ଦଶହରାରେ କାହିଁକି ଏହି ବଳଦ ଯାତ୍ରା ? ପଢନ୍ତୁ ଆଉ ଜାଣନ୍ତୁ

ଦଶହରାରେ ବଳଦ ଯାତ୍ରା । ଆଜ୍ଞା ହଁ ନିଆରା ପରମ୍ପରା । ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମରେ ଏହା ଦେଖିବାକୁ ମିଳେ । ପ୍ରତିବର୍ଷ ଦଶହରାରେ ଏହି ଯାତ୍ରା ହୁଏ । ଏହି ଯାତ୍ରାରେ ଲୋକେ ବଳଦମାନଙ୍କୁ ଆଦର ସହକାରେ ପୂଜାର୍ଚ୍ଚନା କରି ଭସାଣି ଶୋଭାଯାତ୍ରାରେ ସାମିଲ କରିଥାନ୍ତି ।

କଣ ରହିଛି କିମ୍ବଦନ୍ତୀ ?

ପୂର୍ବେ ଏହି ଗାଁର ଥୋଡ଼ିଆ ଓ ବଣିଆ ସମ୍ପ୍ରଦାୟର ବ୍ୟବସାୟୀମାନେ ଶଗଡ଼ ଗାଡ଼ି ସାହାଯ୍ୟରେ ଯାତାୟତ ଓ ଜିନିଷ ପରିବହନ କରୁଥିଲେ । ବଳଦିଆ ଜାତିର ଲୋକେ ଶଗଡ଼ ଚଳାଉ ଥିଲେ । ବଳଦଙ୍କ ଲାଗି ଆଖ ପାଖ ଅଂଚଳରେ ବ୍ୟବସାୟ ବଣିଜ ଭଲ ଚାଲିଥିଲା । ଦଶହରା ସମୟରେ ବ୍ୟବସାୟ ହିସାବ କିତାବ, ଦୋକାନ ସାଜ୍ଜ ସଜ୍ଜା, ଖାତା ପୂଜା ଆଦି ହେଉଥିବା ଯୋଗୁଁ ବ୍ୟବସାୟ କିଛିଦିନ ସ୍ଥଗିତ ରହିବା ଫଳରେ ବଳଦଙ୍କୁ ବିଶ୍ରାମ ମିଳେ । ତେଣୁ ଗ୍ରାମବାସୀ ଏହି ସମୟରେ ବଳଦଙ୍କୁ ଶ୍ରଦ୍ଧା ଓ ଆଦର ପୂର୍ବକ ଖାଇବା ଏବଂ ସମ୍ମାନ ଦେଇଥାନ୍ତି । ବଳଦଙ୍କୁ ମାଳି, ଅଳଙ୍କାର, ଘଣ୍ଟି, ଘାଗୁଡ଼ି, ପର, ରଙ୍ଗୀନ ଭେଲଭେଟ କନା ଆଦିରେ ସୁସଜ୍ଜିତ କରି ଗ୍ରାମଦେବତୀଙ୍କ ପାଖକୁ ନେଇ ପୂଜାର୍ଚ୍ଚନା କରିଥାନ୍ତି । ମନ୍ଦିର ଚାରିପଟେ କିଛି ଘେରା ବୁଲେଇ ଘରକୁ ଆଣନ୍ତି ।

balada_jatra

ବଳଦଙ୍କୁ ବନ୍ଦାପନା
ବଣିଜ ବେପାରକୁ ଶୁଭ ଓ ସଫଳ କରିବା ପାଇଁ ମା' ବଣିଜାରୀ ଦେବୀଙ୍କୁ ବହୁକାଳରୁ ଏଠାରେ ପୂଜା କରିବାର ପ୍ରଥା ଅଛି । ମହାଳୟା ପୂର୍ବରୁ ଥୋରିଆ ଓ ବଳଦିଆ ଜାତିର ସ୍ତ୍ରୀ ଲୋକମାନେ ଘରଦ୍ୱାର ଲିପାପୋଛା କରିବା ପରେ ଖଣ୍ଡା, ମାଣ, ତାମ୍ବି, ଘଣ୍ଟ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସଫା କରି ପୂଜାର୍ଚ୍ଚନା କରି ରଖିଥାଆନ୍ତି । ପରିବାରର ସମସ୍ତେ ନୂଆ ପରିଧାନ କରି ଦଶ ଜାତିର ଫୁଲ, ଫଳ ଏବଂ ଆରିସା ପିଠା ପ୍ରସ୍ତୁତ କରି ଗାଁ ମା' ମଙ୍ଗଳାଙ୍କୁ ପୂଜା କରାଯାଏ । ଘର ଦୁଆର ଓ ଅଗଣାରେ ଝୋଟି-ମୁରୁଜ ବୁଣାଯାଏ । ପ୍ରତ୍ୟେକ ଘରକୁ ସାଜସଜ୍ଜା ସହ ଘର ସମ୍ମୁଖରେ ପୂର୍ଣ୍ଣ କଳସ ରଖାଯାଏ । ପର୍ବର ପ୍ରଥମ ଦିନ ଅର୍ଥାତ ବିଜୟା ଦଶମୀରେ ଶୁଭଖୁଣ୍ଟ ବା ବନ୍ଦାଣଖୁଣ୍ଟକୁ ପୂଜାର୍ଚ୍ଚନା କରାଯାଏ । ଏହି ଖୁଣ୍ଟକୁ ପର୍ବ ପୂର୍ବରୁ ମଙ୍ଗଳବାର କିମ୍ବା ସଂକ୍ରାନ୍ତି ତିଥିରେ ସାହି ଦାଣ୍ଡରେ ସ୍ଥାପନ କରାଯାଏ । ମା'ଙ୍କ ଆସ୍ଥାନରେ ନାଲି ରଙ୍ଗରେ ପିଠଉର ଚିତା କୁଟା, ଫୁଲହାର ସିନ୍ଦୁର ଶୋଭିତ ଏକ ଖୁଣ୍ଟକୁ ପୂଜା କରାଯାଏ ।

ବର୍ଷଯାକ ଏହା ଥାଏ ଏବଂ ନୂଆ ଖୁଣ୍ଟ ପୋତା ହେବା ପରେ ପୁରୁଣା ଖୁଣ୍ଟକୁ ପାଣିରେ ବିସର୍ଜନ କରାଯାଏ । ଘରର ମହିଳାମାନେ ବନ୍ଦାଣ ଖୁଣ୍ଟକୁ ପୂଜା କରିଥାଆନ୍ତି । ବନ୍ଦାଣ ଖୁଣ୍ଟରେ ବଳଦକୁ ବନ୍ଧାଯିବା ସମୟେ ଅଇଁଠା ଖାଦ୍ୟ ଦିଆଯାଇନଥାଏ । ବଳଦକୁ ବନ୍ଦାଣ ଖୁଣ୍ଟରେ ବନ୍ଧାଯିବା ସମୟରେ କେହି ବାହାର ଲୋକ ସ୍ପର୍ଶ କରନ୍ତି ନାହିଁ । ସ୍ପର୍ଶ କଲେ ବଳଦ ଅମାନିଆ ହେବାର ଭୟ ଥାଏ । ତେଣୁ ବଳଦକୁ ଉକ୍ତ ଖୁଣ୍ଟରୁ ଖୋଲିଦିଆଯିବା ପରେ ଆଉ କୌଣସି ଛୁଆଁଅଛୁଆଁ ଭେଦଭାବ ନଥାଏ । ବଳଦ ନ ହୁରୁଡ଼ିବା ପାଇଁ ଖୁଣ୍ଟପୂଜା ମାଧ୍ୟମରେ ବଳଦକୁ ମନ୍ତୁରା ଯାଏ । ରାତ୍ରୀ ପଟୁଆରର ଉଚ୍ଚ ଧ୍ୱନି ମଧ୍ୟରେ ବଳଦଟି ୩/୪ କିମି ଚାଲି ଚାଲି ଯିବାକୁ ହୁଏ । ବଳଦଟି ଉଚ୍ଚ ଶବ୍ଦ ସହ ପରିଚିତ ହେଲେ ଯାଇ ଶୋଭାଯାତ୍ରାରେ ଭାଗନେଇପାରେ । ପ୍ରଶିକ୍ଷଣ ପାଇବା ପରେ ସେହି ବଳଦ ଆଉ ହୁରୁଡ଼ି ନଥାଏ ।

ଦଶହରା ଶେଷ ଦିନ ବଳଦଯାତ୍ରା, ଦୁର୍ଗାମେଢ଼ ଭସାଣି ଯାତ୍ରା ଓ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ପାଲାମଣ୍ଡପଠାରେ ରାତି ୯ଟାରେ ରାବଣପୋଡ଼ି କାର୍ଯ୍ୟକ୍ରମ ଶେଷ ହେବା ପରେ ରାତି ୧୦ଟାରେ ଦୁର୍ଗାମେଢ଼ ଓ ବିଭିନ୍ନ ସାହିରୁ ଦଶରା ବଳଦ ଶୋଭାଯାତ୍ରାରେ ବାହାରି ଗୁଜୁରୀହାଟଠାରେ ଏକତ୍ରିତ ହୋଇ ଭସାଣୀଯାତ୍ରା ଆରମ୍ଭ କରିଥାନ୍ତି । ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ ସୁସଜ୍ଜିତ ବିମାନ ଓ ଦଶହରାବଳଦ, ଦୁର୍ଗାମେଢ଼ ଆଗରେ କ୍ରମାନ୍ୱୟରେ ଦୁର୍ଗାଛକ, ଲକ୍ଷ୍ମୀଛକ, ଚମାରସାହି, ବଣିଆସାହି, ବ୍ରାହ୍ମଣୀଦେବୀ ଛକ, ରାଉତ ସାହି, ବେହେରା ସାହି, ବାଜିଛକ, ବଡ଼ହାଟ, ଗଣେଶବଜାର ଦେଇ ପରଦିନ ସକାଳେ ନୂଆବଜାରଠାରେ ପହଞ୍ଚିଥାଆନ୍ତି ।

ସର୍ବପ୍ରଥମେ ଭୁବନର ଐତିହାସିକ ବଳଦଯାତ୍ରାର ସ୍ରଷ୍ଟା ଥୋରିଆ ସମାଜଙ୍କ ଆରାଧ୍ୟ ଦେବୀ ବଣିଜାରୀଙ୍କ ପରେ ଭୁବନର ପ୍ରଥମ ଦୁର୍ଗାମେଢ଼ ବନଦୁର୍ଗା, ନୂଆଭୁବନ, ହରପାର୍ବତୀ, ବାଜିଛକ, ପୋଥାଳ ସାହି, ସେନସାହି, କ୍ଲାସିକ କ୍ଳବ, ଗଡ଼ଗଁପୁର, ହାଟୁଆବଣିକ ସଂଘ ଓ ଶେଷରେ ଗୁଜୁରୀହାଟ ଦେଶ ଦୁର୍ଗା ମେଢ଼ ପହଞ୍ଚିବା ପରେ ନୂଆବଜାରରେ ମେଳଣ ହୋଇଥାଏ । ମେଳଣ ପରେ ମା ଦୁର୍ଗା ମେଲାଣି ନେଇଥାନ୍ତି । ଦଶରା ବଳଦଯାତ୍ରାରେ ବାଘନାଚ, ଷଣ୍ଢ ଲଢ଼େଇ, ଲୋକନୃତ୍ୟ ସାଙ୍ଗକୁ ଶିଙ୍ଗବାଜା,ବୀର ବାଦ୍ୟ, ଅର୍କେଷ୍ଟ୍ରା, ଡିଜେ ଶବ୍ଦରେ ଭୁବନ କମ୍ପିଥାଏ ।

ଭୁବନର ଐତିହାସିକ, ପାରମ୍ପରିକ ଓ ଗଣପର୍ବ ଭାବେ "ଦଶହରା ବଳଦ ଯାତ୍ରା" ଓ ଦୁର୍ଗାମେଢ଼ ଭସାଣୀ ଯାତ୍ରା ଜଣା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+