ସହରରେ କାହିଁକି କମ୍ ରହୁଛି ମତଦାନ ପ୍ରତିଶତ, କେମିତି ସମ୍ଭବ ଶତ ପ୍ରତିଶତ ଭୋଟିଂ
Election 2024: ସାରା ଦେଶ ତଥା ରାଜ୍ୟରେ ନିର୍ବାଚନୀ ମାହୋଲ । ଗାଁ ଠୁ ସହର ସବୁଆଡ଼େ ନିର୍ବାଚନକୁ ନେଇ ଲାଗି ରହିଛି ଚର୍ଚ୍ଚା । ଏଥି ମଧ୍ୟରେ ଦେଶର ଲୋକସଭା ନିର୍ବାଚନ ପାଇଁ ଆଜି ହେଉଛି ଶେଷ ପର୍ଯ୍ୟାୟ ମତଦାନ । ଯେଉଁ ଆସନରେ ମତଦାନ ସରିଛି, ସେଠାରେ ଫଳାଫଳ କଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ, ଭୋଟ୍ ପଡ଼ୁଥିବା ଅଞ୍ଚଳରେ କାହା ପକ୍ଷରେ ହାୱା ରହିଛି ତାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ।
5 ବର୍ଷରେ ଥରେ ସରକାର ଗଠନ ସହ ନିଜ ନେତା ବାଛିବାକୁ ନେଇ ବେଶ୍ ଉତ୍ସାହ ଦେଖାଦେଇଥାଏ । ନିର୍ବାଚନ ପାଖେଇ ଆସିଲେ ନେତାଙ୍କ ଭିଡ଼ ଜମିବା ସହ କର୍ମୀମାନେ କାମରେ ଲାଗି ପଡ଼ନ୍ତି । ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାର ସହ ଭୋଟରଙ୍କୁ ଆକର୍ଷିତ କରିବାକୁ ରଣନୀତି ପ୍ରସ୍ତୁତ କରନ୍ତି । ଏପରିକି ଦେଶରେ ସ୍ୱଚ୍ଛ, ଅବାଧ ନିର୍ବାଚନ କରିବା ଲାଗି ବହୁ ପୂର୍ବରୁ ପ୍ରସ୍ତତି ଆରମ୍ଭ କରିଦିଅନ୍ତି ନିର୍ବାଚନ କମିଶନ । ନୂଆ ଭୋଟରଙ୍କୁ ତାଲିକାରେ ସାମିଲ କରିବା ଠାରୁ ସମସ୍ତଙ୍କୁ ନିଜର ମତଦାନ ଅଧିକାର ବିଷୟରେ ଅବଗତ କରିବା ନେଇ ଅନେକ ପଦକ୍ଷେପ ନେଉଛନ୍ତି । ତଥାପି, ଏସବୁ ସତ୍ତ୍ୱେ ନିରାଶ ଦେଖିବାକୁ ମିଳୁଛି । ମତଦାନ ପ୍ରତିଶତ ସେତେଟା ଭଲ ରହୁନାହିଁ ।
ସହରରେ ମତଦାନ ପ୍ରତିଶତ କମ୍
ଦେଶ ହେଉ କିମ୍ବା ରାଜ୍ୟ ନିର୍ବାଚନରେ ସହରର ମତଦାନ ପ୍ରତିଶତ ସେତେଟା ଉତ୍ସାହଜନକ ରହୁନାହିଁ । ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତରେ ପ୍ରାୟ 97 କୋଟି ପଞ୍ଜୀକୃତ ଭୋଟର ରହିଛନ୍ତି । କିନ୍ତୁ ଏହାର ପ୍ରାୟ ଏକ ତୃତୀୟାଂଶ ଭୋଟର ଭୋଟ୍ ଦିଅନ୍ତି ନାହିଁ । ଏହି ସାଧାରଣ ନିର୍ବାଚନରେ ଭୋଟ୍ ଦେଇ ନଥିବା ଲୋକଙ୍କ ସଂଖ୍ୟା ଏବଂ ପ୍ରତିଶତ ବୃଦ୍ଧି ପାଇଛି । ଏହା ଏପରି ଏକ ସମସ୍ୟା ଯାହାର କାରଣ ଏବଂ ନିରାକରଣ ବିଷୟରେ ବିଚାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାର ତ ଗଢ଼ା ହେବ, କିନ୍ତୁ ଜନସାଧାରଣଙ୍କ ପସନ୍ଦ ଅପେକ୍ଷା ସେମାନଙ୍କର ଉଦାସୀନର ପ୍ରଭାବ ବେଶୀ ରହିବ ।

ଚିନ୍ତାର ବିଷୟ ସହରାଞ୍ଚଳରେ ମତଦାନ ସବୁବେଳେ କମ୍ ରହୁଛି । ଛୋଟ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ମତଦାନ ପ୍ରତିଶତ 65-70 ରହୁଥିବା ବେଳେ ସହରରେ ଏହା 50-60 ପ୍ରତିଶତ ଭିତରେ ରହୁଛି । ଓଡ଼ିଶାରୁ ଉଦାହରଣ ନେଇ ଦେଖିଲେ, ଗ୍ରାମାଞ୍ଚଳରେ ମତଦାନ ପ୍ରତିଶତ 65-70 ରହୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏହା ପ୍ରାୟତଃ 50 ପାଖାପାଖି ରହୁଛି । ସହରରେ ବେଶୀ ଶିକ୍ଷିତ ଲୋକ ରହୁଥିବା ବେଳେ ସେମାନେ ମତଦାନର ମହତ୍ୱ ମଧ୍ୟ ବେଶ୍ ଭଲ ଭାବେ ଜାଣିଥାନ୍ତି । ତଥାପି ବୋଟ୍ ପ୍ରତିଶତ କମ୍ ରହିବା ଏକ ଚିନ୍ତାଜନକ କାରଣ ।
ତେଣୁ, ଭୋଟରଙ୍କୁ ନିଜର ଅଧିକାର ସାବ୍ୟସ୍ତ କରିବାରେ ନିବୃତ୍ତ କରୁଥିବା କାରଣଗୁଡ଼ିକୁ ପ୍ରଥମେ ବିଚାର କରିବା ଜରୁରୀ । ଆମ ଦେଶର ଭୋଟରଙ୍କ ସଂଖ୍ୟା ଅଧିକାଂଶ ଦେଶର ସମୁଦାୟ ଜନସଂଖ୍ୟା ଠାରୁ ବି ଅଧିକ । ତଥାପି, ମତଦାନ କେନ୍ଦ୍ରରେ ସେମାନଙ୍କ ସଂଖ୍ୟା କାହିଁକି କମ୍ ରହୁଛି ? ବିଶ୍ଳେଷକମାନେ ଏହି ପ୍ରଶ୍ନର ବିଭିନ୍ନ ଉପାୟରେ ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି । କେହି କେହି କହିଛନ୍ତି ଯେ ପ୍ରବଳ ଗରମ ଯୋଗୁଁ ଏଥର ମତଦାନ ହ୍ରାସ ପାଇଛି । କିନ୍ତୁ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପ୍ରବଳ ଗରମ ସତ୍ତ୍ୱେ ବି ଭୋଟ୍ ପ୍ରତିଶତ କ୍ରମାଗତ ଭାବରେ ଦେଶରେ ସର୍ବାଧିକ ରହିଛି । ଓଡ଼ିଶାରେ ମଧ୍ୟ ରେକର୍ଡ ମତଦାନ ହୋଇଛି । ଯଦିଓ ପ୍ରବଳ ଗରମ ଏହାର ଏକ କାରଣ ହୋଇପାରେ, କିନ୍ତୁ ଏହା ହିଁ ଏକମାତ୍ର କାରଣ ତାହା ଗ୍ରହଣଯୋଗ୍ୟ ହୋଇ ନପାରେ ।
କଣ ହୋଇପାରେ ଅନ୍ୟ କାରଣ...
ଭୋଟରଙ୍କ ମଧ୍ୟରେ ସଚେତନତାର ଅଭାବ ମଧ୍ୟ ଏକ କାରଣ ହୋଇପାରେ । ଯେଉଁ କାରଣରୁ ସେମାନେ ଭୋଟ୍ ଦେବାର ମହତ୍ତ୍ୱ ଏବଂ ଭୋଟ୍ ନକରିବାର ପରିଣାମ ବିଷୟରେ ଚିନ୍ତା କରିବାକୁ ସକ୍ଷମ ନୁହଁନ୍ତି । ଅନ୍ୟ ଏକ କାରଣ ହୋଇପାରେ ବିସ୍ଥାପନ । ବହୁ ସଂଖ୍ୟକ ଲୋକ ନିଜ ଜନ୍ମ ସ୍ଥାନ ଛାଡି କାମ ପାଇଁ ଅନ୍ୟତ୍ର ରହିଥାନ୍ତି । କେବଳ ଭୋଟ୍ ଦେବା ପାଇଁ ନିଜ ମାଟିକୁ ଆସିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ । ଏହା ସହିତ, କେତେକ କ୍ଷେତ୍ରରେ, ନିର୍ବାଚନ ହିଂସା, ଭୟ କିମ୍ବା ରାଜନୈତିକ ଅସ୍ଥିରତା ମଧ୍ୟ ଲୋକଙ୍କୁ ଭୋଟ୍ ପ୍ରକ୍ରିୟାରେ ଭାଗ ନେବାକୁ ନିରୁତ୍ସାହିତ କରିପାରେ । କିଛି ପରିମାଣରେ, ଭୋଟର ତାଲିକାରେ ତ୍ରୁଟି ଏବଂ ବୁଥରେ ଦେଖାଯାଇଥିବା ଅସଂଗଠନକୁ ମଧ୍ୟ ଦାୟୀ କରାଯାଇପାରେ ।
କିନ୍ତୁ, ଦେଶର ଲକ୍ଷ ଲକ୍ଷ ବୁଥରେ ଭୋଟ୍ ଗ୍ରହଣ ହୁଏ, କେତେକ ସ୍ଥାନରେ ଅନିୟମିତତା ହୋଇପାରେ, ଭୋଟର ତାଲିକାରୁ ନାମ ହଜିଯାଇପାରେ, କିନ୍ତୁ ଭୋଟ୍ ନଦେବା ପାଇଁ ଏହା ଏକ ବାହାନା ହୋଇପାରିବ ନାହିଁ । ଅନ୍ୟ କେତେକଙ୍କ ଯୁକ୍ତିରେ ରାଜନେତା ତଥା ରାଜନୈତିକ ଦଳଗୁଡିକ ଜନସାଧାରଣଙ୍କୁ ନିରାଶ କରୁଛନ୍ତି । ଅଧିକାଂଶ ପ୍ରାର୍ଥୀ ଜିତିବା ପରେ ନିଜ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ଚିନ୍ତା କରୁଥିବା ପରି ମନେ ହେଉନାହିଁ, ଯାହା ଫଲରେ ଭୋଟର ଅସନ୍ତୋଷ ରହିବା ସ୍ୱାଭାବିକ । ଅନୟ ଏକ କାରଣ ହେଉଛି ବିଜୟ ପରେ କିଛି ଜନ ପ୍ରତିନିଧୀଙ୍କ ଦୁର୍ନୀତିଗ୍ରସ୍ତ ଆଚରଣ । ଏହି କାରଣରୁ, ନିର୍ବାଚନ ପ୍ରକ୍ରିୟାରେ ଲୋକଙ୍କ ଆଗ୍ରହ ହ୍ରାସ ପାଉଛି ଏବଂ ସେମାନେ ମତଦାନକୁ ସମୟର ଅପଚୟ ବୋଲି ବିବେଚନା କରୁଛନ୍ତି ।
ଗଣତନ୍ତ୍ରରେ ଭୋଟରଙ୍କ ବିଶ୍ୱାସ ଏବଂ ଆଗ୍ରହ ହ୍ରାସର ସମାନ ଦୃଶ୍ୟ ବ୍ରିଟେନ, କାନାଡା, ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶରେ ମଧ୍ୟ ଦେଖାଯାଏ । ଏଠାରେ ଗତ ସାଧାରଣ ନିର୍ବାଚନରେ ଯଥାକ୍ରମେ 67% ଏବଂ 66% ଭୋଟ୍ ରେକର୍ଡ କରାଯାଇଥିଲା । କିନ୍ତୁ, ଫ୍ରାନ୍ସ, ଜର୍ମାନୀ, ବ୍ରାଜିଲ ଏବଂ ଅଷ୍ଟ୍ରେଲିଆ ଭଳି ଦେଶ ମଧ୍ୟ ଅଛି, ଯେଉଁଠାରେ 74, 77, 79 ଏବଂ 92 ପ୍ରତିଶତ ମତଦାନ ହୋଇଥିଲା । କୌତୁହଳର ବିଷୟ ହେଉଛି ଅଷ୍ଟ୍ରେଲିଆ ହେଉଛି ଏକମାତ୍ର ଦେଶ ଯେଉଁଠାରେ ଭୋଟ୍ ଦେବା ବାଧ୍ୟତାମୂଳକ ଅଟେ । 1924 ପରଠାରୁ, ଏଠାରେ ଭୋଟ୍ ନଦେବା ପାଇଁ ଜୋରିମାନା ବ୍ୟବସ୍ଥା ଅଛି ।
ଏହା ସମ୍ଭବ ହୋଇପାରେ ଯେ ଏଠାରେ ମଧ୍ୟ ଅଧିକ ଭୋଟ୍ ପ୍ରତିଶତ ପଛରେ ଏହା ଅନ୍ୟତମ କାରଣ । ଏହା ବ୍ୟତୀତ ଉରୁଗୁଏ ଏବଂ ଲକ୍ସେମବର୍ଗ ଭଳି ଦେଶ ମଧ୍ୟ ଭୋଟ୍ ଦେଉ ନଥିବା ନାଗରିକଙ୍କ ଉପରେ ଜୋରିମାନା ଲଗାନ୍ତି । କିନ୍ତୁ, ଅନ୍ୟ କେତେକ ଦେଶ ଅଛନ୍ତି, ଯେଉଁମାନେ ଏହି ପ୍ରସଙ୍ଗରେ ଅଧିକ କଠୋର ଅଟନ୍ତି । ଉଦାହରଣ ସ୍ୱରୂପ, ବେଲଜିୟମରେ ଜୋରିମାନା ବ୍ୟତୀତ ଜଣେ ମତଦାନ ଅଧିକାରରୁ ବଞ୍ଚିତ ହୋଇପାରିବ, ଇକ୍ୟୁଏଡୋରରେ, ସରକାରୀ ଡକ୍ୟୁମେଣ୍ଟ ପାଇବାରେ ଜଣେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି, ପେରୁରେ, କିଛି ସମୟ ପାଇଁ ନାଗରିକ ଅଧିକାରରୁ ବଞ୍ଚିତ ହୋଇପାରିବେ ।
କିଛି ଲୋକ ଭାରତରେ ମଧ୍ୟ ସମାନ ଉପାୟକୁ ସମର୍ଥନ କରନ୍ତି । କିନ୍ତୁ, ଅଷ୍ଟ୍ରେଲିଆ ବ୍ୟତୀତ ଉପରୋକ୍ତ ସମସ୍ତ ଦେଶଗୁଡିକର ଅଭିଜ୍ଞତା ଦର୍ଶାଏ ଯେ ଜବରଦସ୍ତି ଆଇନ୍ ଲଦିଦେବା ମଧ୍ୟ ଅଧିକ ପରିବର୍ତ୍ତନ କରିବ ନାହିଁ । ଅଧିକରୁ ଅଧିକ 10-15 ପ୍ରତିଶତ ଭୋଟ୍ ବୃଦ୍ଧି ପାଇବ । ବାସ୍ତବରେ, ଭୋଟରଙ୍କୁ ବୁଝାଇବା ଏବଂ ସଚେତନ କରିବାର ଆବଶ୍ୟକତା ଅଛି ଯେ ସେମାନଙ୍କର ଭୋଟ୍ ବିନା କୌଣସି ସକରାତ୍ମକ ପରିବର୍ତ୍ତନ ଅଣାଯାଇପାରିବ ନାହିଁ । ସେମାନଙ୍କ ଭୋଟ୍ ବଳରେ ପରିସ୍ଥିତି ଭଲ ହେବ । ପ୍ରାୟତଃ ଆମେ ଦେଖୁ ଯେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଭୋଟରଙ୍କୁ ମତଦାନ ପାଇଁ ପ୍ରୋତ୍ସାହିତ କରିବା ଲାଗି ବିଭିନ୍ନ ପ୍ରୟାସ କରନ୍ତି, କିନ୍ତୁ ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ସେମାନଙ୍କ ସପକ୍ଷରେ ଭୋଟ୍ ଦେବା ।
ତେଣୁ, ସମାଜର ସମସ୍ତ ବର୍ଗ ମଧ୍ୟରେ ସରକାର ଏବଂ ବ୍ୟବସ୍ଥା ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିବା, ସମସ୍ତଙ୍କ ସ୍ୱାର୍ଥ ସୁନିଶ୍ଚିତ କରିବା ଏବଂ ଭୋଟ୍ ଦେବାର ଗୁରୁତ୍ୱ ବିଷୟରେ ସେମାନଙ୍କୁ ସଚେତନ କରାଇବା ପାଇଁ ନିୟମିତ ଅଭିଯାନ ଚଳାଇବା ଭଳି କିଛି ପଦକ୍ଷେପ ମଧ୍ୟ ଭୋଟ୍ ପ୍ରତିଶତ ବୃଦ୍ଧିରେ ସହାୟକ ହୋଇପାରେ । ଏହା ବ୍ୟତୀତ, ଆଇନଗତ ଭାବରେ ଭୋଟ୍ ଦେବା ବାଧ୍ୟତାମୂଳକ ବୋଲି ମଧ୍ୟ ବିଚାର କରାଯାଇପାରେ । କିନ୍ତୁ, ଏହାପୂର୍ବରୁ ଏହା ଜରୁରୀ ଯେ ସମସ୍ତେ ଯେଉଁଠାରେ ଥାଆନ୍ତି ଭୋଟ୍ ଦେବାର ସୁବିଧା ପାଇବେ ସେ ନେଇ ସୁନିଶ୍ଚିତ କରିବା ଆବଶ୍ୟକ । ଟେକ୍ନୋଲୋଜିର ବ୍ୟବହାର କରି ଏହାକୁ ଲାଗୁ କରାଯାଇପାରିବ । ବ୍ଲକ୍ ଚେନ୍ ଟେକ୍ନୋଲୋଜି ଗ୍ରହଣ କରି, ଲୋକମାନେ ମୋବାଇଲ୍ କିମ୍ବା କମ୍ପ୍ୟୁଟରରୁ ଭୋଟ୍ ଦେଇପାରିବା ନେଇ ଚିନ୍ତା କରିବାକୁ ହେବ ।












Click it and Unblock the Notifications