ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଐତିହାସିକ ଦିଗ
ଓଡିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣାକୁ ପ୍ରାଧାନ୍ୟ ଦେବା ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ପ୍ରଧାନ ଲକ୍ଷ୍ୟ । ଏହି ସମ୍ମିଳନୀ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆୟୋଜନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ସମ୍ମିଳନୀ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଓଡିଆ ଯୁବବର୍ଗଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଛି । ଭାଷା ହେଉଛି ପରମ୍ପରା ଓ ପ୍ରଗତିର ଏକ ସଂଯୋଜକ ସେତୁ, ବିକାଶକୁ ଯୋଡିବାର ମୁଖ୍ୟ ମାର୍ଗ ।
ଓଡିଶାର ଗୌରବମୟ ଇତିହାସର ଆଦ୍ୟ ପରିଚୟ ହେଉଛି ଏହି ଜାତିର ଭାଷା ଓଡିଆ । ଏକ ଶାସ୍ତ୍ରୀୟ ଭାଷା ଭାବରେ ଲବ୍ଧପ୍ରତିଷ୍ଟ ଓଡିଆ ଭାଷା ହେଉଛି ପ୍ରତିଟି ଓଡିଆଙ୍କର ଗର୍ବ । ଏହି ଓଡିଆ ଭାଷା ହିଁ ଆମର ଐତିହ୍ୟପୂର୍ଣ୍ଣ ଅତୀତର ଅସ୍ତିତ୍ୱ ଓ ସୂର୍ଣ୍ଣିମ ଭବିଷ୍ୟତ । ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ହେଉଛି ପ୍ରତିଟି ଓଡିଆ ପାଇଁ ଜୀବନର ସବୁଠୁ ଗୌରବପୂର୍ଣ ଅଧ୍ୟାୟ ।
ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସଂକଳ୍ପରେ ଓଡିଆ ଭାଷା ସମଗ୍ର ବିଶ୍ୱରେ ମୁଖରିତ ହେବାକୁ ଯାଉଛି । ଐତିହାସିକ ଭାବରେ ଓଡିଶାରେ ଆୟୋଜିତ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଏହି ଭାଷାର ଜୟଯାତ୍ରାକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପିତ କରିପାରିବ । ପ୍ରାଚୀନ କାଳରୁ ଆଜିପର୍ଯ୍ୟନ୍ତ ଓଡିଆ ଭାଷାର କ୍ରମବିକାଶ, ସାହିତ୍ୟର ଉତ୍ପତ୍ତି ଓ ଏକ ରାଜ୍ୟ ଭାବରେ ଓଡିଶାର ବିକାଶରେ ଏହାର ଉଲ୍ଲେଖନୀୟ ଯୋଗଦାନକୁ ସର୍ବସମ୍ମୁଖରେ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କ ଏହି ଅଭୂତପୂର୍ବ ଆୟୋଜନ ଏକ ମାଇଲଖୁଣ୍ଟ ।
ତିନି ଦିନ ଧରି ହେବାକୁ ଥିବା ଏହି ବିଶ୍ୱସ୍ତରୀୟ ସମ୍ମିଳନୀରେ ୩ ଟି ପ୍ରଦର୍ଶନୀ କକ୍ଷରେ ଓଡିଆ ଭାଷା, ସାହିତ୍ୟ, ଲିପି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି । ପ୍ରାଚୀନ, ମଧ୍ୟଯୁଗ ଓ ପ୍ରିଣ୍ଟିଂ ପ୍ରେସର ଆଗମନ ସମ୍ୱନ୍ଧରେ ସମସ୍ତ ତଥ୍ୟ ପ୍ରଦର୍ଶିତ କରାଯିବ । ଏହାସହ ସମ୍ମିଳନୀର ମୁଖ୍ୟ ଆକର୍ଷଣ ରହିବ ୫ ଜଣ ବରପୁତ୍ରଙ୍କ ନାମରେ ନିର୍ମାଣ କରାଯାଇଥିବା ସମ୍ମିଳନୀ କକ୍ଷ । ପ୍ରଥମ କକ୍ଷ ଆଦିକବି ସାରଳା ଦାସ, ଦ୍ୱିତୀୟ କକ୍ଷ ଅତିବଡି ଜଗନ୍ନାଥ ଦାସ, ତୃତୀୟ କକ୍ଷ କବିସମ୍ରାଟ ଉପେନ୍ଦ୍ରଭଞ୍ଜ, ଚତୁର୍ଥ କକ୍ଷ ବ୍ୟାସକବି ଫକିରମୋହନ ସେନାପତି, ପଞ୍ଚମ କକ୍ଷ ପ୍ରକୃତିକବି ଗଙ୍ଗାଧର ମେହେରଙ୍କ ନାମରେ ନାମିତ କରାଯାଇଛି ।

ଏହି କକ୍ଷ ମାନଙ୍କରେ ବିଶିଷ୍ଟ ଆଲୋଚକ, ଖ୍ୟାତିସମ୍ପନ୍ନ ପ୍ରଫେସର ଓଡିଆ ଭାଷା, ସାହିତ୍ୟ, ଲିପି ଓ ଏହାର ପ୍ରାସଙ୍ଗିକତା ପ୍ରସଙ୍ଗରେ ଆଲୋଚନା କରିବେ । ଖ୍ୟାତିସମ୍ପନ୍ନ କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ହେବାକୁ ଥିବା ବିବିଧ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ୩ ଦିନ ବ୍ୟାପୀ ଆୟୋଜିତ କରାଯିବାକୁ ଥିବା ବେଳେ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ତିନିଦିନିଆ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।
ବିଶେଷ ଆକର୍ଷଣ: ପ୍ରଦର୍ଶନୀ କକ୍ଷ
ପ୍ରାଚୀନ ଯୁଗ
ଓଡିଆ ଭାଷା, ଲିପି, ସାହିତ୍ୟର କ୍ରମବିକାଶ ଆରମ୍ଭ ହୋଇଥିଲା ପ୍ରାଚୀନ ଯୁଗରେ । ଭାରତର ପ୍ରଥମ ଲିଖତ ଲିପି ଅଶୋକଙ୍କ ଶିଳାଲେଖକୁ ଏହି କକ୍ଷରେ ପ୍ରଦର୍ଶିତ କରାଯାଇଛି । ପ୍ରାଚୀନ ଯୁଗରେ ପ୍ରସ୍ତର ଗୁମ୍ଫା ବିକ୍ରମଖୋଲ ଓ ଉପଗଡରୁ ମିଳିଥିବା ଓଡିଆ ଲିପିର ଆଦ୍ୟରୂପକୁ ଏହି ପ୍ରଦର୍ଶନୀ କକ୍ଷରେ ସ୍ଥାନ ଦିଆଯାଇଛି । ଅଶୋକଙ୍କ ସାମ୍ରାଜ୍ୟର ରାଜଧାନୀ ତୋଷାଳୀରୁ ପ୍ରାପ୍ତ ହୋଇଥିବା ଲିପିକୁ ଏଠାରେ ପ୍ରଦର୍ଶିତ କରାଯାଇଛି । ପ୍ରାକ ଐତିହାସିକ ଯୁଗରୁ ସଂଗ୍ରହ କରାଯାଇଥିବା କିଛି ଚିତ୍ରକଳାକୁ ମଧ୍ୟ ଏଠାରେ ସ୍ଥାନିତ କରାଯାଇଛି । ପ୍ରାଚୀନ ଯୁଗରେ ବ୍ୟବହାର ହେଉଥିବା ସାଙ୍କେତିକ ଭାଷା, ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ସମ୍ପର୍କରେ ମଧ୍ୟ ଦେଖିବାକୁ ମିଳିବ । ଏହାସହ ପ୍ରାଚୀନ ଯୁଗରେ ଭାଷାର କ୍ରମବିକାଶ ସମ୍ପର୍କରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ପ୍ରତିଦିନ ପ୍ରଦର୍ଶିତ କରାଯିବ ।
ମଧ୍ୟଯୁଗୀୟ
ଏହି କକ୍ଷରେ ପ୍ରଥମେ ମଧ୍ୟଯୁଗୀୟ ମୁଦ୍ରାକୁ ଏଠାରେ ପ୍ରଦର୍ଶିତ କରାଯାଇଛି । ଓଡିଶାରେ ଶାସନ କରିଥିବା ରାଜାଙ୍କ ସମ୍ପର୍କରେ ମୁଦ୍ରାରୁ ଜାଣିବାକୁ ମିଳିଥାଏ । ଓଡିଶାରେ ଶାସନ କରିଥିବା ରାଣୀମାନଙ୍କ ସମ୍ପର୍କରେ ମୁଦ୍ରା ଜରିଆରେ ପ୍ରଦର୍ଶିତ କରାଯାଇଛି । ଅନ୍ୟପଟେ ଅନେକ ବରପୁତ୍ରଙ୍କୁ ମଧ୍ୟ ଏହି କକ୍ଷରେ ସ୍ଥାନ ଦିଆଯାଇଛି । ଜମ୍ବୁଦେବୀ ଦେବୀ, ସାରଳା ଦେବୀ, ରମାଦେବୀ, ପ୍ରଭାବତୀ ଦେବୀ, ମାଳତୀ ଚୌଧୁରୀ, ଶୋଭାବତୀ ପଣ୍ଡା, କାଇପଡା କଳାମାଟିଆ ଗୁଳିକାଣ୍ଡ, ଓଡିଶାର ଭାରତଛାଡ ଆନ୍ଦୋଳନ, ଇରମ ଗୁଳିକାଣ୍ଡ, ବେଳଲଗେଟଙ୍କ ହତ୍ୟା ଆମକୋ ସିମୋକ ଗୁଳିକାଣ୍ଡ ଆଦି ସମ୍ପର୍କରେ ଦେଖିବାକୁ ମିଳିବ । ଅନ୍ୟପକ୍ଷେ ଓଡିଶାର ସମୃଦ୍ଧ ନୌବାଣିଜ୍ୟ ସମ୍ପର୍କରେ ମଧ୍ଯ ପ୍ରଦର୍ଶିତ କରାଯାଇଛି । ଉତ୍କଳୀୟ ନୌବାଣିଜ୍ୟ ସ୍ଥଳୀ, ନୌବାଣିଜ୍ୟ ପଥ, ନୌବାଣିଜ୍ୟ ଦେବାଦେବୀ, ପାରମ୍ପରିକ ନୌକା ନିର୍ମାଣ ଶୈଳୀ, ଉତଖନୀତ ନୌବାଣିଜ୍ୟ ସ୍ଥଳୀ, ପୁରୀର ମାଣିକପାଟଣା, ଉତଖନୀତ ବସ୍ତୁ, ଯାଜପୁରର ରାଧାନଗର, ତାମ୍ରଲିପ୍ତି ପ୍ରାଚୀନ ବନ୍ଦର, କଳିଙ୍ଗପଟ୍ଟନମ୍ ପ୍ରାଚୀନ ବନ୍ଦରକୁ ମଧ୍ୟ ସ୍ଥାନିତ କରାଯାଇଛି । ଏହାସହ ଜନଜାତିଙ୍କ ସମୃଦ୍ଧ ଇତିହାସକୁ ମଧ୍ୟ ଏଥିରେ ସ୍ଥାନ ଦିଆଯାଇଛି । ସେମାନଙ୍କ ଜୀବନଶୈଳୀ, କୃଷି ପ୍ରଣାଳୀ, କୃଷିଜାତ ଦ୍ରବ୍ୟର ସଂରକ୍ଷଣ ବ୍ୟବସ୍ଥା, ସେମାନଙ୍କର ବେଶଭୂଷା, ଜଳବାୟୁ ସହନଶୀଳତାସମ୍ପନ୍ନ କୃଷି ପ୍ରଣାଳୀ ଆଦିକୁ ସ୍ଥାନିତ କରାଯାଇଛି ।
ପ୍ରିଣ୍ଟିଂ ପ୍ରେସର ଆଗମନ
ଓଡିଶା ସଙ୍ଗୀତ ନାଟକ ଏକାଡେମୀର ପ୍ରୟାସରେ ଏହି କକ୍ଷରେ ବାଦ୍ୟଯନ୍ତ୍ରକୁ ନେଇ ଏକ ମ୍ୟୁଜିକାଲ ଟ୍ରି ପ୍ରସ୍ତୁତ କରାଯାଇଛି । ଏହି ମ୍ୟୁଜିକାଲ୍ ଟ୍ରିରେ ଓଡିଶାରୁ ବିଭିନ୍ନ ସ୍ଥାନରୁ ସଂଗୃହିତ ହୋଇଥିବା ୧୦୦ ରୁ ଉର୍ଦ୍ଧ ବାଦ୍ୟଯନ୍ତ୍ରକୁ ସ୍ଥାନ ଦିଆଯାଇଛି । ମୃଦଙ୍ଗ, ସଞ୍ଚାର ମୃଦଙ୍ଗ, ସମ୍ପ୍ରଦାୟ ମୃଦଙ୍ଗ, ନାଦିଆ ମୃଦଙ୍ଗ, ପାଲା ମୃଦଙ୍ଗ, ମର୍ଦ୍ଦଳ, ଓରାମ ମର୍ଦ୍ଦଳ, କିଶନ ମର୍ଦ୍ଦଳ, କରମସାନି ମର୍ଦଳ, ଚୁର୍ ମର୍ଦ୍ଦଳ, କାଠଢୋଲ, ଦଣ୍ଡଢୋଲ, ବ୍ରହ୍ମବୀଣା, ସିଙ୍ଗା, ଢୋଲ, ନିଶାଣ, ତାସା ଆଦି ବିଭିନ୍ନ ବାଦ୍ୟଯନ୍ତ୍ରକୁ ସ୍ଥାନିତ କରାଯାଇଛି । ଏହାସହ ପ୍ରିଣ୍ଟି ପ୍ରେସର ଆଗମନ ସମ୍ପର୍କରେ ବିସ୍ତୃତ ସୂଚନା ଏଠାରୁ ମିଳିବ । ବିଭିନ୍ନ ପ୍ରାଚୀନ ମୁଦ୍ରଣ ଯନ୍ତ୍ରକୁ ଏଠାରେ ରଖାଯାଇଥିବା ବେଳେ ୧୯୩୬ ମସିହାରୁ ଓଡିଆ ସିନେମା ନିର୍ମାଣରେ ବ୍ୟବହାର ହୋଇ ଆସୁଥିବା ବିଭିନ୍ନ କ୍ୟାମେରା, ଲାଇଟ୍, ସିନେମା ପୋଷ୍ଟର ଆଦି ପ୍ରଦର୍ଶିତ କରାଯାଇଛି । ଓଡିଶା ଭାଷାକୁ ରୁଦ୍ଧିମନ୍ତ କରିବାରେ ବିଭିନ୍ନ ଖବରକାଗଜର ବିଶିଷ୍ଟ ଯୋଗଦାନ ରହିଛି । ଏହାକୁ ଏହି କକ୍ଷରେ ମଧ୍ୟ ପ୍ରଦର୍ଶିତ କରାଯିବ । ଓଡିଆ ଭାଷାର ପ୍ରଥମ ମୁଦ୍ରିତ ପୁସ୍ତକ, ଗୋପବନ୍ଧୁ ଦାସଙ୍କ ହସ୍ତଲିପି, ପ୍ରଥମ ଓଡିଆ ସମ୍ବାଦପତ୍ର, ଚାର୍ଲସ ରୁମଙ୍କ ବିବରଣୀ, ବିଜ୍ଞାପନ, ପଦାବଳୀକୁ ସ୍ଥାନିତ କରାଯାଇଛି ।
ଏହାବ୍ୟତୀତ ପୁସ୍ତକ ପ୍ରଦର୍ଶନ, ଧଉଳୀର ଅର୍ଦ୍ଧଖୋଦିତ ହସ୍ତୀ, କୋଣାର୍କର ପ୍ରସ୍ତର କାରୁକାର୍ଯ୍ୟ, ଭାସମାନ ବର୍ତ୍ତମାଳା ଏବଂ ହଲୋଗ୍ରାମ, ରୋବୋଟ୍ ସମ୍ପର୍କିତ ପ୍ରଦର୍ଶନ ଆଦିକୁ ସମ୍ମିଳନୀର କକ୍ଷରେ ପ୍ରଦର୍ଶନ କରାଯାଇଛି ।
ବରପୁତ୍ରଙ୍କ ନାମରେ ସମ୍ମିଳନୀ କକ୍ଷ
ଓଡିଆ ଭାଷା ଓ ସାହିତ୍ୟର ବିକାଶରେ ଅମର ଯୋଗଦାନ ଦେଇଥିବା ଓଡିଶାର ପାଞ୍ଚଜଳ ବରପୁତ୍ରଙ୍କ ନାମରେ ପାଞ୍ଚଗୋଟି ସମ୍ମିଳନୀ କକ୍ଷକୁ ନାମିତ କରାଯାଇଛି ।
ଆଦିକବି ସାରଳା ଦାସ କକ୍ଷ:
ସାରଳା ଦାସଙ୍କୁ ଓଡିଆ ସାହିତ୍ୟର ଆଦି କବି ଭାବେ ବିଶ୍ୱ ବିଦିତ । ଓଡିଆ ଭାଷାରେ ସାହିତ୍ୟ ରଚନାର ଭିଜିଭୂମି ସ୍ଥାପନ କରିଥିଲେ । ସାଧାରଣ ଲୋକଙ୍କର ବୋଧଗମ୍, ହେଲାଭଳି ସରଳ କତ ଭାଷାରେ ସେ ଓଡିଆରେ ମହାଭାରତ ରଚନା କରିଥିଲେ । ଏହି କକ୍ଷରେ ଆଧୁନିକ ଓଡିଶାର ଆବିର୍ଭାବ, ଓଡିଆ ଭାଷା ଓ ମହିଳା ସଶନ୍ତୀକରଣ, ଜଗନ୍ନାଥ ଚେତନା, ଓଡିଶାର ନବଦିଗନ୍ତର ସମ୍ଭାବନା ଆଦି ବିଷୟରେ ଆଲୋଚନା କରାଯିବ । ପଦ୍ମଶ୍ରୀ ହରମାନ କୁଲଜେ, ପ୍ରଫେସର ଆର୍ଲୋ ଗ୍ରିଫିଥ୍ ଏହି କକ୍ଷରେ ଆଲୋଚନାରେ ସାମିଲ ହେବ ।
ଅତିବଡି ଜଗନ୍ନାଥ ଦାସ କକ୍ଷ:
ଷୋଡଶ ଶତାବ୍ଦୀର ପ୍ରମୁଖ ଭକ୍ତକବି ତଥା ଓଡିଆ ଭାଗବତ ପ୍ରଣେତା ଅତିବଡୀ ଜଗନ୍ନାଥ ଦାସ ଓଡିଶାର ପୁରପଲ୍ଲୀରେ ଆଦୃତ । ନବାକ୍ଷରୀ ଛନ୍ଦରେ ଶ୍ରୀକୃଷ୍ଣ ଚରିତକୁ ସେ ଏପରି ମଧୁସ୍ରାବୀ ଓ ହୃଦୟସ୍ପର୍ଶୀ ପଦାବଳୀ ମାଧ୍ଯମରେ ପରିବେଷଣ କରିଛନ୍ତି, ଯାହାର ପଠନ ବା ଶ୍ରବଣରେ ମନପ୍ରାଣ ଭକ୍ତି ଓ ଆଧ୍ୟାତ୍ମିକତାରେ ଆହ୍ଲାଦିତ ହୋଇଉଠେ । ତାଙ୍କରି ନାମରେ ନାମିତ ଏହି କକ୍ଷରେ ଓଡିଆ ଭାଷାର ଉତ୍ପରି ଏବଂ କ୍ରମବିକାଶ ସମ୍ପର୍କରେ
ଆଲୋଚନା କରାଯିବ । ଆଧୁନିକ ଓଡିଆ ସାହିତ୍ୟ, ଓଡିଶାର ପ୍ରତ୍ନତତ୍ତ୍ୱ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଓଡିଆ ଭାଷାର ସୁଯୋଗ ଏବଂ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯିବ ।
କବିସମ୍ରାଟ ଉପେନ୍ଦ୍ରଭଞ୍ଜ କକ୍ଷ:
ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀ ରୀତିଯୁଗରେ ଶ୍ରେଷ୍ଠ ସାହିତ୍ୟ ସାଧକ ହେଉଛନ୍ତି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ । ନିଜର ଅଦମ୍ୟ ପ୍ରଚେଷ୍ଠା, ଅନନ୍ୟ ଲିଖନଶୈଳୀ, ଗଭୀର ଭାଷାଜ୍ଞାନ, ଉପମା- ଅଳଙ୍କାରର ଚାତୁର୍ଯ୍ୟପୂର୍ଣ୍ଣ ବିନିଯୋଗ ମାଧ୍ଯମରେ ଅନବଦ୍ୟ କାବ୍ୟମାନ ରଚନା କରି ସେ କବିସମ୍ରାଟ ଉପାଧିରେ ଭୂଷିତ ହୋଇଥିଲେ । ତାଙ୍କର ନାମରେ ନାମିତ ଏହି କକ୍ଷରେ ପୁରାତନ ଏବଂ ମଧ୍ୟଯୁଗୀୟ ଓଡିଆ ସାହିତ୍ୟ, ଓଡିଶାର ଲୋକସଂସ୍କୃତି, ଓଡିଶାର ନୌବାଣିଜ୍ୟ ଐତିହ୍ୟ, ସଂସ୍କୃତି ଏବଂ ଐତିହ୍ୟ ରାଜ୍ୟର ସୁକ୍ଷ୍ମଶକ୍ତି ସମ୍ପର୍କରେ ଆଲୋଚନା ହେବ ।
ବ୍ୟାସକବି ଫକିରମୋହନ ସେନାପତି କକ୍ଷ:
ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକିରମୋହନ ସେନାପତି ଏକ ମହାନ ଯୋଗଜନ୍ମା । ତାଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଓଡିଆ ପ୍ରେସ ସ୍ଥାପନ କରି ବିଦ୍ୟାଳୟର ବିଭିନ୍ନ ଶ୍ରେଣୀ ପାଇଁ ପାଠ୍ୟ ପୁସ୍ତକ ଓଡିଆ ଭାଷାରେ ଛପାଇ ଥିଲେ । ତାଙ୍କ ପ୍ରଚେଷ୍ଟା ଯୋଗୁଁ ଓଡିଆ ଭାଷାର ଶିକ୍ଷାଦାନ ହେବା ସମ୍ଭବ ହୋଇଛି । ତାଙ୍କର ନାମରେ ଆଉ ଏକ କକ୍ଷ ନାମିତ କରାଯାଇଛି । ଏହି କକ୍ଷରେ ଭାରତର ଶାସ୍ତ୍ରୀୟ ଭାଷା, ଓଡିଆ ବ୍ୟାକରଣ ଓ ଭାଷା ବିଜ୍ଞାନ, ଓଡିଆ ଭାଷା ବିବିଧତାକୁ ଏଠାରେ ଆଲୋଚନା କରାଯିବ ।
ପ୍ରକୃତିକବି ଗଙ୍ଗାଧର ମେହେର କକ୍ଷ:
ଓଡିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ ପ୍ରକୃତିକବି ଗଙ୍ଗାଧର ମେହେର । ଇନ୍ଦୁମତୀ, କୀଚକ ବଧ, ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ତାଙ୍କରି ରଚନା । ତାଙ୍କ କବିତା, ନାଟକ ଏବଂ ଦାର୍ଶନିକ ଜ୍ଞାନ ଓଡିଆ ସାହିତ୍ୟକୁ ସମୃଦ୍ଧ କରିଛି ଏବଂ ଅଗଣିତ ପାଠକଙ୍କ ହୃଦୟକୁ ସ୍ପର୍ଶ କରିଛି । ତାଙ୍କରି ନାମରେ ନାମିତ ଏହି କକ୍ଷରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଆଲୋଚନା କରାଯିବ । ଓଡିଆ ଭାଷା କିପରି ଭାବେ ବିଜ୍ଞାନର ଭାଷା ହୋଇପାରିବ ସେ ନେଇ ଆଲୋଚନା କରାଯିବ ।
ଏହି ବିଷ୍ଣୁ ଓଡିଆ ଭାଷା ସମ୍ମିଳନୀ ଓଡିଆ ଅସ୍ମିତାର ପରିଚୟ ହେବ । ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତି ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଏହି ଭାଷା ସମ୍ମିଳନୀ ଯୁବପିଢିଙ୍କୁ ଓଡିଆ ଭାଷା ପ୍ରତି ଆକର୍ଷିତ କରିବ । ଓଡିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ଉପରେ ଅନେକ ତର୍କଭିଭିକ ଓ ମାର୍ମିକ ତର୍ଜମା କରାଯିବ । ଦେଶ ବିଦେଶରେ ରହୁଥିବା ଓଡିଆ ଭାଷାବିତମାନେ ଯୋଗଦେଇ ଓଡିଆ ଭାଷାର ସର୍ବପ୍ରାଚୀନତା ଓ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟଭିରିକ ଆଲୋଚନା କରିବେ । ଉକ୍ତ ସମ୍ମିଳନୀର ଆୟୋଜନ ଦ୍ୱାରା ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡିଆ ଭାଷାର ପ୍ରଚାର, ପ୍ରସାର ତଥା ଉନ୍ନତି କରାଯାଇପାରିବ ।












Click it and Unblock the Notifications