Maha Shivratri 2024: କାହିଁକି ପାଳନ କରାଯାଏ ମହାଶିବରାତ୍ରୀ ? ଜାଣନ୍ତୁ କାରଣ
ଫାଲଗୁନ କୃଷ୍ଣ ଚତୁର୍ଦଶୀ ତିଥିରେ ପାଳନ କରାଯାଏ ମହାଶିବରାତ୍ରୀ । ଏହି ପବିତ୍ର ଦିନ ସାରା ଦେଶରେ ଭକ୍ତମାନେ ମହାଦେବଙ୍କ ଆରାଧନା କରିଥାନ୍ତି । ସକାଳରୁ ରାତି ପର୍ଯ୍ୟନ୍ତ ଉଜାଗ ରହି ଶିବଙ୍କୁ ପୂଜା କରିବାର ପରମ୍ପରା ରହିଛି । ଉତ୍ତର ଭାରତୀୟ କ୍ୟାଲେଣ୍ଡର ଅନୁଯାୟୀ, କୃଷ୍ଣ ଚତୁର୍ଦଶୀ ତିଥିରେ ମହା ଶିବରାତ୍ରୀ ଭାବରେ ପାଳନ କରାଯାଏ ।
ଏହି ପବିତ୍ର ଦିନରେ ଶିବ ଭକ୍ତଙ୍କ ସହ ମହାଦେବଙ୍କ ପ୍ରତି ଶ୍ରଦ୍ଧା ରଖୁଥିବା ଲୋକ ଉପବାସ ରଖିଥାନ୍ତି । ଶିବଲିଙ୍ଗ ଉପରେ ବେଲପତ୍ର, ଫୁଲ ଆଦି ଚଢ଼ାଇ ମହାଦେବଙ୍କର ପୂଜାର୍ଚ୍ଚନା କରିଥାନ୍ତି । ଏହା ସହ ଖୀଓ ଜଳ ମଧ୍ୟ ଅର୍ପଣ କରିଥାନ୍ତି । ସମସ୍ତେ ମାନନ୍ତି ଏହି ଦିନରେ ହୃଦୟର ସହ ମହାଦେବଙ୍କୁ ପୂଜା କରିବା ଦ୍ୱାରା ଶିବ ତାର ସବୁ ଦୁଃଖ ହରଣ କରନ୍ତି ଓ ଭକ୍ତର ମନସ୍କାମନା ପୂରଣ କରିଥାନ୍ତି ।

କାହିଁକି ପାଳନ ହୁଏ ମହାଶିବରାତ୍ରୀ ?
ମହାଦେବଙ୍କ ପ୍ରକଟ
ଦେବଦେବ ମହାଦେବଙ୍କଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି ।
ମହାଭାରତ କଥା
ଶିବରାତ୍ରର ମହିମା ସମ୍ପର୍କରେ ମହାଭାରତର ଶାନ୍ତିପର୍ବରେ କଥିତ ଅଛି ଯେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ଧର୍ମୋପଦେଶ ଦେଲାବେଳେ ମହାଶିବରାତ୍ରି ପାଳନ ସମ୍ପର୍କରେ ଇକ୍ଷାକୁ ବଂଶର ରାଜା ଚିତ୍ରଭାନୁଙ୍କ କାହାଣୀ ଉଦ୍ଧାର କରିଥିଲେ । ଜମ୍ବୁଦ୍ୱୀପର ରାଜା ଚିତ୍ରଭାନୁଙ୍କ ସ୍ତ୍ରୀ ଥରେ ଶିବରାତ୍ରି ଉପବାସ ପାଳନ କରିଥିଲେ । ସେ ସମୟରେ ଋଷି ଅଷ୍ଟବକ୍ର ରାଜଦରବାରକୁ ଆସି ରାଜାଙ୍କୁ ଏହି ଦିବସ ପାଳନର କାରଣ ପୁଚ୍ଛାକରିଥିଲେ । ରାଜା ଜାତିସ୍ମର ଥିବାରୁ ନିଜ ପୂର୍ବଜନ୍ମର କାହାଣୀ ବର୍ଣ୍ଣନା କଲେ: ପୂର୍ବଜନ୍ମରେ ସୁସ୍ୱର ନାମରେ ସେ ଜଣେ ଶିକାରୀ ଥିଲେ । ଦିନେ ବଣରେ ବୁଲୁବୁଲୁ ସନ୍ଧ୍ୟା ହେଲା । ନିଜ କୁଟୀରକୁ ଫେରି ନ ପାରି ରାତିରେ ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷାପାଇବା ପାଇଁ ସେ ନିକଟରେ ଥିବା ବେଲଗଛ ଉପରକୁ ଚଢ଼ିଗଲେ । ରାତିସାରା ବେଲପତ୍ର ଛିଡ଼ାଇ ତଳକୁ ପକାଇବା ସହ ନିଜ ପରିବାର କଥା ଭାବି ଲୁହ ଝରାଇବାକୁ ଲାଗିଲେ । ତାଙ୍କ ଅଜାଣତରେ ସେହି ଲୁହ ଓ ପତ୍ର ବିଲ୍ୱ ବୃକ୍ଷର ପାଦଦେଶରେ ଥିବା ଶିବଲିଙ୍ଗ ଉପରେ ପଡୁଥାଏ । ସକାଳ ହେବାରୁ ସେ ଶିକାର ଧରି ଘରକୁ ଫେରିଲେ । ପ୍ରଥମେ ଜଣେ ଭିକ୍ଷୁକୁ କିଛି ଖାଦ୍ୟ ଦାନକରି ନିଜେ ଖାଦ୍ୟଗ୍ରହଣ କଲେ । କିଛି ବର୍ଷ ପରେ ତାଙ୍କ ମୃତ୍ୟୁ ହେବାରୁ ସେ ଶୈବଲୋକ ପ୍ରାପ୍ତ ହେଲେ । ଅଜ୍ଞାତରେ, ସେ ଶିବରାତ୍ରି ଦିନ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ସେ ଶିବଙ୍କ ପାଖରେ ରହିବାର ସୁଯୋଗ ଲାଭ କରି ପରଜନ୍ମରେ ଚିତ୍ରଭାନୁ ରୂପରେ ରାଜଗାଦି ଭୋଗ କଲେ ।
ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଉତ୍ପତ୍ତି:
ଧାର୍ମିକ ବିଶ୍ୱାସ ଅନୁସାରେ ଭଗବାନ ଶିବଙ୍କର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମହାଶିବରାତ୍ରୀ ଦିନ ପ୍ରକଟ ହୋଇଥିଲେ । ତେଣୁ ମହାଶିବରାତ୍ରୀରେ ଏହି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କୁ ପୂଜା କରି ଶିବଙ୍କ ଆଶୀର୍ବାଦ ପ୍ରାପ୍ତ କରାଯାଏ । ଭାରତର ବିଭିନ୍ନ ସ୍ଥାନରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ରରେ ଏହି ପର୍ବ ବେଶ ଭକ୍ତି ଓ ଉଲ୍ଲାସର ସହ ପାଳିତ ହୋଇଥାଏ ।
ସମଗ୍ର ଓଡ଼ିଶାର ଶୈବପୀଠ, ବିଶେଷ କରି ଆଖଣ୍ଡଳମଣି ମନ୍ଦିର,ଆରଡ଼ି, କପିଳାସ ଶିବ ମନ୍ଦିର,କପିଳାସ, ଗୁପ୍ତେଶ୍ୱର ଗୁମ୍ଫା,ଗୁପ୍ତେଶ୍ୱର, ବେଦବ୍ୟାସ, ଲିଙ୍ଗରାଜ ମନ୍ଦିର,ଭୁବନେଶ୍ୱର,ଲୋକନାଥ ମନ୍ଦିର,ପୁରୀ, ମହେନ୍ଦ୍ରଗିରି, ହରିଶଙ୍କର ମନ୍ଦିର,ହରିଶଙ୍କର, ବିମଳେଶ୍ୱର ଦେଉଳ,ହୁମା, ଧବଳେଶ୍ୱର ମନ୍ଦିର,କଟକ-ଆଠଗଡରେ ଏହି ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଏହା ପାଳନ କରିଥାନ୍ତି ।












Click it and Unblock the Notifications