Get Updates
Get notified of breaking news, exclusive insights, and must-see stories!

Deva Snana Yatra: କେଉଁ ଦିଅଁ କେତେ ଗରା ପାଣିରେ ଗାଧାନ୍ତି? ଆଗରୁ କେଉଁଥିରେ ତିଆରି ହେଉଥିଲା ସ୍ନାନବେଦି?

ପ୍ରତିବର୍ଷ ଜ୍ୟେଷ୍ଠ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ପାଳନ ହୋଇଥାଏ। ରଥଯାତ୍ରାର ଏହା ପ୍ରାରମ୍ଭିକ ପ୍ରକ୍ରିୟା। ଅର୍ଥାତ ପରୋକ୍ଷରେ ଏହିଠାରୁ ରଥଯାତ୍ରା ଆରମ୍ଭ ହୋଇଯାଇଥାଏ। ପ୍ରବଳ ଗରମ ଗୁଳୁଗୁଳି ଯୋଗୁ ଏହିଦିନ ମହାପ୍ରଭୁ ଭାଇ ଭଉଣୀଙ୍କ ସହ ମିଶି ଅତ୍ୟଧିକ ଗାଧେଇବା ପରେ, ଆରମ୍ଭ ହୁଏ ଲୀଳାଖେଳା। ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ।

ଶ୍ରୀଜଗନ୍ନାଥ ସଂସ୍କୃତି ବିଶାରଦମାନେ କୁହନ୍ତି, ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ର ପୁରୀରେ, ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ ଭିତ୍ତିଭୂମିର ଲୀଳା। ମହାପ୍ରଭୁଙ୍କ ଆବିର୍ଭାବ ବା ଜନ୍ମବେଳେ ପ୍ରଥମେ ଏହି ସ୍ନାନଲୀଳା ହୋଇଥିବାରୁ ଏହାକୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ। ସୂଚନାଯୋଗ୍ୟ ଯେ, ଶାସ୍ତ୍ର ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା। ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ, ପ୍ରଥମେ ସ୍ନାନଲୀଳା କରାଇଥିଲେ ସେତେବେଳର ମହାରାଜା ଇନ୍ଦ୍ରଦ୍ୟୁମ।

lord jagannath subhadra ana balabhadra

ପୁରୁଣା ସମୟରେ ବର୍ତ୍ତମାନ ପରି ଏମିତି ସ୍ନାନବେଦି ନଥିଲା। ସେତେବେଳେ ସ୍ନାନମଣ୍ଡପ ନଥିବାରୁ କାଠର ଏକ ମଞ୍ଚ ଉପରେ ସ୍ନାନନୀତି କରାଯାଉଥିଲା। ବର୍ଷକୁ ଥରେ ଏହି କାଠମଂଚ ତିଆରି କରାଯାଉଥିଲା। ତା ଉପରେ ଶ୍ରୀବିଗ୍ରହ ମାନଙ୍କୁ ଉପବେଶନ କରାଇ ଗାଧେଇ ଦିଆଯାଉଥିଲା। ସେଥିପାଇଁ ଗବେଷକମାନେ ଏହାକୁ ମଞ୍ଚସ୍ନାନ ବୋଲି ମଧ୍ୟ କହିଥାନ୍ତି। ଶାସ୍ତ୍ର ମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହ୍ମଙ୍କୁ ଗାଧେଇ ଦିଆଯାଏ। ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ମଧ୍ୟ ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି।

ସ୍ନାନ ପୂର୍ଣ୍ଣିମା ବେଳେ ମହାପ୍ରଭୁଙ୍କର ଦୈନନ୍ଦିନ ନୀତି ପାଳନ କରାଯିବା ସହିତ କିଛି ବିଶେଷ ନୀତି ପାଳନ କରାଯାଇଥାଏ। ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନ ପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବହ୍ଲଭ, ସକାଳ ଧୂପ, ଦ୍ବିପ୍ରହର ଧୂପ ପ୍ରଭୃତି ନୀତି ସମାପନ ପରେ, ଅଳ୍ପ ସମୟ ପାଇଁ ପହୁଡ଼ ହୁଏ। ତା ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ। ଏହିଦିନ କୋଠ ସିଆଁସିଆ ସେବକ ମନ୍ଦିରରେ ପ୍ରବେଶ କରନ୍ତି। କାରଣ ସେମାନେ ହିଁ ଶ୍ରୀଜିଉମାନଙ୍କ ପହଣ୍ଡି ପାଇଁ ଚାରମାଳ ବାନ୍ଧିଥାନ୍ତି। ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ମଧ୍ୟ ହୋଇଥାଏ। ସେହିପରି ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଇଥାନ୍ତି। କିନ୍ତୁ ମଦନମୋହନଙ୍କୁ କେବଳ ମହାଜନ ସେବକ ବା ବ୍ରାହ୍ମଣ ଗୋଷ୍ଠୀର ସେବକମାନେ ହିଁ ବିଜେ କରାଇଥାନ୍ତି। ପହଣ୍ଡି ବିଜେ ସମୟରେ ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି। ଏହି ସାତପାହଚ ଉପରେ ଟାହିଆ ଲାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ। ତା ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ଲାଗି କରାଯାଏ।

ତା ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି। ସୁଆର ବଡୁ ଅମ୍ଭୁଣିଆ ପାଣି ଛିଞ୍ଚନ୍ତି। ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅପବ୍ୟବହୃତ ହୋଇ ରହିଥିବା ସ୍ୱର୍ଣ୍ଣକୂପରୁ ଜଳ ଆଣନ୍ତି। ଦେବସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀନ୍ଦିରର ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ।

କୂଅର ବ୍ୟବହାର ବର୍ଷସାରା ନଥିବାରୁ ତାନ୍ତ୍ରିକ ପରମ୍ପରାରେ ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ। ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନଜଳ ଅଭିମନ୍ତ୍ରିତ ହୋଇଥାଏ ଓ ତାନ୍ତ୍ରିକ ବିଧିରେ ଏଥିରେ ୧୩ଟି ପଦାର୍ଥ ମିଶ୍ରଣ କରାଯାଏ। ୧୦୮ କଳସୀ ଜଳରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥ, ହରିତାଳ, ବାହାଡ଼ା, ଆଳମକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣି, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ।

କାହା ପାଇଁ କେତେ ଗରା ପାଣି
୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧା ମୂରତି ଗାଧୁଆ କରନ୍ତି। ଏଥିମଧ୍ୟରୁ କାହା ପାଇଁ କେତେ ଗରା ପାଣି ଦରକାର ପଡ଼ିଥାଏ ଆସନ୍ତୁ ଜାଣିବା। ଏହି ୧୦୮ ଗରା ଜଳରୁ ୩୫ ଗରା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଉଦ୍ଦିଷ୍ଟ। ସେହିପରି ୩୩ ଗରା ଜଳ ବଡ଼ଠାକୁର ବଳଭଦ୍ରଙ୍କ ପାଇଁ ଲାଗୁଥିବା ବେଳେ, ୨୨ ଗରା ଜଳ ମାଆ ସୁଭଦ୍ରାଙ୍କ ପାଇଁ ଏବଂ ୧୮ ଗରା ଜଳରେ ସୁଦର୍ଶନଙ୍କୁ ସ୍ନାନ କରାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+