ଚର୍ଚ୍ଚିତ କଲମ୍ବସ, ବିସ୍ମୃତ କୌଣ୍ଡିନ୍ୟ

ଚର୍ଚ୍ଚିତ କଲମ୍ବସ, ବିସ୍ମୃତ କୌଣ୍ଡିନ୍ୟ ବିଷୟ ସମ୍ପୂର୍ଣ୍ଣ ଭାବରେ ଲେଖିକାଙ୍କ ନିଜସ୍ବ ମତାମତ ।
ଲେଖିକା -(ବିଶ୍ୱଭାରତୀ)

ଅଗଷ୍ଟ ତିନି ତାରିଖ, ୧୪୯୨ ମସିହା । ଇଟାଲୀୟ ନାବିକ ଖ୍ରୀଷ୍ଟୋଫର କଲମ୍ୱସ୍ ସ୍ପେନ୍‌ର ପାଲୋସ୍ ଡିଲା ଫ୍ରଣ୍ଟେରୋ ବନ୍ଦରରୁ ନିନା, ପିଣ୍ଟା, ସାଣ୍ଟାମାରିଆ ନାମକ ତିନିଟି ଜାହାଜ ନେଇ ଜଳଯାତ୍ରା ଆରମ୍ଭ କଲେ। ସାଥିରେ ଥିଲେ ନବେଜଣ ଅନୁଚର । ଉଦ୍ଦେଶ୍ୟ ଭାରତ ଓ ଚୀନକୁ ଜଳପଥ ଆବିଷ୍କାର; କିନ୍ତୁ ଜଳଯାତ୍ରାର ଦିଗ ଥିଲା ଓଲଟା । ଆଟ୍‌ଲାଣ୍ଟିକ୍ ମହାସାଗରରେ ଦୀର୍ଘ ଦୁଇମାସ ନଅଦିନ କ୍ରମାଗତ ପଶ୍ଚିମମୁହାଁ ଯାତ୍ରା କରିବା ପରେ ଅକ୍ଟୋବର ୯ ତାରିଖ ୧୪୯୨ରେ କଲମ୍ୱସ୍ ଉତ୍ତର ଆମେରିକାର ବାହାମାସରେ ପଦାର୍ପଣ କଲେ।

ଦୀର୍ଘଦିନର କ୍ରମାଗତ ଜଳଯାତ୍ରା ପରେ ଜାହାଜର ଅଧିକାଂଶ ଯାତ୍ରୀ ଅତିଶୟ କ୍ଳାନ୍ତ ହୋଇପଡ଼ିଥାନ୍ତି। ଖାଦ୍ୟ ଓ ପାଣିର ଅଭାବରେ ଅନେକ ଅର୍ଦ୍ଧାହାର, ଅନାହାରଜନିତ ଦୁର୍ବଳତା ଅନୁଭବ କରୁଥାନ୍ତି। ସେ ସମୟରେ ଆମେରିକାରେ ବାସ କରୁଥିବା ଆଦିମ ଅଧିବାସୀମାନେ ଏମିତି ଶ୍ଵେତାଙ୍ଗ ମଣିଷ ପୂର୍ବରୁ କେବେ ଦେଖି ନଥିଲେ। ସେମାନେ ଏହି ଶ୍ୱେତାଙ୍ଗମାନଙ୍କୁ ଦେବଦୂତ ମନେକଲେ ଏବଂ ସାଧ୍ୟମତେ ମନପ୍ରାଣ ଦେଇ ସମସ୍ତଙ୍କର ସେବାଯତ୍ନ କଲେ, ଖାଦ୍ୟ ପାନୀୟରେ ଆପ୍ୟାୟିତ କରି ରହିବାର ବ୍ୟବସ୍ଥା କରିଦେଲେ । କିଛିଦିନ ବିଶ୍ରାମ ପରେ କଲମ୍ୱସ୍ ଆମେରିକା ଭ୍ରମଣରେ ବାହାରିଲେ। ବିଶାଳକାୟ ସୁନାବ୍ୟା ନଦୀ ସମୂହ, ବିସ୍ତୃତ ତୃଣଭୂମି, ନିଘଞ୍ଚ ଚିରହରିତ୍ ଅରଣ୍ୟ, ଖଣିଜ ସମ୍ପଦ ପୂର୍ଣ୍ଣ ପର୍ବତମାଳା, ସ୍ଵାସ୍ଥ୍ୟପ୍ରଦ ଜଳବାୟୁ । ଏତେ ପ୍ରାଚୁର୍ଯ୍ୟର ସମ୍ଭାର ଉପରେ ବସି ଏ ନିର୍ବୋଧ ଆଦିବାସୀଗୁଡ଼ାକ ବଣ୍ୟ ଫଳ ଖାଉଛନ୍ତି ! କଲମ୍ବସ୍ ରହିଗଲେ। ଜାହାଜ ଫେରିଗଲା ରାଣୀଙ୍କ ପାଇଁ ଚିଟାଉ ଘେନି । ସନ୍ଦେଶ ଥିଲା, ଆଉ ମାତ୍ର ଦୁଇଶହ ଖଣ୍ଡେ ଲୋକ ଓ କିଛି ଅସ୍ତ୍ରଶସ୍ତ୍ର ପଠାନ୍ତୁ, ଅବିଳମ୍ବେ ଅନାୟାସରେ ସମଗ୍ର ଭାରତ ଭୂଖଣ୍ଡ ଆମର ହୋଇଯିବ । (ମୃତ୍ୟୁ ପର୍ଯ୍ୟନ୍ତ କଲମ୍ୱସ୍ ଆମେରିକାକୁ ଭାରତ ମନେ କରୁଥିଲେ) ।
ଅତିଶୀଘ୍ର କଲମ୍ୱସ୍‌ଙ୍କ ବରାଦ ମୁତାବକ ଲୋକ ଓ ଅସ୍ତ୍ରଶସ୍ତ୍ର ନେଇ ଜାହାଜ ଫେରି ଆସିଲା । ଆରମ୍ଭ ହେଲା ନିର୍ମମ ନରସଂହାର, ଯାହା ଆମେରିକାର ଇତିହାସ ଆଗରୁ କେବେ ଦେଖିନଥିଲା ଏବଂ ଭବିଷ୍ୟତରେ ବି ଦେଖିବ ନାହିଁ । ସରଳ, ନିଷ୍କପଟ, ନିରୀହ ନିରସ୍ତ ଆଦିବାସୀଙ୍କୁ ହତ୍ୟା କରାଗଲା । ମିଳିମିଳା, ହାଡ଼ଫୁଟି ଭୂତାଣୁ ଆମେରିକାରେ ପୂର୍ବରୁ ନଥିଲା। ୟୁରୋପରୁ ଏହି ଭୂତାଣୁପୂର୍ଣ୍ଣ କମ୍ୱଳ ମଗାଯାଇ ଶୀତଋତୁରେ ବଣ୍ଟାଗଲା । ସେହି କମ୍ବଳ ଘୋଡ଼େଇ ହୋଇ ହଜାର ହଜାର ଲୋକ ମିଳିମିଳା, ହାଡ଼ଫୁଟିରେ ଆକ୍ରାନ୍ତ ହେଲେ ଏବଂ ଏହି ନୂଆ ଭୂତାଣୁ ସହିତ ଲଢ଼ିବାକୁ ଆମେରିକୀୟ ଆଦିବାସୀମାନଙ୍କ ଶରୀର ପ୍ରସ୍ତୁତ ନଥିବାରୁ ଅଗଣିତ ଲୋହିତ ଭାରତୀୟ ମୃତ୍ୟୁବରଣ କଲେ। ଯୁବକଯୁବତୀଙ୍କୁ ବଳପୂର୍ବକ ଧରିନେଇ ଦାସ ବନେଇ ଦିଆଗଲା। ମହିଳାମାନଙ୍କୁ ଗଣଧର୍ଷଣ କରାଗଲା। ଏ ପ୍ରକ୍ରିୟା ଦିନେ, ମାସେ ବା ବର୍ଷେ ନୁହେଁ ଶତାଧିକ ବର୍ଷ କାଳ ଜାରି ରହିଲା ଏବଂ ସତୁରି ଲକ୍ଷରୁ ଉର୍ଦ୍ଧ୍ୱ ଆଦିବାସୀଙ୍କୁ ମାରିଦିଆଗଲା ।

kaundinya, columbus

ଆଦିବାସୀ ଗୋଷ୍ଠୀଙ୍କର ଆକୁଳ ପ୍ରାର୍ଥନା କଲମ୍ୱସଙ୍କ ହୃଦୟତନ୍ତ୍ରୀରେ ସାମାନ୍ୟ ଆଲୋଡ଼ନ ମଧ୍ୟ ସୃଷ୍ଟି କଲା ନାହିଁ । ଲକ୍ଷଲକ୍ଷ ଆଦିମ ଅଧିବାସୀଙ୍କୁ ହତ୍ୟାକରି, ବାସଚ୍ୟୁତ କରି, ଦାସ ବନାଇ, ୟୁରୋପୀୟମାନଙ୍କୁ ଆମେରିକା ମହାଦେଶ ଉପହାର ଦେଲେ କଲମ୍ୱସ୍। ପୃଥିବୀ ଇତିହାସରେ କଲମ୍ୱସ୍ ମହାନାୟକ ପାଲଟି ଗଲେ । ଦୀର୍ଘ ପାଞ୍ଚଶହ ବର୍ଷ ପରେ ମଧ୍ୟ ଆଜି ସାରା ପୃଥିବୀର ସମସ୍ତ ଦେଶର ଇତିହାସ ପୁସ୍ତକରେ କଲମ୍ବସଙ୍କ ଆମେରିକା ଆବିଷ୍କାର ଏକ ସମ୍ମାନାସ୍ପଦ ଉଚ୍ଚାରଣ।

ଆଉ କୌଣ୍ଡିନ୍ୟ ? କିଏ ସିଏ ?

ଯଦି କାମ୍ବୋଡିଆ, ଥାଇଲାଣ୍ଡ, ମାଲେସିଆ ଓ ଚୀନର କିମ୍ବଦନ୍ତୀ ଓ ଲୋକକଥାଗୁଡ଼ିକ ଶତମୁଖ ହୋଇ କୌଣ୍ଡିନ୍ୟଙ୍କର ଜୟଗାନ କରିନଥାନ୍ତେ, ତେବେ ସେ କୋଉକାଳୁ ବିସ୍ମୃତିର ଅତଳ ଗର୍ଭରେ ବିଲୀନ ହୋଇସାରିଥାନ୍ତେ । କଳିଙ୍ଗ ଇତିହାସରେ 'କୌଣ୍ଡିନ୍ୟ' ନାମ ସମ୍ପୂର୍ଣ୍ଣ ଅନୁଚ୍ଚାରିତ । ଏ ଜାତି ତ ନିଜର ବରପୁତ୍ରମାନଙ୍କର ଜୟଗାନ କରିବା ହିଁ ଶିଖିନାହିଁ ।

ଦୁଇ ହଜାର ବର୍ଷ ପୂର୍ବେ କଳିଙ୍ଗର ଯୁବ ସୌଦାଗର କୌଣ୍ଡିନ୍ୟ ନିଜସ୍ୱ ବିଶାଳ ବୋଇତ ଘେନି କମ୍ବୋଜ ଦେଶ (କାମ୍ବୋଡିଆ) ପାଖ ଦେଇ ଯାତ୍ରା କରୁଥିବାବେଳେ ଜଳଦସ୍ୟୁ ଆକ୍ରମଣର ଶିକାର ହେଲେ । ସମରକଳା ନିପୁଣ କୌଣ୍ଡିନ୍ୟ ପ୍ରଚଣ୍ଡ ପ୍ରତିଆକ୍ରମଣ କରି ଜଳଦସ୍ୟୁଙ୍କୁ ପରାଜିତ କଲେ; କିନ୍ତୁ ଯୁଦ୍ଧରେ ତାଙ୍କର ବୋଇତ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଲା । ମରାମତି କରିବା ପାଇଁ ନିକଟସ୍ଥ ସ୍ଥଳଭାଗ କମ୍ୱୋଜରେ ପହଞ୍ଚିଲେ । ସେଠାରେ 'ନାଗ' ଜାତିର ଆଦିବାସ ବସବାସ କରୁଥିଲେ । ନାଗକନ୍ୟା 'ସୋମା' କୌଣ୍ଡିନ୍ୟଙ୍କୁ ଶତ୍ରୁ ମନେକରି ଯୁଦ୍ଧ ଘୋଷଣା କଲେ । ତେବେ କୌଣ୍ଡିନ୍ୟଙ୍କର କନ୍ଦର୍ପଜିଣା ସୌମ୍ୟ ସୁଦର୍ଶନ ରୂପକାନ୍ତି, ପ୍ରବଳ ପରାକ୍ରମ, ଅଦ୍ଭୁତ ରଣକୌଶଳରେ ଅଭିଭୂତ ହୋଇ ସେଇ ରଣାଙ୍ଗନରେ ସୋମା ତାଙ୍କୁ ପ୍ରେମ ନିବେଦନ କଲେ । ନାଗକନ୍ୟାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ, ଅପୂର୍ବ ଦେଶଭକ୍ତି ଓ ଅନନ୍ୟ ରଣରଙ୍ଗରେ ବିମୁଗ୍ଧ ହୋଇ କୌଣ୍ଡିନ୍ୟ ସାଦରେ ତାଙ୍କର ପ୍ରେମ ସ୍ଵୀକାର କଲେ । ଉଭୟେ ଗାନ୍ଧର୍ବ ବିବାହ କଲେ ଏବଂ ସ୍ଥାନୀୟ ମୂଳବାସିନ୍ଦାଙ୍କ ସହାୟତାରେ ବିଶାଳ ଫୁନାନ୍ ସାମ୍ରାଜ୍ୟ ପ୍ରତିଷ୍ଠା କଲେ । କାମ୍ବୋଡିଆର ଇତିହାସ ତା'ର ପ୍ରଥମ ପୃଷ୍ଠାରେ ପ୍ରଥମ ସମ୍ରାଟ ଓ ସାମ୍ରାଜ୍ଞୀ ଭାବେ କୌଣ୍ଡିନ୍ୟ ଓ ସୋମାଙ୍କ ନାମ ଉଲ୍ଲେଖ କଲା ।

କୌଣ୍ଡିନ୍ୟ କଳିଙ୍ଗ ଦେଶରୁ ଅନେକ ଅଭିଜ୍ଞ ସୁଦକ୍ଷ ଶିଳ୍ପୀ, ସ୍ଥପତି, କାରିଗରମାନଙ୍କୁ ଅଣାଇ ନିଜ ସାମ୍ରାଜ୍ୟରେ ସସମ୍ମାନେ ବସବାସ କରିବାର ସୁଯୋଗ ଦେଲେ ଏବଂ କଳିଙ୍ଗର କଳାନୈପୁଣ୍ୟ, ଶିଳ୍ପଚାତୁରୀର ପରିପ୍ରକାଶ କରିବାକୁ ବ୍ୟାପକ ସ୍ଵାଧୀନତା ଏବଂ ସହଯୋଗ ଦେଲେ। ଫଳତଃ ଫୁନାନ୍ ସାମ୍ରାଜ୍ୟରେ ଖୁବ୍‌ଶୀଘ୍ର ଅତୁଳନୀୟ ଭବ୍ୟ ସ୍ଥାପତ୍ୟ ଯୁକ୍ତ ସୁରମ୍ୟ ନଗରମାନ ଗଢ଼ିଉଠିଲା । କୌଣ୍ଡିନ୍ୟଙ୍କ ପ୍ରୋତ୍ସାହନରେ କମ୍ବୋଜ ଦେଶର ସମୁଦ୍ରତଟରେ ଅନେକ ବନ୍ଦର, ବିପଣିକେନ୍ଦ୍ର ନିର୍ମିତ ହେଲା ଏବଂ କଳିଙ୍ଗର ସାଧବମାନଙ୍କୁ ବାଣିଜ୍ୟ ବ୍ୟବସାୟର ସୁଯୋଗ ଦିଆଗଲା । କଳିଙ୍ଗର ଶିଳ୍ପୀ, ସ୍ଥପତିମାନଙ୍କ ଦ୍ଵାରା ନଗରୀଗୁଡ଼ିକ ନିର୍ମିତ ହୋଇଥିବାରୁ ଏବଂ ସେଠାରେ ବହୁଳ ସଂଖ୍ୟାରେ କଳିଙ୍ଗ ଦେଶୀମାନଙ୍କର ବସବାସ ତଥା ଆତଯାତ ଲାଗି ରହିବାରୁ କମ୍ୱୋଜଦେଶ ଦ୍ଵିତୀୟ କଳିଙ୍ଗର ଭ୍ରମ ସୃଷ୍ଟି କଲା । କୌଣ୍ଡିନ୍ୟଙ୍କ ସାଧୁ ପ୍ରୟାସ ଯୋଗୁଁ ଫୁନାନ୍ ସାମ୍ରାଜ୍ୟର ଅନେକ ଦେଶ ସହିତ ବାଣିଜ୍ୟିକ, ରାଜନୈତିକ ତଥା ସାଂସ୍କୃତିକ ସମ୍ପର୍କ ସ୍ଥାପିତ ହେଲା ଏବଂ ବିଶ୍ଵ ଏ ଦେଶକୁ ଚିହ୍ନିଲା। ସୁଶାସନ ପାଇଁ ସେ ଏତେ ଜନପ୍ରିୟ ଥିଲେ ଯେ କେବଳ କାମ୍ବୋଡିଆ ନୁହେଁ, ତା'ର ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ କୌଣ୍ଡିନ୍ୟ ଓ ତାଙ୍କର ଅମର ପ୍ରେମ କାହାଣୀ, ତାଙ୍କର ବୀରତ୍ଵର, ରାଜତ୍ଵର ଗୌରବ ଗାଥା ଦୁଇହଜାର ବର୍ଷ ପରେ ଆଜି ମଧ୍ୟ ସତେଜ ରହିଛି ।

କୌଣ୍ଡିନ୍ୟ କାମ୍ବୋଡିଆ ଆବିଷ୍କାର କରିବାର ହଜାରେ ବର୍ଷ ପୂର୍ବରୁ କଳିଙ୍ଗର ସାଧବମାନେ ଦକ୍ଷିଣ ଏସୀୟ ଦ୍ୱୀପଦେଶ ସମୂହର ଆବିଷ୍କାର ପ୍ରକ୍ରିୟା ଆରମ୍ଭ କରିଥିଲେ। ସେମାନେ ଏହି ଦ୍ଵୀପଗୁଡ଼ିକର ମୂଳବାସିନ୍ଦାଙ୍କୁ ହତ୍ୟା ନ କରି ବରଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ସେମାନଙ୍କ ସହାୟତାରେ ହିଁ ସେଠାରେ ଭାରତୀୟ ଆର୍ଯ୍ୟ ସଭ୍ୟତାର ଉନ୍ମେଷ ଘଟାଇଥିଲେ । ଏହି ଦ୍ଵୀପଦେଶଗୁଡ଼ିକରେ ଏତେ ପରିମାଣର କଳିଙ୍ଗ ଦେଶୀମାନେ ବାଣିଜ୍ୟ ବ୍ୟବସାୟ, ବସବାସ କଲେ ଯେ ସେ ସମୟରେ ଆଗଙ୍ଗାଗୋଦାବରୀ ବିସ୍ତୃତ ମୂଳ କଳିଙ୍ଗ ଦେଶ 'ଭାରତ କଳିଙ୍ଗ' ଏବଂ ମ୍ୟାମାର୍, ଥାଇଲାଣ୍ଡ, ଲାଓସ୍, କାମ୍ବୋଡିଆ, ଭିଏତ୍‌ନାମ୍, ଫିଲିପାଇନ୍ସ, ଇଣ୍ଡୋନେସିଆ, ମାଲେସିଆ, କାମ୍ବୋଡିଆ, ଜାଭା, ବାଲି, ବୋର୍ଣ୍ଣିଓ, ସିଂହଳ ଆଦି ଦେଶସମୂହ 'ବୃହଦ୍ କଳିଙ୍ଗ" ଭାବରେ ପ୍ରସିଦ୍ଧି ଲାଭ କରିଥିଲା । କୌଣ୍ଡିନ୍ୟଙ୍କ ପରି ସେ ଦେଶ ସମୂହରେ ମଧ୍ୟ ପ୍ରଥମେ ସାମ୍ରାଜ୍ୟ ସ୍ଥାପନ କରିଥିବା କଳିଙ୍ଗ ପୁତ୍ରମାନଙ୍କ ନାମ ସ୍ଥାନୀୟ ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ଏବଂ କିମ୍ବଦନ୍ତୀ ଓ ଲୋକକଥାରେ ସସମ୍ମାନେ ଉଚ୍ଚାରିତ ।

କିନ୍ତୁ କଳିଙ୍ଗ ଦେଶ ସେମାନଙ୍କୁ ମନେରଖିଲା କି? ଓଡ଼ିଆ ପିଲେ ଇତିହାସରେ ପଢ଼ିଲେ କେମିତି ଏ ଜାତି ବାରମ୍ବାର ପରାହତ ହୋଇଛି, ଲୁଣ୍ଠିତ, ଅତ୍ୟାଚାରିତ ହୋଇଛି ଯବନ, ମୋଗଲ, ମରାଠା, ଇଂରେଜ ଇତ୍ୟାଦିଙ୍କ ଦ୍ଵାରା; କିନ୍ତୁ କଳିଙ୍ଗ ପୁତ୍ରମାନଙ୍କର ସମ୍ପୂର୍ଣ୍ଣ ଅହିଂସ ଉପାୟରେ ବିଶାଳ ସାମ୍ରାଜ୍ୟମାନ ପ୍ରତିଷ୍ଠା କରିବାର କାହାଣୀ ପଢ଼ିଲେନି । ଆମ ପିଲାଏ କଲମ୍ବସଙ୍କ ଆମେରିକା ଆବିଷ୍କାର କରିବା କଥା ପଢ଼ିଲେ; କିନ୍ତୁ କୌଣ୍ଡିନ୍ୟଙ୍କ କାମ୍ବୋଡିଆ ଆବିଷ୍କାର କରିବା କଥା ଜାଣିଲେନି । ତେଣୁ କୋଉଠୁ ଆସିବ ଜାତୀୟତାବୋଧ? ଯେ ପର୍ଯ୍ୟନ୍ତ ଏ ଜାତି ନିଜର ଗୌରବ ଗାଥାକୁ ଇତିହାସରେ ସଗର୍ବେ ସ୍ଥାନ ଦେଇନାହିଁ, ସେ ପର୍ଯ୍ୟନ୍ତ ମଧୁବାବୁଙ୍କ ପରି ଯେତେ ବରପୁତ୍ର ଜାତିପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କଲେ ମଧ୍ୟ ତାହା ଅଚିରେ ନିର୍ବାପିତ ହୋଇଯିବ । ସୁତରାଂ, ମିଛିମିଛିକା ବାଲିଯାତ୍ରା ତ ବହୁତ ପାଳିଲେଣି; ଏବେ କଳିଙ୍ଗ ପୁତ୍ରମାନଙ୍କର ଗୌରବ ଗାଥା, ଦକ୍ଷିଣ ଏସୀୟ ରାଷ୍ଟ୍ରସମୂହରୁ ସଂଗ୍ରହ କରି ଓଡ଼ିଶା ଇତିହାସରେ ସ୍ଥାନିତ କରିବା, ଓଡ଼ିଶାର ଘରେ ଘରେ ପରିଚିତ କରାଇବା ତଥା ଉତ୍ତର ପିଢ଼ିଙ୍କୁ ସଗର୍ବେ ଉପହାର ଦେବାର ଯଥାଶୀଘ୍ର ପ୍ରୟାସ ହେବା ନିତାନ୍ତ ଆବଶ୍ୟକ। ତାହାହେଲେ ଯାଇ ଓଡ଼ିଆଙ୍କ ମନରେ ସ୍ଵତଃ ଜାତିପ୍ରେମ ସ୍ଫୁରିତ ହେବ ଏବଂ ବିଶ୍ୱ ଇତିହାସ କଲମ୍ୱସ୍‌ଙ୍କୁ ନୁହେଁ, କୌଣ୍ଡିନ୍ୟଙ୍କୁ କହିବ 'ମହାନାୟକ' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+