କାହାଣୀ: ଆସନ୍ତୁ ଜାଣିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ କିପରି କରିଥିଲେ ବନ୍ଧୁ ଚର୍ଚ୍ଚା

ସେ କହୁଥିଲେ ମୋର ଜଣେ ବନ୍ଧୁ ଅଛନ୍ତି । ସେ ଶ୍ରୀକ୍ଷେତ୍ରରେ ରୁହନ୍ତି । ନିହାତି ଅସୁବିଧା ହେବାରୁ ସେ ଗଲେ ବନ୍ଧୁଘରକୁ । ତାଙ୍କ ବନ୍ଧୁ ହେଉଛନ୍ତି ସମଗ୍ର ସଂସାରର ତ୍ରାଣକର୍ତ୍ତା, ଲୀଲାମୟ ଠାକୁର । ସ୍ଵୟଂ ଜଗନ୍ନାଥ । ଆସନ୍ତୁ ପଢିବା ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ'ଙ୍କ ଅନନ୍ୟ ଭକ୍ତ ଯାଜପୁରିଆ ବନ୍ଧୁ, ବନ୍ଧୁ ମହାନ୍ତିଙ୍କ କାହାଣୀ ।

Bandhu Mahanty

ବହୁଦିନ ତଳର କଥା

ବହୁଦିନ ତଳର କଥା । ଯାଜପୁରରେ ରହୁ ଥିଲେ ବନ୍ଧୁ ମହାନ୍ତି । ଉତ୍କଟ ଦାରିଦ୍ର୍ୟତା ମଧ୍ୟରେ ଭିକ୍ଷା ମାଗି ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁ ଥାଆନ୍ତି, ଦିନେ ଗଲେ ଯୁଗ ଗଲା ପରି। କାଲି ପାଇଁ କିଛି ଚିନ୍ତା ନାହିଁ, ଆଜିଟା ହିଁ ସବୁ କିଛି । ସବୁ ପ୍ରଭୁଙ୍କ ଇଚ୍ଛା, ସିଏ ପରା ସାରା ଜଗତ ଦେଖୁଛି । କାଲି ପାଇଁ ବ୍ୟବସ୍ଥା ସିଏ କରି ଦେବ ନାହିଁ କି !
ଭକ୍ତ ବନ୍ଧୁ ମହାନ୍ତି ଏହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଚଳା ଭକ୍ତି ଏବଂ ଅଟଳ ଆସ୍ଥା ରଖି ଦୁଃଖରେ କାଳାତିପାତ କରୁଥାନ୍ତି । ପତ୍ନୀ ବେଳେ ବେଳେ କିଛି କହିଲେ ସେ କହନ୍ତି, ମୋର ଜଣେ ବନ୍ଧୁ ଅଛନ୍ତି ଜଗବନ୍ଧୁ, ସେ ସବୁ ଠିକ କରିଦେବ । ସ୍ତ୍ରୀ କେତେବେଳେ କେମିତି ବିରକ୍ତ ହୋଇଯାଇ କହନ୍ତି, "କି ପାଗକ ଲୋକଟା ହେ ! ଏ ବେଳେ ଖାଇଲେ ଆର ବେଳକୁ ଛୁଆଙ୍କ ପାଇଁ କିଛିନାହିଁ, ୟାଙ୍କର କୋଉ ବନ୍ଧୁ ଅଛି,ସବୁ ଠିକ କରିଦେବ"। ଆଉ ବେଳେ ବେଳେ ତାଙ୍କୁ ମଧ୍ୟ କୁହନ୍ତି ଚାଲୁନ ତୁମ ବନ୍ଧୁ ଘରୁ ଥରେ ବୁଲି ଆସିବା । ମହାନ୍ତିଏ କହନ୍ତି ଆରେ ମୋ ବନ୍ଧୁ କଅଣ ଏମିତି ସେମିତି ଲୋକ କି, ତା ପାଖକୁ ଯେତେ ବେଳେ ଚାହିଁବ ଚାଲିଯିବ । ତା'ର ବଡ଼ ଦେଉଳ,ବଡ଼ ଦାଣ୍ଡ,ସବୁ ତା'ର ବଡ଼ । ଏମିତି ଦୁଃଖେ ସୁଖେ ଦିନ କଟୁଥାଏ ।

ଦେଶରେ ଥରେ ବଡ଼ ଅକାଳ ପଡ଼ିଲା

ଦେଶରେ ଥରେ ବଡ଼ ଅକାଳ ପଡ଼ିଲା । ଦୁର୍ଭିକ୍ଷର କରାଳ ଛାୟା । ଚାରିଆଡ଼େ ହା ଅନ୍ନର ଚିତ୍କାର । ଭିକ୍ଷାର ଘୋର ଅଭାବ । ଭିକ୍ଷା ଜୀବି ବନ୍ଧୁଆଙ୍କ ଜୀବନ ବଡ଼ ଦୁର୍ବିସହ ହୋଇ ପଡ଼ିଲା । ତାଙ୍କୁ ତାଙ୍କର ସ୍ତ୍ରୀ କହିଲେ; ଏତେ କଷ୍ଟ ପଡ଼ିଲାଣି ଏଥର ଚାଲ ତୁମ ବନ୍ଧୁଘରକୁ ଯିବା । ତାଙ୍କୁ ଯାଇ ଦୁଃଖ ଜଣାଇବା । ମହାନ୍ତିଏ କୁନ୍ତୁ କୁନ୍ତୁ ହୋଇ ବହୁ କଷ୍ଟରେ ରାଜି ହେଲେ । ତହିଁ ପର ଦିନ ତିନୋଟି ପିଲା ଓ ସ୍ତ୍ରୀଙ୍କୁ ଧରି ଚାଲିଲେ ବନ୍ଧୁଘର ଶ୍ରୀକ୍ଷେତ୍ର ।

draught

ଦୂଇଟି ଛୋଟ ପିଲାଙ୍କୁ ସେ କାନ୍ଧରେ ବୋହି ନେଉଥାନ୍ତି । ଜନଶୁନ୍ୟ ରାଜପଥ । ଚାରିଦିନ କାଳ ଉପାସ ଓ ଭୋକରେ ବାଟ ଚାଲିଚାଲି ପହଞ୍ଚିଲେ ଯାଇ ବନ୍ଧୁ ଘର ଶ୍ରୀକ୍ଷେତ୍ରରେ । ଅନେକ ରାତି ହୋଇ ଯାଇ ଥାଏ । ଶ୍ରୀମନ୍ଦିର ସିଂହଦ୍ୱାର ପହଡ଼ ହୋଇ ସାରି ଥାଏ । ପହରା ଦେଉଥିବା ବେତୁଆମାନଙ୍କୁ ଇଏ ମୋର ବନ୍ଧୁଙ୍କ ଘର ନା, ବୋଲି ପଚାରିଲେ । ଏ ଲୋକଟା ପାଗଳ ବୋଲି ଭାବି ସେମାନେ ତାଙ୍କୁ ଘଉଡ଼ାଇ ଦେଲେ । ଚାରି ଦିନ ବାଟ ଚାଲି ଚାଲି ଦେହ ଅବଶ,କାହା ପେଟରେ ଦାନା ମୁଠେ ପଡ଼ି ନାହିଁ । କଣ କରିବେ ପିଲାମାନଙ୍କୁ ଓ ସ୍ତ୍ରୀଙ୍କୁ ଡାକି ନେଲେ ଦକ୍ଷିଣଦ୍ଵାର ପାଚେରି କଡ଼କୁ ଥିବା ବର ଗଛ ମୂଳକୁ । ସେଇଠି ବନ୍ଧୁଙ୍କ ରୋଷଘର ପେଜ ନଳାରୁ ମୁନ୍ଦେମୁନ୍ଦେ ପେଜ ପିଇ ପୁରୁଣା ମଇଳା ଗାମୁଛାକୁ ପାରି ଶୋଇ ପଡ଼ିଲେ ସମସ୍ତେ । ଥକା ହୋଇ ଥିବାରୁ ନିଘୋଡ଼ ନିଦରେ ସମସ୍ତେ ଶୋଇ ପଡ଼ିଥାନ୍ତି । ସାଇଁ ସାଇଁ ନିଶା ଗରଜୁଥାଏ । ରାତି ଅଧ ବେଳକୁ କାହାର ଡାକ ଶୁଣି ଛଟ କରି ନିଦ ଭାଙ୍ଗି ଗଲା ବନ୍ଧୁ ମହାନ୍ତିଙ୍କର । ସ୍ଵରଟି ଲାଗୁଥାଏ ଅତି ଚିହ୍ନା ଭଳି । ପୁଣି ଶୁଭିଲା ଡାକ: "ବନ୍ଧୁ ! ହୋ ଯାଜପୁରିଆ ବନ୍ଧୁ !

ପେଜନଳା ପାଖରେ ଶୋଇ ପଡ଼ିଲ କି ? ମୁଁ ଡାକୁଛି ଆସ, ଦେଖ ତୁମ ପାଇଁ ମୁଁ କେତେ ରକମର ଖାଦ୍ୟ ଆଣିଛି, ୟାକୁ ନିଅ, ପିଲାମାନଙ୍କୁ ଖୁଆଇ ନିଜେ ଖାଅ,ବନ୍ଧୁଘରେ କଣ ଏମିତି ଉପାସଟାରେ ଶୋଇବ ।" ଚମକି ପଡ଼ିଲେ ଯାଜପୁରିଆ ବନ୍ଧୁ ।

sri mandir

ଦଉଡ଼ି ଗଲେ ସେହି ଦକ୍ଷିଣ ଦ୍ୱାର ଆଡ଼କୁ ଯେଉଁ ଆଡ଼ୁ ଏ ସ୍ୱରଟି ଭାସି ଆସୁ ଥିଲା । ଦେଖିଲେ ଜଣେ ବ୍ରାହ୍ମଣ ହାତରେ ସୁବର୍ଣ୍ଣ ଥାଳି ଧରି ଠିଆ ହୋଇଛନ୍ତି । ମହମହ ବାସ୍ନାରେ ଚତୁଃର୍ଦିଗ ବାସି ଉଠୁଛି । ଥାଳିରେ ଭରା ସୁସ୍ବାଦୁ ଅନ୍ନ ବ୍ୟଞ୍ଜନ । "କ'ଣ ବନ୍ଧୁ ଶୋଇପଡ଼ିଥିଲ କି"? କହି ସେ ଥାଳିଟି ବଢ଼ାଇ ଦେଇ କୁଆଡ଼େ ଉଭାନ ହୋଇଗଲେ । ନିଦରୁ ଉଠାଇ ପିଲାଙ୍କୁ ଖାଇବାକୁ ଦେଲେ ମହାନ୍ତିଏ । ପତ୍ନୀ ପଚାରିଲାରୁ କହିଲେ ବନ୍ଧୁ ଆସିଥିଲେ ଦେଇ ଯାଇଛନ୍ତି । ସମସ୍ତେ ଖାଇ ସାରିଲା ପରେ ମହାନ୍ତିଏ ଥାଳିଟି ଫେରାଇବାକୁ ଯାଇ ଦେଖନ୍ତି ତ ଆଉ କେହିନାହିଁ । ମହା ମୁସ୍କିଲ, କରିବେ କ'ଣ । ସ୍ବର୍ଣ୍ଣଥାଳିକୁ ମଇଳା ଗାମୁଛାରେ ଗୁଡ଼ାଇ ମୁଣ୍ଡ ତଳେ ଯାକି ଶୋଇ ପଡ଼ିଲେ ।

ହୁରି ପଡିଲା ଶ୍ରୀମନ୍ଦିରରେ: ରତ୍ନ ଥାଳି ଚୋରୀ ହୋଇଯାଇଛି

ratna ଥାଳି

ସକାଳୁ ସେବାୟତମାନେ ମହାପ୍ରଭୁଙ୍କୁ ରାତିରେ ଲାଗି ହୋଇ ଥିବା ରତ୍ନ ଥାଳି ନଥିବା ଦେଖିଲେ । ବହୁ ଖୋଜାଖୋଜି ପରେ ଥାଳି ଆଉ ନମିଳିବାରୁ ରାଜାଙ୍କୁ ଜଣାଇ ଦିଆଗଲା ଯେ ମହାପ୍ରଭୁଙ୍କ ରତ୍ନ ଥାଳି ଚୋରି ଯାଇଛି । ଥାଳି ଖୋଜା ଚାଲିଥାଏ । ହଠାତ ସିପାହୀ ମାନେ ଦେଖିଲେ, ମହାପ୍ରଭୁଙ୍କ ରତ୍ନ ଥାଳିଟି ପେଜ ନଳା ପାଖରେ ଶୋଇଥିବା ଭିକାରୀ ମଇଳା ଗାମୁଛା ଭିତରେ । "ବେହିପୋ,ବାପଧନ ସାଇତି ରଖିଛି"କହି ବହେ ମାଡ଼ମାରି ତାକୁ ଚୋର ବୋଲି କହି ଘୋଷାରି ନେଇଗଲେ ରାଜ ନଅର ଆଡକୁ । ବୁଝାଇବା ପାଇଁ ସେ କିଛି କହିବାକୁ ଚାହୁଁଥାନ୍ତି,ହେଲେ ଚୋର କଥା ଶୁଣୁଛି କିଏ । ତାଙ୍କୁ ସିପାହୀମାନେ ନେଇ ଠୁଙ୍କି ଦେଲେ ବନ୍ଦୀଶାଳାରେ ।ଏପଟେ ଛୁଆ,ସ୍ତ୍ରୀ ଆତୁରହୋଇ ହାୟ ହାୟ କରୁଥାନ୍ତି । ବନ୍ଧୁ ମହାନ୍ତି ନିଶ୍ଚଳ ହୋଇ ମହାପ୍ରଭୁଙ୍କୁ ଧ୍ୟାନକରି କହୁଥାନ୍ତି," ବନ୍ଧୁ ମୋତେ ଡକାଇ ଆଣି ଶେଷରେ ଚୋର କରି ବନ୍ଧାଇଲୁ, ହଉ ସବୁ ତୋର ଇଚ୍ଛା ।"


ମହାପ୍ରଭୁ ସ୍ଵପ୍ନାଦେଶ ଦେଲେ ମହାରାଜାଙ୍କୁ

ମହାପ୍ରଭୁ କଣ ସ୍ଥିରହୋଇ ରହିପାରିବେ ଭକ୍ତର ବେଦନା ଦେଖି । ମହାପ୍ରଭୁଙ୍କ ସ୍ୱପ୍ନାଦେଶ ହେଲା ଖୋର୍ଦ୍ଧା ରଥିପୁର ଗଡ଼ରେ ଗଜପତି ପ୍ରତାପରୁଦ୍ର ଦେବଙ୍କୁ ,-
"ହେ ରାଜା !ତୁମେ କ'ଣ ତୁମର ବନ୍ଧୁଙ୍କୁ ଅଭ୍ୟର୍ଥନା କର ନାହିଁ । ତେବେ ମୋ' ବନ୍ଧୁଙ୍କୁ ମୁଁ ଅଭ୍ୟର୍ଥନା କଲି ଏଥିରେ ଅପରାଧ କ'ଣ ?
ମୋ ବନ୍ଧୁଙ୍କୁ ମୁଁ ରତ୍ନ ଥାଳିରେ ଅନ୍ନ ଦେଲି,ସେ ଚୋର ହେଲେ କିପରି ? ଯାଜପୁରିଆ ବନ୍ଧୁ,ବନ୍ଧୁ ମହାନ୍ତି ମୋର ପରମ ଭକ୍ତ, ଭୋକରେ ରାତିରେ ପେଜ ନଳା ନିକଟରେ ଚାରି ପରାଣୀ କୁଟୁମ୍ବଧରି ଶୋଇ ପଡ଼ିଥିଲା । ମୁଁ ତାକୁ ଅନ୍ନ ପରସି ଦେଇ ଥିଲି ।
ତାକୁ ଶୀଘ୍ର ବନ୍ଧନ ମୁକ୍ତ କର ।" ଏ ସ୍ବପ୍ନ ଦେଖି ରାଜାଙ୍କୁ ଆଉ ଜାଣିବାକୁ ବାକି ରହିଲା ନାହିଁ ଯେ ରତ୍ନଥାଳି ଚୋର ହେଉଛନ୍ତି ମହାପ୍ରଭୁଙ୍କ ପରମ ଭକ୍ତ ବନ୍ଧୁ ମହାନ୍ତି ।

ଗଜପତି ତା'ପର ଦିନ ପ୍ରତ୍ୟୁଷରୁ ଶ୍ରୀକ୍ଷେତ୍ରକୁ ଯାତ୍ରା କଲେ । ବନ୍ଧୁ ମହାନ୍ତିଙ୍କୁ ବନ୍ଧନମୁକ୍ତ କରି ସାଷ୍ଟାଙ୍ଗ ପ୍ରଣିପାତ କଲେ ଏବଂ ନେଇଗଲେ ସେଇ ପେଜନଳା ନିକଟକୁ ।
ତାଙ୍କ ନାମରେ ଅନ୍ନ ବସ୍ତ୍ର ଖଞ୍ଜା କରି ଦେଲେ । ବନ୍ଧୁଙ୍କୁ ନିଯୁକ୍ତ କଲେ ମହାପ୍ରଭୁଙ୍କ ସେବକ ଭାବେ । ଭକ୍ତ ବନ୍ଧୁ ମହାନ୍ତି "ଜଗବନ୍ଧୁଙ୍କ" ବନ୍ଧୁ,ଏ କଥା ଶ୍ରୀକ୍ଷେତ୍ର ସାରା ପ୍ରଚାରିତ ହୋଇଗଲା । ଲୋକେ ଜାଣିଲେ ଭକ୍ତ ବନ୍ଧୁ ମହାନ୍ତିଙ୍କ ମହିମା । ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ପେଜନଳା ନିକଟରେ ତିଆରି ହେଲା ତାଙ୍କ ଆଶ୍ରମ । ଏବେ ବି ଜରାଜୀର୍ଣ୍ଣ ଅବସ୍ଥାରେ ସେହି ଆଶ୍ରମ ଶ୍ରୀକ୍ଷେତ୍ରରେ ବିଦ୍ୟମାନ ଅଛି ଓ ପ୍ରଚାର କରୁଛି ଭକ୍ତ ଭଗବାନଙ୍କର ଅଭେଦ୍ୟ ସମ୍ପର୍କ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+