ସୁନାକୂଅ ଜଳରେ ସ୍ନାନ କରନ୍ତି ମହାପ୍ରଭୁ, କେଉଁଠି ଅଛି ରହସ୍ୟମୟ କୂପ ? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଶ୍ରୀକ୍ଷେତ୍ରର ଅଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥ । ପୁରୀରେ ରହି ମାନବୀୟ ଲୀଳା ରଚୁଛନ୍ତି କାଳିଆ ସାଆନ୍ତେ । ମର୍ତ୍ତ୍ୟ ମଣ୍ଡଳରେ ଶ୍ରୀକ୍ଷେତ୍ର । ଏଠି ସବୁକିଛି ସ୍ବତନ୍ତ୍ର । ମହାପ୍ରଭୁଙ୍କ ରୀତିନୀତି, ବେଶଭୂଷା ସବୁକିଛିରେ ସ୍ବତନ୍ତ୍ରତା ଭରି ରହିଛି । ଭକ୍ତଙ୍କୁ ଦେଖିବା ପାଇଁ ରତ୍ନସିଂହାସନରୁ ଓହ୍ଲାଇ ନବଦିନାତ୍ମକ ଯାତ୍ରାରେ ବାହାରି ଆସନ୍ତି ଚତୁର୍ଦ୍ଧାମୂର୍ତ୍ତି ।

ଆଗକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବା ବେଳେ ଆଜି ଦେବସ୍ନାନ ପୂର୍ଣ୍ଣିମା । 108 ଗରା ସୁବାସିତ ଜଳରେ ତନୁ ପଖାଳିବେ ଶ୍ରୀକ୍ଷେତ୍ର ସାଆନ୍ତେ । ଏଥିପାଇଁ ସୁନାକୂଅରୁ ଆସେ ପବିତ୍ର ଜଳ । ଜାଣନ୍ତି କି ? ଏହି ସୁନାକୂଅ କେଉଁଠି ଅଛି ? ଏହା ପଛର କଣ ରହିଛି କିମ୍ବଦନ୍ତୀ । ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...'କାଳିଆର ସୁନାକୂଅ' ।

ଶ୍ରୀମନ୍ଦିରରେ କେଉଁଠି ଅଛି ରହସ୍ୟମୟ କୂପ ?

ସୁନା କୂଅ.. ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ସୁନାକୂଅ କେଉଁଠି ଅଛି ? ସତରେ କଣ ସୁନାକୂଅ ଅଛି । ହଁ ଆଜ୍ଞା ସତରେ ସୁନାକୂଅ ଅଛି । ଶ୍ରୀମନ୍ଦିର ଭିତରେ ରହିଛି ଏହି ଚର୍ଚ୍ଚିତ, କୌତୁହଳ ସୁନାକୂଅ ।

ଶ୍ରୀମନ୍ଦିର ଭିତରେ କେଉଁଠି ଅଛି ସୁନାକୂଅ ?

ଶ୍ରୀମନ୍ଦିର ଭିତରେ ଅନେକ କୂଅ ରହିଛି । ତେବେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଥିବା ମା' ଶୀତଳା ସମ୍ମୁଖ ଭାଗରେ ଯେଉଁ କୂଅ ରହିଛି ତାହାକୁ ସୁନା କୂଅ କୁହାଯାଏ । ଏହା ବର୍ଷ ସାରା ଆବୃତ ହୋଇ ରହିଥାଏ । ଏହି କୂପର ଜଳ ବର୍ଷ ସାରା କୌଣସି କାର୍ଯ୍ଯରେ ବ୍ୟବହାର ହୁଏନି । କେବଳ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଏହି କୂପ ଜଳରେ ଚତୁର୍ଦ୍ଧାମୂର୍ତ୍ତୀ ସ୍ନାନ କରିଥାନ୍ତି ସ୍ନାନ ମଣ୍ଡପରେ ।

ବର୍ଷକୁ ମାତ୍ର ଥରେ ବ୍ୟବହାର ହୁଏ ସୁନାକୂଅର ଜଳ:

କୂଅର ନାମ ଯେଭଳି ନିଆରା ଏହି କୂଅର ଜଳ ମଧ୍ୟ ସେତିକି ସ୍ବତନ୍ତ୍ର । କେବଳ ବର୍ଷରେ ଥରେ ଏହି କୂପ ଜଳ କଢ଼ାଯାଇ ସ୍ନାନ ମଣ୍ଡପରେ ସ୍ନାନ ଯାତ୍ରା ଦିନ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିଥାନ୍ତି । ତେବେ ବର୍ଷକୁ ଥରେ କାହିଁକି ଏହି କୂପ ଜଳ ବ୍ୟବହାର ହୁଏ, ଅନ୍ୟ କୌଣସି ଦିନରେ ଏହି ଜଳ କାହିଁକି ବ୍ୟବହାର ହୁଏ ନାହିଁ ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ତେବେ କୁହାଯାଏ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଭାରତର ଥିବା ସବୁ ତୀର୍ଥ ଜଳ ଏହି କୂପକୁ ଆସିଥାଏ । ସ୍ନାନଯାତ୍ରା ସରିବା ପରେ ଏହି କୂପରୁ ସବୁ ତୀର୍ଥ ଜଳ ଅନ୍ତର୍ଦ୍ଧାନ ହୋଇଯାଆନ୍ତି । ଏଣୁ ଏହି କୂପର ଜଳକୁ ବର୍ଷକୁ ଗୋଟିଏ ଦିନ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ସ୍ନାନ ପାଇଁ ବ୍ୟବହାର ହୋଇଥାଏ ।

Lord Mahaprabhu bathes in the golden well water

ସୁନାକୂଅକୁ ଜଗି ବସିଥାନ୍ତି ସିଂହ:

ଶ୍ରୀମନ୍ଦିରର ଚୂନରା ସେବାୟତ ଶରତ ମହାନ୍ତି କୁହନ୍ତି, 'ଏହି ସୁନାକୂଅକୁ ମା' ଶୀତଳାଙ୍କ ବାହାନ ସିଂହ ବର୍ଷ ସାରା ଜଗି ରହିଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଏହି ସୁନାକୂଅର ଅନେକ ବୈଚିତ୍ର ରହିଛି । କିମ୍ବଦନ୍ତୀରୁ ଜଣାଯାଏ ଯେତେବେଳେ ରାଜା ଶ୍ରୀମନ୍ଦିର ତୋଳିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ସେତେବେଳେ ବିଭିନ୍ନ ରାଜ୍ୟରୁ ଜୟ କରି ଆଣିଥିବା ସୁବର୍ଣ୍ଣକୁ ରଖିବା ପାଇଁ ଶ୍ରୀମନ୍ଦିରରେ କୌଣସି ସୁରକ୍ଷିତ ସ୍ଥାନ ନ ଥିଲା କି ଭଣ୍ଡାର ମଧ୍ୟ ନଥିଲା । ତେଣୁ ସେ କୂପ ଭିତରେ ରାଜା ସେହି ସୁବର୍ଣ୍ଣ ଗୁଡ଼ିକୁ ଗଚ୍ଛିତ ରଖିଥିଲେ । ଅନେକ ମଧ୍ୟ ଲୋକ କଥାରେ କୁହାଯାଏ କୂଅ ଭିତରେ ଥିବା ସବୁଠୁ ନିମ୍ନ ଥିବା ନନ୍ଦ ଗୁଡ଼ିକ ସୁନାରେ ନିର୍ମିତ ହୋଇଛି ।'

ସୁନାକୂଅରୁ ରହିଛି ଗୁପ୍ତ ସୁଡଙ୍ଗ:

ବିଶ୍ୱାସ କରାଯାଏ ସେହି ସୁନାକୂଅରୁ ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଗୁପ୍ତ ସୁଡ଼ଙ୍ଗ ରହିଛି । ମହାପ୍ରଭୁଙ୍କୁ ସୁନା ଠାକୁର କୁହାଯାଏ । ମହାପ୍ରଭୁ ରଥ ଉପରେ ସୁନା ଝାଡୁରେ ଗଜପତି ଛେରା ପହଁରା କରନ୍ତି । ମହାପ୍ରଭୁଙ୍କୁ ସୁନା ଥାଳିରେ ନୈବେଦ୍ୟ ଅର୍ପଣ ହୁଏ । ତେବେ ସୁନା ଗୋସେଇଁ ନାମକ ଜଣେ ସେବକ ଏହି ସୁନାକୂଅରୁ ଜଳ ବାହାର କରିଥାନ୍ତି ।

ଏହି ଦିନ ପାଳନ ହୁଏ ମହାପ୍ରଭୁଙ୍କ ଜନ୍ମଦିବସ:

'ଶାସ୍ତ୍ରରେ ବର୍ଣ୍ଣନା ରହିଛି ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ସବୁ ପବିତ୍ର ନଦୀର ତୀର୍ଥ ଜଳ ଗୋଟିଏ ଦିନରେ ସେହି ସୁନାକୂଅରେ ସମାହିତ ହୋଇଥାନ୍ତି । ସେହି ଜଳକୁ ନିଆଯାଇ ମହାପ୍ରଭୁଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ । ସ୍ନାନ ଯାତ୍ରାକୁ ମହାପ୍ରଭୁଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ । ଏହି ପବିତ୍ର ଦିନରେ ମହାପ୍ରଭୁ ଜନ୍ମ ଲାଭ କରିଥିବା ଶାସ୍ତ୍ରରେ ବର୍ଣ୍ଣନା ରହିଛି । ଯାହାକି ମହାପ୍ରଭୁଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରେ ଅନ୍ୟତମ । ଯେଉଁ ଥିରେକି ମହାପ୍ରଭୁ ପ୍ରତ୍ୟକ୍ଷ ସ୍ନାନ କରିଥାନ୍ତି ।' ବୋଲି କୁହନ୍ତି ଚୂନରା ସେବାୟତ ଶରତ ମହାନ୍ତି ।

ସୁନାକୂଅରୁ କିଏ କାଢ଼େ ଜଳ ?

'୧୦୮ କୁମ୍ଭ ଜଳରେ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ କରିଥାନ୍ତି । ପୂର୍ବରୁ ଅଧିବାସ ଗୃହରେ ଏହି ଜଳ ଅଧିବାସ ହୋଇଥାଏ । ଗରାବଡୁ ସେବକ ମାନେ ଏହି ପବିତ୍ର ଦିବ୍ୟ ଜଳକୁ ଆଣି ସ୍ନାନ ମଣ୍ଡପରେ ପହଞ୍ଚାଇ ଥାଆନ୍ତି । ସୁନା କୂଅରୁ ସୁନା ଗୋସେଇଁ ସେବକ ଜଳ କୁଅରୁ କାଢ଼ିବା ପରେ ଏହି ଜଳକୁ ଅଧିବାସ କରାଯାଏ । ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନିମିତ୍ତ ଏହି ଦିବ୍ୟ ପବିତ୍ର ଜଳକୁ ବ୍ୟବହାର କରାଯାଏ । ବର୍ଷରେ କେବଳ ଗୋଟିଏ ଦିନ ସ୍ନାନଯାତ୍ରା ଦିନ ହିଁ ସୁନାକୂଅରୁ ଆସିଥିବା ଜଳରେ ମହାପ୍ରଭୁ ସ୍ନାନ କରିଥାନ୍ତି । ଅନ୍ୟ ସମୟରେ ବର୍ଷ ତମାମ ଏହି କୂଅକୁ ଘୋଡାଇ ରଖାଯାଏ । ଏହି କୂଅର ଜଳକୁ ଅନ୍ୟ କୌଣସି କାର୍ଯ୍ଯରେ ବ୍ୟବହାର ହୋଇନଥାଏ ।'

କିଏ ନିର୍ମାଣ କରିଥିଲେ ସୁନାକୂଅ ?

କୁହାଯାଏ, ଏହି ସୁନାକୂଅର ଗଭୀରତା 50 ଫୁଟ ରହିଛି । ଏହା ବହୁ ପ୍ରାଚୀନ କୂପ । ତତ୍କାଳୀନ ଗଜପତି ରାଜା କପିଳେନ୍ଦ୍ର ଦେବ ଏହି କୂପର ନିର୍ମାଣ କରିଥିଲେ । ସେତେବେଳେ ମେଘନାଦ ପ୍ରାଚୀର ହୋଇନଥିଲା ଶ୍ରୀମନ୍ଦିର ଚାରିପାଖରେ । ଏହା ପୂର୍ବରୁ ଏହି ସୁନାକୂପ ରହିଥିବା ପ୍ରମାଣ ରହିଛି ।

ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ କରାଯାଏ କୂପ ସଂସ୍କାର:

ଚୂନରା ସେବାୟତ ଶରତ ମହାନ୍ତି ଆହୁରି କୁହନ୍ତି, 'ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବରୁ ଭାରତର ଯେତେ ପୂଣ୍ୟତୋୟା ପବିତ୍ର ନଦୀ ରହିଛି ତାହା ଏହି କୂପରେ ସମ୍ମିଳିତ ହୋଇଥାନ୍ତି । ଏହି ପବିତ୍ର ଜଳରେ ମହାପ୍ରଭୁ ସ୍ନାନ କରିଥାନ୍ତି । ଶ୍ରୀମନ୍ଦିର ଜୈନିକ ସେବକ ଦୟଣା ମାଳି ସେବକ ସ୍ନାନଯାତ୍ରାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଦିନ କୂପକୁ ଉଝାଳି ଥାଆନ୍ତି । ଏହା ପରେ କୂପକୁ ସଂସ୍କାର କରାଯାଏ । ପରେ ସେହି କୂପ ଜଳକୁ ସୁନା ଗୋସେଇଁ ସେବକ ବାହାର କରିଥାନ୍ତି ।'

କାହିଁକି ମହାପ୍ରଭୁଙ୍କ ହୁଏ ସେନାପଟା ଲାଗି ନୀତି ? ସାକ୍ଷୀଗୋପାଳରୁ ଆସେ ବଉଳ କାଠ

ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ, ଦିବା 12ଟା 20ରୁ 1ଟା 45 ଯାଏଁ ଚାଲିବ ସ୍ନାନ

ଏଥର ଦେବସ୍ନାନ ପୂର୍ଣ୍ଣିମା ସୁରକ୍ଷାରେ 70 ପ୍ଲାଟୁନ୍ ପୋଲିସ ଫୋର୍ସ, କେଉଁଠି କରିବେ ପାର୍କିଂ ଜାଣନ୍ତୁ

'ଆମେ କାଳିଆ ସେବକ', ରଥ ନିର୍ମାଣରେ ଉଚ୍ଚ ଶିକ୍ଷିତ ସେବାୟତ

ଜଗା ସେବାରେ 'ତୁଳସୀ ବାବା', ତୁଳସୀ ନେଇ ପ୍ରତିଦିନ ଧାଇଁ ଆସନ୍ତି ପୁରୀ ଶ୍ରୀମନ୍ଦିର

108 ଗରା ଜଳରୁ ଚତୁର୍ଦ୍ଧାମୂର୍ତ୍ତି କେତେ ଗରା ଜଳରେ ସ୍ନାନ କରନ୍ତି ?

ସ୍ନାନ ମଣ୍ଡପରେ 108 ଗରା ଜଳରେ ସ୍ନାନ କରନ୍ତି ଚତୁର୍ଦ୍ଧାମୂର୍ତ୍ତି । ସେଥି ମଧ୍ୟରୁ ଆସନ୍ତୁ ଜାଣିବା ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ କେତେ କେତେ ଜଳରେ ସ୍ନାନ କରନ୍ତି ?

ପ୍ରଭୁ ବଳଭଦ୍ର 32 ଗରା
ମହାପ୍ରଭୁ ଜଗନ୍ନାଥ 35 ଗରା
ଦେବୀ ସୁଭଦ୍ରା 22 ଗରା
ଚକ୍ରରାଜ ସୁଦର୍ଶନ 18 ଗରା
ଦେବସ୍ନାନ ପୂର୍ଣ୍ଣିମା:

ଆଜି (ଜୁନ 11) ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ 108 ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଏହା ପରେ ଜ୍ବରରେ ପୀଡିତ ହେବେ ଶ୍ରୀଜିଉ । 15 ଦିନ ଅଣସର ଘରେ ଚାଲିବ ମହାପ୍ରଭୁଙ୍କ ଉପଚାର । ଜ୍ବରରୁ ଭଲ ହେଲା ପରେ ଭାଇଭଉଣୀଙ୍କୁ ସାଥିରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରି ଆସିବେ କାଳିଆ ସାଆନ୍ତେ । ସେପଟେ ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି 70 ପ୍ଲାଟୁନ ପୋଲିସ ଫୋର୍ସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+