Harishankar: ଚାଲ ବୁଲିଯିବା ହରିଶଙ୍କର; କେମିତି ଯିବେ, କଣ କଣ ଦେଖିବେ ?
ଶୀତ ଦିନ ଆସିଲେ ସମସ୍ତେ ବୁଲିବାକୁ ଇଛା କରନ୍ତି । ଆମେ ମନରେ ବାହାରକୁ ଯିବାକୁ ଆଗ୍ରହ ହୁଏ । ତେବେ ଚାଲନ୍ତୁ ଜାଣିବା ବଲାଙ୍ଗୀରର ଶୈବ ପୀଠ ହରିଶଙ୍କର ବିଷୟରେ । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏହାର ଦୂରତା ସଦର ମହକୁମାରୁ ପ୍ରାୟ ୮୦ କି.ମି ହେବ । ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତରାଞ୍ଚଳରେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଥିବାବେଳେ ଦକ୍ଷିଣରେ ରହିଛି ହରିଶଙ୍କର । ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ୱତନ୍ତ୍ରତା ରହିଛି ।
ହରିଶଙ୍କର ମନ୍ଦିର ଏବଂ ନୃସିଂହନାଥ ମନ୍ଦିର ମଧ୍ୟରେ ଅବସ୍ଥିତ ମାଳଭୂମିରେ ବୌଦ୍ଧ ଧର୍ମାଲମ୍ବୀଙ୍କଦ୍ୱାରା ନିର୍ମାଣ କରାଯାଇଥିବା ଧ୍ୱସ୍ତବିଧ୍ୱସ୍ତ ଏକ ପ୍ରାଚୀନ ପରିମଳଗିରି ବିଶ୍ୱବିଦ୍ୟାଳୟ ରହିଛି ।

ବଲାଙ୍ଗିରର ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଗଲେ ଆପଣ ହରିଶଙ୍କର ମନ୍ଦିର, ପାପହାରିଣୀ ଝରଣା, ସଲ୍ଡେନ୍ ପଥର ଆଦି ଦେଖିବା ସହ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରିବେ।ଗନ୍ଧମାର୍ଦ୍ଦନ ପର୍ବତରୁ ବାହାରିଥିବା ଏକ ଝରଣା ଏହି ମନ୍ଦିର ଦେଇ ବହିଯାଇଛି। ଏହାକୁ ସ୍ଥାନୀୟ ଲୋକେ ପାପହାରିଣୀ ଝରଣା ବୋଲି କହିଥାନ୍ତି। ଏହି ଝରଣାର ଶୀତଳ ଜଳରେ ସ୍ନାନ କରି ହରିଶଙ୍କରଙ୍କୁ ପୂଜା କଲେ ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିଶ୍ଵାସ ରହିଛି। ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ନିଜ ମନୋବାଞ୍ଛା ପୂରଣ କରିବା ପାଇଁ ଏଠାକୁ ଆସିଥାନ୍ତି।ହରିଶଙ୍କର ମନ୍ଦିର ପାଖ ଦେଇ ଯାଇଥିବା ଝରଣାର ପାଣି ଗଡ଼ାଣିଆ ପଥର ଶଯ୍ୟା ଉପରେ ପ୍ରବାହିତ ହୋଇଥାଏ। ଏହି ପଥର ଶଯ୍ୟାକୁ ଲୋକମାନେ 'ସଲ୍ଡେନ୍ ପଥର' ବୋଲି କହିଥାନ୍ତି। ସବୁଦିନ ପାଣି ପ୍ରବାହିତ ହେଉଥିବାରୁ ପଥର ଶଯ୍ୟାଟି ଖୁବ୍ ଚିକ୍କଣ। ଏହି ପଥର ଶଯ୍ୟାରେ ଗାଧୋଇବା ଓ ଜଳକ୍ରୀଡ଼ା କରିବା ପାଇଁ ସବୁ ପ୍ରକାର ସୁବିଧା ରହିଛି। ଏଣୁ ସଲ୍ଡେନ୍ ପଥର ପର୍ଯ୍ୟଟକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିଥାଏ।
ସୁନ୍ଦର ହରିଣ ଉଦ୍ୟାନ
ଗନ୍ଧମାର୍ଦ୍ଦନ ପାହାଡ଼ର ପାଦ ଦେଶରେ ଏକ ସୁନ୍ଦର ହରିଣ ଉଦ୍ୟାନ ରହିଛି। ତା ସହ ଗନ୍ଧମାର୍ଦ୍ଦନ ପାହାଡ଼ର ଉତ୍ତର ଦିଗରେ ରହିଛି ନୃସିଂହନାଥ ମନ୍ଦିର। ହରିଶଙ୍କର ଓ ନୃସିଂହନାଥ ମନ୍ଦିର ଗୋଟିଏ ପର୍ବତର ଦୁଇ ବିପରୀତ ଦିଗରେ ରହିଛି। ତେଣୁ ଏହି ଦୁଇ ପୀଠ ମଧ୍ୟରେ ୧୬ କିଲୋମିଟର ବିଶିଷ୍ଟ ଏକ ପାଦଚଲା ରାସ୍ତା ରହିଛି। ଏହି ରାସ୍ତା ଦେଇ ଲୋକମାନେ ଚାଲି ଚାଲି ଗୋଟିଏ ପୀଠରୁ ଅନ୍ୟ ପୀଠକୁ ଯାଇଥାନ୍ତି।ହରିଶଙ୍କରରେ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ଜୀବଜନ୍ତୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥାଏ। ଯଦି ଆପଣ ପ୍ରକୃତିକୁ ଅତି ନିକଟରୁ ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ହରିଶଙ୍କରରେ ଆପଣଙ୍କ ଇଚ୍ଛା ପୂରଣ ହୋଇଯିବ।
ଇତିହାସ
୧୪ଶହ ଶତାବ୍ଦୀରେ ପଶ୍ଚିମ ଓଡ଼ିଶାର ଚୌହାନ ରାଜବଂଶର ରାଜାଙ୍କୁ ହରିଶଙ୍କର ପ୍ରତିମୂର୍ତ୍ତୀ ବିଷୟରେ ସୂଚନା ମିଳିଥିଲା । ଏହା ପରଠାରୁ ସେହି ସ୍ଥାନରେ ହରିଶଙ୍କରଙ୍କର ପୂଜା ହୋଇଆସୁଛି । ନୃତ କରୁଥିବା ଏକ ଗଣେଶଙ୍କ ଛବି ମଧ୍ୟ ମିଳିଥିଲା, ଯାହାକି ୧୨ଶହ ଶତାବ୍ଦୀର ପ୍ରାରମ୍ଭର ବୋଲି ଅନୁମାନ କରାଯାଏ । ଏହା ପରେ ମହାରାଜ ବିଜଳ ଦେବ ଚୌହାନଙ୍କର ପତ୍ନୀ ଦୁର୍ଲଭା ଦେବୀଙ୍କ ନିର୍ଦ୍ଦେଶରେ ସେହି ସ୍ଥାନରେ ମନ୍ଦିରଟି ନିର୍ମାଣ ହୋଇଥିଲା । ଏହି ମନ୍ଦିରର ଆକର୍ଷଣୀୟ ରୂପରେଖ ଏବଂ ଉତ୍ତମ ନିର୍ମାଣଶୈଳୀ ପାଇଁ ଅନେକଙ୍କର ଦୃଷ୍ଟି ଆକର୍ଷଣ କରିଛି । ଏହି ମନ୍ଦିରଟିର ନିରମାଣ ଶୈଳୀ ଓଡ଼ିଶାର ଅନ୍ୟାନ୍ୟ ମନ୍ଦିର ଅପେକ୍ଷା କିଛି ଭିନ୍ନ ପରିଲକ୍ଷିତ ହୋଇଥାଏ ।
ପ୍ରଥମେ ଯମୁନା ନାମକ ଜଣେ କନ୍ଧ ମହିଳା ହରି-ଶଙ୍କରଙ୍କୁ ଦର୍ଶନ କରିଥିଲେ । ଏଠାରେ ପୂଜକମାନେ ହେଉଛନ୍ତି କନ୍ଧ-ଆଦିବାସୀ ସଂପ୍ରଦାୟର । ଆଦିବାସୀ ସଂସ୍କୃତି ଅନୁଯାୟୀ ଏଠାରେ ପୂଜାର୍ଚ୍ଚନା କରାଯାଏ । ବୈଶାଖ ମାସର ନରସିଂହ ଚତୁର୍ଦ୍ଦଶୀ ହେଉଛି ହରି-ଶଙ୍କରଙ୍କର ମୁଖ୍ୟ ପର୍ବ । ସେହି ଦିନକ ପାଇଁ ସନ୍ଧ୍ୟା ଆଳତୀରେ ଗନ୍ଧମାର୍ଦ୍ଦନ ପାହାଡ଼ରୁ ସଂଗ୍ରହ କରାଯାଇଥିବା ପିଟକନ୍ଦା ଭୋଗ ଲାଗି ହୁଏ । ଅନ୍ୟାନ୍ୟ ଦିନ ମାନଙ୍କରେ ସ୍ଥାନୀୟ ଫଳ ଲାଗି ହୁଏ ।
ଅବସ୍ଥିତି
ହରିଶଙ୍କର ମନ୍ଦିର ବଲାଙ୍ଗୀର ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ । ରେଳ ଯୋଗେ ଗଲେ, ହରିଶଙ୍କର ରୋଡ଼ ଷ୍ଟେସନଠାରୁ ୩୨ କିଲୋମିଟରର ଦୂରରେ ଅବସ୍ଥିତ । ବଲାଙ୍ଗୀର ଏବଂ ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ଏହି ମନ୍ଦିରଟି । ଭଗବାନ ଶଙ୍କର ଏବଂ ବିଷ୍ଣୁଙ୍କର ଆବିର୍ଭାବ ପରେ ଏହି ସ୍ଥାନଟିକୁ ସେମାନଙ୍କର ଜୁଗଳ ମୂର୍ତ୍ତୀ ପାଇଁ ହରିଶଙ୍କର ଭାବେ ନାମିତ କରାଯାଇଛି ।
ଗନ୍ଧମାର୍ଦ୍ଦନ ପର୍ବତରୁ ବାହାରିଥିବା ଝରଣାଟିଏ ଏହି ମନ୍ଦିରକୁ ଲାଗିକି ରହିଛି । କିମ୍ବଦନ୍ତୀ ଅନୁସାରେ କେହି ଜଣେ ସେହି ସ୍ଥାନରେ କିଛି ଖୋଳୁଥିବା ବେଳେ ପାହାଡରୁ ପାଣିଝରଟିଏ ସୃଷ୍ଟି ହୋଇଥିଲା ଏବଂ ସେହି ପାଣିଝରଟି ଝରଣାର ରୂପ ନେଇଥିଲା ।
ଗୋଟିଏ ସ୍ଥାନରେ ଝରଣାର ପାଣି ଗଡ଼ାଣିଆ ପଥର ଶଯ୍ୟା ଉପର ଦେଇ ପ୍ରବାହିତ ହେଉଥାଏ । ଏହି ପଥର ଶଯ୍ୟାକୁ ସ୍ଥାନୀୟ ଲୋକେ 'ସଲ୍ଡେନ୍ ପଥର' ବୋଲି କୁହନ୍ତି । ଏହି ପଥର ଶଯ୍ୟା ଖୁବ୍ ଚିକ୍କଣ । ଏହା ହେଉଛି ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ । ଏଠାରେ ଗାଧୋଇବା ଓ ଜଳକ୍ରୀଡ଼ା କରିବା ପାଇଁ ସବୁ ପ୍ରକାର ସୁବିଧା ଅଛି ।
ପର୍ବ ପର୍ବାଣି
ସମସ୍ତ ଏକାଦଶୀ ଏବଂ ସଂଙ୍କ୍ରାନ୍ତି
ଶିବ ରାତ୍ରୀ
ମକର ସଂଙ୍କ୍ରାନ୍ତି
ମାଘ ମେଳା
ହରିଶଙ୍କର ମନ୍ଦିରରେ ଦିନ ୧୨.୩୦ରୁ ୩.୦୦ ଯାଏ ଭକ୍ତମାନଙ୍କ ଭୋଜନର ବନ୍ଦୋବସ୍ତ ହୋଇଥାଏ । ଏହିଠାରେ ଭୋଜନ କରିବାକୁ ହେଲେ, ସକାଳୁ ପଞ୍ଜୀକରଣ କିରବାକୁ ପଡ଼ିଥାଏ ।
କେମିତି ଯିବେ : ଭୁବନେଶ୍ଵର ଠାରୁ ହରିଶଙ୍କର ୪୦୦ କିମି । ଆଉ ବସ ମଧ୍ୟ ସଦାବେଳେ ଆସେ । ଆପଣ ଟ୍ରେନରେ ଆସିବାକୁ ଚାହିଁଲେ ହରିଶଙ୍କର ରୋଡ ଠାରେ ଓହ୍ଲାଇବାକୁ ପଡ଼ିବ ।












Click it and Unblock the Notifications