ଓଡ଼ିଶାର ପିଛା ଛାଡୁନି ବାତ୍ୟା; କେମିତି ଥିଲା ୧୯୯୯ ମସିହା ମହାବାତ୍ୟା ? ପ୍ରଳୟ ରଚିଥିଲା, ସବୁକିଛି ଉଜାଡ଼ି ଦେଇଥିଲା

ବାତ୍ୟା ଓଡ଼ିଶାର ପିଛା ଛାଡୁନି । ଅକ୍ଟୋବର ଆସିଲେ ମନରେ ଛନକା। ଆଉ ଏବେଠୁ କେତେ ସ୍ଥାନରେ ବର୍ଷା ମଧ୍ୟ ହେଉଛି । ତେବେ ୧୯୯୯ ମସିହା ମହାବାତ୍ୟାର ବିଭୀଷିକା ମନେ ପଡ଼ିଲେ ଅଙ୍ଗେ ଲିଭାଇଥିବା ଲୋକଟିର ଲୋମ ଆଜି ବି ଟାଙ୍କୁରି ଉଠେ। ଚାଲନ୍ତୁ ଜାଣିବା ୧୯୯୯ ମସିହା ବାତ୍ୟା ସମ୍ବନ୍ଧରେ।

୧୯୯୯ ମସିହା, ଅକ୍ଟୋବର ୨୯ ଆଉ କିଛି ଦିନ ପରେ ମହାବାତ୍ୟାକୁ ୨୬ ବର୍ଷ ପୂରିବ । ମହାବାତ୍ୟା କେତେ ଯେ ଧନସମ୍ପତ୍ତି ଉଜାଡ଼ି ଦେଇଛି ତା'ର ବାସ୍ତବ ହିସାବ କାହାରି ପାଖରେ ନାହିଁ। ଆଜି ବି ରାଜ୍ୟବାସୀଙ୍କ ମନରୁ ଲିଭିନାହିଁ ତାଣ୍ଡବ କାଳରାତି ଦୃଶ୍ୟ। ପ୍ରଚଣ୍ଡ ପବନ ସାଙ୍ଗକୁ ମୂଷଳ ଧାରାରେ ବର୍ଷା ଏବଂ ତା'ସାଙ୍ଗକୁ ୧୫ ଫୁଟରୁ ଊର୍ଦ୍ଧ୍ବ ଉଚ୍ଚରେ ଲୁଣି ମାଡି ଆସିବା ଯୋଗୁଁ ଜଗତସିଂହପୁର ଜିଲା କୁଜଙ୍ଗ ଓ ଏରସମା ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିଲା। ଚାହୁଁ ଚାହୁଁ ଆଖି ଆଗରେ କାହାର ରୋଜଗାରିଆ ଭେଣ୍ଡିଆ ପୁଅ ତ ପୁଣି କାହାର ସ୍ବାମୀ ଭାସି ପ୍ରାଣ ହରାଇଥିଲେ। ଆଉ କିଏ ହୋଇଥିଲା ବାପା ଛେଉଣ୍ଡ।

ଆଣ୍ଡାମାନ ସାଗରରେ ସୃଷ୍ଟ ଅବପାତ ମହାବାତ୍ୟାର ରୂପ ନେଇ ଉପକୂଳ ଓଡ଼ିଶାରେ ସୃଷ୍ଟି କରିଥିଲା ମହାତାଣ୍ଡବ। ଏହି ପ୍ରଳୟଙ୍କରୀ ବାତ୍ୟାରେ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଧରାଶାୟୀ ହୋଇଥିଲା ଲକ୍ଷଲକ୍ଷ ଘର ଓ ସହସ୍ରାଧିକ ବିଶାଳକାୟ ବୃକ୍ଷରାଜି। ବହୁ ପଶୁପକ୍ଷୀଙ୍କ ଜୀବନ ଯାଇଥିଲା। ବିଶେଷକରି ନିଜର ବାସ ଓ ପ୍ରିୟପରିଜନଙ୍କୁ ହରାଇ ମାନସିକ ଭାରସାମ୍ୟ ହରାଇବସି ଜୀବନର ରାହା ଖୋଜୁଥିଲେ ଉପକୂଳ ଓଡ଼ିଶାବାସୀ। ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପାଖରେ ସେପରି କୌଣସି ସାଧନ ନ ଥିଲା। ଫଳରେ ଏଭଳି ଏକ ଆକସ୍ମିକ ବିପତ୍ତିରୁୁ ବିପନ୍ନମାନଙ୍କୁ ତ୍ୱରିତ୍‌‌ ସୁରକ୍ଷା ଯୋଗାଇଦେବା ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥିଲା।

ପାଣିପାଗ ବିଭାଗ ରିପୋର୍ଟ କହୁଛି, ଏହି ମହାବାତ୍ୟାରେ ଘଣ୍ଟା ପ୍ରତି ୩୧୫ କି.ମି ବେଗରେ ପବନ ବହିଥିବା ବେଳେ ୩୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ପାଖାପାଖି ୪.୪୪ ବିଲିୟନ ଡଲାର ମୂଲ୍ୟର ଧନସମ୍ପତ୍ତି ନଷ୍ଟ କରିଥିଲା। ଏହି ମହାବାତ୍ୟା ପବନର ବେଗ ଉଭୟ ବଙ୍ଗୋପ ସାଗର ଏବଂ ଆରବ ସାଗରରେ ସୃଷ୍ଟି ହୋଇଥିବା ସବୁ ବାତ୍ୟା ପବନର ବେଗଠାରୁ ଅଧିକ ଥିଲା। ମହାବାତ୍ୟା ବାଲେଶ୍ବର, ଭଦ୍ରକ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ, ପୁରୀ, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ଅଧିକ ପ୍ରଭାବିତ କରିଥିଲା। ଜଗତସିଂହପୁର ଜିଲାର କୁଜଙ୍ଗ ଏବଂ ଏରସମା ବ୍ଲକ ସମ୍ପୂର୍ଣ୍ଣ ଭାବେ କ୍ଷତିଗସ୍ତ ହୋଇଥିଲା। ୧୩ ଲକ୍ଷ ହେକ୍ଟର ଜମିରେ ଶସ୍ୟ ପ୍ରଭାବିତ ହୋଇଥିବାବେଳେ ୧.୭୬ ହେକ୍ଟର ଜମିରେ ପନିପରିବା ଏବଂ ୨.୫୭ ଲକ୍ଷ ହେକ୍ଟର ଜମିରେ ଫସଲ ଧୋଇ ଯାଇଥିଲା। ଏଥିସହିତ ବହୁ ଗୃହପାଳିତ ପଶୁପକ୍ଷୀଙ୍କର ମୃତ୍ୟୁ ଘଟିଥିଲା। ହଜାର ହଜାର ବାସଗୃହ ମାଟିରେ ମିଶି ଯାଇଥିଲା।

ମହାବାତ୍ୟାର ଉତ୍ପତ୍ତି

ଆଣ୍ଡାମାନ ଦ୍ୱୀପପୁଞ୍ଜର ପୂର୍ବ ଦିଗରୁ ୫୫୦ କିମି ଦୂରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହା କ୍ରମଶଃ ଶକ୍ତିଶାଳୀ ହୋଇ ମହାବାତ୍ୟାରେ ପରିଣତ ହୋଇଥିଲା ।

କେମିତି ଥିଲା ମହାବାତ୍ୟା

୧୯୯୯ ମସିହା ଅକ୍ଟୋବର ୨୯ । ଘଣ୍ଟା ପ୍ରତି ୩୦୦ କିମି ବେଗରେ ମାଡ଼ି ଆସୁଥିଲା ପବନ । ଛିନଛତ୍ର କରି ଦେଇଥିଲା ସବୁକିଛି । ୩୦ ଘଣ୍ଟାର ତାଣ୍ଡବରେ ପୂରା ଛାରଖାର ହୋଇଯାଇଥିଲା ଅର୍ଦ୍ଧାଧିକ ଓଡ଼ିଶା । ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ମହାବାତ୍ୟାରେ ଉଜୁଡ଼ି ଯାଇଥିଲା ଅନେକ ପରିବାର । ପ୍ରାଣ ହରାଇଥିଲେ ୩୦ ହଜାରରୁ ଅଧିକ ଲୋକ । ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା ଓ ଅସ୍ତରଙ୍ଗ । ପାରାଦୀପର ଷଣ୍ଢକୁଦ ବସ୍ତି ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଥିଲା ।

ମହାବାତ୍ୟାର ୫ ଦିନ ପୂର୍ବରୁ ଗଲ୍ଫ ଅଫ୍ ସିଆମରେ ଲଘୁଚାପ ନେଇ ପାଣିପାଗ ବିଭାଗ ଅକ୍ଟୋବର ୨୪ରେ ଆକଳନ କରିଥିଲା । ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାର ନଦୀ କୂଳିଆ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା ।

ଅକ୍ଟୋବର ୨୯ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁରର ଏରସମା ଓ ବାଲିକୁଦା ମଧ୍ୟରେ ମହାବାତ୍ୟା ମାଡ଼ ହୋଇଥିଲା । ସେତେବେଳେ ପବନର ବେଗ ଏତେ ଥିଲା ଯେ ଆନେମୋମିଟର ବି ଫେଲ୍ ମାରିଥିଲା । ମାପି ପାରିନଥିଲା ମହାବାତ୍ୟାରେ ବୋହୁଥିବା ପବନର ବେଗକୁ । ଉପକୂଳ ଓଡ଼ିଶାରେ ୩ ଦିନ ଧରି ବର୍ଷା ଲାଗି ରହିଥିଲା ।

Cyclone Odisha

ପ୍ରଭାବିତ ହୋଇଥିଲା ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲା । ଉପକୂଳରେ ଥିବା ୨୯ଟି ସହର ସହ କଟକ ଓ ଭୁବନେଶ୍ୱରରେ ମଧ୍ୟ ମହାବାତ୍ୟା ତାଣ୍ଡବ ରଚିଥିଲା । ସରକାରୀ ଭାବେ ୯ ହଜାର ୯୯୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୫୦ ହଜାରରୁ ଅଧିକ । ବାପାମାଆ ଛେଉଣ୍ଡ ହୋଇ ଯାଇଥିଲେ ପ୍ରାୟ ୧୫ଶହ ଶିଶୁ । କେବଳ ଜଗତସିଂହପୁର ଜିଲ୍ଲାରେ ନିଖୋଜ ହୋଇଥିଲେ ୮ ହଜାରରୁ ଅଧିକ ଲୋକ । ୭ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ୩ ଲକ୍ଷ ୧୫ ହଜାରରୁ ଅଧିକ ଗୃହପାଳିତ ପଶୁ ପ୍ରାଣ ହରାଇଥିଲେ । ବେଘର ହୋଇଥିଲେ ଲକ୍ଷାଧିକ ଲୋକ । ୨୩ ହଜାର ୧୨୯ଟି ଘର ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଥିଲା ।

ମହାବାତ୍ୟାର ସେ ଦିନ ଆଜି ମନେ ପଡ଼ିଲେ ସମସ୍ତଙ୍କ ଛାତିରେ ଛନକା ପଶିଯାଏ । ଆଖି ଜକେଇ ଆସେ । ଆଉ ଏବେ ବି ଅକ୍ଟୋବର ମାସ ଆସିଲେ ଥରି ଉଠନ୍ତି ମହାବାତ୍ୟାକୁ ସାମ୍ନା କରିଥିବା ଲୋକ । ମନରେ ଆଶଙ୍କା ଆସେ ଏଥରକ ଆଉ ସେମିତି କିଛି ବଡ଼ ହେବନି ତ ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+