Rath Yatra 2025 : କାହିଁକି ଏହି ଯାତ୍ରାର ନାମ ରଥଯାତ୍ରା ?
Puri Jagannath Ratha Yatra : ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ରହିଛି ଅନେକ ନାମ । ରଥଯାତ୍ରା ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରା ନାମରେ ମଧ୍ୟ ଜଣା । ସେହିପରି ଏହି ଯାତ୍ରାର ନାମ ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ ।
ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ ।
୧. ସ୍ନାନ ଉତ୍ସବ
୨. ଅନବସର
୩. ନେତ୍ରୋତ୍ସବ
୪. ଶ୍ରୀଗୁଣ୍ଡିଚା
୫. ହେରାପଞ୍ଚମୀ
୬. ଆଡ଼ପ ପର୍ବ
୭. ବାହୁଡ଼ା ଯାତ୍ରା
୮. ନୀଳାଦ୍ରି ବିଜେ

ପୁନଶ୍ଚ ରଥଯାତ୍ରା ୫ ଭାଗରେ ବିଭକ୍ତ କରାଯାଇଛି । ସେହି ଗୁଡି଼କ ହେଲା ୧. ଅନ୍ତର୍ବେଦୀ, ୨. ମହାବେଦୀ ମହୋତ୍ସବ, ୩. ଆଡ଼ପ ଉତ୍ସବ, ୪. ଦକ୍ଷିଣାମୁଖୀ ଉତ୍ସବ ଓ ୫. ନୀଳାଦ୍ରି ବିଜୟ । ଏହାକୁ ଗୁଣ୍ଡିଚା ପଞ୍ଚକ ମଧ୍ୟ କୁହଯାଏ ।
ରଥଯାତ୍ରା ନାମ କାହିଁକି ?
ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି। ଋକ୍ ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ । ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ । ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା ।
ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହେଇଛି ସେଥି ମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ । କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି । କାରଣ ଖ୍ରୀଷ୍ଟୀୟ ପଞ୍ଚମ ଶତାଦ୍ଦୀର ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାଇୟାନ୍ ଖୋଟାନରେ ଅନୁଷ୍ଠିତ ରଥଯାତ୍ରାର ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି, ତାହା ଆଜିସୁଦ୍ଧା ପ୍ରଚଳିତ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହ ମେଳ ଖାଉଛି ।

ତିନି ରଥର କଥା
ନନ୍ଦିଘୋଷ
'ନନ୍ଦିଘୋଷ' ବା 'ଗରୁଡ଼ଧ୍ଵଜ' ବା 'କପିଳଧ୍ଵଜ' ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି । ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ । ଏହି ରଥରେ ୧୬ ଟି ଚକ (ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ଵସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ) ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ । ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ଵେତ ଓ ହରିଦ୍ଵାଶ) ସ୍ଥାପନ କରାଯାଏ । ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ । ନାଲି ଓ ହଳଦିଆ ରଙ୍ଗର କପଡ଼ା ରେ ରଥାବରଣ କରାଯାଏ । ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।
ତାଳଧ୍ଵଜ
'ତାଳଧ୍ଵଜ' ବା 'ଲଙ୍ଗଳ ଧ୍ଵଜ' ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି। ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ । ଏହି ରଥରେ ୧୪ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ। ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ଘୋଡ଼ା (ଶଙ୍ଖ, ସୁଚିତ୍ର, ଅଙ୍ଗଦ, ମେଘନାଦ) ସ୍ଥାପନ କରାଯାଏ ।

ଦର୍ପଦଳନ
'ଦର୍ପଦଳନ' ବା 'ପଦ୍ମଧ୍ଵଜ' ବା 'ଦେବଦଳନ' ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି । ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ । ଏହି ରଥରେ ୧୨ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ । ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ । ନାଲି ଓ କଳା ରଙ୍ଗର କପଡ଼ା ରେ ରଥାବରଣ କରାଯାଏ ।
ପହଣ୍ଡି
ଶ୍ରୀଜୀଉମାନଙ୍କୁ ରଥାରୂଢ଼ କରିବାପାଇଁ ଦଇତାପତି ସେବକମାନେ ଦଳବଦ୍ଧ ଭାବରେ ନିଜ ଭିତରେ ସମନ୍ଵୟ ରଖି ବିଗ୍ରହ ମାନଙ୍କୁ ନଚେଇ ନଚେଇ, ଝୁଲେଇ ଝୁଲେଇ ନେଇଥାନ୍ତି, ଯାହାକୁ ମନ୍ଦିର ଭାଷାରେ ପହଣ୍ଡି କୁହାଯାଏ ।
ଗୋଟି ପହଣ୍ଡି
ଗୋଟି ପହଣ୍ଡିରେ ଏକ ବିଗ୍ରହ ବିଜେ ହୋଇ ଉଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥାଏ । ରତ୍ନବେଦୀକୁ ବାହୁଡ଼ିବା ବେଳେ ଶ୍ରୀଜୀଉମାନେ ଗୋଟି ପହଣ୍ଡିରେ ବିଜେ କରିଥାନ୍ତି ।

ଧାଡ଼ି ପହଣ୍ଡି
ଧାଡି଼ ପହଣ୍ଡିରେ ଠାକୁରମାନେ ଜଣକ ପରେ ଜଣେ ଏକକାଳୀନ ବିଜେ କରି ରଥାରୂଢ଼ ହୁଅନ୍ତି । ରତ୍ନବେଦୀରୁ ଶ୍ରୀଜୀଉମାନେ ଗଲାବେଳେ ଧାଡ଼ି ପହଣ୍ଡିରେ ବିଜେ କରିଥାନ୍ତି ।
ଛେରାପହଁରା
ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡା଼ ଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା । ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ଵାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ । କେତେକ ଐତିହାସିକ, ପ୍ରାବନ୍ଧିକ ଏବଂ ଗବେଷକମାନଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରା ପହଁରା ନୀତି ଆରମ୍ଭ ହୋଇଥିଲା । ରଥଯାତ୍ରା ଦିନ ଗଜପତି ମହାରଜ ମନ୍ଦିର ଆଗରେ ଥିବା ପାହାଚକୁ ସୁନାର ପହଁରାରେ ଓଳାନ୍ତି । ଗଜପତି ଦିବ୍ୟସିଂହ ଦେବଙ୍କ ପର୍ଯ୍ୟନ୍ତ ଠାକୁରମାନଙ୍କ ପହଣ୍ଡି ବେଳେ ଶ୍ରୀମନ୍ଦିର ଆଗରେ ପାହଚ ଓ ରାସ୍ତକୁ ସୁନା ଖଡି଼କାରେ ଓଳାଇବା ବିଧି ବଳବତ୍ତର ଥିଲା । ମାତ୍ର ତାଙ୍କ ରୁଗ୍ଣ ପୁତ୍ର ରାଜା ମୁକୁନ୍ଦ ଦେବଙ୍କ ସମୟରେ ରଥ ଉପରର ଚତୁଃପାର୍ଶ୍ଵ ଛେରା ପହଁରାର ନୂତନ ବିଧି ବିଧାନ ହୋଇଥିଲା ଏବଂ ଏହି ପ୍ରଥା ଅଦ୍ୟାବଧି ଅନୁସୃତ ହୋଇ ଆସୁଅଛି ।
ନବଯୌବନ ଦର୍ଶନ
ଦେବସ୍ନାନ ପୂର୍ଣ୍ଣିମା ରାତ୍ରରେ ସ୍ନାନ ବେଦୀରୁ ପହଣ୍ଡି ବିଜେରେ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିରେ ଶ୍ରୀବିଗ୍ରହମାନ କରିଥାନ୍ତି। ଅଣସର ତାଟି ସମ୍ମୁଖରେ ତିନୋଟି ପଟି ଚିତ୍ର ପ୍ରତିମା ରହିଥାଏ । ଏହି ପଟି ଠାକୁର ମଧ୍ୟରେ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅନ୍ତର୍ଭୁକ୍ତ। ପରମ୍ପରା ଅନୁଯାୟୀ ଏହି ପଟି ଦିଅଁ ଦଶାବତାର ଠାକୁର ରୂପେ ପରିଚିତ । ସୂଚନାଯୋଗ୍ୟ ଯେ, ବାସୁଦେବଙ୍କ ଚିତ୍ର ସମ୍ମୁଖରେ ଦୋଳଗୋବିନ୍ଦ, ରାମ ଓ ନୃସିଂହ ବିରାଜମାନ କରିଥିବା ବେଳେ ଭୁବନେଶ୍ୱରୀଙ୍କ ପାର୍ଶ୍ୱରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ନାରାୟଣଙ୍କ ଚିତ୍ର ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହମାନେ ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି। କୁହାଯାଏ ଯେ, ଏହି ସମୟରେ ଠାକୁରମାନେ ଜ୍ୱର ରୋଗରେ ପୀଡି଼ତ ହୋଇଥାନ୍ତି। ଶ୍ରୀମନ୍ଦିରର ବୈଦ୍ୟ ସେବକମାନଙ୍କଦ୍ୱାରା ପ୍ରସ୍ତୁତ ଦଶମୂଳ ପାଚକ (ମୋଦକ) ମହାପ୍ରଭୁଙ୍କୁ ଭୋଗ କରାଯିବା ପରେ ଜ୍ୱର ରୋଗ ଭଲ ହୋଇଥାଏ। ବାସ୍ତବିକ ଏହି ଅଣସର ସମୟରେ ପତି ମହାପାତ୍ର ଓ ଦଇତାପତି ସେବକମାନେ ଠାକୁରମାନଙ୍କର ଅତ୍ୟନ୍ତ ଗୋପନୀୟ ନୀତିରେ ଅଂଶଗ୍ରହଣ କରିଥାନ୍ତି । ଏହି ସମୟରେ ଅଣସର ପଣା, ଘଣାଲାଗି, ଖଳି ଲାଗି, ଚକା ଅପସର ଓ ଅନ୍ୟାନ୍ୟ ଗୁପ୍ତ ନୀତିମାନ ଅନୁଷ୍ଠିତ ହୋଇଥାଏ।
ହେରା ପଞ୍ଚମୀ
ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାଣତଃ ରଥଯାତ୍ରା ଠାରୁ ପଞ୍ଚମୀ ଦିବସରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ। ଯାତ୍ରା ଭାଗବତରେ କୁହାଯାଇଛି - ତତୋ ଗୁଣ୍ଡିଚାନନ୍ତରଂ ପଞ୍ଚମ ଦିବସେ ହେରା ପଞ୍ଚମୀ ଭବତି । ତେବେ ହେରା ପଞ୍ଚମୀ ନୀତି ସମ୍ପର୍କରେ ବାମଦେବ ସଂହିତରେ ବିଶେଷ ଭାବେ ବର୍ଣ୍ଣନା ହୋଇଥିବା ଜଣାଯାଏ ।
ନୀଳାଦ୍ରି ବିଜେ
ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନାଧିଷ୍ଠିତ ହୋଇଥାନ୍ତି। ଶାସ୍ତ୍ରରେ ଯଦି ଓ ଉଲ୍ଲେଖ ରହିଛି ଦ୍ୱାଦଶୀ ଦିନମହାପ୍ରଭୁ ନୀଳାଦ୍ରି ବିଜେ କରନ୍ତି, କିନ୍ତୁ ପ୍ରକୃତ ପକ୍ଷେ ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୋୟଦଶୀ ତିଥିରେ ନୀଳାଦ୍ରି ବିଜେ ହୋଇଥାଏ। ନୀଳାଦ୍ରି ବିଜେ ଦିନ ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଇଥାଏ। ଏହାପରେ ଦର୍ଶବ ନିମିତ୍ତ କିଛି ସମୟ ଭକ୍ତମାନଙ୍କୁ ରଥ ଉପରୁ ଛଡା ଯାଇଥାଏ। ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥାଏ। ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣି ଘରକୁ ବିଜେ କରାଇଥାନ୍ତି। ତତ୍ପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ , ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ। ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଏ ଓ ଅଖଣ୍ଡ ବଇଠା ବସେ।












Click it and Unblock the Notifications