‘ମନ କି ବାତ୍’ରେ ‘ବେଲପଣା’ର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
'ମନ କି ବାତ୍'ରେ ଓଡିଶାର ପାରମ୍ପରିକ 'ବେଲପଣା'ର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ରବିବାର ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ 'ମନ କି ବାତ୍'ରେ ସେ ଖରାଦିନେ ଶରୀରକୁ ସୁସ୍ଥ, ସତେଜ ଓ ନିରୋଗ ରଖିବା ପାଇଁ ଦେଶର ବିଭିନ୍ନ ସ୍ଥାନର ପାରମ୍ପରିକ ପାନୀୟ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ବେଲପଣା ଓ ସ୍ୱାଦିଷ୍ଟ ଆମ୍ବର ବିଶେଷ ଉଲ୍ଲେଖ କରି ଏହାର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଅନେକ ପାରମ୍ପରିକ ପାନୀୟ ମଧ୍ୟରେ ଓଡିଶାର ବେଲପଣା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ମୋଦୀ କହିଥିଲେ। ଏହା ଶରୀରକୁ ସୁସ୍ଥ ଓ ଶୀତଳ ରଖେ। ଏହାସହ ଓଡିଶାର ଆମ୍ବର ସ୍ୱାଦ ଓ ଗୁଣକୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଶଂସା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଏକ୍ସରେ ଏହା ପୋଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ 'ବେଲପଣା'ର ପ୍ରଶଂସା କରିଥିବାରୁ ଅଶେଷ ଧନ୍ୟବାଦ। ବେଲପଣା ଓଡ଼ିଆ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ଏହା କେବଳ ଏକ ପାନୀୟ ନୁହେଁ; ପଣା ସଂକ୍ରାନ୍ତି ଅବସରରେ ଏହା ପ୍ରସାଦ ରୂପେ ଭକ୍ତି ଓ ବିଶ୍ୱାସ ସହ ଅର୍ପଣ କରାଯାଏ, ଯାହା ଆମ ସାଂସ୍କୃତିକ ପରିଚୟର ଏକ ମହନୀୟ ଅଂଶ। ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ଏହି ପାନୀୟ କେବଳ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ, ବରଂ ଏହା ଆମର ପ୍ରାଚୀନ ଖାଦ୍ୟଶୈଳୀ ଓ ସ୍ଥାନୀୟ ଜ୍ଞାନର ଏକ ଜୀବନ୍ତ ଉଦାହରଣ।
ଓଡ଼ିଶାର ଏହି ପରମ୍ପରାକୁ ଜାତୀୟ ସ୍ତରରେ ପ୍ରୋତ୍ସାହିତ କରିବା ସହ ଏହାକୁ ସମଗ୍ର ଦେଶ ପାଇଁ ପ୍ରେରଣାଦାୟକ ଭାବେ ଉପସ୍ଥାପନ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ଏଭଳି ପ୍ରୟାସ ନିଶ୍ଚିତ ଭାବେ ଆମର ସ୍ୱତନ୍ତ୍ର ପରିଚୟକୁ ବିଶ୍ୱ ଦରବାରରେ ସୁଦୃଢ଼ କରିବ।












Click it and Unblock the Notifications