ରକ୍ତହୀନତା ବିରୋଧରେ ମହାଲଢେଇ : 16 ହଜାରରୁ ଅଧିକ ମହିଳାଙ୍କର ଘରେ ଏବେ ଖୁସିର ଲହରି
ରକ୍ତହୀନତା ବିରୋଧରେ ମହାଲଢେଇ । ଓଡ଼ିଶାର ପ୍ରଥମ ରକ୍ତହୀନତାମୁକ୍ତ ଗାଁ ହେବ ମହୁଲନାଳୀ ।
ଭୁବନେଶ୍ୱର : ଯୁଧିଷ୍ଠିର ନାୟକ । ଅନୁଗୁଳ ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତର ମହୁଲନାଳୀ ଗାଁରେ ରୁହନ୍ତି । ଘଣ୍ଟାରେ ଠିକ ସନ୍ଧ୍ୟା ଆଠ ବାଜିଲେ ଗାଁ କୋଠଘରେ ଘଣ୍ଟ ବଜେଇବା ଆରମ୍ଭ କରନ୍ତି ଯୁଧିଷ୍ଠିର । ଘଣ୍ଟ କୌଣସି ଠାକୁରଠାକୁରାଣୀଙ୍କ ପାଇଁ ବାଜେନି । ଆଉ ଏବେ ଏହି ଘଣ୍ଟ ଆଣିଛି ଖୁସିର ଖବର । ଜଣେ ନୁହେଁ କି ଦୁଇ ଜଣେ ନୁହେଁ 16 ହଜାରରୁ ଅଧିକ ମହିଳାଙ୍କ ପାଇଁ ଏବେ ବଦଳିଛି ସମୟ, ପରିବାରରେ ଖେଳୁଛି ଖୁସିର ଲହରୀ । ମହୁଲନାଳୀ ଗାଁରେ 2019 ମସିହା ଅଗଷ୍ଟ ମାସରେ ଗ୍ରାମର 63 ପ୍ରତିଶତ ମହିଳା ରକ୍ତହୀନତା ଦ୍ୱାରା ଆକ୍ରାନ୍ତ ଥିଲେ । ପରିବାର ଉପରେ ଥିଲା ଦୁଃଖର ପାହାଡ । ହେଲେ ଦିନ ଗଡିଲା ଆଉ ଏହି କଳାବାଦଲ ହଟିଲା । 2021 ଫେବୃଆରୀ ସୁଦ୍ଧା ଉକ୍ତ ଗାଁରେ 23 ପ୍ରତିଶତ ରକ୍ତହୀନତା କମିଛି । କେବଳ ସେତିକି ନୁହେଁ ମହୁଲନାଳୀ ଗାଁ ଏବେ ରାଜ୍ୟର ପ୍ରଥମ ରକ୍ତହୀନତାମୁକ୍ତ ଗାଁ ହେବାକୁ ଯାଉଛି ।
କାହିଁକି ବାଜେ ଘଣ୍ଟ ?
ଭୁଲ ଖାଦ୍ୟାଭ୍ୟାସ ଏବଂ ଆଇରନ ଫଲିକ ଏସିଡ ବଟିକାକୁ ନେଇ ଭ୍ରାନ୍ତ ଧାରଣା ହେତୁ 2019 ମସିହା ଅଗଷ୍ଟ ମାସ ପର୍ଯ୍ୟନ୍ତ ମହୁଲନାଳୀ ଗ୍ରାମର 63% ମହିଳା ରକ୍ତହୀନତାର ଶିକାର ଥିଲେ । ଏହି ସମୟରେ ମହୁଲନାଳୀରେ ଓଡିଶା ସରକାର, ଜର୍ଜ ୱାସିଂଟନ ବିଶ୍ବବିଦ୍ୟାଳୟ ଓ ଆଇପିଇ ଗ୍ଲୋବାଲ ତରଫରୁ ବ୍ୟବହାର ପରିବର୍ତ୍ତନ ଦ୍ୱାରା ରକ୍ତହୀନତା ଦୂରୀକରଣ କାର୍ଯ୍ୟକ୍ରମ 'ରାନୀ' ପ୍ରକଳ୍ପର କାମ ଆରମ୍ଭ ହୋଇଥିଲା । ପ୍ରଥମ ଦିନରୁ ଏହି ଗ୍ରାମର ମହିଳା, ନିର୍ବାଚିତ ପଂଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ଆଗ୍ରହ ଦେଖାଇଥିଲେ ।

ସଠିକ୍ ସମୟରେ ମହିଳାମାନେ ବଟିକା ଖାଇବା ପାଇଁ ଗାଁର ପୁରୁଷମାନେ ମଧ୍ୟ ଆଗକୁ ଆସିଥିଲେ । ଏହାକୁ ନେଇ ଯୁଧିଷ୍ଠିର ନାୟକ ପ୍ରତ୍ୟେକ ଦିନ ଆଠଟା ବାଜିଲାମାନେ ଘଣ୍ଟ ବଜାନ୍ତି । ଏବଂ ମହିଳାମାନେ ବଟିକା ଖାଆନ୍ତି । କେବଳ ସେତିକି ନୁହେଁ ଘରେ ଥିବା କ୍ୟାଲେଣ୍ଡରରେ ମଧ୍ୟ ଠିକ ଚିହ୍ନ ଦେଇ ସୁନିଶ୍ଚିତ କରନ୍ତି ଯେ ସେମାନେ ନିୟମିତ ନିଜ ରକ୍ତର ହିମୋଗ୍ଲୋବିନ ସ୍ତର ଅନୁସାରେ ଅନୁମୋଦିତ ଆଇରନ ଫଲିକ ଏସିଡ ବଟିକା ନିୟମିତ ଖାଉଛନ୍ତି । ପନ୍ଦରରୁ 49 ବର୍ଷ ବୟସ୍କ ପ୍ରଜନନକ୍ଷମ ବୟସର ମହିଳାମାନ ଖାଆନ୍ତି ବଟିକା । ଏହି ସଚେତନତାର ଫଳସ୍ୱରୂପ ଗ୍ରାମରେ ରକ୍ତହୀନତା ଦ୍ୱାରା ଆକ୍ରାନ୍ତ ମହିଳାଙ୍କ ସଂଖ୍ୟା 23 ପ୍ରତିଶତ ହ୍ରାସ ପାଇଛି । ଆହୁରି ମଧ୍ୟ ଆସନ୍ତା ଏକ ବର୍ଷ ମଧ୍ୟରେ ମହୁଲନାଳୀ ସମେତ ସମସ୍ତ ସାନହୁଲା ପଞ୍ଚାୟତକୁ ରକ୍ତହୀନତା ମୁକ୍ତ ଅଂଚଳରେ ପରିଣତ କରିବାକୁ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ, ଆଗଧାଡିର ସ୍ୱାସ୍ଥକର୍ମୀ (ଆଶା, ଅଙ୍ଗନବାଡି) ଓ ମହିଳାମାନେ ନିଷ୍ପତ୍ତି ନେଇଛନ୍ତି ବୋଲି ସରପଞ୍ଚ ବନିତା ବେହେରା ମତ ଦେଇଛନ୍ତି ।
କିଭଳି ଆରମ୍ଭ ହୋଇଥିଲା ଅଭିଯାନ
ରାନୀ କାର୍ଯ୍ୟକ୍ରମ ଆରମ୍ଭରେ ମହିଳାମାନଙ୍କର ରକ୍ତରେ ହିମୋଗ୍ଲୋବିନ ସ୍ତର ପରୀକ୍ଷା କଲା ପରେ ଏତେ ମାତ୍ରାରେ ରକ୍ତହୀନତା ରୋଗୀ ଦେଖି ଗ୍ରାମବାସୀମାନେ ନିଜ ଗ୍ରାମକୁ ରକ୍ତହୀନତାମୁକ୍ତ ଗ୍ରାମ ଭାବେ ପରିଣତ କରିବାକୁ ଆଗଭର ହୋଇଥିଲେ। ଏ ଦିଗରେ ପ୍ରଥମ କାର୍ଯ୍ୟ ଥିଲା ରକ୍ତହୀନତାର କାରଣ, ନିରାକରଣ, ପ୍ରଭାବ ସମ୍ବନ୍ଧରେ ଜାଣିବା ଏବଂ ଆଇରନ ଫଲିକ ଏସିଡ ବଟିକାକୁ ନେଇଥିବା ଭ୍ରାନ୍ତ ଧାରଣା ଗୁଡିକୁ ଦୂର କରିବା । ଗ୍ରାମରେ ରାଣୀ ପ୍ରକଳ୍ପର ଗୋଷ୍ଠୀ ସୁଗମକାରୀ ଭାବେ କାର୍ଯ୍ୟକରୁଥିବା ଅନାଦି ଚରଣ ସାହୁ ଏ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଆରମ୍ଭ କରିଥିଲେ। ତାଙ୍କ ମତରେ ପ୍ରତିମାସରେ ହିମୋଗ୍ଲୋବିନ ସ୍ତର ପରୀକ୍ଷା ଦ୍ୱାରା ମହିଳାମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ହେଲା ଏବଂ ରକ୍ତହୀନତା ସମ୍ପର୍କୀୟ ମନୋରଞ୍ଜନଧର୍ମୀ ଓ ଶିକ୍ଷଣୀୟ ଭିଡିଓ ପ୍ରଦର୍ଶନ ଦ୍ୱାରା ମହିଳାମାନଙ୍କ ମଧ୍ୟରେ ନିଜକୁ ଓ ନିଜ ଆଖପାଖର ମହିଳାମାନଙ୍କୁ ଏଥିରୁ ରକ୍ଷା କରିବା ପାଇଁ ଆଗ୍ରହ ସୃଷ୍ଟି ହେଲା।

ଫଳରେ, ସେମାନେ କେବଳ ନିୟମିତ ଭାବେ ଆଇରନ ଫଲିକ ଏସିଡ ବଟିକା ସେବନ କଲେ ନାହିଁ ବରଂ କାହାଦ୍ୱୟ ବିବିଧତାକୁ ନିଜ ଦୈନନ୍ଦିନ ଖାଦ୍ୟଶୈଳୀରେ ପ୍ରୟୋଗ କଲେ। ଫଳରେ, ଦେଢ଼ ବର୍ଷ ମଧ୍ୟରେ ଗ୍ରାମରେ ରକ୍ତହୀନତା ରୋଗୀଙ୍କ ସଂଖ୍ୟା ଅଶୁଂରୂପ ଭାବେ ହ୍ରାସ ପାଇଲା। ଏଥିରେ ରାଜ୍ୟ ସରକାରଙ୍କର ଏକାସାଙ୍ଗରେ ତିନୋଟି ବିଭାଗ ସହଯୋଗ କରିଥିଲେ ବୋଲି କହିଛନ୍ତି ରାନୀ ପ୍ରକଳ୍ପର ଅଧ୍ୟକ୍ଷା ଲିପିକା ପାତ୍ର । ମିଶନ ଶକ୍ତି ବିଭାଗ ଦ୍ୱାରା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏନେଇ ସଚେତନ କରାଗଲା । ସେମାନେ ପ୍ରତ୍ୟେକ ପରିବାରରେ ବଟିକା ଖାଇବା ସୁନିଶ୍ଚିତ କଲେ । ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗାଁରେ ମେଡିକାଲରେ 15ରୁ 49 ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କର ନିୟମିତ ରକ୍ତ ପରୀକ୍ଷା ବ୍ୟବସ୍ଥା କରାଗଲା । ଏହା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିଲା । ସେହିପରି ମହିଳା ଓ ଶିଶୁ କଲ୍ୟାଣ ବିଭାଗ 15 ବର୍ଷରୁ କମ୍ କିଶୋରୀମାନଙ୍କ ଖାଦ୍ୟପେୟର ଯତ୍ନ ନେବାର ବ୍ୟବସ୍ଥା କଲେ । ପରିବାରର ଅନ୍ୟ ମହିଳାମାନେ ଯେତେବେଳେ ସ୍ୱାସ୍ଥ୍ୟ ନେଇ ସଚେତନ କରାଯାଉଛି ସେହି ସମୟରେ କିଶୋରୀମାନଙ୍କର ସ୍ୱାସ୍ଥ୍ୟକୁ ବିଭାଗ ଗୁରୁତର ସହିତ ନେଇଥିଲା ଏବଂ ଏଥିପାଇଁ ତ୍ୱରିତ ପଦକ୍ଷେପ ମଧ୍ୟ ନିଆଗଲା ବୋଲି କହିଛନ୍ତି ଲିପିକା ।
16 ହଜାରରୁ ଅଧିକ ମହିଳାଙ୍କ ମୁହଁରେ ଫୁଟୁଛି ହସ
ରାନୀ ପ୍ରକଳ୍ପ କାର୍ଯ୍ୟ କରିବା ଦ୍ୱାରା କେବଳ ମହିଳାମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିନାହିଁ। ବରଂ ଏହା ପୁରୁଷମାନଙ୍କୁ ନିଜ ଘରର ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଦାୟିତ୍ୱବାନ ଓ ସଚେତନ କରାଇଛି। ଏହା ଉପରେ ମତ ଦେଇ ଗ୍ରାମର ଅଧିବାସୀ ମୋହନ ଚନ୍ଦ୍ର ସାହୁ କୁହନ୍ତି ଯେ ଆଗରୁ କିଛି ବଡ଼ ରୋଗ ନହେବା ଯାଏ ଘରର ମହିଳାମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଆମେ ପୁରୁଷମାନେ ଚିନ୍ତା କରୁନଥିଲୁ। ରାନୀ ପ୍ରକଳ୍ପରୁ ରକ୍ତହୀନତା ଓ ଏହାର କୁପ୍ରଭାବ ବିଷୟରେ ଜାଣିବା ପରେ ମୁଁ ମୋ ପତ୍ନୀଙ୍କ ନିୟମିତ ରକ୍ତ ପରୀକ୍ଷା ଓ ସେ ଯେପରି ଠିକ ପରିମାଣର ଖାଦ୍ୟ ଠିକ ସମୟରେ ଖାଇବେ ସେ ବିଷୟରେ ଧ୍ୟାନ ଦେଉଛି। ଏହା ସହ ଘଣ୍ଟ ବାଜିବା ମାତ୍ରେ ମୁଁ ପତ୍ନୀଙ୍କୁ ବରଂ ବଟିକା ଖାଇବା ପାଇଁ ମନେ ପକାଇ ଦେଉଛି।

ମୋହନ ପେସାରେ ଜଣେ ରୋଷେଇଆ ଏବଂ ତାଙ୍କ ପତ୍ନୀ ରିତାରାଣୀଙ୍କ ହିମୋଗ୍ଲୋବିନ ସ୍ତର 2019 ମସିହା ଅଗଷ୍ଟ ମାସରେ ସାତ ଥିଲା। ବର୍ତ୍ତମାନ ରିତାରାଣୀ ନିୟମିତ ଆଇଏଫଏ ବଟିକା ସେବନ ଓ ଖାଦ୍ୟ ବିବିଧତା ଦ୍ୱାରା ନିଜ ହିମୋଗ୍ଲୋବିନ ସ୍ତର 13 ରେ ପହଞ୍ଚାଇ ପାରିଛନ୍ତି। ରିତାରାଣୀ ବର୍ତ୍ତମାନ ରାନୀ ସ୍ୱୟଂସେବକ ଭାବେ କାର୍ଯ୍ୟକରୁଛନ୍ତି ଓ ନିଜ ଉଦାହରଣ ଦେଇ ଗ୍ରାମର ଅନ୍ୟ ମହିଳାମାନଙ୍କୁ ରକ୍ତହୀନତା ଠାରୁ ମୁକ୍ତ ହେବାକୁ ପ୍ରେରଣା ଦେଉଛନ୍ତି।
ମହୁଲନାଳୀର ଗ୍ରାମର ଏହି ସଫଳତା ଆଖପାଖ ଗ୍ରାମର ମହିଳାମାନଙ୍କୁ ରକ୍ତହୀନତା ବିରୋଧରେ ଲଢ଼ିବା ପାଇଁ ପ୍ରେରଣା ଦେଇଛି । ଏହି ସମ୍ପର୍କରେ ମତ ଦେଇ ରାନୀର ଗୋଷ୍ଠୀ ସୁପରଭାଇଜର କଳ୍ପନା ସାହୁ କୁହନ୍ତି ଯେ ମହୁଲନାଳୀର ସଫଳତା ଦ୍ୱାରା ପ୍ରଭାବିତ ହୋଇ ଫୁଲଝରୀ, ଆମ୍ବମୁଣ୍ଡା ଓ କୁରୁମଟାପ ଆଦି ଗ୍ରାମର ମହିଳା ମାନେ ମଧ୍ୟ ହିମୋଗ୍ଲୋବିନ ସ୍ତର ପରୀକ୍ଷା, ନିୟମିତ ଆଇରନ ବଟିକା ସେବନ ଓ ଖାଦ୍ୟ ବିବିଧତାକୁ ଆପଣାଇଛନ୍ତି । ଅନୁଗୁଳ ଜିଲ୍ଲାର ଏହି ଦୁଇଟି ବ୍ଲକର 130ଟି ଗାଁର ପ୍ରାୟ 16 ହଜାରରୁ ଅଧିକ ମହିଳା ଏବେ ଏହି ରୋଗରୁ ମୁକ୍ତ ହେବାରେ ଲାଗିଛନ୍ତି । ନୂଆ ସକାଳର ଅୟମାରମ୍ଭରେ ଏବେ ରକ୍ତବୀନତା ଭଳି ବଡ ଯୁଦ୍ଧରେ ବିଜୟୀ ହେବାକୁ ଯାଉଛି ଓଡ଼ିଶା ।












Click it and Unblock the Notifications