Rath Yatra 2024: ତ୍ରିରଥରେ ଓଲଟ ଶୁଆ
ପକ୍ଷୀ ମାନଙ୍କ ମଧ୍ୟରେ ଶୁକ ପକ୍ଷୀ ବା ଶୁଆ ଏକ ଅଦ୍ଭୂତ ପକ୍ଷୀ l ଏହା ଜ୍ଞାନର ପ୍ରତୀକ l ଶୁଆ ଏକ ମାତ୍ର ପକ୍ଷୀ ଯିଏ କି ମନୁଷ୍ୟର ସ୍ୱରକୁ ଅନୁକରଣ କରିପାରେ l ବ୍ୟାସ ସୂତ ବ୍ରହ୍ମଜ୍ଞାନୀ ଶୁକ ଦେବଙ୍କୁ ଶୁକ ପକ୍ଷୀ ରୂପେ ପରିକଳ୍ପନା କରା ଯାଇ ଥାଏ l ଶୁକ ଦେବଙ୍କ ଜନ୍ମ କାହାଣୀରୁ ଜଣାଯାଏ, ମାତା ଶ୍ରୀୟା ଦେବୀଙ୍କ ଗର୍ଭରେ ସଞ୍ଚାର ହେବା ଆଗରୁ ଶୁକଦେବ ଶୁକପକ୍ଷୀରୂପେ ଶିବ ଏବଂ ପାର୍ବତୀଙ୍କ କଥୋପକଥନରୁ ସମସ୍ତ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହୋଇ ସାରିଥିଲେ l ଆମ ଶାସ୍ତ୍ରମାନଙ୍କରେ ହଂସ ମୟୂର ଉଲ୍ଲୁକ, ଗରୁଡ଼, ଅରୁଣ ଆଦି ପକ୍ଷୀମାନେ ଦେବା ଦେବୀଙ୍କ ବାହନ ରୂପେ ପରିଚିତ l ରାମାୟଣରେ ଗୁଧ୍ରରାଜ ଜଟାୟୁ ସମ୍ପାତ୍ତି ସର୍ଵଜନ ବିଦିତ l ଆମ ଭାରତୀୟ ସଂସ୍କୃତି ସହ ବିଭିନ୍ନ ପକ୍ଷୀମାନେ କାହିଁ କେଉଁ କାଳରୁ ଜଡ଼ିତ ହୋଇ ରହିଛନ୍ତି l
ଏବେ ନିଳାଚଳ ଧାମରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି l ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡରେ ଛିଡ଼ା ହୋଇ ରହିଛନ୍ତି ଶ୍ରୀବଳଦେବ, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ତ୍ରିରଥ ତାଳଧ୍ୱଜ ନନ୍ଦିଘୋଷ ଓ ଦେବ ଦଳନ l ଶାସ୍ତ୍ରୀୟ ପଦ୍ଧତିରେ ନିର୍ମିତ ଏହି ରଥମାନଙ୍କରେ ବିଜେ କରିଛନ୍ତି ବିଭିନ୍ନ ଦେଵତା, ଗନ୍ଧର୍ବ ଓ ୠଷିମାନେ l ଏମାନଙ୍କ ସହ, ସମସ୍ତେ ଲକ୍ଷ୍ୟ କରିଥିବେ ପ୍ରତି ରଥରେ ଦଧିନଉତି ଦୁଇ ପାଖରେ ରହିଛନ୍ତି ଓଲଟ ଶୁଆ ଭାବେ ପରିଚିତ ଯୋଡ଼ିଏ କରି ଶୁଆ l ସେମାନଙ୍କ ମୁହଁ ଓ ବେକ ସମ୍ମୁଖକୁ ନ ରହି, ପଛକୁ ମୋଡ଼ି ହୋଇ ରହିଛି l ସେମାନେ ତେଣୁ ଓଲଟ ଶୁଆ ନାମରେ ପରିଚିତ l ଏ ଶୁଆଙ୍କର ନିର୍ଦ୍ଦିଷ୍ଟ ନାମ ରହିଛି l ବଳଦେବଙ୍କ ତାଳଧ୍ଵଜ ରଥର ଶୁଆଙ୍କ ନାମ ଶ୍ରଦ୍ଧା ଓ ବିଶ୍ୱାସ l ଅନ୍ୟ ମତରେ ସୁବର୍ଣ୍ଣ ଓ ସୂପର୍ଣ୍ଣ l ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଶୁକଯୁଗଳଙ୍କ ନାମ ଜୀବ ଓ ପରମ l ଦେବଦଳନ ରଥରେ ଏହାଙ୍କ ନାମ ଶ୍ରୁତି ଓ ସ୍ମୃତି l ରଥ ମାନଙ୍କର ସମସ୍ତ ଅଙ୍ଗ ତତ୍ତ୍ଵମୟ l ଏହି ଶୁଆ ମାନଙ୍କ ଅବସ୍ଥିତି ପଛରେ ମଧ୍ୟ ଏକ ଗଭୀର ଦାର୍ଶନିକ ତତ୍ତ୍ଵ ନିହିତ ଅଛି l

ଗବେଷକ ମାନଙ୍କ ମତରେ ଏ ଶୁକ ଯୁଗଳ ବେଦ ତତ୍ତ୍ଵମୟ ଅଟନ୍ତି l ଋଗବେଦର ଗୋଟିଏ ମନ୍ତ୍ରରେ ଗୋଟିଏ ବୃକ୍ଷରେ ଦୁଇଟି ପକ୍ଷୀ ନିବାସ କରୁଥିବା କୁହାଯାଇଛି l ମନ୍ତ୍ରଟି (୧:୧୬୪:୨୦) :-
ତ୍ଵା ସୁପର୍ଣ୍ଣା ସୟୁଜା ସଖାୟା
ସମାନଂ ଵୃକ୍ଷମ୍ ପରିଷସ୍ଵଜାତେ l
ତୟୋରନ୍ୟଃ ପିପ୍ପଳଂ
ସ୍ୱାଦୃତ୍ତ୍ୟନ୍ନନ୍ୟୋ ଅଭିଚାକଶୀତି ll
ଅର୍ଥାତ, ଚିର ସଙ୍ଗୀ ଦୁଇଟି ପକ୍ଷୀ ଗୋଟିଏ ବୃକ୍ଷ ଉପରେ ବସିଛନ୍ତି l ଗୋଟିଏ ପକ୍ଷୀ ବୃକ୍ଷର ଫଳ ତୋଳି ଖାଉଛି, ଅନ୍ୟଟି କେବଳ ତାକୁ ଦେଖୁଛି l ଏହି ମନ୍ତ୍ରର ବ୍ୟାଖ୍ୟା କରି କୁହାଯାଇଛି ସେ ବୃକ୍ଷ ହେଉଛି ଶ୍ରୀମଦ୍ ଭଗବତଗୀତା ବର୍ଣ୍ଣିତ ଉର୍ଦ୍ଧ୍ବମୂଳ ଅଧଃଶାଖା ବିଶିଷ୍ଟ ଏହି ସଂସାର ବୃକ୍ଷ l ସେଥିରେ ଆତ୍ମା ପରମାତ୍ମା ; ଜୀବପରମ ରୂପୀ ପକ୍ଷୀ ଦ୍ୱୟ ବାସରଚି ରହିଛନ୍ତି l ଜୀବରୂପୀ ପକ୍ଷୀଟି ଏ ଜଡ଼ ସଂସାରର ସମସ୍ତ ଫଳ ଭୋଗ କରୁଥିଲା ବେଳେ ପରମ ପକ୍ଷୀଟି ଏଥିରୁ ନିର୍ଲିପ୍ତ ରହିଛି l ଏହି ମନ୍ତ୍ର ମୁଣ୍ଡକ ଉପନିଷଦରେ ମଧ୍ୟ ଦେଖା ଯାଏ l ଆତ୍ମା ପରମାତ୍ମା ବା ଜୀବ ପରମ ତତ୍ତ୍ୱରୁ ଆମ ପୁରାଣ ଶାସ୍ତ୍ର ମାନଙ୍କରେ ଲୋଟଣୀ ପାରା, ଓଲଟ ଶୁଆ ଏବଂ ଓଲଟ ହଂସର ପରିକଳ୍ପନା କରାଯାଇଛି l ଓଲଟବୃକ୍ଷ ରୂପୀ ସଂସାର ସହିତ ଆମ ଶରୀର ଓ ତହିଁରେ ବାସ କରୁଥିବା ଆତ୍ମାକୁ ହଂସ ରୁପେ ପରି କଳ୍ପନା କରି, ଉତ୍କଳର ପ୍ରାଚୀନ କବି ଦାସରାଜୁ କହିଛନ୍ତି :-
ଓଲଟ ବୃକ୍ଷେ ଖେଳୁଛି ଲୋଟଣିି ପାରା l
ଅଠାକାଠି ପଞ୍ଜୁରୀରେ ନପଡ଼େ ଧରା ll
ଆମ ପଞ୍ଚସଖା ସାହିତ୍ୟ ମାନଙ୍କରେ ଜୀବ ପରମ ତତ୍ତ୍ୱର ଏପରି ଭୂରି ଭୂରି ବର୍ଣ୍ଣନା ରହିଛି l
ସଚ୍ଚିଦାନନ୍ଦ ବ୍ରହ୍ମ ହିଁ ଦାରୁବ୍ରହ୍ମ ହୋଇ ବିରାଜମାନ କରିଛନ୍ତି ତିନି ରଥରେ l ତାହାଙ୍କ ଦର୍ଶନରେ ବ୍ରହ୍ମ ଦର୍ଶନହୁଏ l ଦଧିନଉତିରୂପକ ସଂସାରର ବିଷୟ ଜଞ୍ଜାଳରେ ଲିପ୍ତ ହୋଇ ମଧ୍ୟ ଶୁକ ଯୁଗଳ ଶୋକ ରହିତ ହୋଇ, ଆରାଧ୍ୟ ବ୍ରହ୍ମଙ୍କ ଆଡକୁ ଦୃଷ୍ଟିପାତ କରୁଛନ୍ତି l ଏଠାରେ ଏକାକାର ହୋଇ ଯାଇଛନ୍ତି ପ୍ରକୃତି, ଜୀବ ଓ ପରମାତ୍ମା ପରମେଶ୍ବର l ବେଦ ବର୍ଣ୍ଣିତ ଏହି ଜଟିଳ ଜୀବ ପରମ ତତ୍ତ୍ୱ ହିଁ ରଥସ୍ଥ ଓଲଟଶୁଆ ମାନଙ୍କରେ ପରିକଳ୍ପନା କରାଯାଇଛି ବୋଲି ଗବେଷକ ମାନଙ୍କର ମତ l
ବେଦବର୍ଣ୍ଣିତ ଏ ଜଟିଳ ତତ୍ତ୍ୱକୁ ଅତିବଡ଼ି ଜଗନ୍ନାଥ ଦାସ ଶ୍ରୀମଦ୍ ଭାଗବତର ଏକାଦଶ ସ୍କନ୍ଧ ଦ୍ଵାଦଶ ଅଧ୍ୟାୟର ଶ୍ରୀକୃଷ୍ଣଉଦ୍ଧବ ସମ୍ବାଦରେ ଅତି ପ୍ରାଞ୍ଜଳ ଭାବେ ବୁଝାଇ ଦେଇଛନ୍ତି :-
ଏକଇ ବୃକ୍ଷେ ହଂସ ଦୁଇ l
ବସନ୍ତି ପ୍ରିୟ ଭାବ ବହି ll
ଏକ ଆରେକ ନ ଛାଡ଼ନ୍ତି l
ସ୍ୱଭାବେ ବେନି ସଖା ହୋନ୍ତି ll
ସମାନ ଶକ୍ତି ସେ ବହନ୍ତି ।
ବଦ୍ଧ ବିମୁକ୍ତ ବେନି ଗତି ll
ଅତିବଡ଼ି ପୁଣି କହିଲେ, ଜୀବପରମ ରୂପୀ ପକ୍ଷୀ ଦୁହେଁ ଯେଉଁ ବୃକ୍ଷରେ ନିବାସକରନ୍ତି ସେ ବୃକ୍ଷରେ ଯେତେ ଫଳ ଫଳେ, ତାହାକୁ ଏକ ପକ୍ଷୀ ଅର୍ଥାତ୍ ଜୀବ ବଳପୂର୍ବକ ଖାଇ ନିଏ l ପରମ ରୂପୀ ଅନ୍ୟ ପକ୍ଷୀଟି ନିର୍ଲ୍ଲେପ ନିରଞ୍ଜନ ରୁପରେ ଉପବାସରେ ରହେ l ଯେ ହେତୁ ଅନ୍ୟ ପକ୍ଷୀଟିର ନିର୍ମଳ ଜ୍ଞାନ, ନିଜ ପର କିଛି ନ ଦେଖି ସେ ନିତ୍ୟାନନ୍ଦ ମଧ୍ୟରେ ଥାଏ l ଯେଉଁ ପକ୍ଷୀଟି ବୃକ୍ଷର ଫଳ ଖାଏ ଅର୍ଥାତ କାମନା ବାସନା, ଭୋଗ ଲାଳସାରେ ବୁଡ଼ି ରହେ ଫଳ ସ୍ୱରୂପ ସେ ସଂସାର ବନ୍ଧନରେ ପଡ଼ିଯାଏ l ଅଜ୍ଞାନତା ହେତୁ, ସେ ଆଉ ଭଲ ମନ୍ଦ କିଛି ଜାଣି ପାରେ ନାହିଁ l ଏହିପରି ହେଉଛି ଏ ପକ୍ଷୀ ଦ୍ବୟଙ୍କ ସ୍ବରୂପ l ଏକ ନିର୍ଲ୍ଲେପ ନିରଞ୍ଜନ ପରମାତ୍ମା ଏବଂ ଅନ୍ୟଟି ବଦ୍ଧ ଜୀବ ଜୀବାତ୍ମା l












Click it and Unblock the Notifications