ ନାହିଁ। ହେଲେ ବକ୍ସି ଇଂରେଜମାନଙ୍କ ଘୋଷଣାକୁ ଭ୍ରୂକ୍ଷେପ କଲେ ନାହିଁ। ଇଂରେଜ କମିଶନର ଟି. ପାକେନ୍ ହାସ ବ୍ରିଟିଶ୍ ସର୍ତ୍ତ ରାଜି କରାଇବା ପାଇଁ ନୟାଗଡ଼ ରାଜାଙ୍କୁ ପରୱାନା ପଠାଇଲେ। ସର୍ତ୍ତ ଥିଲା ବକ୍ସିଙ୍କର ଭରଣପୋଷଣ ପାଇଁ ଇଂରେଜ ସରକାର ଶହେ ଟଙ୍କା ଭତ୍ତା ଦେବେ। ଏଥିରେ ବକ୍ସିଙ୍କର ମର୍ଯ୍ୟାଦା ହାନି ହେବ ନାହିଁ ଜାଣି ନୟାଗଡ଼ ରାଜା ବକ୍ସିଙ୍କୁ ଆତ୍ମସମର୍ପଣ ପାଇଁ ଅନୁରୋଧ କଲେ।
୧୮୨୫ ମଇ ୨୭ ତାରିଖରେ ବକ୍ସି ଆତ୍ମସମର୍ପଣ କଲେ। କଟକରେ ଅବସ୍ଥାନ କରିରହିଲେ। ୧୮୨୯ ଜାନୁଆରୀ ୨୪ ତାରିଖରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଇହଲୀଳା ସମ୍ବରଣ କଲେ। ବାସ୍ତବରେ କହିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଥିଲେ ବୀର , ପାଇକ ବିଦ୍ରୋହର ମହାନାୟକ। ଭାରତର ଆଦ୍ୟ ସ୍ବାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ












Click it and Unblock the Notifications