ବୟନଶିଳ୍ପ କ୍ଷେତ୍ରରେ ଅହିଂସାର ନୂଆ ବାଟ ହୋଇଛି 'କରୁଣା ସିଲ୍କ'
ନୂଆଦିଲ୍ଲୀ: ରେଶମ ଉତ୍ପାଦନ ବେଳେ ପାରମ୍ପରିକ ପଦ୍ଧତିରୁ ବାହାରି ଏକ ନୂଆ ବାଟ ଆପଣାଇଛି ଓଡ଼ିଶା । ଅହିଂସା ଉପାୟରେ ଏଣ୍ଡିକୀଟ ଖୋସାରୁ ପ୍ରସ୍ତୁତ 'କରୁଣା ସିଲ୍କ' ଓଡ଼ିଶାର ରେଶମ ଚାଷ ପରମ୍ପରାକୁ ଏକ ନୂଆ ଦିଗ ଦେଇଛି । ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର "ଓଡ଼ିଶା ପାଭିଲିୟନ"ରେ ଏହି ନିଆରା ସିଲ୍କ ପ୍ରମୁଖ ଆକର୍ଷଣ ପାଲଟିଛି ।
ସାଧାରଣତଃ ରେଶମ ଖୋସାରୁ ସୂତା ବାହାର କରିବା ବେଳେ ଏହାକୁ ଗରମ ପାଣିରେ ଫୁଟାଇବାକୁ ପଡ଼ିଥାଏ, ଯେଉଁଥିରେ ଖୋସା ଭିତରେ ଥିବା ରେଶମ କୀଟ ମୃତ୍ୟୁବରଣ କରିଥାଏ । କିନ୍ତୁ ରେଶମ କୀଟକୁ ନମାରି ଅହିଂସା ଉପାୟରେ ଓଡ଼ିଶା ଉତ୍ପାଦନ କରୁଛି ଏହି ନୂତନ ସିଲ୍କ । ଅହିଂସା ବା କରୁଣା ବାଟ ଅବଲମ୍ବନ କରି ଏହି ରେଶମ ଉତ୍ପାଦନ କରାଯାଉଥିବାରୁ ଏହାର ନାଁ ଦିଆଯାଇଛି "କରୁଣା ସିଲ୍କ" । ଏହି କରୁଣା ସିଲ୍କରୁ ଏବେ କରୁଣାମୟ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଛି ଖଣ୍ଡୁଆ ପାଟ ।

"ଏ ବର୍ଷ ଅର୍ନ୍ତଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନକୁ ବେଶ୍ ଆକର୍ଷଣୀୟ କରାଯାଇଛି । ତେବେ ପାଭିଲିୟନର ସ୍ୱତନ୍ତ୍ର ଆକର୍ଷଣ ହୋଇଛି କରୁଣା ସିଲ୍କ । ଓଡ଼ିଶାର ଏହି ନୂତନ ପ୍ରୟୋଗ କଥା ଜାଣି ସେଠାକୁ ଆସିଥିବା ପରିଦର୍ଶକମାନେ ବେଶ୍ ଖୁସି ହେଉଛନ୍ତି", କହିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ । ବିଭାଗ ପକ୍ଷରୁ ପ୍ରଗତି ମଇଦାନରେ ଓଡ଼ିଶା ପାଭିଲିୟନକୁ ପ୍ରସ୍ତୁତ କରାଯାଇଛି, ଯେଉଁଠି ରାଜ୍ୟ ସରକାରଙ୍କର ୭ଟି ବିଭାଗର ୨୪ଟି ଷ୍ଟଲ ଖୋଲାଯାଇଛି ।
"ଆଜିର ଦିନରେ ସିଲ୍କ ଉତ୍ପାଦନ ବେଳେ ରେଶମ ପୋକକୁ ନମାରି ତାକୁ ପ୍ରଜାପତି କରି ଖୋସାରୁ ଉଡ଼ାଇ ଦିଆଯାଉଛି । ଏଭଳି ଅହିଂସା ଉପାୟରେ ଓଡ଼ିଶାରୁ ସିଲ୍କ ଉତ୍ପାଦନ ହେଉଛି ଜାଣି ଖୁସି ଲାଗିଲା । ପୁଣି ସେହି ସିଲ୍କରୁ ଜଗନ୍ନାଥଙ୍କର ଅଙ୍ଗ ବସ୍ତ୍ର ପ୍ରସ୍ତୁତ ହେଉଛି । ଓଡ଼ିଶା ପାଭିଲିୟନରେ କରୁଣା ସିଲ୍କର ଲାଇଭ୍ ବୁଣା ଦେଖି ମତେ ଗୋଟେ ନୂଆ ଅନୁଭୂତି ମିଳିଲା", ନିଜର ଖୁସି ବର୍ଣ୍ଣନା କରି କହିଛନ୍ତି ନୂଆଦିଲ୍ଲୀର ବାସିନ୍ଦା ରିନା ସିଂ ।
"ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭାବନା ହେଉଛି ଯେ କୌଣସି ଉତ୍ପାଦନ ଲାଗି ବ୍ୟବହାର ପଦ୍ଧତି ଅହିଂସା ମାର୍ଗରେ ହେବା ଦରକାର । ଓଡ଼ିଶାରେ ସିଲ୍କ ଉତ୍ପାଦନ ବେଳେ ରେଶମ କୀଟକୁ ନମାରି ନୂତନ ଓରଷ୍ଟେଡ୍ ପଦ୍ଧତି ମାଧ୍ୟମରେ ଆମେ ଖୋସାରୁ ସୂତା ବାହାର କରୁଛୁ । ଏଣ୍ଡି ଚାଷ କ୍ଷେତ୍ରରେ ଏହାକୁ ପରୀକ୍ଷାମୂଳକ ଭାବେ କରାଯାଉଛି । ରେଶମ କୀଟ ପ୍ରଜାପତି ହୋଇ ଉଡ଼ିଗଲା ପରେ ସେହି ଖୋସାକୁ ବ୍ୟବହାର କରି ସୂତା ପ୍ରସ୍ତୁତ କରାଯାଉଛି । ପ୍ରଜାପତି ଉଡ଼ିଗଲା ବେଳେ ଖୋସାଟି ଫାଟି ଯାଉଥିବାରୁ ସ୍ପିନିଙ୍ଗ ମିଲ୍ ମାଧ୍ୟମରେ ଆଧୁନିକ ଟେକ୍ନୋଲୋଜି ପ୍ରୟୋଗ କରି ଆବଶ୍ୟକ ରେଶମ ସୂତା ବାହାର କରାଯାଉଛି", ସୂଚନା ଦେଇ କହିଛନ୍ତି ଓଡ଼ିଶା ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶୋଭନକୃଷ୍ଣ ସାହୁ ।
ଭାରତରେ ୪ ପ୍ରକାର ରେଶମ କୀଟ ଚାଷ କରାଯାଉଛି । ଏହା ମଧ୍ୟରେ ରହିଛି ମଲବେରୀ, ଟସର, ଏରି ବା ଏଣ୍ଡି ଏବଂ ମୁଗା । ମୁଗାକୁ ବାଦ ଦେଇ ଓଡ଼ିଶାରେ ଅନ୍ୟ ୩ଟି ରେଶମ ଚାଷ ହେଉଛି ।
ଓଡ଼ିଶା ସରକାରଙ୍କ "୫ଟି" ଅଭିଯାନ ଅଧୀନରେ ୨୦୨୨ରୁ ପାଇଲଟ୍ ପ୍ରକଳ୍ପ ଭାବେ "କରୁଣା ସିଲ୍କ"ର ଉତ୍ପାଦନ ଆରମ୍ଭ କରାଯାଇଛି । ପ୍ରଥମେ ୭୦୦ ଚାଷୀଙ୍କୁ ନେଇ ଏଥିପାଇଁ ଏଣ୍ଡିକୀଟ ଚାଷ କରାଯାଇଥିଲା । ସେଥିରୁ ୮୨ କୁଇଣ୍ଟାଲ ରେଶମ ଉତ୍ପାଦନ ହୋଇଥିଲା । ଚଳିତ ବର୍ଷ ଏହାର ସଂପ୍ରସାରଣ କରାଯାଇ ୧୪ଟି ଜିଲ୍ଲାର ୨୫୦୦ରୁ ଅଧିକ ଚାଷୀଙ୍କୁ ଏଥିରେ ଯୋଡ଼ା ଯାଇଛି । ଏଥର ୨୦୦ କୁଇଣ୍ଟାଲରୁ ଅଧିକ "କରୁଣା ସିଲ୍କ" ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାରେ ଜଡ଼ା ଗଛର ପତ୍ର ଖାଇ ଏଣ୍ଡିକୀଟମାନେ ବଢୁଛନ୍ତି ।
"ଗୋଟିଏ ମଲବରୀ ସିଲ୍କ ଶାଢ଼ି ବୁଣିବା ପାଇଁ ଯେତିକି ସୂତା ଆବଶ୍ୟକ ସେଥିରେ ୧୦ରୁ ୨୦ ହଜାର ପର୍ଯ୍ୟନ୍ତ ରେଶମ ପୋକ ମରିଥାନ୍ତି । ସେହିପରି ଗୋଟିଏ ଟସର ସିଲ୍କ ଶାଢ଼ି ପାଇଁ ୫ରୁ ୭ ହଜାର ପୋକ ମରନ୍ତି । ସାରା ପୃଥିବୀରେ ଏ ଯେଉଁ ପାରମ୍ପରିକ ଓ ଯାନ୍ତ୍ରିକ ପଦ୍ଧତି ବ୍ୟବହାର ହେଉଛି ତାକୁ ଭାଙ୍ଗି ଓଡ଼ିଶା ଅହିଂସା ବା କରୁଣା ଉପାୟରେ ପ୍ରସ୍ତୁତ କରୁଛି "କରୁଣା ସିଲ୍କ" । ଏହା ଆମ ରାଜ୍ୟ ପାଇଁ ନିଶ୍ଚିତ ଭାବେ ଏକ ଗୌରବର ବିଷୟ", ଅଧିକ ସୂଚନା ଦେଇ କହନ୍ତି ବିଭାଗୀୟ ସ୍ୱତନ୍ତ୍ର ସଚିବ ଶୋଭନକୃଷ୍ଣ ସାହୁ ।
ଆଗରୁ ଶ୍ରୀମନ୍ଦିର ପାଇଁ ଯେଉଁ ଖଣ୍ଡୁଆ ପାଟ ସରକାରଙ୍କ ପକ୍ଷରୁ ଦିଆଯାଉଥିଲା ସେଥିପାଇଁ ବାହାର ରାଜ୍ୟରୁ ସୂତା ଆସୁଥିଲା । ଏହି ସୂତା ରେଶମ କୀଟକୁ ମାରି ପ୍ରସ୍ତୁତ ହେଉଥିଲା । କିନ୍ତୁ ବର୍ତ୍ତମାନ ଶ୍ରୀଜୀଉଙ୍କ ଅଙ୍ଗଲାଗି ହେଉଛି କରୁଣା ସିଲ୍କ, ଯାହାକି ସମ୍ପୂର୍ଣ୍ଣ ଅହିଂସା ଉପାୟରେ ପ୍ରସ୍ତୁତ ।
ଖଣ୍ଡୁଆ ପାଟର ଆଉ ଏକ ଆକର୍ଷଣ ହେଉଛି ଏଥିରେ ବୁଣା ଯାଇଥିବା କବି ଜୟଦେବଙ୍କ "ଗୀତଗୋବିନ୍ଦ"ର ସୁଲଳିତ ପଂକ୍ତି । ଖୋର୍ଦ୍ଧା ଜିଲ୍ଲା ରାଉତପଡ଼ା ଗ୍ରାମର ପାରମ୍ପରିକ ରେଶମ କାରିଗରମାନେ ଏବେ ଏହି "କରୁଣା ସିଲ୍କ"ରୁ ସାତ୍ତ୍ୱିକ ଖଣ୍ଡୁଆ ପାଟ ପ୍ରସ୍ତୁତ କରୁଛନ୍ତି । ଏହି କାରିଗରମାନେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନିଜର କଳା ପ୍ରଦର୍ଶନ କରୁଛନ୍ତି ।
"ଅହିଂସା ମାର୍ଗରେ ପ୍ରସ୍ତୁତ ରେଶମ ସୂତାକୁ ନେଇ ଆମେ ମହାପ୍ରଭୁଙ୍କ ପାଇଁ ଯୋଗାଇ ଦେଉଛୁ ପବିତ୍ର ଖଣ୍ଡୁଆ ପାଟ । ଏଠି ଦିଲ୍ଲୀର ବାଣିଜ୍ୟ ମେଳାରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଆଗରେ ସେହି କାମ ଦେଖାଇପାରୁଥିବାରୁ ଆମକୁ ବହୁତ ଖୁସି ଲାଗୁଛି", କହିଛନ୍ତି ଖୋର୍ଦ୍ଧା ରାଉତପଡ଼ାର କାରିଗର ଅଶୋକ କୁମାର ଦାସ ।
ଓଡ଼ିଶା ପାଭିଲିୟନରେ ଖୋର୍ଦ୍ଧା ରାଉତପଡ଼ାରୁ ଆସିଥିବା ଆଉ ଜଣେ କାରିଗର ଗୋପିନାଥ ଦାସ ଖଣ୍ଡୁଆ ପାଟ ବୁଣୁଛନ୍ତି । ସେ କହନ୍ତି, "ମହାପ୍ରଭୁ ଜଗନ୍ନାଥ ତ କହି ନାହାନ୍ତି ଜୀବକୁ ହତ୍ୟାକରି ତାଙ୍କ ପାଇଁ ଆମେ ଆଭୂଷଣ ପ୍ରସ୍ତୁତ କରିବା । ତେଣୁ ପୋକକୁ ନମାରି ଉତ୍ତମ ଟେକ୍ନୋଲୋଜି ବ୍ୟବହାର କରି ସେଥିରୁ ବାହାରୁଥିବା ସୂତାରୁ ଆମେ ପାଟ ବସ୍ତ୍ର ତିଆରି କରୁଛୁ । ରାଜ୍ୟ ସରକାରଙ୍କ ନିଜସ୍ୱ ତତ୍ତ୍ୱାବଧାନରେ ଏହି କରୁଣା ସିଲ୍କ ବୁଣା କାମ କରାଯାଉଛି ।
"କରୁଣା ସିଲ୍କ"ରୁ ପ୍ରସ୍ତୁତ ଆକର୍ଷଣୀୟ ଜ୍ୟାକେଟ୍ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନର ବୟନିକା ଷ୍ଟଲରେ ବିକ୍ରି ହେଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରୁ ବିଭିନ୍ନ ପ୍ରକାର ପୋଷାକ ତିଆରି ପାଇଁ ଯୋଜନା ରହିଛି । ଓଡ଼ିଶା ସରକାରଙ୍କ ନୂଆ ପ୍ରୟାସ "କରୁଣା ସିଲ୍କ" ଭାରତୀୟ ମହାନ ଅହିଂସା ଦର୍ଶନର କଥା କହୁଛି । ଏହା ଭାରତୀୟ ବୟନଶିଳ୍ପ ମାନଚିତ୍ରରେ ରାଜ୍ୟ ପାଇଁ ଏକ ନୂଆ ପରିଚୟ ଆଣିଦେଇଛି ।












Click it and Unblock the Notifications