Get Updates
Get notified of breaking news, exclusive insights, and must-see stories!

Monsoon Season: ସଅଳ ଆସି ସଅଳ ଫେରିଯିବ କି ମୌସୁମୀ ? କେତେ ଲାଭ କେତେ କ୍ଷତି ?

ନିର୍ଦ୍ଧାରିତ ସମୟର ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ତଥା ମେ ୨୪ରେ କେରଳକୁ ପ୍ରବେଶ କରିଛି ପଶ୍ଚିମ ମୌସୁମୀ ବାୟୁ । ସାଧାଣତଃ ମୌସୁମୀ ଜୁନ ୧ରେ କେରଳ ଛୁଇଁଥାଏ ।

କେରଳରେ ମୌସୁମୀ ଏତେ ଶୀଘ୍ର ପ୍ରବେଶ କରିବା ୧୬ ବର୍ଷ ମଧ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ଶେଷଥର ପାଇଁ ୨୦୦୯ ଓ ୨୦୦୧ରେ କେରଳକୁ ଏତେ ଶୀଘ୍ର ଛୁଇଁଥିଲା ମୌସୁମୀ ବାୟୁ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମୌସୁମୀ ପୂର୍ବରୁ ପହଞ୍ଚି ଯାଇଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଏତେ ଶୀଘ୍ର କିପରି ଆସିଲା ମୌସୁମୀ ବାୟୁ ?

Monsoon Season

ମୌସୁମୀ ସମ୍ପର୍କୀତ ଘୋଷଣା କରିବା ପାଇଁ କିଛି ବୈଜ୍ଞାନିକ ମାନଦଣ୍ଡ ଅନୁସରଣ କରେ ପାଣିପାଗ ବିଭାଗ । ଏଥିମଧ୍ୟରୁ ଗୋଟିଏ ହେଲା, କେରଳ ଏବଂ ଆଖପାଖ ଅଞ୍ଚଳର ୧୪ଟି ନିର୍ଦ୍ଦିଷ୍ଟ ପାଣିପାଗ କେନ୍ଦ୍ର ମଧ୍ୟରୁ ଅତି କମରେ ୬୦% ସ୍ଥାନରେ ଲଗାତାର ଦୁଇ ଦିନ ପାଇଁ ୨.୫ ମିମି କିମ୍ବା ତା'ଠାରୁ ଅଧିକ ବର୍ଷା ହେବ। ବର୍ଷା ସହିତ ପଶ୍ଚିମ ପବନ ମଧ୍ୟ ପ୍ରବଳ ବେଗରେ ବହିବ । ଏହା ସହିତ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର Outgoing Longwave Radiation (OLR) ସ୍ତର ୨୦୦ W/m² ରୁ କମ୍ ହେବା ଉଚିତ। ଏଥର ଏହି ସମସ୍ତ ମାନଦଣ୍ଡ ପୂରଣ ହେତୁ ମୌସୁମୀ ପୂର୍ବରୁ ପ୍ରବେଶ କରିଥିବା ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଥିଲା।

୮ଦିନ ପୂର୍ବରୁ ପହଞ୍ଚିଛି ମୌସୁମୀ

ଏଥର ମୌସୁମୀ ନିର୍ଦ୍ଧାରିତ ତାରିଖର ଆଠ ଦିନ ପୂର୍ବରୁ କେରଳରେ ପହଞ୍ଚିଛି। ମୌସୁମୀ ମେ ୨୭ ତାରିଖ ପାଖାପାଖି କେରଳ ଛୁଇଁପାରେ ବୋଲି ଗତ ସପ୍ତାହର ଆରମ୍ଭରେ IMD ପୂର୍ବାନୁମାନ କରିଥିଲା । ଏହାର ପୂର୍ବରୁ କିମ୍ବା ପରେ ୪ ଦିନର ପାର୍ଥକ୍ୟରେ ମୌସୁମୀ ଆସିବ ବୋଲି କୁହାଯାଇଥିଲା । ଏଥର ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ୍ ପ୍ରମାଣିତ ହୋଇଛି ।

୨୦୦୯ ପରେ ଏହା ପ୍ରଥମ ଥର, ମୌସୁମୀ ଭାରତକୁ ଏତେ ଶୀଘ୍ର ପହଞ୍ଚିଛି। ଏହାର ଆଗମନ ସହିତ କେରଳର ଅନେକ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ତଥାପି ଆଇଏମଡି ତଥ୍ୟ ଅନୁଯାୟୀ, ଗତ ୧୫୦ ବର୍ଷ ମଧ୍ୟରେ କେରଳକୁ ମୌସୁମୀ ଆଗମନର ତାରିଖ ବହୁତ ଭିନ୍ନ ରହିଛି । ୧୯୧୮ ମସିହାରେ ରେକର୍ଡ ସୃଷ୍ଟି କରି ମେ ୧୧ରେ ସବୁଠାରୁ ଶୀଘ୍ର କେରଳ ପହଞ୍ଚିଥିଲା ମୌସୁମୀ । ସେହିପରି ୧୯୭୨ ମସିହାରେ ଏହା ସର୍ବାଧିକ ବିଳମ୍ବରେ ୧୮ ଜୁନରେ କେରଳରେ ପହଞ୍ଚିଥିଲା ।

ମୌସୁମୀ ଆଗମନ ପାଇଁ

ପ୍ରକୃତରେ ମୌସୁମୀ ଏବଂ ବର୍ଷା ପାଇଁ ଦୁଇଟି ସ୍ଥିତି (ପ୍ରକୃତି) ଦାୟୀ। ଏଥିମଧ୍ୟରୁ ଗୋଟିଏ ହେଉଛି ଏଲ୍ ନିନୋ ଏବଂ ଅନ୍ୟଟି ହେଉଛି ଲା ନିନା। ଏଲ୍ ନିନୋରେ ସମୁଦ୍ରର ତାପମାତ୍ରା ତିନିରୁ ଚାରି ଡିଗ୍ରୀ ବୃଦ୍ଧି ପାଏ। ସାଧାରଣତଃ ଏହି ଅବସ୍ଥାର ପ୍ରଭାବ ୧୦ ବର୍ଷରେ ଦୁଇଥର ଦେଖାଯାଏ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେଉଥିବା ଅଞ୍ଚଳରେ କମ୍ ବର୍ଷା ହୁଏ ଏବଂ କମ୍ ବର୍ଷା ହେଉଥିବା ଅଞ୍ଚଳରେ ଅଧିକ ବର୍ଷା ହୁଏ। ଅନ୍ୟପକ୍ଷରେ ଲା ନିନା ସମୁଦ୍ର ଜଳକୁ ଦ୍ରୁତ ଗତିରେ ଥଣ୍ଡା କରିଥାଏ, ଯାହା ସାରା ବିଶ୍ୱର ପାଣିପାଗ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ।

ଏଥର ଶୀଘ୍ର କାହିଁକି ?

ଏଥର ଭାରତରେ ମୌସୁମୀ ଶୀଘ୍ର ଆସିବାର ମୁଖ୍ୟ କାରଣ ହେଉଛି ଆରବ ସାଗର ଏବଂ ବଙ୍ଗୋପସାଗରରେ ଆର୍ଦ୍ରତା ବୃଦ୍ଧି । ଏହି ସମୟ ମଧ୍ୟରେ ସମୁଦ୍ରର ତାପମାତ୍ରା ସ୍ୱାଭାବିକ ଅପେକ୍ଷା ଅଧିକ ରହିଥିଲା, ଯାହା ଫଳରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଥିଲା। ତା'ପରେ ପଶ୍ଚିମ ପବନ ବହିବା ଆରମ୍ଭ ସହ ଘୂର୍ଣ୍ଣିବଳୟ କାର୍ଯ୍ୟକଳାପ ଯୋଗୁଁ ମଧ୍ୟ ମୌସୁମୀକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲା। ଏହା ବ୍ୟତୀତ ସାରା ବିଶ୍ୱରେ ହେଉଥିବା ଜଳବାୟୁ ପରିବର୍ତ୍ତନ ମଧ୍ୟ ଏହି ପାଣିପାଗ ଢାଞ୍ଚାରେ ପରିବର୍ତ୍ତନର ଏକ ପ୍ରମୁଖ କାରଣ ।

ଶୀଘ୍ର ଆସି ଶୀଘ୍ର ଚାଲିଯିବ କି ?

ମୌସୁମୀ କେରଳ ଛୁଇଁବା ପରେ ପରେ ଏହା ଧୀରେ ଧୀରେ ଉତ୍ତର ଆଡକୁ ଗତି କରେ। ତା'ପରେ ଜୁନ୍ ଶେଷ ସୁଦ୍ଧା ଏହା ଦେଶର ଅଧିକାଂଶ ଅଞ୍ଚଳକୁ ପ୍ରବେଶ କରେ। ସାଧାରଣତଃ ଜୁଲାଇ ମଧ୍ୟଭାଗ ସୁଦ୍ଧା ଦେଶର ସମସ୍ତ ସ୍ଥାନରେ ମୌସୁମୀ ପହଞ୍ଚିଥାଏ। ତଥାପି ମୌସୁମୀର ଶୀଘ୍ର ଆଗମନ ହୋଇଥିବାର ମୌସୁମୀ ଶୀଘ୍ର ଚାଲିଯିବାର କୌଣସି ସମ୍ଭାବନା ନିାହଁ । ଏସବୁ ପାଗର ବିଭିନ୍ନ ଜଟିଳ ପ୍ରକ୍ରିୟା ଉପରେ ନିର୍ଭର କରେ। ଏଗୁଡ଼ିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆରବ ସାଗର ଏବଂ ବଙ୍ଗୋପସାଗରରେ ସମୁଦ୍ରର ତାପମାତ୍ରା, ବାୟୁର ଚାପ ଏବଂ ବିଶ୍ୱର ପାଣିପାଗ ଢାଞ୍ଚା।

ବର୍ଷାର ନିର୍ଭରଶୀଳତା

ସମୟ ପୂର୍ବରୁ ମୌସୁମୀ ଦେଶରେ ପହଞ୍ଚିବା ସହ ଏହାର ଗତି ଭଲ ରହିଲେ ସମଗ୍ର ଦେଶରେ ସ୍ୱାଭାବିକ କିମ୍ବା ଭଲ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ମୌସୁମୀ ଶୀଘ୍ର ଆସି ଧୀର କିମ୍ବା ଦୁର୍ବଳ ଗତି ରହିଲେ ବର୍ଷା ହ୍ରାସ ହୋଇପାରେ। ତେଣୁ ମୌସୁମୀର ଶୀଘ୍ର ଆଗମନ ଭଲ ବର୍ଷାର ସୂଚନା ନୁହେଁ କିମ୍ବା ବିଳମ୍ବରେ ଆଗମନ କମ୍ ବର୍ଷାର ସୂଚନା ନୁହେଁ। ଅନେକ ସମୟରେ ମୌସୁମୀ ବିଳମ୍ବରେ ପହଞ୍ଚେ। ଏହା ସତ୍ତ୍ୱେ ସ୍ଥିତି ଭଲ ରହିଲେ, ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ ଏବଂ ଭଲ ବର୍ଷା ହୁଏ।

ଭଲ ଅମଳ ସମ୍ଭାବନା

ମୌସୁମୀର ଶୀଘ୍ର ଆଗମନ ଲାଭଦାୟକ ହେବ ବୋଲି ସୂଚିତ କରେ ନାହିଁ କିମ୍ବା କ୍ଷତି କରିବ ବୋଲି ସୂଚିତ କରେ ନାହିଁ। ତଥାପି ମୌସୁମୀ ବର୍ଷା ଯୋଗୁଁ ଚାଷୀକୂଳ କ୍ଷେତରେ ଶୀଘ୍ର ବିହନ ବୁଣିପାରିବେ । ଯଦି ମୌସୁମୀ ବର୍ଷା ଜାରି ରହେ, ତେବେ ଫସଲ ପର୍ଯ୍ୟାପ୍ତ ପାଣି ପାଇବ ଏବଂ ଅମଳ ଭଲ ହେବ। ଏପ୍ରିଲ ମାସରେ ହିଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା, ୨୦୨୫ ମସିହାର ମୌସୁମୀ ଋତୁରେ କୌଣସି ପ୍ରକାରର ଏଲ୍ ନିନୋର ସମ୍ଭାବନା ନାହିଁ । ଏପରି ସ୍ଥିତିରେ ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଦେଶରେ ବର୍ଷା କମିବାର ପ୍ରାୟ କୌଣସି ସମ୍ଭାବନା ନାହିଁ। ୨୦୨୩ ମସିହାରେ ଏଲ୍ ନିନୋ ସକ୍ରିୟ ଥିବାରୁ ମୌସୁମୀ ଋତୁରେ ସ୍ୱାଭାବିକ ଅପେକ୍ଷା ଛଅ ପ୍ରତିଶତ କମ୍ ବର୍ଷା ହୋଇଥିଲା।

ମୌସୁମୀ ବର୍ଷାରେ ମୁମ୍ବାଇ ଉବୁଟୁବୁ

କେରଳ ପରେ ମୁମ୍ବାଇ ସମେତ ମହାରାଷ୍ଟ୍ରରେ ମଧ୍ୟ ମୌସୁମୀ ପହଞ୍ଚିଛି। ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜୀବନଯାତ୍ରା ବ୍ୟାହତ ହେଉଛି । ୧୦୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୁମ୍ବାଇରେ ଏତେ ଶୀଘ୍ର ଆସିଥିବା ମୌସୁମୀ ବର୍ଷାର ମଜା ନେଉଛନ୍ତି ଲୋକେ , କିନ୍ତୁ ବାସ୍ତବିକତା ହେଉଛି ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି । ତେବେ ବର୍ଷା ଯୋଗୁଁ ମାୟାନଗରୀ ମୁମ୍ବାଇ ଜଳମଗ୍ନ ହେବା ଘଟଣା ପ୍ରଥମ ଥର ନୁହେଁ । ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପ୍ରତି ବର୍ଷା ଋତୁରେ ସମାନ ପରିସ୍ଥିତି ଉପୁଜେ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବର୍ଷା ଯୋଗୁଁ ସୃଷ୍ଟି ହେଉଥିବା ସ୍ଥିତି ପଛରେ ଦାୟୀ ଏହାର ଭୌଗୋଳିକ ସ୍ଥିତି । ସାତୋଟି ଦ୍ୱୀପକୁ ନେଇ ସୃଷ୍ଟି ହୋଇଥିଲା ମୁମ୍ବାଇ, କିଛି ଅଞ୍ଚଳ ଉଚ୍ଚ ଆଉ କିଛି ନିମ୍ନ । ଏହି କାରଣରୁ ଯେତେବେଳେ ପ୍ରବଳ ବର୍ଷା ହୁଏ, ଅନ୍ଧେରୀ ସବୱେ, ସିଓନ, ମିଲାନ ସବୱେ ଏବଂ ଖାର ସବୱେ ଇତ୍ୟାଦିରେ ପ୍ରବଳ ପାଣି ଜମିଯାଏ।

ମୁମ୍ବାଇ ଏକ ଉପକୂଳବର୍ତ୍ତୀ ସହର। ଏହା କେବଳ ଆରବ ସାଗର ଦ୍ୱାରା ଘେରି ରହିଛି ତାହା ନୁହେଁ, ଚାରୋଟି ନଦୀ - ମିଠି, ଓଶିୱାରା, ଦହିସର ଏବଂ ପୋଇସର ମଧ୍ୟ ଏଠାରେ ପ୍ରବାହିତ ହୁଏ। ଯଦି ଆମେ କେବଳ ମିଠି ନଦୀର ଉଦାହରଣ ନେବା, ତେବେ ପ୍ରାୟ ସମଗ୍ର ମୁମ୍ବାଇକୁ ଘେରି ରହିଥିବା ଏହି ନଦୀର ପ୍ରସ୍ଥ ଅନେକ ସ୍ଥାନରେ ମାତ୍ର ୧୦ ମିଟର। ଏପରି ସ୍ଥିତିରେ ଅଳ୍ପ ସମୟ ବର୍ଷା ପରେ ଏହି ନଦୀ ଫୁଲିବା ଆରମ୍ଭ କରି କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଥାଏ । ଏହା ଯୋଗୁଁ ତଳିଆ ଅଞ୍ଚଳର ଲୋକ ଅଧିକ ପ୍ରଭାବିତ ହୁଅନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+