ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ଉପରେ ହେବାକୁ ଥିବା ବଡ଼ ଆକ୍ରମଣ ସ୍ଥଗିତ
ଟ୍ରମ୍ପଙ୍କ ବଡ଼ ଘୋଷଣା । ଇରାନ ଉପରେ ହେବାକୁ ଥିବା ବଡ଼ ଆକ୍ରମଣ ସ୍ଥଗିତ । ଗଲ୍ଫ ଦେଶଗୁଡ଼ିକର ଅନୁରୋଧ କ୍ରମେ ଟଳିଲା ଇରାନ ଉପରେ ଆମେରିକାର ସେନା ଆକ୍ରମଣ । ଶେଷ ମୁହୂର୍ତ୍ତରେ ରଣନୀତି ବଦଳାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଜି ଇରାନ ଉପରେ ହେବାକୁ ଥିବା ବଡ଼ ଧରଣର ସାମରିକ ଆକ୍ରମଣ ଯୋଜନାକୁ ଆମେରିକା ରାଷ୍ଟ୍ରପତି ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖିଛନ୍ତି । ଗତକାଲି ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍' ଜରିଆରେ ଟ୍ରମ୍ପ ନିଜେ ଏହି ସୂଚନା ଦେଇଛନ୍ତି। ପ୍ରମୁଖ ଗଲ୍ଫ ଦେଶଗୁଡ଼ିକର ଅନୁରୋଧ କ୍ରମେ ସେ ଏହି ଆକ୍ରମଣକୁ ବାତିଲ କରିଥିବା କହିଛନ୍ତି।କାତାରର ଅମିର ତମିମ୍ ବିନ୍ ହମାଦ ଅଲ୍ ଥାନି, ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଏବଂ ୟୁଏଇ (UAE) ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ ଅଲ୍ ନାହୟାନଙ୍କ ସମେତ ଅନ୍ୟ କେତେକ ପ୍ରମୁଖ ନେତା ତାଙ୍କୁ ଏହି ଆକ୍ରମଣ ପାଇଁ କିଛି ସମୟ ଅପେକ୍ଷା କରିବାକୁ ଅନୁରୋଧ କରିଥିଲେ । ଗଲ୍ଫ ନେତାମାନଙ୍କ ବିଶ୍ୱାସ ଯେ ବର୍ତ୍ତମାନ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଏକ ବଡ଼ ଚୁକ୍ତିନାମା ସ୍ୱାକ୍ଷରିତ ହୋଇପାରିବ, ଯାହା ଆମେରିକା ଏବଂ ସମଗ୍ର ଅଞ୍ଚଳ ପାଇଁ ଗ୍ରହଣୀୟ ହେବ ।

ଏହି ସମ୍ଭାବ୍ୟ ଚୁକ୍ତିନାମାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି ଇରାନ କେବେହେଲେ ପରମାଣୁ ଅସ୍ତ୍ର ନିର୍ମାଣ କରିପାରିବ ନାହିଁ । ଟ୍ରମ୍ପ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏବଂ ଜଏଣ୍ଟ ଚିଫ୍ ଚେୟାରମ୍ୟାନଙ୍କୁ ନିର୍ଦ୍ଧାରିତ ଆକ୍ରମଣ ନକରିବାକୁ କହିଛନ୍ତି । କିନ୍ତୁ ଯଦି କୌଣସି ସନ୍ତୋଷଜନକ ଚୁକ୍ତି ନହୁଏ ତେବେ ତୁରନ୍ତ 'ପୂର୍ଣ୍ଣ ଏବଂ ବୃହତ ସ୍ତରୀୟ ଆକ୍ରମଣ' ପାଇଁ ପ୍ରସ୍ତୁତ ରହିବାକୁ ସେ ସେନାକୁ ସତର୍କ କରାଇଛନ୍ତି । ଟ୍ରମ୍ପ ପରେ କହିଛନ୍ତି ଯେ ଆମେରିକା ଏକ ବଡ଼ ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା କିନ୍ତୁ ଏବେ ଏହାକୁ କିଛି ସମୟ ପାଇଁ କିମ୍ବା "ଆଶାକରିବେ ବୋଧହୁଏ ସବୁଦିନ ପାଇଁ" ଟାଳି ଦିଆଯାଇଛି । ୨୦୨୬ ଆରମ୍ଭରୁ ଆମେରିକା-ଇସ୍ରାଏଲ-ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଆମେରିକା ପୂର୍ବରୁ ଇରାନ ଉପରେ ଆକ୍ରମଣ କରିଥିବା ବେଳେ ଇରାନ ମଧ୍ୟ ଗଲ୍ଫ ଅଞ୍ଚଳରେ ଥିବା ଆମେରିକାର ସହଯୋଗୀ ଦେଶଗୁଡ଼ିକ ଉପରେ ଡ୍ରୋନ୍ ଆକ୍ରମଣ କରିଛି । ଏହି କାରଣରୁ ମଧ୍ୟପ୍ରାଚ୍ୟର ଗଲ୍ଫ ଦେଶଗୁଡ଼ିକ ମଝିରେ ଫସି ରହିଛନ୍ତି ।












Click it and Unblock the Notifications