ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଆୟୋଜିତ ହେବ ରୋଡ ମ୍ୟୁଜିୟମ
ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ବିଶେଷ ପ୍ରଦର୍ଶନୀ ଆୟୋଜନ କରାଯିବ
ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ବିଶେଷ ପ୍ରଦର୍ଶନୀ ଆୟୋଜନ କରିବ। ମୁକ୍ତି ଆନ୍ଦୋଳନରେ ବିଶେଷ ଘଟଣାଗୁଡ଼ିକୁ ନେଇ ପ୍ରଦର୍ଶନୀ ଆୟୋଜନ ସହ ସମଗ୍ର ରାଜ୍ୟରେ ଭ୍ରାମ୍ୟମାଣ ରୋଡ୍ ମ୍ୟୁଜିୟମ ଆୟୋଜନ କରାଯିବ। ରାଜ୍ୟ ସଂଗ୍ରହାଳୟର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଆଜାଦି କା ଅମୃତ ମହୋତ୍ସବରେ ମୁଖ୍ୟ ଅତିଥ ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ଏ ସଂପର୍କରେ ଘୋଷଣା କରିଛନ୍ତି। ଶ୍ରୀ ଦଳାଇ ଏହି ଅବସରରେ ସ୍ୱାଧୀନତାର ବିଭିନ୍ନ ସ୍ମରଣୀୟ ଘଟଣାଗୁଡ଼ିକ ସଂପର୍କରେ ଆଲୋକପାତ କରିଥିଲୋ ପ୍ରାକ୍ ସ୍ୱାଧୀନତା କାଳରେ ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତ ସ୍ଥାନୀୟ ନେତୃମଣ୍ଡଳୀଙ୍କୁ ଅଧିକ ମାତ୍ରାରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ପାଇଁ ପ୍ରେରିତ କରିଥିଲା ବୋଲି କହିଛନ୍ତି। ସଂପ୍ରତି ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଗାନ୍ଧୀବାଦୀ ପ୍ରହ୍ଲାଦ କୁମାର ସିଂହ ଗାନ୍ଧୀଜୀଙ୍କ ୮ ଥର ଓଡ଼ିଶା ଆଗମନ ଓ ତାଙ୍କ ନେତୃତ୍ୱରେ ଆୟୋଜିତ ସଭାସମିତି, ପଦଯାତ୍ରା କାର୍ଯ୍ୟକ୍ରମର ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଗାନ୍ଧୀଜୀ ଓଡ଼ିଶାର ବ୍ୟାପକ ଅଞ୍ଚଳ ବୁଲି ଦେଖିବା ସହ ପ୍ରତ୍ୟକ୍ଷ ଭାବେ ଓଡ଼ିଶା ସଂପର୍କରେ ଅବଗତ ହୋଇଥିଲେ। ଏଠିକାର ପାଣିପବନ, ଲୋକଙ୍କ ଜୀବନଶୈଳୀ, ଅର୍ଥନୀତି, ଗ୍ରାମ୍ୟଜୀବନ ପ୍ରଭୃତି ତାଙ୍କୁ ବହୁଳ ଭାବେ ପ୍ରଭାବିତ କରିଥିଲା ବୋଲି ସେ କହିଥିଲେ। ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସଂଗ୍ରହାଳୟ ଦ୍ୱାରା ପ୍ରସ୍ତାବିତ ରୋଡ୍ ମୁ୍ୟଜିୟମ୍ ସ୍ୱାଧୀନତା ସଂଗ୍ରାମ ଉପରେ ଲୋକଙ୍କୁ ଅନେକ ତଥ୍ୟ ପ୍ରଦାନ କରିପାରିବ ବୋଲି କହିଥିଲେ। ସେ ମଧ୍ୟ ଏହାକୁ ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ରାଜ୍ୟ ସଂଗ୍ରହାଳୟରେ ଏକ ସ୍ୱତନ୍ତ୍ର ଫଟୋ ପ୍ରଦର୍ଶନୀର ଆୟୋଜନ ସହିତ ଦେଶାତ୍ମବୋଧକ ସଂଗୀତର ସିଡି ଉନ୍ମୋଚନ ହୋଇଥିଲା। ଏହି ସଂଗୀତଗୁଡ଼ିକ ସଂଗ୍ରହାଳୟର ସମସ୍ତ ଗ୍ୟାଲେରୀରେ ଏକ ମାସ ବ୍ୟାପୀ ପରିବେଷଣ କରାଯିବାର ବନ୍ଦୋବସ୍ତ କରାଯିବା। ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ଯୋଗେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ୟୁଟୁ୍ୟବ୍, ଫେସ୍ବୁକ୍ ଏବଂ ହ୍ୱାଟସ୍ ଆପ୍ ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂଗ୍ରହାଧ୍ୟକ୍ଷା ସୁଚିସ୍ମିତା ମନ୍ତ୍ରୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସଂଗ୍ରହାଧ୍ୟକ୍ଷା ଡ. ଭାରତୀ ପାଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।












Click it and Unblock the Notifications