ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ
ଟି-୨୦ବିଶ୍ବକପ୍ ଫାଇନାଲ ଜିତି ଇତିହାସ ରଚିଲା ଭାରତ। ଘରୋଇ ମାଟିରେ ବଡ଼ ବିଜୟ ସହ ନ୍ୟୁଜିଲାଣ୍ଡଠାରୁ ବଦଲା ନେଇଛି ସୂର୍ଯ୍ୟ ବାହିନୀ । ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଫ୍ୟାନ୍ସଙ୍କ ମନ ଜିତିଛି ମେନ ଇନ୍ ବ୍ଲୁ । ଟିମ୍ ଇଣ୍ଡିଆର ଏହି ଐତିହାସିକ ବିଜୟ ପରେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି। ସେ ଲେଖିଛନ୍ତି ଯେ, ଚାମ୍ପିଅନ୍ସ ⭐⭐⭐ ଅହମ୍ମଦାବାଦରେ ଟିମ୍ ଇଣ୍ଡିଆର ବଡ଼ ବିଜୟ। ପୁରା ଟୁର୍ଣ୍ଣାମେଣ୍ଟରେ ଆମ ଖେଳାଳିମାନେ ଯେଉଁ ବିସ୍ଫୋରକ କ୍ରିକେଟ୍ ଖେଳିଥିଲେ ତାହା ଅତୁଳନୀୟ ଥିଲା। ଖେଳାଳିମାନେ କଷ୍ଟକର ପରିସ୍ଥିତିରେ ମଧ୍ୟ ପ୍ରଚଣ୍ଡ ମନୋବଳ ପ୍ରଦର୍ଶନ କରିଥିଲେ ଏବଂ ଶେଷରେ ପୁଣି ଥରେ ବିଶ୍ୱ ଚାମ୍ପିଅନ ହେବାରେ ସଫଳ ହୋଇଛନ୍ତି। କୋହଲି ଏହି ସଫଳତା ପାଇଁ ଖେଳାଳି, ସହାୟକ କର୍ମଚାରୀ ଏବଂ ଉତ୍ତମ ପରିଚାଳନାକୁ ପ୍ରଶଂସା କରିଥିଲେ ଏବଂ ପୋଷ୍ଟ ଶେଷରେ "ଜୟ ହିନ୍ଦ 🇮🇳❤️"ଲେଖିଥିଲେ।

ଟିମ୍ ଇଣ୍ଡିଆ ଏଯାଏଁ ୩ ଥର ଟି-୨୦ ୱାର୍ଲ୍ଡକପ୍ ଜିତିଛି। ତେଣୁ କୋହଲି ତାଙ୍କ ପୋଷ୍ଟରେ ୩ଟି ଷ୍ଟାର ଚିହ୍ନ ପୋଷ୍ଟ କରିଥିବା କୁହାଯାଉଛି। ଭାରତ ୨୦୦୭ରେ ପ୍ରଥମ ଥର ପାଇଁ ଟି-୨୦ ୱାର୍ଲ୍ଡକପ୍ ଚାମ୍ପିଅନ୍ ହୋଇଥିଲା। ପରେ ୨୦୨୪ରେ ଦ୍ଵିତୀୟ ଥର ପାଇଁ ଟାଇଟଲ୍ ହାତେଇଥିଲା। ୨୦୨୬ରେ ତୃତୀୟ ଥର ପାଇଁ ଭାରତ ବିଶ୍ଵ ବିଜେତା ହୋଇଛି।ତେବେ ଫାଇନାଲ୍ ମ୍ୟାଚ୍ ବେଳେ ବିରାଟ କୋହଲି ଲଣ୍ଡନରେ ଥିଲେ। ତେଣୁ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି।..
ସୂଚନା ଥାଉକି, ୨୦୨୪ରେ ଇଣ୍ଡିଆ ଟି-୨୦ ୱାର୍ଲ୍ଡକପ୍ ଜିତିବା ପରେ ବିରାଟ କୋହଲି ଇଣ୍ଟରନ୍ୟାସନାଲ କ୍ରିକେଟରେ ସନ୍ୟାସ ନେଇଥିଲେ। ସେହି ମ୍ୟାଚରେ ସେ ୭୭ ରନ୍ କରି ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଥିଲେ। ଏହାର ଏକ ବର୍ଷ ପରେ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ତାଙ୍କର ୧୪ ବର୍ଷର ଚମତ୍କାର ଟେଷ୍ଟ କ୍ୟାରିୟର ଶେଷ ହୋଇଯାଇଛି। ଏହି ସମୟ ମଧ୍ୟରେ ସେ ଭାରତୀୟ କ୍ରିକେଟକୁ ଅନେକ ଐତିହାସିକ ବିଜୟ ଭେଟି ଦେଇଛନ୍ତି। ଏବେ କୋହଲି କେବଳ ୱାନ ଡେ କ୍ରିକେଟ୍ ଖେଳୁଛନ୍ତି।












Click it and Unblock the Notifications